ଗୁରୁ ଦିବସରେ ଅଘଟଣ:କୂଅରେ ବୁଡ଼ି ୨ଛାତ୍ର ମୃତ 

ବ୍ୟବଚ୍ଛେଦ ନକରି ଗାଁକୁ ନେଇଗଲେ ଶବ:ଖବର ପାଇ ଗାଁରେ ପହଞ୍ଚିଲା ପ୍ରଶାସନ

ନବରଙ୍ଗପୁର: ଗୁରୁ ଦିବସରେ ଅପେକ୍ଷା କରିଥିଲା ମୃତ୍ୟୁ। ଗୁରୁଙ୍କୁ ପୂଜା କରି ଘରକୁ ଫେରିବା ବଦଳରେ ସାଙ୍ଗସାଥୀଙ୍କ ମେଳରେ ଚାଲିଗଲେ ଗାଧୋଇବାକୁ। ଘର ଠାରୁ ଅଳ୍ପ ଦୂରରେ ଥିବା ଗୋଟିଏ ପରିତ୍ୟକ୍ତ କୂଅରେ ପଶି ଆଉ ବାହାରି ପାରିଲେନି। ବିଳମ୍ବରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲା। କିନ୍ତୁ ସେତେବେଳକୁ ଆଉ ଜୀବନ ନଥିଲା। ଏଭଳି ଏକ ଅଭାବନୀୟ ଘଟଣା ଆଜି ଅପରାହ୍ନରେ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ବଡ଼କୁମୁଲି ଗାଁରେ ଘଟିଛି। ମୃତକ ଦ୍ୱୟ ହେଲେ ସ୍ଥାନୀୟ ଲକ୍ଷ୍ମଣ ହରିଜନଙ୍କ ବଡ଼ପୁଅ ପ୍ରଭାତ ହରିଜନ (୧୦) ଏବଂ ତ୍ରିଲୋଚନ ହରିଜନଙ୍କ ପୁଅ ଜୟନ୍ତ ହରିଜନ (୧୧)। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବଡ଼କୁମୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ର ପ୍ରଭାତ ହରିଜନ, ସାନ ଭାଇ ବିରାଜ ହରିଜନ (୭), ଷଷ୍ଠ ଶ୍ରେଣୀ ଛାତ୍ର ଜୟନ୍ତ ହରିଜନ ଏବଂ ଅନନ୍ତ ହରିଜନ ପ୍ରମୁଖ ସ୍କୁଲ ଛୁଟି ହେବା ପରେ ଘରକୁ ଯିବା ବଦଳରେ ଘର ଠାରୁ ଅଳ୍ପ ଦୂରରେ ଥିବା ଗୋଟିଏ ପରିତ୍ୟକ୍ତ କୂଅକୁ ଗାଧୋଇବାକୁ ଚାଲି ଯାଇଥିଲେ। ପ୍ରାୟ ୧୨ଫୁଟ ଗଭୀର କୂଅରେ ପ୍ରଥମେ ପ୍ରଭାତ ଓ ପରେ ଜୟନ୍ତ ପଶିଥିଲେ। ତେବେ ସେମାନଙ୍କ ଅନୁମାନ ଠାରୁ ଅଧିକ ପାଣି କୂଅରେ ରହିଥିବାରୁ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ପରେ ବି ବାହାରକୁ ନଆସିବାରୁ ସାଥୀରେ ଯାଇଥିବା ବିରାଜ ଓ ଅନନ୍ତ ଗାଁକୁ ଫେରି ଆସିଥିଲେ। କୂଅରେ ଦୁଇ ଜଣ ଫସି ରହିଥିବା ଖବର ଦେଇଥିଲେ। ଏହି ସୂଚନା ପାଇବା ପରେ ଗାଁ ଲୋକ କୂଅ ନିକଟକୁ ଦୌଡ଼ି ଯାଇଥିଲେ। କିନ୍ତୁ ଦୁହିଁଙ୍କର ପତ୍ତା ମିଳିନଥିଲା। ସ୍ଥାନୀୟ ସରପଞ୍ଚ ନବରଙ୍ଗପୁର ସ୍ଥିତ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି କୂଅ ଭିତରୁ ବୁଡ଼ି ଯାଇଥିବା ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ରହିଥିଲା। ତେବେ ମେଡିକାଲ ନେବା ରାସ୍ତାରେ ଅନ୍ୟ ଜଣେ ବି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।
ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା ପରେ ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ଡାକ୍ତରଙ୍କୁ ଅପେକ୍ଷା ନକରି ପରିବାର ଲୋକ ଦୁଇ ଶିଶୁଙ୍କ ଶବକୁ ନେଇ ଗାଁକୁ ଚାଲି ଆସିଥିଲେ। ଏନେଇ ଡ୍ୟୁଟିରେ ଥିବା ଡାକ୍ତର ନବରଙ୍ଗପୁର ଥାନାକୁ ଖବର ଦେଇଥିଲେ। ଏହାପରେ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ଓ ପାପଡାହାଣ୍ଡି ଥାନା ପୁଲିିସ ଗ୍ରାମରେ ପହଞ୍ଚି ଦୁଇ ଶିଶୁଙ୍କ ପରିବାରକୁ ବୁଝାସୁଝା କରିଥିଲେ। ଏନେଇ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ସହ ଯୋଗାଯୋଗ କରିବାରୁ ଶବ ବ୍ୟବଚ୍ଛେଦ କରିବା ପାଇଁ ପରିବାର ଲୋକଙ୍କୁ ବୁଝାସୁଝା କରିଛୁ। ପାପଡାହାଣ୍ଡି ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୁଲିସ ତଦନ୍ତ ରିପୋର୍ଟ ମିଳିବା ପରେ ସରକାରଙ୍କ ରିଲିଫ କୋଡ ଅନୁଯାୟୀ ଯାହା ସହାୟତା ଦେବାର ନିୟମ ଅଛି ସେହି ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର