କୁଡ଼ିଆରେ ଆଶ୍ରୟ ନେଇଥିଲେ, ବଜ୍ରପାତର ଶିକାର ହେଲେ ୨ ଚାଷୀ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର

ନବରଙ୍ଗପରୁ: କୋଷାଗୁମୁଡ଼ା ବ୍ଲକ ଉକିଆପଲ୍ଲୀ ଗ୍ରାମରେ ଗୁରୁବାର ବଜ୍ରପାତ ହେବାରୁ ୨ ଜଣ ଚାଷୀଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଉକିଆପଲ୍ଲି ଗ୍ରାମ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିବା ଗୋଟିଏ ବାଇଗଣ ବାଡ଼ିରେ ପଦ୍ମନ ପୂଜାରୀ(୩୫) ଓ ରାମ ଭତ୍ରା(୪୮) କାମ କରୁଥିଲେ। ସନ୍ଧ୍ୟା ସମୟରେ ହଠାତ ପବନ ବହିବା ଓ ବର୍ଷା ହେବା ସହ ଘଡ଼ଘଡ଼ି ମାରିଥିଲା। ବର୍ଷା ଓ ପବନରୁ ରକ୍ଷା ପାଇବା ପାଇଁ ଉଭୟେ ଜମିରେ ଥିବା ଏକ ଅସ୍ଥାୟୀ କୁଡ଼ିଆରେ ଆଶ୍ରୟ ନେଇଥିଲେ। ପ୍ରାୟ ୧୦ ମିନିଟ୍‌ ବର୍ଷା ହେବା ପରେ ବଜ୍ରପାତ ହୋଇଥିଲା। ଫଳରେ କୁଡିଆଟି ଜଳି ଉଠିଥିଲା ଓ ୨ଜଣ ଚାଷୀଙ୍କ ମୃତ୍ୟୁ ହୋଇ ଯାଇଥିଲା।
ଏହି ସବୁ ଘଟଣାକୁ ଅନ୍ୟ କୁଡ଼ିଆରେ ଆଶ୍ରୟ ନେଇଥିବା ସେହି ଗ୍ରାମର ଜଣେ ବୃଦ୍ଧା ସବୁ ଦେଖିଥିଲେ। ବର୍ଷା ଓ ଘଡ଼ଘଡ଼ି ଛାଡ଼ିବା ପରେ ସେ ସମସ୍ତ ଘଟଣା ପରିବାର ଲୋକଙ୍କ କହିବା ପରେ ଗାଁ ଲୋକେ ଘଟଣାସ୍ଥଳକୁ ଆସିଥିଲେ। ପରେ ସେମାନେ ଅଦ୍ଧଦଗ୍ଧ ୨ଟି ମୃତଦେହକୁ ଉଦ୍ଧାର କରିଥିଲେ। ସୂଚନା ପାଇ ବଡଆମ୍ବଡା ଫାଣ୍ଡି ଅଧିକାରୀ ରାମଲାଲ ଦରିଆ ଓ ଷ୍ଟାଫ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ରାତି ହୋଇଯାଇଥିବାରୁ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଯାଇ ପାରି ନାହିଁ।

ସମ୍ବନ୍ଧିତ ଖବର