କେନ୍ଦ୍ରମନ୍ତ୍ରୀ ହେବାପରେ ଗାଁକୁ ଆସି ପୋଖରୀରେ ଘଷିମାଜି ହୋଇ ଗାଧୋଇଲେ ପ୍ରତାପ, ଭିଡିଓ ହେଲା ଭାଇରାଲ

ଭୁବନେଶ୍ୱର: ମନ୍ତ୍ରୀପଦ ପାଇଲା ପରେ ଦିଲ୍ଲୀରେ ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ ଚାକଚକ୍ୟ ଆଉ ବିଳାସପୂର୍ଣ୍ଣ କ୍ୱାଟର ପାଇଲା ପରେ ବି  ପ୍ରତାପ ଷଡଙ୍ଗୀ ଗାଁକୁ ଆସି ନିଜ ଜୀବନଶୈଳୀ ବଦଳାଇ ନାହାନ୍ତି । ସେ ପୂର୍ବରୁ ଯେମିତି ଥିଲେ ପଦ ପାଇଲା ପରେ ବି ସେମିତି ଅଛନ୍ତି । ଗାଁ ପୋଖରୀରେ ଗାଧୋଇବାର ଭିଡିଓ ଭାଇରାଲ ହେବା ପରେ ପ୍ରତାପ ଷଡଙ୍ଗୀ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ରତାପ ଦିଲ୍ଲୀରୁ ପଲ୍ଲୀକୁ ଆସିବା ପରେ ଗୋପିନାଥପୁର ଗାଁ ପୋଖରୀରେ ଗାଧୋଇଛନ୍ତି । ଆଉ ତା’ପରେ ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଧୁଆ ବେଳର ଭିଡିଓ ଭାଇରାଲ ହୋଇଛି।

ଭିଡିଓରେ ପ୍ରତାପଙ୍କୁ ନାଲି ଗାମୁଛା ଆଉ କାନ୍ଧରେ ଧଳା ଗାମୁଛା ପକାଇଥିବା ଦେଖିବାକୁ ମିଳିଛି। ଗାଁ ପୋଖରୀର କାଚକେନ୍ଦୁ ପାଣିରେ ଘଷି ମାଜି ହୋଇ ଗାଧୋଉଛନ୍ତି ପ୍ରତାପ। ଗାଧୁଆ ସରିବା ପରେ ଗ୍ରାମଦେବୀଙ୍କୁ ପୂଜା କରିବା ଉଦେଶ୍ୟରେ ୨ଟି ତମ୍ବା କଳସୀରେ ପାଣି ନେଇ ଆସୁଛନ୍ତି । ପୂଜା କରିବା ପୂର୍ବରୁ ଠାକୁରାଣୀଙ୍କ ପିଣ୍ଡାରେ ଝାଡୁ ମାରି ସଫା ସୁତୁରା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ପ୍ରତାପ ନନାଙ୍କ ଏମିତି ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କ ସାଧାରଣ ଜୀବନଶୈଳୀକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।

କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଗାଁରେ ପାଦଦେବା ମାତ୍ରେ ପ୍ରତାପ ଗୁରୁଙ୍କ ଘରେ ପହଞ୍ଚିଥିଲେ । ଆଉ ଗୁରୁଙ୍କୁ ଆଣ୍ଠୁ ଲଗାଇ ମୁଣ୍ଡିଆ ମାରିବା ସହ ଆର୍ଶିବାଦ ନେଇଥିଲେ। ଗୁରୁ ମଧ୍ୟ ଶିଷ୍ୟଙ୍କୁ ଆର୍ଶିବାଦ କରିବା ସହ କବିତା ପଢି ଶୁଣାଇଥିଲେ । ଏହା ସହ ନିର୍ବାଚନ ଫଳାଫଳ ଆସିବା ଦିନ ସାରାରାତି ପ୍ରତାପଙ୍କ ବିଜୟ କାମନା କରି ଗାୟତ୍ରୀ ମନ୍ତ୍ର ଜପ କରିଥିଲେ ବୋଲି ଗୁରୁ କହିଛନ୍ତି ।

ସମ୍ବନ୍ଧିତ ଖବର