ବିଚାରଧୀନ ମହିଳା କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଉମରକୋଟ: ଉମରକୋଟ ସବଜେଲରେ ଆଜି ଜଣେ ବିଚାରଧୀନ ମହିଳା କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ମହିଳା କଏଦୀ ଉମରକୋଟ କୁସୁମଗୁଡା ଅଞ୍ଚଳର ସାଲୋନୀ ହରିଜନ(୩୦) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ସାଢେ ୩ଟା ବେଳେ ସାଲୋନୀ କିଛି ଖାଇ ଦେବାରୁ ଗୁରୁତର ହୋଇପଡିଥିଲେ। ଜେଲ କର୍ତ୍ତୃପକ୍ଷ ତୁରନ୍ତ ଉମରକୋଟ ମେଡିକାଲରେ ଭର୍ତି କରିଥିଲେ। ମେଡିକାଲରେ କଏଦୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ମହିଲା ଜେଲ କର୍ମଚାରୀ କହିଛନ୍ତି ଯେ ଭୁଲରେ ଔଷଧ ଖାଇଦେବାରୁ ଏଭଳି ହୋଇଛି। ତେବେ କଏଦୀ ହାତକୁ ଔଷଧ ଗଲା କେମିତି ତାହର ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଆଲୋଚନା ହେଉଛି। ସୂଚନାଥାଉକି, ପ୍ରାୟ ୬ମାସ ତଳେ ସାଲୋନୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ସ୍ୱାମୀ ଘର ତରଫରୁ ଏହା ହତ୍ୟା ବୋଲି ଥାନାରେ ଅଭିଯୋଗ ପରେ ଉମରକୋଟ ପୁଲିସ ଏକ ମାମଲା ରୁଜୁ କରି ସାଲୋନୀ, ତାଙ୍କ ଭଉଣୀ ଏବଂ ମା’ଙ୍କୁ ଗିରଫ କରିଥିଲା। ଜେଲ ଅଧୀକ୍ଷକଙ୍କ ମୋବାଇଲ ଫୋନ ବନ୍ଦ ରହିଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧିତ ଖବର