ଅସହ୍ୟ ଗରମରେ ଲୋକେ ଆଉଟୁପାଉଟୁ, ଏବେ ପାଳୁଅ ଭରସା

ମାଲକାନଗିରି: ରାଜ୍ୟରେ ଭୁବନେଶ୍ବର ଓ ଟିଟଲାଗଡ ଭଳି ମାଲକାନଗିରିରେ ମଧ୍ୟ ଉତ୍ତାପ ରେକର୍ଡ ଛୁଇଁଥାଏ। ଏହି ସମୟରେ ଜିଲ୍ଲାବାସୀ ଗରମରୁ ରକ୍ଷା ପାଇବା ପାଇଁ ଥଣ୍ଡାପାନୀୟ ଉପରେ ବିଶେଷ ଭାବେ ନିର୍ଭର କରିଥାନ୍ତି। କାକୁଡି, ତରଭୁଜ, ପଇଡ଼ ଠାରୁ ଆରମ୍ଭ କରି ବଜାରରେ ମିଳୁଥିବା ଥଣ୍ଡାପାନୀୟ ଉପରେ ମଧ୍ୟ ଅଧିକା ନିର୍ଭର କରିଥାନ୍ତି। ପୁଣି ଲୋକେ ଦେହକୁ ଥଣ୍ଡା ରଖିବା ପାଇଁ ବିଭିନ୍ନ ପ୍ରାକୃତିକ ଔଷଧୀୟ ଜିନିଷ ବ୍ୟବହାର କରିଥାନ୍ତି। ସେଗୁଡିକ ମଧ୍ୟରେ ପାଳୁଅ ଅନ୍ୟତମ। ଏହା ସେବନ କରିବା ଦ୍ବାରା ପେଟ ଥଣ୍ଡା ରହିବା ସହ ଏହାର ଔଷଧୀୟ ଗୁଣ ରହିଥିବାରୁ ବିଭିନ୍ନ ସମୟରେ ଏହାକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ବହୁଳ ପରିମାଣରେ ବଜାରରେ ମିଳୁନଥିବା ବେଳେ ଲୋକେ ନିଜ ଘରେ ଏହାକୁ ସାଇତି ରଖି ବର୍ଷ ସାରା ବ୍ୟବହାର କରିଥାନ୍ତି। ତେବେ ମାଲକାନଗିରିରେ ଯଥେଷ୍ଟ ଭାବରେ ପାଳୁଅ ମିଳୁନଥିବାରୁ ବାହାର ଜିଲ୍ଲାରୁ ବେପାରୀମାନେ ଆସି ଏଠାରେ ପସରା ମେଲାଇଥାନ୍ତି। ଲୋକେ ମଧ୍ୟ ପାଳୁଅ କିଣି ନେଉଥିବାରୁ ଏହାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଗ୍ରୀଷ୍ଣ ଋତୁରେ ମାଲକାନଗିରିରେ ପ୍ରବଳ ଗରମ ହେଉଥିବାର ସୁଯୋଗ ନେଇ କୋରାପୁଟ ଜିଲ୍ଲାର ପୋଡାଗଡ ଏବଂ ବୈପାରିଗୁଡା ଅଞ୍ଚଳରୁ ବହୁ ବ୍ୟବସାୟୀ ଏଠାରେ ପହଞ୍ଚି ପାଳୁଅ ବେପାର କରୁଥିବା ଦେଖିବାକୁ ମିଳିଛି। ଏମାନଙ୍କ କହିବା ଅନୁଯାୟୀ ଏମାନେ ପ୍ରତିବର୍ଷ ମାଲକାନଗିରିକୁ ପାଳୁଅ ବେପାର କରି ବେଶ ଲାଭ ପାଇଥାନ୍ତି। କୋରାପୁଟ ଜିଲ୍ଲା ଅପେକ୍ଷା ମାଲକାନଗିରି ଜିଲ୍ଲାରେ ସବୁଠାରୁ ବେଶୀ ପାଳୁଅ ବ୍ୟବସାୟ ହୋଇଥାଏ। ଏହି ବ୍ୟବସାୟୀମାନେ ନିଜର ସଂପର୍କୀୟ ଘରେ ଦିନେ କିମ୍ବା ଦୁଇ ଦିନ ରହି ଆଣିଥିବା ପାଳୁଅକୁ ବେପାର କରିଥାନ୍ତି। କୋରାପୁଟ ଜିଲ୍ଲାରେ ବେଶୀ ପରିମାଣରେ ପାଳୁଅ ଚାଷ କରାଯାଇଥାଏ। କୋରାପୁଟ ଜିଲ୍ଲାର ମାଳି ଗ୍ରାମଗୁଡିକରେ ପାଳୁଅ ଚାଷ କରାଯାଇଥାଏ ବୋଲି ଏମାନେ ପ୍ରକାଶ କରଥିଲେ। ଏକ ଏକର ଜମିରେ ପ୍ରାୟ ଏକଶହ କ୍ବିଣ୍ଟାଲ ପାଳୁଅ କନ୍ଦା ଉତ୍ପାଦନ କରାଯାଇଥାଏ। ଅପ୍ରେଲ ମାସ ବେଳକୁ ଜମିରୁ ପାଳୁଅ ଖୋଳି ବାହାର କରାଯାଇଥାଏ। ସେହି କନ୍ଦାକୁ ଟିକି ଟିକି କରି କଟାଯାଏ। କିନ୍ତୁ ବର୍ତ୍ତମାନ ଏହି କନ୍ଦାକୁ ଗୁଣ୍ଡ କରିବା ପାଇଁ ସ୍ବତନ୍ତ୍ର ମିଲ ବ୍ୟବହାର କରାଯାଉଥିବାରୁ ସହଜରେ ଅଳ୍ପ ସମୟରେ ପ୍ରଚୁର ପରିମାଣରେ କନ୍ଦାକୁ ଗୁଣ୍ଡ କରାଯାଇପାରୁଥିବା କୁହାଯାଇଥିଲା। ଏହି ଗୁଣ୍ଡକୁ ସଫା କନାରେ ବାନ୍ଧି ଗୋଟିଏ ରାତିରେ ପାଣିରେ ବତୁରାଯାଏ। ଯେଉଁ ପାଣି ବାହାରେ ତାହାକୁ କିଛି ଘଣ୍ଟା ରଖିଦେଲା ପରେ ଟାଣ ହୋଇଯାଇଥାଏ। ଏହାକୁ ପରେ ଗୁଣ୍ଡକରି ବଜାରକୁ ବିକ୍ରି ପାଇଁ ଅଣାଯାଇଥାଏ। ତେବେ ବହୁ ବର୍ଷ ପୂର୍ବେ ଜଙ୍ଗଲରୁ କନ୍ଦା ସଂଗ୍ରହ କରାଯାଇ ପାଳୁଅ ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଲୋକେ ନିଜ ଜମିରେ ପାଳୁଅ ଚାଷ କରି ବେଶ ରୋଜଗାରକ୍ଷମ ହୋଇପାରୁଛନ୍ତି ଏବଂ ବେଶ ଦିପଇସା ଲାଭ ମଧ୍ୟ ପାଇପାରୁଛନ୍ତି। ପାଳୁଅକୁ ଯେ ଲୋକେ କେବେଳ ଗ୍ରୀଷ୍ଣ ଋତୁରେ ବ୍ୟବହାର କରୁଛନ୍ତି ତାହା ନୁହେଁ ବରଂ ତରଳ ଝାଡା ଭଳି କେତେକ ରୋଗର ଉପସମ ପାଇଁ ମଧ୍ୟ ପାଳୁଅ ବ୍ୟବହାର କରାଯାଇଥାଏ। ବିଭିନ୍ନ ପର୍ବପର୍ବାଣୀରେ ଉପବାସ କରୁଥିବା ଲୋକ ପାଳୁଅକୁ ଘାଣ୍ଟି ଖାଇଥାନ୍ତି।

ସମ୍ବନ୍ଧିତ ଖବର