କୋରାପୁଟ: ଇଣ୍ଡିକା କାର୍‌ ସମେତ ୩୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର କାକିରିଗୁମ୍ମା ପୁଲିସ ମଙ୍ଗଳବାର ୩୦ କିଲୋ ଗଞ୍ଜେଇ ଭର୍ତ୍ତି ଇଣ୍ଡିକା ଜବତ କରିଛି। ଏହି ଘଟଣାରେ ପୁଲିସ ମହାରାଷ୍ଟ୍ରର ୩ ଜଣ ଲୋକଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କାକିରିଗୁମା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ ଓ ତାଙ୍କ ଟିମ୍‌ ଏମ୍‌ଭି ଚେକିଂ ସମୟରେ ଏକ ଟାଟା ଇଣ୍ଡିକୋ ମାଞ୍ଜା କାର୍‌ (ନମ୍ବର ଏମଏଚ୍‌ ୪୪ବି-୦୨୦୨) କୋରାପୁଟ ଆଡୁ ରାୟଗଡା ଅଭିମୁଖେ ଯାଉଥିବା ବେଳେ ଧରାପଡିଥିଲା ପୁଲିସ୍‌ ଟିମ୍‌ ମହାରାଷ୍ଟ୍ର ନମ୍ବରର ଗାଡି ଦେଖି ସନ୍ଦେହ କରି ଡିକି ଖୋଲି ଗାଡି ଟିକୁ ଯାଞ୍ଚ କରିବା ସମୟରେ ୩ଟି ବସ୍ତାରେ ଭର୍ତ୍ତି ଗଞ୍ଜେଇ ବାହାରିଥିଲା।

କାକିରିଗୁମା ଥାନାକୁ ନିଆଯାଇ ଲକ୍ଷ୍ମୀପୁର ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ମାନସେଠ୍‌ଙ୍କ ମାଜିଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିିତ ରହିବା ପରେ ତାହାକୁ ଓଜନ କରାଯାଇଥିଲା। ଗାଡରୁ ଗଞ୍ଜେଇ ସମେତ ନଗଦ ୧ ଲକ୍ଷ ଟଙ୍କା ଓ ୪ଟି ମୋବାଇଲ୍‌ ମଧ୍ୟ ଜବତ କରାଯାଇଛି। ଗିରଫଙ୍କ ମଧ୍ୟରେ ଇମରାନ୍‌ ଖାନ୍‌(୨୯), ସୁନ୍‌ ଖାନ୍‌ (୨୫), ନଦିମ୍‌ ଖାନ୍‌ (୩୨) ଓ ସେମାନଙ୍କ ଘର ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ତାଜନଗର ବୋଲି ତଦନ୍ତକାରୀ ଅଫିସର ତଥା ଲକ୍ଷ୍ମୀପୁର ଏସଡିପିଓ ତପନ ନାରାୟଣ ରଥ ସୂଚନା ଦେଇଛନ୍ତି।

ଏନେଇ କାକିରିଗୁମା ଥାନା କେସ୍‌ ନମ୍ବର ୬୦/୧୮ ଦଫା ଏସ ୨୦(ବି)(ଆଇଆଇ)(ସି)-୨୫ ଏନଡିପିଏସ୍‌ ଆକଟ୍‌ରେ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କୁ ବୁଧବାର ଅତିରିକ୍ତ ସେସନ୍‌ସ କୋର୍ଟରେ ହାଜର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର