ରାତିକରେ ଲୁଟିଲେ ୪ ଏଟିଏମ୍‌

ବାରିପଦା : ବାରିପଦା ସହରରେ ଏଟିଏମ୍‌ ଲୁଟେରା ଆତଙ୍କ ଖେଳାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ସହରର ବିଭିନ୍ନ ସ୍ଥାନରେ ଥିବା ୪ଟି ଭିନ୍ନ ଭିନ୍ନ ବ୍ୟାଙ୍କର ଏଟିଏମ୍‌ରୁ ୧୫ଲକ୍ଷରୁ ଊର୍ଧ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ରାତି ପ୍ରାୟ ସାଢ଼େ ତିନିଟା ବେଳେ ଟାଉନ୍‌ ଥାନା ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ଲୁଟେରାମାନେ ସହର ସୀମା ଡେଇଁ ଫେରାର ହୋଇଯାଇଥିଲେ। ତୁଳସୀ ଚଉରା ଓ ଷ୍ଟେସନ ବଜାରରେ ଥିବା ଏକ୍ସିସ୍‌ ବ୍ୟାଙ୍କର ଦୁଇଟି, ପାଲବଣିରେ ଥିବା ୟୁନାଇଟେଡ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ଗୋଟିଏ ଓ ଅସ୍ତିଆରେ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ବିଓଆଇ)ର ଗୋଟିଏ ଏଟିଏମ୍‌କୁ ଲୁଟେରାମାନେ ଗ୍ୟାସ୍‌ କଟର୍‌ ଜରିଆରେ କାଟି ଲୁଟ୍‌ କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ରବିବାର ହୋଇଥିବା ଏବଂ ସମସ୍ତ ବ୍ୟାଙ୍କ ବନ୍ଦ ଥିବାରୁ ୪ଟି ଏଟିଏମ୍‌ରୁ ଲୁଟ୍‌ ସମୁଦାୟ ଟଙ୍କାର ପରିମାଣ ନିଶ୍ଚିତ କରାଯାଇପାରିନାହିଁ। ତେବେ ସୂଚନା ଅନୁସାରେ ଏକ୍ସିସ୍‌ ବ୍ୟାଙ୍କ୍‌ର ଦୁଇଟି ଏଟିଏମ୍‌ରୁ ପ୍ରାୟ ୧୫ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଅନ୍ୟ ଦୁଇ ଏଟିଏମ୍‌ର ଲୁଟ୍‌ ଟଙ୍କା ମିଶାଇଲେ ପ୍ରାୟ ୨୫ଲକ୍ଷରୁ ଊର୍ଧ୍ୱ ଟଙ୍କା ଲୁଟ୍‌ ହୋଇଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। ଲୁଟେରାମାନେ ଏଟିଏମ୍‌ର ସିସିଟିଭି କ୍ୟାମେରାକୁ ନଷ୍ଟ କରିଦେଇଥିବାରୁ ସିସିଟିଭିରୁ ବିଶେଷ କିଛି ସୂଚନା ମିଳିପାରୁନଥିବା ଟାଉନ୍‌ ଥାନା ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି। ଏହି ଲୁଟ୍‌ରେ ରାଜ୍ୟ ବାହାର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହିତ ସନ୍ଧାନୀ କୁକୁର ପହଞ୍ଚି ଅନୁସନ୍ଧାନ କରିଥିଲେ ସୁଦ୍ଧା କୌଣସି ସୁରାକ୍‌ ମିଳିପାରିନାହିଁ।

ସମ୍ବନ୍ଧିତ ଖବର