ଠିକାଦାର ପ୍ରଦୀପ ଅଗ୍ରଓ୍ଵାଲ ହତ୍ୟା ମାମଲାରେ ୩ ଅଟକ

ନବରଙ୍ଗପୁର: ନବରଙ୍ଗପୁର ଆର.କେ. କଲୋନି ଅଞ୍ଚଳରେ ରହୁଥିବା ଠିକାଦାର ପ୍ରଦୀପ ଅଗ୍ରଓ୍ଵାଲ ହତ୍ୟା ମାମଲାରେ ପୁଲିସ ୩ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି। ନବରଂଗପୁର ଏସ୍‌ପି ମୁକେଶ କୁମାର ଭାମୋ ନିଜେ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। କେଉଁ ପରିସ୍ଥିତିରେ ପ୍ରଦୀପଙ୍କୁ ହତ୍ୟା କରାଗଲା ଏବଂ ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇପାରି ନଥିଲେ ମଧ୍ୟ ଖୁବ୍‌ଶୀଘ୍ର ଏହି ଘଟଣା ଉପରୁ ପରଦା ହଟିବ ବୋଲି ଏସ୍‌ପି କହିଛନ୍ତି। ପ୍ରଦୀପ ଠିକାଦାର କାମ କରିବା ସହ ବାଲି, ଗୋଡି, ଚିପସ ଆଦି ବେପାର କରୁଥିଲେ। ତେଣୁ ବ୍ୟବସାୟିକ ଶତ୍ରୁତା କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ପ୍ରଦୀପଙ୍କ ପିଉସୀ ଏବଂ ଝିଅଙ୍କ ଠାରୁ ଘଟଣା ସଂପର୍କରେ ବୟାନ ନେଇଛନ୍ତି। ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ନିୟମିତ ଭାବେ ପ୍ରଦୀପଙ୍କ ଘରକୁ ଆସୁଥିଲେ। ତେଣୁ ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ପୁଲିସ କହୁଛି। ଅପରପକ୍ଷରେ ଆଜି ପ୍ରଦୀପଙ୍କ ଶବ ବ୍ୟବଚ୍ଛେଦ ପରେ ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି।
ଘଟଣାରୁ ପ୍ରକାଶ ଯେ ଗତକାଲି ଅପରାହ୍ନ ୫ଟା ବେଳେ ଠିକାଦାର ପ୍ରଦୀପ ଅଗ୍ରଓ୍ଵାଲଙ୍କ ଘରେ ଥିବା ବେଳେ ୩ଜଣ ଯୁବକ ପଶି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ପ୍ରଦୀପଙ୍କୁ ଭାଇନା ବୋଲି ସମ୍ବୋଧନ କରି ହାତ ମିଳାଇଥିଲେ। ପ୍ରଦୀପ ସମସ୍ତଙ୍କୁ ବସିବା ପାଇଁ ଅନୁରୋଧ କରିବା ସହ ଚା’ ପ୍ରସ୍ତୁତ କରିବାକୁ କହିଥିଲେ। ବୃଦ୍ଧା ପିଉସୀଙ୍କ ଉପସ୍ଥିତିରେ ହିଁ ଜଣେ ଦୁର୍ବୃତ୍ତ ପ୍ରଦୀପଙକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପ୍ରଦୀପଙ୍କ ଉପରେ ବାରମ୍ବାର ଖଣ୍ଡାରେ ଆକ୍ରମଣ ହୋଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ସ୍ପଷ୍ଟ ହୋଇଛି। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି। ଗତକାଲି ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୋ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ ଗୋଟି ଟିମ୍‌ ଗଠନ କରାଯାଇଛି। ପୁଲିସ ଏହି ଘଟଣାରେ ୩ଜଣ ସନ୍ଦିଗ୍ଧଙ୍କୁ ଉଠାଇ ଆଣି ଜେରା କରୁଛି। ଖୁବ୍‌ଶୀଘ୍ର ଏହି ମାମଲା ଉପରୁ ପରଦା ହଟାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର