ଦୁର୍ଦ୍ଦାନ୍ତ ନକ୍ସଲ ହିଡମାର ବୋମା ତିଆରି ଭିଡିଓ ଭାଇରାଲ

ମାଲକାନଗିରି: ମାଲକାନଗିରି ଏବଂ ଛତିଶଗଡ ସୀମାରେ ଆତଙ୍କ ମଚାଇଥିବା ଦୁର୍ଦାନ୍ତ ନକ୍ସଲ ହିଡମାର ବୋମା ତିଆରି ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ହିଡମା କିପରି ବୋମା ତିଆରି କରାଯିବ ଏବଂ ତାକୁ ପୁଲିସ ବିରୁଦ୍ଧରେ କିଭଳି ବ୍ୟବହାର କରାଯିବ ସାଥି ନକ୍ସଲଙ୍କୁ ବିସ୍ତତ ଭାବେ ବୁଝାଉଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ହିଡମାକୁ କେହି ପୂର୍ବରୁ ଦେଖି ନଥିବା ବେଳେ ପୁଲିସ ନିକଟରେ କୌଣସି ଫଟୋ ନାହିଁ। ତେବେ ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ ମୁହଁ ଢଙ୍କା ହୋଇଥିବା ଜଣେ ବ୍ୟକ୍ତିକୁ ହିଡମା ବୋଲି ପରିଚୟ ଦିଆଯାଉଛି। ସେହିପରି ହିଡମା ବୋମା ତିଆରି କୌଶଳରେ ଧୁରନ୍ଦର ବୋଲି ଅନୁମାନ କରାଯାଉଛି। ଛତିଶଗଡର ସବୁ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଜୋର ଧରିଛି। ପୁଲିସ ମଧ୍ୟ ଏହି ଭିଡିଓକୁ ନେଇ ତର୍ଜମା କରିବ ବୋଲି କହିଛି। ସୁକମାର ଚିନ୍ତାଗୁମ୍ଫା ଅଂଚଳରେ ହିଡମାର ପତିଆରା ରହିଛି।

ଦୁଇ ଦିନ ତଳେ ଯେଉଁ ବଡ ନକ୍ସଲ ହମଲା ହୋଇଥିଲା, ତାହାର ମାଷ୍ଟର ମାଇଣ୍ଡ ମଧ୍ୟ ମାଓ କମାଣ୍ଡର ହିଡମା। ସେ ପ୍ଲାଟୁନ ନମ୍ବର-୧ର କମାଣ୍ଡର। ଭଜ୍ଜି ଓ ଚିନ୍ତାଗୁମ୍ଫା ମଧ୍ୟରେ ନିର୍ମାଣଧୀନ ରାସ୍ତାରେ ନିୟୋଜିତ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଗାଡିକୁ ନିଆଁ ଲଗାଇ ପୋଡି ଦେବା ସହ ଦୁଇ ଜଣ ଯବାନଙ୍କୁ ମାରିବା ଏବଂ ୬ରୁ ଊର୍ଦ୍ଧ୍ୱ ଯବାନଙ୍କୁ ଆହତ କରିବା ଘଟଣାରେ ସାମିଲ ରହିଛି। ହିଡମାର ଚେହେରା ପଦାକୁ ଆସିବା ପରେ ପୁଲିସ ଏବଂ ସୁରକ୍ଷାକର୍ମୀଙ୍କୁ ଚିହ୍ନିବା ସହଜ ହୋଇଯିବ ବୋଲି ଆଲୋଚନା ଜୋର ଧରିଛି। ଏହି ତାଲିମ ସୁକମାର ଘଂଚ ଜଂଗଲ ମଧ୍ୟରେ ଦିଆଯାଉଥିବା ସୂତ୍ରରୁ ପ୍ରକାଶ। ତେବେ ନକ୍ସଲ ଗତିବିଧି ଉପରେ ନଜର ରଖିଥିବା କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଏହି ଭିଡିଓରେ ହିଡମା ହିଁ ବୋମା ତିଆର କୌଶଳ ଶିଖାଉଛି। ତେବେ ଏହି ଭିଡିଓ ପୁରୁଣା ହୋଇଥିବାରୁ ହିଡମାର ଚେହେରା ସ୍ପଷ୍ଟ ଜଣାପଡୁନଥିଲା। କିନ୍ତୁ ପୁଲିସ ଏହି ଭିଡିଓକୁ ନେଇ ଏବେ ବେଶ ଖୁସି। ଅନ୍ତତଃ ହିଡମାକୁ ଟାର୍ଗେଟ କରିବାରେ ଏବେ ସହଜ ହେବ ବୋଲି କହିଛି।

ସମ୍ବନ୍ଧିତ ଖବର