ଠିକାଦାର ହତ୍ୟାରେ ଗଞ୍ଜେଇ ଲିଙ୍କ୍‌

ଦୁଇ ଭାଇଙ୍କ ସମେତ ୪ ଗିରଫ

୪କାର,୨ ବାଇକ ଏବଂ ଖଣ୍ଡା ଜବତ

ନବରଙ୍ଗପୁର : ନବରଙ୍ଗପୁର ସହରର ଠିକାଦାର ପ୍ରଦୀପ ଅଗ୍ରଓ୍ଵାଲ ହତ୍ୟାକାଣ୍ଡରେ ଗଞ୍ଜେଇ ଲିଙ୍କ୍‌। ଗଞ୍ଜେଇ ଗାଡ଼ିର ପିଛା କରି ଚାଲାଣକାରୀଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ ପ୍ରଦୀପ। ଫଳରେ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରାଯାଇଥିଲା ବୋଲି ପୁଲିସ କହିଛି। ପୁଲିସ ଆଜି ଏହି ଘଟଣାରେ ୪ଜଣଙ୍କୁ ଗିରଫ କରି ସମଗ୍ର ଘଟଣା ଉପରୁ ପରଦା ଉଠାଇଛି। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ୪ଟି କାର୍‌, ୨ଟି ବାଇକ୍‌ ସମେତ ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ସହର ଗାଦବାଗୁଡା ର ୨ ଭାଇ ସେକ୍‌ ସମିମ(୨୭) ଓ ସେକ୍‌ ସିତାବ୍‌(୩୦), ସେନାପତି ସାହିର ରାକେଶ ଭତ୍ରା(୩୧) ଓ ଜମାଲ କଲୋନିର ସୁଜିତ ପଣ୍ଡା (୨୭) ଓରଫ ରାଜା। ଏହି ଘଟଣାରେ ସହରର ଆଉ କିଛି ଜଣଙ୍କ ସଂପୃକ୍ତି ରହିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି ମୁକେଶ କୁମାର ଭାମୋ ଗଣମାଧ୍ୟମକୁ କହିଛନ୍ତି।

ପୁଲିସ ପକ୍ଷରୁ କୁହାଯାଇଛି ଯେ ଗଞ୍ଜେଇ କାରବାରର ଚେର ମାଲାକାନାଗିରି ଜିଲ୍ଲାରୁ ଆରମ୍ଭ ହୋଇ ନବରଙ୍ଗପୁର ଦେଇ ରାଜ୍ୟ ବାହାରକୁ ଲମ୍ବିଛି। ଠିକାଦାର ପ୍ରଦୀପ ଅଗ୍ରଓ୍ଵାଲ ବହୁ ସମୟରେ ଗଞ୍ଜେଇ ଗାଡ଼ିଗୁଡିକର ପିଛା କରୁଥିଲେ। ଚାଲାଣକାରୀଙ୍କୁ ବିଭିନ୍ନ ଉପାୟରେ ଧମକ ଦେଇ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ। ହତ୍ୟାର ଶିକାର ହେବା ପୂର୍ବରୁ ମଧ୍ୟ ଅନୁରୁପ ଭାବେ ଏକ ଡଷ୍ଟର ଗାଡି (ଏମପି ୧୯ସିବି ୧୭୩୮)କୁ ପ୍ରଦୀପ ଅପହରଣ କରି ନିର୍ମାଣାଧୀନ କୋର୍ଟ ନିକଟରେ ଗାଡିଟିକୁ ଲୁଚାଇ ରଖିଥିଲେ। ପ୍ରଦୀପ ହତ୍ୟାକାଣ୍ଡର ତଦନ୍ତ ବେଳେ ପୁଲିସ ଏହି ଗଞ୍ଜେଇ ଗାଡି ସଂକ୍ରାନ୍ତରେ ସନ୍ଧାନ ପାଇଥିଲା। ଏହି ଡଷ୍ଟର ଗାଡି ଡିକରୁ ପୁଲିସ ୧୧୨ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଏହି ଗଞ୍ଜେଇ ଚାଲାଣକୁ କେନ୍ଦ୍ର କରି ପ୍ରଦୀପଙ୍କ ଗୋଷ୍ଠୀ ଓ ଅନ୍ୟ ଗୋଟିଏ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ତେଣୁ ପ୍ରଦୀପଙ୍କୁ ହତ୍ୟା କରିବା ପାଇଁ ବିରୋଧୀ ଗୋଷ୍ଠୀ ଯୋଜନା କରିଥିଲା।

ଘଟଣା ଦିନ ସେକ ସାମିମ , ସେକ ସିତାବ୍‌, ରାକେଶ ଭତ୍ରା ଓ ଅନ୍ୟ ୨ ଜଣ ଯୁବକ ପ୍ରଦୀପଙ୍କ ଘରକୁ ଯାଇଥିଲେ। ୩ ଜଣ ଯୁବକ ପ୍ରଦୀପଙ୍କ ଘର ଭିତରକୁ ଯାଇଥିବା ବେଳେ ଅନ୍ୟ ୨ ଜଣ ଯୁବକ ଘର ବାହାରେ ଜଗି ରହିଥିଲେ। ସେଠାରେ ଉଚ୍ଚ ବାଚ ହୋଇ ପ୍ରଦୀପଙ୍କ ହାତ ଏବଂ ବେକ ପାଖକୁ ଏକ ଧାରୁଆ ଖଣ୍ଡାରେ ହାଣିବା ପରେ ସମସ୍ତେ ଚମ୍ପଟ ମାରିଥିଲେ। ନବରଂଗପୁର ଏସପି ପ୍ରତ୍ୟକ୍ଷ ଭାବେ ଏହି ଘଟଣାର ତଦନ୍ତ କରିଥିଲେ। ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିଛି। ହତ୍ୟାକାରୀ ମାନଙ୍କୁ ରାଜା ନିଜ କାର ଯୋଗେ ଖସାଇବାକୁ ଉଦ୍ୟମ କରିଥିବାରୁ ତାକୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ଏହି ହତ୍ୟାକାଣ୍ଡ ଓ ଗଞ୍ଜେଇ ଚାଲାଣ ମାମଲାରେ ସଂପୃକ୍ତ ଥିବା ବହୁ ଯୁବକ ଏବେ ବି ଫେରାର ଅଛନ୍ତି। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ହତ୍ୟା ଏବଂ ଗଂଜେଇ ଚାଲାଣ ନେଇ ପୁଲିସ ୨ଟି ମାମଲା ରୁଜୁ କରିଛି।

ପୁଲିସ ପକ୍ଷରୁ ଗଞ୍ଜେଇ ମହଜୁଦ ଥିବା ଡଷ୍ଟର ଗାଡି, ପ୍ରଦୀପ ଅଗ୍ରଓ୍ଵାଲଙ୍କ ଗାଡି ନଂ ଓଡି ୨୪ ବି ୮୩୮୮ , ପ୍ରଦୀପଙ୍କ ସହଯୋଗୀର ଗାଡି ନଂ ଏପି ୫ ଏଏଫ ୮୭୬୪ , ଅଭିଯୁକ୍ତ ମାନଙ୍କୁ ଫେରାର କରିବାରେ ସହଯୋଗ କରିଥିବା ଗାଡି ନଂ ଓଆର ୨୪ ବି ୯୩୩୦ କୁ ଜବତ କରାଯାଇଛି। ଏହା ସହ ହତ୍ୟାକାଣ୍ଡ ଦିନ ପ୍ରଦୀପଙ୍କ ଘରକୁ ଯାଇଥିବା ୨ ଗୋଟି ବାଇକ ଓଡି ୨୪ ବି -୯୩୩୦ ଏବଂ ଓଡି ୨୪ଏ -୩୯୯୪ କୁ ମଧ୍ୟ ଜବତ କରାଯାଇଛି। ତେବେ ଯେଉଁ ଡଷ୍ଟର ଗାଡିରୁ ଗଞ୍ଜେଇ ଜବତ କରାଯାଇଛି ସେଥିରେ ନକଲି ନମ୍ବର ପ୍ଲେଟ ଲାଗିଛି।

ସମ୍ବନ୍ଧିତ ଖବର