ନକ୍ସଲଙ୍କ ନୂଆ ଅସ୍ତ୍ର ‘ପେନ ଗନ୍‌’

ମାଲକାନଗିରି: ନକ୍ସଲ ସଂଗଠନ ଆଧୁନିକ ତଥା ଅଧିକ ମାରକ କ୍ଷମତା ସଂପନ୍ନ ହତିଆର ବ୍ୟବହାର କରୁଥିବା କାହାକୁ ଅଛପା ନୁହେଁ। କିନ୍ତୁ ପୂର୍ବରୁ କେବଳ ଚଳଚ୍ଚିତ୍ରରେ ହିଁ ଦେଖା ଯାଉଥିବା ‘ପେନ୍‌ ଗନ୍‌’ ଏବେ ନକ୍ସଲ ସଂଗଠନ ହାତରେ ଲାଗିଛି। ଏହି ପିସ୍ତଲକୁ ବସ୍ତର ଅଂଚଳରେ ସକ୍ରିୟ ଟପ୍‌ କ୍ୟାଡର ମାଓବାଦୀ ବ୍ୟବହାର କରିବା ଆରମ୍ଭ କଲେଣି। ଗତକାଲି ବିଜାପୁର ଏବଂ ଦନ୍ତେୱାଡା ସୀମାରେ ହୋଇଥିବା ଏନକାଉଣ୍ଟର ପରେ ଘଟଣା ସ୍ଥଳକୁ ନିରୀକ୍ଷଣ ବେଳେ ଏଭଳି ଏକ ପିସ୍ତଲ ପୁଲିସକୁ ମିଳିଛି। ଅତି ନିକଟରୁ ବ୍ୟବହାର ହେଉଥିବା ପିସ୍ତଲ ପୁଲିସର ହୋସ୍‌ ଉଡ଼ାଇ ଦେଇଛି।
କିଛି ଦିନ ତଳେ ନକ୍ସଲ କ୍ୟାମ୍ପରେ ଚଢ଼ାଉ କରି ପୁଲିସ ଗୋଟିଏ ଜର୍ମାନ ନିର୍ମିତ ରାଇଫଲ ଜବତ କରିଥିଲା। ଏହାପରେ ପେନ୍‌ ଗନ୍‌ ମିଳିବା ଘଟଣା ନକ୍ସଲ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ପ୍ରମାଣ କରୁଛି। ତେବେ ଏହି ପିସ୍ତଲର ନିର୍ମାଣ ଶୈଳୀକୁ ଦେଖିଲେ ତାହାକୁ ନଜସ୍ୱ କୌଶଳରେ ତିଆରି କରାଯାଇଥିବା ଜଣାପଡ଼ୁଛି।
୫ରୁ ୬ଇଞ୍ଚ ଲମ୍ବା ଏହି ପିସ୍ତଲକୁ ବ୍ୟବହାର କରିବା ଅତି ସହଜ। କଲମ ଭଳି ଆକାର ହୋଇଥିବାରୁ ତାହାକୁ ଲୁଚାଇବାକୁ ବି ବିଶେଷ କଷ୍ଟ ହୋଇ ନଥାଏ। ଏହାର ଓଜନ ୧୦୦ ଗ୍ରାମ ମଧ୍ୟରେ। ୯ ଏମଏମ ବୁଲେଟ ଗୋଟିଏ ରାଉଣ୍ଡ ପାଇଁ ବ୍ୟବହାର ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି ୧୦ ମିଟର ଭିତରେ ଏହାକୁ ବ୍ୟବହାର କରାଯାଏ ତେବେ ବଂଚିବାର ସମ୍ଭାବନା ଖୁବ୍‌ କମ। ଟାର୍ଗେଟ ନିକଟକୁ ଯାଇ ଟ୍ରିଗର ଚାପିଲେ କାମ ତମାମ। ବିଶେଷ କରି ଭିଡ଼ ମଧ୍ୟରେ ଅତି ନିକଟରୁ ଟ୍ରିଗର ଚାପି ଗହଳିରେ ନିଜକୁ ହଜାଇ ଦେବାକୁ ନକ୍ସଲ ଏହି ହତିଆର ନିର୍ମାଣ କରିଥିବା କୁହାଯାଉଛି। ବସ୍ତର ନକ୍ସଲ ଅପରେସନ ଏଏସପି ଜି.ଏନ ବଘେଲଙ୍କ କହିବା ଅନୁଯାୟୀ ଛତିଶଗଡରେ ଏଭଳି ପିସ୍ତଲ ପ୍ରଥମ ଥର ଦେଖିବାକୁ ମିଳିଛି। କିଛି ବର୍ଷ ତଳେ କୋଲକୋତାରେ ଏଭଳି ପେନ ପିସ୍ତଲ ନିର୍ମାଣ କରୁଥିବା ଏକ ଫେକ୍ଟ୍ରିରେ ପୁଲିସ ଚଢାଉ କରି ବହୁ ପିସ୍ତଲ ଜବତ କରିଥିଲା। ତେଣୁ ସେଠାରୁ ହିଁ ନକ୍ସଲ ଏହାକୁ ଆଣିଥାଇ ପାରନ୍ତି। ଏହି ପିସ୍ତଲକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର