ଆନ୍ଧ୍ରରେ ନଜରବନ୍ଦୀ ଥିବା ୨୦ ନିର୍ଯାତିତ ଦାଦନ ଶ୍ରମିକ ଉଦ୍ଧାର, ମଜୁରୀ ମାଗିଲେ ଖାଉଥିଲେ ମାଡ଼

ନବରଙ୍ଗପୁର: ନଜରବନ୍ଦୀରେ ଥିବା ୨୦ ଜଣ ନିର୍ଯାତିତ ଦାଦନ ଶ୍ରମିକଙ୍କୁ ଆନ୍ଧ୍ରର ପେଦାପଡିରୁ ଉଦ୍ଧାର କରିଛି ପ୍ରଶାସନ। ଏହି ଶ୍ରମିକମାନଙ୍କୁ ମଜୁରୀ ମାଗିଲେ ମିଳୁଥିଲା ମାଡ଼। ଏବେ ବି ଫସିରହିଛନ୍ତି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ୧୪ ଜଣ ଶ୍ରମିକ। ଉଦ୍ଧାର ହୋଇଥିବା ଶ୍ରମିକମାନେ ହେଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ୨୦ ଜଣ।

ସେମାନେ କହିବା ଅନୁଯାୟୀ ରାୟଗଡା ଜିଲ୍ଲାର ଗୁଣପୁର ଅଞ୍ଚଳର ଜିତୁ ନାମକ ଜଣେ ଦଲାଲ ସେମାନଙ୍କୁ ଖାଇବା ଓ ରହିବା ମାଗଣା ଦେଇ ଦୈନିକ ୫ଶହ ଟଙ୍କା ମଜୁରୀ ମିଳିବ କହି ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲ୍ଲା ପେଦାପଡି ଅଞ୍ଚଳରେ ହେଉଥିବା ଚିଙ୍ଗୁଡି ଚାଷ ମାଲିକ ନିକଟରେ ନେଇ ଛାଡିଥିଲେ। ସେମାନେ ସେଠାକୁ ଗଲା ପରେ ଶ୍ରମିକ ପିଛା ୨ରୁ ୩ହଜାର ଟଙ୍କା କେବଳ ଖାଇବା ପାଇଁ ଦେଉଥିଲେ। ସେମାନେ ସେଠାରେ କାମ କରି ପ୍ରାୟ ୧ଶହ ଦିନରୁ ଊର୍ଦ୍ଧ୍ବ ହେଲେ ମଧ୍ୟ ସେମାନଙ୍କୁ ମଜୁରୀ ମିଳୁନଥିଲା। ଦୈନିକ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ଖଟାଉଥିଲେ। ମଜୁରୀ ମାଗିଲେ ମାଡ ମିଳୁଥିଲା। ସେମାନଙ୍କୁ ନଜରବନ୍ଦୀ କରି ରଖୁଥିଲେ। ରାତିରେ କୋଠରୀ ମଧ୍ୟରେ ତାଲା ପକାଇ ରଖୁଥିଲେ। ଏପରିକି ରାତିରେ ପରିଶ୍ରା କରିବା ପାଇଁ ବି କବାଟକୁ ବାଡେଇବାକୁ ପଡୁଥିଲା। ରାତିରେ ଜଣେ ସୁରକ୍ଷା କର୍ମୀ ଜଗି ରହୁଥିଲେ। ମୋବାଇଲରେ କଥା ହେବା ପାଇଁ ସୁଯୋଗ ମିଳୁନଥିଲା। ସନ୍ଦେହ ହେଲେ ମୋବାଇଲ ଛଡାଇ ନେଉଥିଲେ। କୌଣସି ଶ୍ରମିକଙ୍କ ସ୍ବାସ୍ଥ୍ୟ ଖରାପ ହେଲେ କାମ କରିବା ପାଇଁ ବିଶ୍ରାମ ନେଲେ ମାଡ ମାରି କାମ କରିବା ପାଇଁ କୁହାଯାଉଥିଲା। ଏପରି ଅତ୍ୟାଚାର ସହିବା ପରେ ସେମାନେ ଏ ସଂକ୍ରାନ୍ତରେ ନିଜ ନିଜ ପରିବାରକୁ ଜଣାଇଥିଲେ।

ଖବର ପାଇ ସିଟୁର ଜିଲ୍ଲା ସମ୍ପାଦକ ରାଜେଶ ଜାନୀ ଓ ଝରିଗାଁର ଭଗ ସାନ୍ତା ଏ ନେଇ ଗତ ୮ ତାରିଖ ରେ ଜିଲ୍ଲା ଶ୍ରମ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଶ୍ରମ ବିଭାଗ ପକ୍ଷରୁ ଏ ନେଇ ଜିଲ୍ଲା ପ୍ରଶାସନର ସହାୟତାରେ ଆନ୍ଧ୍ର ପୂର୍ବ ଗୋଦାବରୀ ଜିଲ୍ଲାର ଜିଲ୍ଲା ପ୍ରଶାସନ ଓ ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟିକୁ ଆଣିଥିଲେ। ବୁଧବାର ଆନ୍ଧ୍ର ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ଉକ୍ତ ସ୍ଥାନକୁ ଯାଇ ଅଭିଯୋଗ ପାଇଥିବା ୨୦ ଜଣ ଶ୍ରମିକଙ୍କୁ ସେଠାରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର