କ୍ରିକେଟ ବ୍ୟାଟରେ ପିଟି ପତ୍ନୀଙ୍କୁ ହତ୍ୟା

ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ସ୍ଥିତ ଯାଦବ ମାଝୀ ବାଳିକା ବିଦ୍ୟାଳୟର ପିଅନ ପଦୁ ମାଝୀ ନିଜ ପତ୍ନୀଙ୍କୁ କ୍ରିକେଟ ବ୍ୟାଟରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଗତକାଲି ସଂଧ୍ୟାରେ ମୃତ ମହିଳାଙ୍କ ଭାଇ ଯଶୋବନ୍ତ ନାୟକ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଛି। ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଲୋକ କହୁଛନ୍ତି।
ସୂଚନା ଅନୁଯାୟୀ, ପୂଜାରୀଗୁଡା ଗାଁର ଡମୁ ନାୟକଙ୍କ ଝିଅ ଅଞ୍ଜନା ନାୟକ (୩୨)କୁ ପ୍ରାୟ ୧୫ବର୍ଷ ତଳେ ସେହି ଗାଁର ସୁନ୍ଦର ମାଝୀଙ୍କ ପୁଅ ପଦୁ ମାଝୀ ବିବାହ କରିଥିଲେ। ପଦୁ ଚନ୍ଦାହାଣ୍ଡିରେ ଚାକିରି କରୁଥିବାରୁ ପରିବାର ସହ ଚନ୍ଦାହାଣ୍ଡିରେ ଆସି ରହୁଥିଲେ। ତେବେ ପାରିବାରିକ କଳହକୁ କେନ୍ଦ୍ର କରି ଗତ କିଛି ଦିନ ହେଲା ଦଂପତି ଅଶାନ୍ତିରେ ରହୁଥିଲେ। ଏପରିକି ଦୁଇ ଦିନ ତଳେ ପଦୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଶୁଣିବାକୁ ମିଳିଛି। ଶେଷରେ ଗତକାଲି ସଂଧ୍ୟାରେ ପୁଣି କୌଣସି କଥାକୁ ନେଇ ଦଂପତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ପଦୁ ପିଲାମାନେ ଖେଳୁଥିବା କ୍ରିକେଟ ବ୍ୟାଟ୍‌ ନେଇ ପତ୍ନୀଙ୍କୁ ପାହାର ପକାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟଳି ପଡିଥିବା ଅଞ୍ଜନାକୁ ଉଦ୍ଧାର କରି ପରିବାର ଲୋକ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଏହାପରେ ବଡ ପୁଅ ରିଙ୍କୁ ମାଝୀ ପୂଜାରୀଗୁଡା ଯାଇ ମାମୁ ଯଶୋବନ୍ତଙ୍କୁ ଘଟଣା ସଂପର୍କରେ ଜଣାଇବାରୁ ସେ ମେଡିକାଲକୁ ଯାଇଥିଲେ।

ସେତେବେଳକୁ ଭଉଣୀର ମୃତ୍ୟୁ ହୋଇ ସାରିଥିଲା। ଘଟଣା ସଂପର୍କରେ ଯଶୋବନ୍ତ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ମେଡିକାଲକୁ ଯାଇଥିଲା। ସଂଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ କରାଇ ପାରି ନଥିଲା। ଚନ୍ଦାହାଣ୍ଡି ଥାନା ଅଧିକାରୀ ତରଣୀସେନ ନାୟକ ଘଟଣାର ତଦନ୍ତ ଆରମ୍ଭ କରି ଫେରାର ପାଇଁ ଉଦ୍ୟମ କରୁଥିବା ଅଭିଯୁକ୍ତକୁ ଗିରଫ କରିଥିଲେ। ଆଜି ଡାକ୍ତର କଳ୍ପେଶ ସୁନା ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତ ପଦୁ ମାଝୀକୁ କେସ ନଂ.୪୭/୧୮ ଆଇପିସି ଧାରା ୩୦୨ରେ ଉମରକୋଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସୂଚନାଯୋଗ୍ୟ, ମୃତ ଅଞ୍ଜନା ନାୟକ ଯାଦବ ମାଝୀ ବାଳିକା ରୋଷେୟା ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର