ମନରେଗା ସାମାଜିକ ସମୀକ୍ଷା ସଂପର୍କିତ ତାଲିମ :ଲାଇନ ବିଭାଗରେ ବ୍ୟାପକ ହେରଫେର ଅଭିଯୋଗ

ରାୟଗଡ଼ା: ସରକାରୀ ଯୋଜନା କାର୍ଯ୍ୟକାରିତାରେ ସ୍ୱଚ୍ଛତା ଆଣିବାକୁ ଅନେକ ଆଇନ ପ୍ରଣୟନ କରାଯାଇଛି। ତେବେ କେହି ହେଲେ ସଠିକ୍‌ ଭାବେ କାର୍ଯ୍ୟକାରୀ କରିବାକୁ ମାନସିକ ଭାବେ ପ୍ରସ୍ତୁତ ନଥିବା ନେଇ ଅଭିଯୋଗ ଉଠିଛି। ଉଚ୍ଚ କର୍ତ୍ତୃପକ୍ଷ ତୃଣମୂଳସ୍ତରରେ ହେଉଥିବା ଦୋଷ ତ୍ରୁଟିକୁ ସୁଧାରିବା ପରିବର୍ତେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଉଥିବାରୁ ଉଦବେଗ ପ୍ରକାଶ ପାଇଛି। ବିଶେଷକରି ମହାତ୍ମାଗାନ୍ଧୀ ମନରେଗା ଯୋଜନା କାର୍ଯ୍ୟକାରୀ ନିମନ୍ତେ ଜବକାର୍ଡ, କାମ ପାଇଁ ଆବେଦନ ପତ୍ର, ପ୍ରକଳ୍ପ କାର୍ଯ୍ୟ, ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ଶ୍ରମିକଙ୍କ ଆକାଉଣ୍ଟରେ ମଜୁରୀ ଟଙ୍କା ଜମା କରିବାରେ ବ୍ୟାପକ ହେରଫେର ଓ ଅବ୍ୟବସ୍ଥା ରହିଥିବା କୁହାଯାଇଛି।
ସ୍ଥାନୀୟ ଜପାଖାଲ ଓପିଡ଼ିଏସସି ଠାରେ ଓସାଟ, ଟିସ ଓ ସିରଡ଼ ସଂସ୍ଥା ଆନୁକୂଲ୍ୟରେ ଗତ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହୋଇଥିବା ମାସିକିଆ ବ୍ଲକ ସାମାଜିକ ସମୀକ୍ଷା ତାଲିମ ଶିବିରରେ ୬ଟି ଜିଲ୍ଲା କୋରାପୁଟ, ରାୟଗଡ଼ା, ନବରଂଗପୁର, ବୈାଦ୍ଧ, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାର ୪୪ ଜଣ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷକ ଯୋଗ ଦେଇଛନ୍ତି। ସଂସ୍ଥାର ସଂଯୋଜକ ଡ଼. ନରେନ୍ଦ୍ର କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବୋଧନରେ ଏହି ତାଲିମ କାର୍ଯ୍ୟକ୍ରମରେ ଫାଇଲ ପତ୍ର ଓ ସାମାଜିକ ସମୀକ୍ଷା ବେଳେ ଉପରୋକ୍ତ ବେନିୟମ ଏବଂ ସେମାନଙ୍କ ଅଭିଜ୍ଞତା ସଂପର୍କରେ ଆଲୋଚନା କରାଯାଇଛି। ରାୟଗଡ଼ା ବ୍ଲକର ୪ ଟି ପଞ୍ଚାୟତ କେରେଡ଼ା, ଜମାଦେଇପେଣ୍ଠ, ତାଡମା ଏବଂ ହାଲୁଆ ପଞ୍ଚାୟତକୁ ନମୁନା ଭାବେ ନେଇ ଫାଇଲ ପତ୍ର ଯାଞ୍ଚ ବେଳେ ପ୍ରକଳ୍ପ କାର୍ଯ୍ୟ ପ୍ରଣୟନ ସମୟରେ ଦେଖାଯାଇଥିବା ଦୋଷତ୍ରୁଟିକୁ ବାହାର କରିଥିଲେ। ତାଲିମ ନେଉଥିବା ୪୪ ଜଣଙ୍କୁ ୪ଟି ଦଳରେ ବିଭକ୍ତ କରି ଜଣେ ଦଳର ନେତୃତ୍ୱ ନେଇ ମନରେଗା ଯୋଜନାରେ ପଞ୍ଚାୟତ ଓ ଲାଇନ ବିଭାଗ ଆନୁକୂଲ୍ୟରେ ଚାଲିଥିବା କାର୍ଯ୍ୟ ଓ ଯୋଜନା ପ୍ରଣୟନ ବେଳେ ଶ୍ରମିକଙ୍କ ଭୂମିକା ଉପରେ ସମୀକ୍ଷା କରିଥିଲେ। ଯୋଜନା ପ୍ରଣୟନରେ ବ୍ୟାପକ ଅବ୍ୟବସ୍ଥା ସାଂଗକୁ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ଶ୍ରମିକ ମାନଙ୍କ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଜାଲ ଟିପ ଦେଇ ଉଠାଇ ନେଇଥିବା ଅଭିଯୋଗ ଆସିଛି। ଏଥିରେ ବ୍ୟାଙ୍କ ଓ ପୋଷ୍ଟ ଅଫିସ କର୍ତ୍ତୃପକ୍ଷଙ୍କ ସଂପୃକ୍ତି ନେଇ ସନ୍ଦେହ କରାଯାଇଛି। ସେହିଭଳି ଠିକାଦାର ତୁଷ୍ଟିୀକରଣ ପାଇଁ ଆବଶ୍ୟକ ନଥିବା ସ୍ଥାନରେ କଲଭର୍ଟ ଓ ଡ଼ାଇଭର୍ସନ ନିର୍ମାଣ କରାଯାଇଛି। ସାମାଜିକ ସମୀକ୍ଷା ସମୟରେ ୪ଟି ପଞ୍ଚାୟତର ଅଧିକାଂଶ ଫାଇଲ ପିଇଓ ଓ ଗ୍ରାମ ରୋଜଗାର ସେବକ ପ୍ରଦାନ କରିଥିବା ବେଳେ ଲାଇନ ବିଭାଗର ଜଳଛାୟା ପ୍ରକଳ୍ପ, ଜଂଗଲ, ଉଦ୍ୟାନ, ଆଇଟିଡ଼ିଏ ବିଭାଗ ଆନୁକୂଲ୍ୟରେ ଚାଲିଥିବା ମନରେଗା ଯୋଜନାର ପ୍ରକଳ୍ପ ସଂପର୍କିତ ଫାଇଲ ବାରମ୍ବାର ମାଗିବା ସତ୍ୱେ ଦିଆଯାଉନଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ କାର୍ଯ୍ୟଧାରାରେ ବ୍ୟାପକ ଅନୁଦାନ ହରିଲୁଟ ହୋଇଥିବା କ୍ଷେତ୍ର ପରିଦର୍ଶନ ସମୟରେ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ଜଣାପଡ଼ିଥିବା କୁହାଯାଇଛି। ପ୍ରକଳ୍ପ କାର୍ଯ୍ୟ ନିକଟରେ ସୂଚନା ଫଳକ କିମ୍ବା ବିବରଣୀ ଦେଇନଥିବା ବେଳେ କେଉଁ ବିଭାଗ ଦ୍ୱାରା କେଉଁ ପ୍ରକଳ୍ପ କାର୍ଯ୍ୟ କରାଯାଇଛି ଜାଣିବାରେ ଅବକାଶ ନାହିଁ।

ମାଷ୍ଟରରୋଲ ପ୍ରସ୍ତୁତିରେ ତ୍ରୁଟି ରହିଛି। ବିଶେଷକରି ବୃକ୍ଷରୋପଣ କାର୍ଯ୍ୟରେ ଲାଇନ ବିଭାଗ ପକ୍ଷରୁ ବ୍ୟାପକ ହେରଫେର କରାଯାଇଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। କୌଣସି ଠାରେ ସୂଚନା ଫଳକ ନଥିବାରୁ ଗୋଟିଏ ପ୍ରକଳ୍ପ କାର୍ଯ୍ୟକୁ ଅନ୍ୟ ବିଭାଗ ସେମାନେ କରିଥିବା ଦର୍ଶାଇ ଅନୁଦାନ ହଡପ କରିଥିବା ନେଇ ସାମାଜିକ ସମୀକ୍ଷକ ମାନେ ସନ୍ଦେହ ବ୍ୟକ୍ତ କରିଛନ୍ତି। ୨୦୦୫-୦୬ ମସିହାରେ ଲୋକଙ୍କୁ ଜବକାର୍ଡ ପ୍ରଦାନ କରାଯାଇଥିବା ବେଳେ କିଛି କାର୍ଡଧାରୀଙ୍କୁ ଆଜି ପର୍ଯ୍ୟନ୍ତ କାମ ମିଳିନାହିଁ। ସେହିଭଳି ଅଧିକାଂଶ ଜବକାର୍ଡ ଠିକାଦାର ଓ ରୋଜଗାର ସେବକଙ୍କ ନିକଟରେ ରହିଥିବା ସମୀକ୍ଷା ବେଳେ ଜଣାପଡ଼ିଥିବା କୁହାଯାଇଥିଲା। ଆସନ୍ତାକାଲି ୪ ଟି ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଆୟୋଜନ କରାଯାଇଛି। ସାମାଜିକ ସମୀକ୍ଷକ ମାନେ ୬ ମାସକୁ ଥରେ ସାମାଜିକ ସମୀକ୍ଷା କିଭଳି କରାଯାଏ ଏବଂ ଅଧିକାର ସଂପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଇ ପଞ୍ଚାୟତରେ ଦେଖାଯାଇଥିବା ଦୋଷ ତ୍ରୁଟି ସଂପର୍କରେ ଅବଗତ କରାଇବେ ବୋଲି କହିଛନ୍ତି। ଏହି ରିପୋର୍ଟ ଗୁଡ଼ିକ ସଂପୃକ୍ତ ଅଧିକାରୀଙ୍କୁ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ୬ ଟି ଜିଲ୍ଲାର ଜିଲ୍ଲା ସାମାଜିକ ସମୀକ୍ଷକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର