ନବରଙ୍ଗପୁର ବିଧାନସଭା ଆସନ:ପୁରୁଣା ଓ ନୂଆ ମୁହଁ ମଧ୍ୟରେ ଲଢ଼େଇ

ନବରଙ୍ଗପୁର : ନିର୍ବାଚନ ଯେତେ ପାଖେଇ ଆସୁଛି ଉଷ୍ମତା ବି ସେହି ଅନୁପାତରେ ବଢ଼ିବାରେ ଲାଗିଛି । ନିର୍ବାଚନ ମଇଦାନରେ ଥିବା ନେତା ଏବେ ଭୋଟରଙ୍କ ନିକଟକୁ ଯାଇ ପ୍ରତିଶ୍ରୁତି ଢ଼ାଳି ଦେଉଛନ୍ତି । ଏଭଳି ସୁଯୋଗକୁ ଭୋଟର ବି ହାତଛଡ଼ା କରୁନାହାନ୍ତି । ସମସ୍ୟାର ଲମ୍ବା ତାଲିକା ବଖାଣୁଛନ୍ତି । ରାଜନୈତିକ ସ୍ଥିତି ଗରମ ଥିବା ବେଳେ ଭୋଟର କାହା ମୁଣ୍ଡରେ ମୁକୁଟ ପିନ୍ଧାଇବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ତର୍ଜମା । ନବରଂଗପୁର ଜିଲ୍ଲାର ନବରଂଗପୁର ଆସନଟି ଅତ୍ୟନ୍ତ ସ୍ପର୍ଶକାତର ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଏଠାରେ ମୁଖ୍ୟତଃ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି । ତୃଣମୂଳ ସ୍ତରରୁ ସଂଗଠନକୁ ସଜାଇବା ସହ ଭୋଟରଙ୍କୁ ଭେଟୁଛନ୍ତି । ବିଜେଡି ଓ କଂଗ୍ରେସ ପୁରୁଣା ସଂଗଠନକୁ ନେଇ ମଇଦାନକୁ ଓଲ୍ଲାଇଥିବା ବେଳେ ବିଜେପି ଉଭୟ ସଂଗଠନ ଓ ‘ମୋଦି ହାୱା’କୁ ଆଧାର କରି ନିର୍ବାଚନ ମଇଦାନରେ ଓଲ୍ଲାଇଛି। କଂଗ୍ରେସ ପକ୍ଷରୁ ପୁରୁଣା ମୁହଁ ଭାବେ ସଦନ ନାୟକ ନିର୍ବାଚନରେ ଲଢ଼ୁଥିବା ବେଳେ ଉଭୟ ବିଜେଡି ଓ ବିଜେପି ନୂଆ ମୁହଁକୁ ନେଇ ନିର୍ବାଚନ ଲଢ଼ୁଛି । ନୂଆ ଓ ପୁରୁଣା ମୁହଁ ମଧ୍ୟରେ ଲଢ଼େଇ ହେବାକୁ ଯାଉଥିବା ବେଳେ ଭୋଟର କାହା ସପକ୍ଷରେ ଢ଼ଳିବେ ଏହାକୁ ନେଇ ଛକ ଛକରେ ଆଲୋଚନା ଜାରି ରହିଛି । ବିଜେଡି ଲଗାତାର ଭ‌ାବେ ଏଠାରୁ ଦୁଇଥର ନିର୍ବାଚିତ ହୋଇଥିଲେ ହେଁ ବିଧାୟକ ମନୋହର ରନ୍ଧାରୀଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ନାଲକୋ ଚାକିରି ଛାଡି ଆସଥିବା ସଦାଶିବ ପ୍ରଧାନୀଙ୍କୁ ପ୍ରାର୍ଥୀ କରିଛି । ମନୋହରଙ୍କୁ ନବରଂଗପୁର ଆସନ ବଦଳାଇ ଡାବୁଗାଁରେ ଦଳ ପ୍ରାର୍ଥୀ କରିଛି । ସଦାଶିବ ନୂଆ ମୁହଁ ହୋଇଥିବା ଯୋଗୁଁ ପ୍ରଚାରକୁ ଜୋରଦାର କରିବା ସହ ନୂଆ ଜୋସ୍ ନେଇ ମଇଦାନକୁ ଓଲ୍ଲାଇଛନ୍ତି ।

ଉଭୟ ବିଜେଡି ଓ କଂଗ୍ରେସ ନିଜ ଦଳର ସଂଗଠନ ଓ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ପ୍ରଚାର ଜୋରଦାର କରିଥିବା ବେଳେ ବିଜେପି ବି କୌଣସି ଗୁଣରେ ପଛରେ ନାହିଁ । ଚଳିତ ନିର୍ବାଚନରେ ବିଜେପି ନୂଆ ଚେହେରା ଭାବେ ପୁଲିସ ଚାକିରି ଛାଡି ଦଳରେ ଯୋଗଦେଇଥିବା ଗୌରୀ ଶଙ୍କର ମାଝୀଙ୍କୁ ପ୍ରାର୍ଥୀ କରାଇଛି। ଗୌରୀ ବି ନୂଆ ଜୋସ ନେଇ ମଇଦାନକୁ ଓଲ୍ଲାଇଛନ୍ତି । ସେ ବିଶେଷ କରି ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ମୋଦି ହାୱା ତାଙ୍କ ସପକ୍ଷରେ ରହିବ ବୋଲି ଆଶା ରଖିଛନ୍ତି । ବିଜେପି ଷ୍ଟାର ପ୍ରଚାରକଙ୍କୁ ଆଣି ନିର୍ବାଚନ ପ୍ରଚାରରେ ଆଗୁଆ ରହିଛି। ବିଜେଡି ଉଭୟ କଂଗ୍ରେସ ଓ ବିଜେପିକୁ ଚେକ୍ ଦେବା ପାଇଁ ନଜର ରଖିଛି। ନିର୍ବାଚନ ସମୟରେ ଦଳ ବଦଳ ଜୋର ଧରିଥିବା ବେଳେ ସମସ୍ତ ଦଳ ବିରୋଧୀ କର୍ମକର୍ତ୍ତାଙ୍କୁ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି । ଚଳିତ ନିର୍ବାଚନରେ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ବେଦବ୍ୟାସ ଭତ୍ରା ଦଳ ଛାଡି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବଚାନ ଲଢ଼ୁଛନ୍ତି । ସେ ନିର୍ବାଚନରେ କେତେ ସଫଳ ହେବେ ତାହା ଫଳାଫଳ ପରେ ହିଁ ଜଣାପଡିବ। କଂଗ୍ରେସର ଗଡ କୁହାଯାଉଥିବା ନବରଙ୍ଗପୁର ଆସନଟି ୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ ପରେ ଏହି ଆସନଟି ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ରହିଛି । ସଂରକ୍ଷିତ ପରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ପୁରୁଖା ନେତା ହବିବୁଲ୍ଲା ଖାନ୍ ରାଜନୀତିରୁ ଅବସର ନେବାକୁ ବାଧ୍ୟ ହେଲେ। ସେ କ୍ରମାଗତ ଭାବେ ୭ ଥର ଏହି ଆସନରୁ ବିଜୟୀ ହୋଇଥିଲେ । ସଂରକ୍ଷଣ ପରେ ଗତ ୨୦୦୯ ଓ ୨୦୧୪ ରେ ଏହି ଆସନଟି ବିଜେଡି ହାତକୁ ଯାଇଥିଲା। ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଯୋଜନାକୁ ନେଇ ନିର୍ବାଚନ ପ୍ରଚାର କରିବା ସହ ଭୋଟ ହାତେଇବାକୁ ଉଦ୍ୟମ କରୁଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପି ସରକାରୀ ଆଭିମୁଖ୍ୟ ନେବା ସହ ଜିଲ୍ଲାର ବେକାରୀ ଓ ଜଳସେଚନକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି । ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ନବରଙ୍ଗପୁର, କୋଷାଗୁମୁଡା, ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକର ୪୨ଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି। ଗତ ନିର୍ବାଚନରେ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଚଳିତ ନିର୍ବାଚନରେ ୪ ଜଣ ପ୍ରାର୍ଥୀ ରହିଛନ୍ତି । ଏହି ନିର୍ବାଚନରେ ଭୋଟର କାହା ସପକ୍ଷରେ ରହିବେ ତାହାକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି ।

ସମ୍ବନ୍ଧିତ ଖବର