ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପଞ୍ଚୁମୁ ପଞ୍ଚାୟତ କେଶ୍‌ପାନିଆ ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଯୁବକଙ୍କ କିଛି ପରିଚିତ ବ୍ୟକ୍ତି ତାଙ୍କୁ ଫୋନ୍‌ ଯୋଗେ ଡାକି ଘରଠାରୁ ମାତ୍ର ୨୦ ମିଟର ଦୂର କେଶ୍‌ପାନିଆ ହାଇସ୍କୁଲ୍‌ ନିକଟରେ ଭୁଜାଲି, ଫାର୍ସାରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଶରଣକୁଳ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଯୁବକ ଜଣକ ବ୍ୟବହାର କରୁଥିବା ମୋବାଇଲ୍‌ ଫୋନ୍‌ ଓ ଅନ୍ୟ କିଛି ଜିନିଷ ପୁଲିସ୍‌ ଘଟଣାସ୍ଥଳରୁ ଜବତ କରିଛି। ସେପଟେ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ କହୁଥିବା ବେଳେ ପୁଲିସ୍‌ ଉଭୟ ରାଜନୈତିକ ଶତ୍ରୁତା ଓ ପରକୀୟା ପ୍ରୀତିକୁ ସନ୍ଦେହକୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ କେଶ୍‌ପାନିଆର ଯୋଗୀ ଦାଶଙ୍କ ପୁଅ ସୁବାସ (୩୩) ହୋଇଥିବାବେଳେ ସେ ପୂର୍ବତନ ୱାର୍ଡମେମ୍ବର ବୋଲି ଜଣାପଡ଼ିଛି।

ପରିବାର ଲୋକଙ୍କ କହିବା ମୁତାବକ, ସୁବାସ ବିଜେଡି ସମର୍ଥିତ ହୋଇଥିବାବେଳେ ବହୁଥର ୱାର୍ଡମେମ୍ବର ରହି ସାରିଛନ୍ତି। କିନ୍ତୁ ଗତ ନିର୍ବାଚନରେ ସେ ହାରିଯିବା ପରେ କେରଳ କାମ କରିବାକୁ ଚାଲି ଯାଇଥିଲେ। ୨ ମାସ ହେବ କେରଳରୁ ଘରକୁ ଫେରିଥିଲେ। ଗତକାଲି ଘରେ ଥିବାବେଳେ ରାତି ପ୍ରାୟ ସାଢ଼େ ୧୧ଟାରେ ସୁବାସଙ୍କ ମୋବାଇଲ୍‌ ନମ୍ବରକୁ ଜନୈକ ସାଙ୍ଗର ଫୋନ୍‌ ଆସିଥିଲା। ଏହା ପରେ ସୁବାସ ନିଜ ବାଇକ୍‌ରେ କେଶ୍‌ପାନିଆ ହାଇସ୍କୁଲ୍‌ ନିକଟକୁ ଯାଇଥିଲେ।

ରାତି ସାଢ଼େ ୧୨ଟା ପାଖାପାଖି ହେବ ହାଇସ୍କୁଲ୍‌ଠାରୁ କିଛି ଦୂରରେ ରହୁଥିବା ସଂପର୍କୀୟ ଦାଦା ପାଟିଶୁଣି ସୁବାସଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଆସି ଦେଖିଲା ବେଳକୁ ହାଇସ୍କୁଲ ପଛପାଖ ରାସ୍ତାରେ ସୁବାସଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲା। ପରିବାର ଲୋକେ ଗୋଡ଼ିପଡ଼ା ଫାଣ୍ଡିକୁ ଏ ସଂପର୍କରେ ଜଣାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛି। ଏ ସଂପର୍କରେ ଶରଣକୁଳ ଥାନା ଅଧିକାରୀ ମନୋଜ କୁମାର ଶତପଥୀ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଥିବାବେଳେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ୧୪୯/୧୭ରେ ଏକ ହତ୍ୟା ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର