ଝାରସୁଗୁଡ଼ା: ପୁଲିସକୁ ଗାଳି ନେଇ ଭିଡ଼ିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ନେତା ଗିରଫ

ଝାରସୁଗୁଡ଼ା: ପୁଲିସକୁ ଗାଳି ନେଇ ଭିଡିଓ ଭାଇରାଲ ହେବାର ଦିନକ ପରେ ଏହି ଘଟଣା ସହିତ ସଂପୃକ୍ତ ବିଜେଡିର ଜଣେ ନେତାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଧାୟକ କିଶୋର ମହାନ୍ତିଙ୍କ ସମର୍ଥକ ଶମ୍ଭୁ ମହାନ୍ତି। ଝାରସୁଗୁଡ଼ା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ବୁଧବାର ଏହି ସୂଚନା ଦେଇଛନ୍ତି। ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କହିଛନ୍ତି ଅଭିଯୁକ୍ତ ଶମ୍ଭୁ ମହାନ୍ତିଙ୍କୁ ମଙ୍ଗଳବାର ରାତି ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ରେ ସୋମବାର ଏକ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ସଂପୃକ୍ତ ପୁଲିସ ଅଧିକାରୀ ସେହି ରାସ୍ତାରେ ଯାଉଥିବା ବିଭିନ୍ନ ଲୋକଙ୍କର ଟ୍ରାଫିକ ସଚେତନତା କରୁଥିଲେ। ଏହି ସମୟରେ ସେହି ରାସ୍ତାରେ ବିଧାୟକ ଶ୍ରୀ ମହାନ୍ତି କାରରେ ଯାଉଥିବା ବେଳେ ଏହି ପୁଲିସ ଅଧିକାରୀ ବିଧାୟକଙ୍କୁ ସିଟ୍‌ ବେଲଟ୍‌ ଲଗାଇବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣାର କିଛି ସମୟ ପରେ ଶମ୍ଭୁ ମହାନ୍ତି ସେଠାରେ ପହଞ୍ଚି ବିଧାୟକଙ୍କୁ କାହିଁକି ଏପରି କହିଲୁ ବୋଲି ଉକ୍ତ ପୁଲିସ ଅଧିକାରୀଙ୍କୁ ଗାଳି ବର୍ଷଣ କରି ଅଭଦ୍ର ଭାଷା ପ୍ରୟୋଗ କରୁଥିବା ଦେଖା ଯାଇଥିଲା।

ଭିଡ଼ିଓରେ ପୁଲିସ ଅଧିକାରୀ ଅତି ନମ୍ରତାର ସହିତ ସେ ବିଧାୟକ ବୋଲି ଜାଣିବା ପରେ ତାଙ୍କୁ ନମସ୍କାର କରିଥିବା କହୁଛନ୍ତି। ଏଥିରେ ଉତକ୍ଷିପ୍ତ ନେତା ଜଣଙ୍କ ଡ଼ିଆଇଜି ପାଖକୁ ଯାଇ ତୋତେ ବଦଳି କରିବି ତୁ କେଉଁ ଯାଗାକୁ ଯିବୁ ପ୍ରସ୍ତୁତ ଥା ବୋଲି କହୁଥିବା ଦେଖା ଯାଇଛି। ଏହି ଘଟଣା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛିା ବିଜେପି ପକ୍ଷରୁ ବିଭିନ୍ନ ସୋସିଆଲ ମିଡ଼ିଆ ଗ୍ରୁପରେ ଏହାକୁ ନିନ୍ଦା କରି ପଦକ୍ଷେପ ଦାବି କରାଯାଇଛି । ଏହି ଭିଡ଼ିଓ ସଂପର୍କରେ ଏସପି ଅଶ୍ୱିନୀ ମହାନ୍ତିଙ୍କ ମତାମତ ନେବାରୁ ସେ କହିଥିଲେ ଯେ, ଏହି ଭିଡ଼ିଓ ସେ ସନ୍ଧ୍ୟାରେ ପାଇ ତଦନ୍ତ କରିବା ବେଳେ ସଂପୃକ୍ତ ନେତା ଉକ୍ତ ପୁଲିସ ଅଧିକାରୀଙ୍କୁ କ୍ଷମା ମାଗି ସାରିଥିବା ଜାଣିବାକୁ ପାଇଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର