ସମ୍ବଲପୁର: ତନ୍ତ୍ର ସାଧନା ପାଇଁ ସ୍ତ୍ରୀକୁ ବଳି, ଗଳିତ ଶବ ଜବତ, ନୃଶଂସ ସ୍ୱାମୀ ଗିରଫ

ନାକଟିଦେଉଳ (ଶରତ ପ୍ରଧାନ): ତନ୍ତ୍ର ସାଧାନା ପାଇଁ ନିଜ ସ୍ତ୍ରୀକୁ ବଳି ଦେବା ଘଟଣା ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳରେ ଶନିବାର ଚାଞ୍ଚଲ୍ୟ ଖେଳାଇ ଦେଇଛି । ହିତସରା ଗ୍ରାମର ଦାଶରଥିମୁଣ୍ଡା ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ବଳି ଦେବା ଅଭିଯୋଗରେ ସ୍ୱାମୀ ଚଗଲା ସେଠୀକୁ ପୁଲିସ୍‌ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଟାଙ୍ଗିଆ ସମେତ ମୃତ ସ୍ତ୍ରୀ ସୁଲୋଚନାର ଗଳିତ ଶବକୁ ପୁଲିସ ଜବତ କରିଛି।

ଚଗଲା (୪୦) ଓ ସୁଲୋଚନା (୩୭)ଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ଲାଗିରହୁଥିଲା। ସୁଲୋଚନାକୁ ସବୁବେଳେ ଚଗଲା ନିର୍ଯ୍ୟାତନା ଦେଉଥିଲା । ଚଗଲା ବିଭିନ୍ନ ସମୟରେ ତନ୍ତ୍ରମନ୍ତ୍ର ଦ୍ୱାରା ହଇରାଣ କରୁଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଚଗଲା ରବିବାର ଓ ମଙ୍ଗଳବାର ଦିନ ନିଜ ଘର ବାଡିପଟ ଏକ ଗଛ ମୂଳରେ ପିଢକରି ଫୁଲ, ସିନ୍ଦୁର, ଧୂପ ନେଇ ତନ୍ତ୍ର ସାଧନା କରୁଥିଲା ବୋଲି ଗ୍ରାମବାସୀ ଏବଂ ମୃତ ସୁଲୋଚନାର ୧୪ ବର୍ଷର ଝିଅ ସଂଯୁକ୍ତା ଏବଂ ୧୧ ବର୍ଷର ପୁଅ ବୈକୁଣ୍ଠ ପ୍ରକାଶ କରିଛନ୍ତି । ଅଧିକ ତନ୍ତ୍ରବିଦ୍ୟା ପାଇଁ ଅକ୍ଟୋବର ୩୦ ରାତି ସୁଲୋଚାକୁ ବଳି ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା।

ଯୋଜନା ଅନୁସାରେ ଘରେ ସମସ୍ତେ ଶୋଇସାରିଲା ପରେ ରାତି ପ୍ରାୟ ୧୧ଟାରେ ସୁଲୋଚନାକୁ ଟାଙ୍ଗିଆରେ ହତ୍ୟା କରିଥିଲାା ତା’ପରେ ସୁଲୋଚନାର ମୃତଦେହ ବୋହିନେଇ ଘର ଠାରୁ ପ୍ରାୟ ୧ କିମି ଦୂର ବେଗୁନାନାଳୀସ୍ଥିତ ଏକ ଆମ୍ବଗଛ ତଳେ ପକାଇଦେଇ ଚାଲି ଯାଇଥିଲା । ତାପରେ ସୁଲୋଚନାର ଏକ ହାତକୁ କାଟି ରକ୍ତ ଆଣି ଘର ବାଡିପଛରେ ତନ୍ତ୍ରସାଧନା ପାଇଁ ପୂଜାପାଠ କରୁଥିବା ପିଢ ଠାରେ ପୂଜା କରିଥିଲା । ବୁଧବାର ଠାରୁ ସ୍ତ୍ରୀ ସୁଲୋଚନା କେଉଁ ଆଡେ ଘରୁ ଚାଲିଯାଇଛି କହି ଲୋକଦେଖାଣିଆ ଭାବରେ ସବୁଆଡେ ଖୋଜା ଖୋଜି କରିଥିଲା । ତେବେ ଶୁକ୍ରବାର ସନ୍ଧ୍ୟାରେ ସେହି ରାସ୍ତା ଦେଇ ଲୋକମାନେ ଯାତାୟତ କରୁଥିବା ବେଳେ ଏକ ଦୁର୍ଗନ୍ଧ ଆସୁଥିଲା । କଣ୍‌ ଗନ୍ଧ ହେଉଛି ବୋଲି ଚାରିଆଡେ ଖୋଜାଖୋଜି କରିବାରୁ ଏକ ଆମ୍ବଗଛ ମୂଳରେ ସୁଲୋଚନାର ଗଳିତ ଶବ ପଡିଥିବା ଦେଖି ତାଙ୍କ ସାହି ଲୋକଙ୍କୁ ଖବର ଦେଇଥିଲେ ।

ଘଟଣା ସଂପର୍କରେ ସୁଲୋଚନାର ଭାଇ ପ୍ରଶନ୍ନ ବେହେରା ଜାଣିବା ପରେ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ସୁଲୋଚନାର ସ୍ୱାମୀ ଚଗଲାକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ତନ୍ତ୍ର ସାଧନା ପାଇଁ ମୁଁ ମୋ ସ୍ତ୍ରୀକୁ ବଳି ଦେଇଛି ବୋଲି ପୁଲିସ୍‌ ଆଗରେ ଚଗଲା ସ୍ୱୀକାର କରିଛି ।

ସମ୍ବନ୍ଧିତ ଖବର