ନାବାଳିକାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା! ୩ ସନ୍ଦିଗ୍ଧଙ୍କୁ କାବୁ କରି ପୁଲିସ୍‌ର ଜିମା ଦେଲେ ଲୋକେ, ଅଭିଯୁକ୍ତଙ୍କ ମଧ୍ୟରେ ନାବାଳିକାଙ୍କ ପୁରୁଷ ବନ୍ଧୁ!

ନାକଟିଦେଉଳ/ସମ୍ବଲପୁର : ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତ ଗଇଲମୁଣ୍ଡି ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ନାବାଳିକାଙ୍କ ମୃତଦେହ ଜବତ ହୋଇଛି। ମୃତ ନାବାଳିକା ସ୍ଥାନୀୟ ଗଇଲମୁଣ୍ଡା ଗ୍ରାମର ବୋଲି ଜଣାପଡ଼ିଛି। ନାବାଳିକାଙ୍କ ମୃତଦେହ ପଡ଼ିଥିବା ସ୍ଥାନ ଓ ତାଙ୍କ ଅବ୍ୟବସ୍ଥିତ ପୋଷାକରୁ ଏହା ଗଣ ଦୁଷ୍କର୍ମ ପରେ ହତ୍ୟାକାଣ୍ଡ ‌ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଘଟଣାସ୍ଥଳରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ୩ ଯୁବକଙ୍କୁ ସ୍ଥାନୀୟ ପାଣିଗ୍ରାଣୀପାଲିର ଲୋକେ କାବୁ କରିବା ପରେ ପୁଲିସ୍‌ର ଜିମା ଦେଇଛନ୍ତି। କିସିଣ୍ଡା ପୁଲିସ୍‌ ଓ କିଛି ଗ୍ରାମବାସୀ ଜଙ୍ଗଲରେ ମୃତଦେହକୁ ଜଗି ରହିଥିବା ବେଳେ ଶନିବାର ସକାଳୁ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ଶବ ପଞ୍ଚାନାମା କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ନାବାଳିକାଙ୍କ ପରିବାବର୍ଗଙ୍କ ଅଭିଯୋଗକ୍ରମେ କିସିଣ୍ଡା ପୁଲିସ୍‌ ଏକ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅଭି‌ଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଧାରା ୩୦୨/ ୩୭୬ରେ ମାମଲା ରୁଜୁ ହୋଇଥିବା କିସିଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ରାମେଶ୍ବର ସିଂ ସୂଚନା ‌ଦେଇଛନ୍ତି।

ମୃତ ନାବାଳିକା ଜଣଙ୍କ ଗତବର୍ଷ ମାଟ୍ରିକ୍‌ ପାସ୍‌ କରିବା ପରେ ‌କାମ କରିବାକୁ ଚେନ୍ନାଇ ଯାଇଥିଲେ। ଗତ ଦଶହରା ଛୁଟିରେ ନାବାଳିକାଜଣଙ୍କ ଘରକୁ ଫେରିଥିଲେ। ଶୁକ୍ରବାର ଦିନ ୧୨ଟା ବେଳେ ନାବାଳିକା ଜଣଙ୍କ ଘରୁ ବାହାରି କିସିଣ୍ଡା ବଜାରକୁ ଯାଇଥିଲେ। ‌ସେଠାରୁ ଦିନ ୨ଟା ବେଳେ ବାହାରି ତାଙ୍କ ପୁରୁଷ ବନ୍ଧୁ ସହ ସାଇକେଲରେ ଗ୍ରାମକୁ ଫେରୁଥିଲେ। କିନ୍ତୁ ଆଉ ସେ ଘରେ ପହଞ୍ଚିନଥିଲେ। ଗଇଲମୁଣ୍ଡି ମୁଖ୍ୟ ରାସ୍ତାରୁ କେନାଲ ପାର୍‌ କରି ପାହାଡ଼ ତଳ ଜଙ୍ଗଲକୁ ଯାଇଥିବା ସ୍ଥାନୀୟ ପାଣିଗ୍ରାହୀପାଲିର କିଛି ଲୋକେ ଜଣେ ନାବାଳିକାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇବା ପରେ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ। ତେବେ ଘଟଣାସ୍ଥଳରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଫଟାମୁଣ୍ଡା ଗ୍ରାମର ୩ ଯୁବକଙ୍କୁ ଲୋକେ କାବୁ କରିନେବା ପରେ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ଗ୍ରମାବାସୀଙ୍କ ସୂଚନା ମୁତାବକ, ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ସହ ଉକ୍ତ ନାବାଳିକା ପରିଚିତ ଥିଲେ। ଏହି ଯୁବକ ସହ ହିଁ ନାବାଳିକା ଜଣଙ୍କ କିସିଣ୍ଡାରୁ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଅପରପକ୍ଷେ, ଉକ୍ତ ଯୁବକ ଗ୍ରାମବାସୀଙ୍କୁ ଦେଇଥିବା ଉତ୍ତର ମୁତାବକ ଘରକୁ ଫେରିବା ସମୟରେ ନାବାଳିକା ଜଣଙ୍କ ଶୌଚ ହେବାକୁ କହି ଜଙ୍ଗଲ ଭିତରକୁ ପଶିଥିଲେ। କିନ୍ତୁ ସେଠାରେ ତାଙ୍କ ମୁଣ୍ଡ ବୁଲାଇବା ପରେ ହଠାତ୍‌ ଅଚେତ ହୋଇ ପଡ଼ିଥିଲେ। ଏଥିରେ ଯୁବକ ଜଣଙ୍କ ଭୟଭୀତ ହୋଇ ଗ୍ରାମର ଆଉ ୨ ସାଙ୍ଗକୁ ଘଟଣାସ୍ଥଳକୁ ଡାକିଥିଲେ। ସେମାନେ ନାବାଳିକାଙ୍କୁ ଗାଁକୁ ଆଣିବାକୁ ଚେଷ୍ଟା କରୁଥିବା ସମୟରେ ଗ୍ରାମବାସୀ ସନ୍ଦେହରେ ସେମାନଙ୍କୁ କାବୁ କରି ନେଇଥି‌ଲେ। ଖବର ଲେଖାହେବା ଯାଏଁ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି।

ସମ୍ବନ୍ଧିତ ଖବର