ରାୟଗଡ଼ା : ଓଡ଼ିଶା-ଆନ୍ଧ୍ର ରାସ୍ତାରେ ନିଜକୁ ଏମଭିଆଇ ବୋଲି ପରିଚୟ ଦେଇ ବେଧଡ଼କ ଚାଲିଥିଲା ଟଙ୍କା ଆଦାୟ। ଏପରିକି ଟଙ୍କା ଆଦାୟ କରିବା ପରେ ଟ୍ରକ ଚାଳକଙ୍କୁ ଦିଆଯାଉଥିଲା ନକଲି ରସିଦ୍। ଦୀର୍ଘ ଦିନ ହେଲା ଏହି ବେଆଇନ କାରବାର ଚାଲିଥିବା ବେଳେ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି ରାୟଗଡ଼ାର ଗୋଟିଏ ଠକ ଦଳ। ଆଜି ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ପୁଲିସ କେରେଡ଼ା ତନଖୀ ଫାଟକ ନିକଟରେ ଆତର୍କିତ ଚଢ଼ାଉ କରିବା ପରେ ଧରା ପଡ଼ିଛନ୍ତି ଦୁଇ ନକଲି କନିଷ୍ଠ ଏମଭିଆଇ। ତେବେ ଏଥିରେ ସଂପୃକ୍ତ ଅନ୍ୟମାନେ ପୁଲିସକୁ ଚକମା ଦେଇ ଖସି ଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସ˚ପର୍କରେ ଏସଡିପିଓ ରାଜ କିଶୋର ଦାଶ କହିଛନ୍ତି, ଯେ ନକଲି ପରିବହନ ଅଧିକାରୀଙ୍କ ନାମ ଟଙ୍କା ଆଦାୟ ନେଇ ପୁଲିସକୁ ସୂୂଚନା ମିଳିଥିଲା। ଆଜି ସେହି ଅଞ୍ଚଳରେ ଶେଷଖାଲ ପୁଲିସ ପାଟ୍ରୋଲିଂ ଟିମ୍ ଚଢ଼ାଉ କରି ରଇତ କୋଲେନିର ଡି.ରମେଶ, କସ୍ତୁରୀ ନଗରର ଭି. ଶ୍ରୀନିବାସଙ୍କୁ ଗିରଫ କରିଛି। ନଗଦ ୫୫୦୦ ଟଙ୍କା ଏବ˚ ନକଲି ରସିଦ ବହି ଜବତ କରାଯାଇଛି। ଆଜି ସନ୍ଧ୍ୟାରେ ରମେଶ ଏବ˚ ଶ୍ରୀନିବାସଙ୍କୁ ଏସଡିଜେଏମଙ୍କ ନିକଟରେ ହାଜର କରାଯାଇଥିଲା। ଏହି ବେଆଇନ କାର୍ଯ୍ୟରେ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ, ପୁଲିସ ଏବ˚ ଅନ୍ୟ ପ୍ରଭାବଶାଳି ଲୋକ ସଂପୃକ୍ତ ରହିଥିବା ଅଭିଯୋଗ ହୋଇଛି। ତେଣୁ ଏହାର ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଏହି ଠକ ଦଳ କେବେ ଏମଭିଆଇ ତ’ ଆଉ କେତେବେଳେ ଆରଟିଓ ହୋଇ ଟ୍ରକ ଚାଲକଙ୍କ ଠାରୁ ଦିନରାତି ଟଙ୍କା ଆଦାୟୟ କରି ଚାଲିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଗିରଫ ସମୟରେ ମାତ୍ର ୫୫ଶହ ଟଙ୍କା ମିଳିବା ସମସ୍ତଙ୍କୁ ଚିକିତ କରିଛି। ସେମାନେ ଅନେକ ସମୟରେ ଆଞ୍ଚଳିକ ପରିବହନ ବିଭାଗର ଫଳକ ଲଗାଇ ବ୍ୟବହାର କରୁଥିବା ବଲେରୋ ଗାଡ଼ି ସଂପର୍କରେ ପୁଲିସ କିଛି କହିନାହିଁ। ଅନ୍ୟପଟେ ନକଲି ରସିଦ ଦେଇ ଟ୍ରକ ଚାଳକଙ୍କ ଠାରୁ ଟଙ୍କା ଆଦାୟ ଦୀର୍ଘ ଦିନ ହେଲା ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧୢ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଚୁପ ରହିଥିଲେ। ଏମିତିକି ଯେଉଁ ମାନେ ଏନେଇ ପ୍ରଶ୍ନ କରୁଥିଲେ। ସେମାନଙ୍କୁ ଧମକ ଚମକ ଦେଇ ପାଟି ବନ୍ଦ କରିବାକୁ ପଛାଉ ନଥିଲେ। କେରେଡ଼ା ଫାଟକ ନିକଟରେ ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼ ଅଞ୍ଚଳର ଟ୍ରକ ଗୁଡ଼ିକୁ ଅଟକାଇ ଜରିମାନା ନାମରେ ନକଲି ରସିଦ ଦେଇ ଟଙ୍କା ଲୁଟି ନେଉଥିଲେ। ରାଜ୍ୟ ବାହାର ଟ୍ରକକୁ ଟାର୍ଗେଟ କରାଯାଇଥିବା ବେଳେ ପାଟିରୁ ଯାହା ବାହାରୁଥିବା ସେତିକି ଟଙ୍କା ଦେବାକୁ ଟ୍ରକ ଚାଳକଙ୍କୁ ବାଧ୍ୟ କରାଯାଉଥିଲା। ଏହି ନକଲି ଏମଭିଆଇ ଏବ˚ କର୍ମଚାରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସମସ୍ତ ନୀତି ନିୟମକୁ ଭଲ ରୂପେ ଜାଣି ଟ୍ରକ ଚାଳକଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ।