ବିପଦ ସଂକୁଳ ସ୍କୁଲ କୋଠା:ଅଙ୍ଗନୱାଡି କେନ୍ଦ୍ରରେ ଶିକ୍ଷାଦାନ

ନନ୍ଦାହାଣ୍ଡି: ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ କଂସାରିଗୁଡା ପ୍ରାଥମିକ ବିଦ୍ୟାଳୟର କୋଠା ବିପଦସଂକୁଳ ଅବସ୍ଥାରେ ରହିଛି। ତେଣୁ ବାଧ୍ୟ ହୋଇ ଛାତ୍ରଛାତ୍ରୀଙ୍କୁ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ପାଠ ପଢାଯାଉଛି। ଏହି ବିପଦସଂକୁଳ ବିଦ୍ୟାଳୟ କୋଠା ମରାମତି ନଚେତ୍ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଖୁଣ୍ଟିଆ ବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। କିନ୍ତୁ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ପ୍ରାୟ ୨୫ବର୍ଷ ତଳେ କଂସାରିଗୁଡା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଚଳିତ ବର୍ଷ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ତେବେ ଗତ କିଛି ବର୍ଷ ତଳେ ବିଦ୍ୟାଳୟ କୋଠାର ଛାତରେ ଫାଟ ସୃଷ୍ଟି ହେବାରୁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ବାରଣ୍ଡାରେ ବସାଇ ପାଠ ପଢାଯାଉଥିଲା। ତେବେ ଏଠାରେ ପାଠ ପଢାଇବା ସମୟରେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଗ୍ରାମବାସୀ ଅଭିଯୋଗ କରିବା ପରେ ୨ମାସ ହେଲା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ପାଠ ପଢାଯାଉଛି। ଏହି ବିପଦ ସଙ୍କୁଳ କୋଠା ମରାମତି ନଚେତ୍ ନିକଟସ୍ଥ ଖୁଣ୍ଟିଆ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ବହୁବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏଥିପ୍ରତି କେହି ଗୁରୁତ୍ବ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ବିଦ୍ୟାଳୟରେ ୬ଟି ଶୌଚାଳୟ ରହିଛି। ଏଥି ମଧ୍ୟରୁ ସର୍ବ ପୁରାତନ ୨ଟି ଶୌଚାଳୟ ଭାଙ୍ଗିବାକୁ ବସିଲାଣି। ଅନ୍ୟ ୨ଟି ଶୌଚାଳୟର ତାଲା ନିର୍ମାଣ ପରଠାରୁ ଖୋଲାଯାଇନି। ନୂତନ ଭାବେ ନିର୍ମିତ ୨ଟି ଶୌଚାଳୟ ଉପରେ ଥିବା ଟାଙ୍କିରେ ପାଣି ଉଠାଯିବା ପରେ ଶୌଚାଳୟ ବ୍ୟବହାର ହେଉଥିବା ଜଣାପଡିଛି। ବିପଦ ସଂକୁଳ ବିଦ୍ୟୁତ କୋଠା ମରାମତି ସହ ‌‌େଶୗଚାଳୟ ସମସ୍ୟାର ସମାଧାନ ନିମନ୍ତେ ଶୀଘ୍ର ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର