ପୀଡିତାଙ୍କୁ ସହାୟତା ପ୍ରଦାନ

ମାଲକାନଗିରି: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ମଧ୍ୟବର୍ତ୍ତୀ କାଳୀନ କ୍ଷତିପୂରଣ ବାବଦରେ ୧ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ କମିଟି ସଭ୍ୟ ତଥା ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଏସପି ଜଗମୋହନ ମୀନା, ଜିଲ୍ଲା ଦୌରାଜଜ ମାନସ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରକରି ନାବାଳିକା ପୀଡିତାକୁ ମଧ୍ୟବର୍ତ୍ତୀ କାଳୀନ ଅନୁକମ୍ପା ରାଶି ଦିଆଯାଇଛି। ଏହି ସହାୟତା ରାଶିକୁ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ମାନସ କୁମାର ମିଶ୍ର ପୀଡିତା ପରିବାରଙ୍କ ଉପସ୍ଥିତିରେ ଚେକ ପ୍ରଦାନ କରିଥିଲେ। ସଚିବ ଅମିତ ସ୍ୱରୂପ କୁମାର ସେଠ ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ଜଣେ ନାବାଳିକା କଲେଜ ଛାତ୍ରୀକୁ ସେହି କଲେଜର ଜଣେ ଅଧ୍ୟାପକ ଏବଂ ଚାରି ଜଣ ବ୍ୟକ୍ତି ଦୁଷ୍କର୍ମ କରିବା ସହ ଆପତ୍ତିଜନକ ଫଟୋ ଉଠାଇଥିଲେ। ଏହିକଥା କାହାରିକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏହାପରେ ପୀଡିତା ଘରକୁ ଫେରି ଘଟଣା ସଂପର୍କରେ ପରିବାର ଲୋକଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ପୁଲିସ ଘଟଣା ସଂପର୍କରେ ଜାଣିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉକ୍ତ ମାମଲା କୋର୍ଟରେ ବର୍ତମାନ ବିଚାରଧୀନ ରହିଛି। ତେଣୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସହଯୋଗ କରାଯାଇଛି।

ସମ୍ବନ୍ଧିତ ଖବର