ମୁଥୁଟ୍‌ ଫାଇନାନ୍‌ସରୁ ଡକାୟତି : ରାଜ୍ୟ ବାହାରେ ପୁଲିସ ଟିମ୍‌

ସମ୍ବଲପୁର : ସହରର ବୁଢ଼ାରଜା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍‌ସରେ ସଂପୃକ୍ତ ଡକାୟତମାନଙ୍କୁ ଧରିବା ପାଇଁ ସମ୍ବଲପୁର ପୁଲିସ ୩ ଟି ଟିମ୍‌ ଗଠିତ କରିଛି। ସେଥିରୁ ଗୋଟିଏ ଟିମ୍‌ କଟକ ଯାଇଥିବା ବେଳେ ଅନ୍ୟ ଦୁଇଟି ଟିମ୍‌ ଝାଡ଼ଖଣ୍ଡ ଓ ଛତିଶଗଡ଼ ଗସ୍ତ କରିଥିବା କୁହାଯାଇଛି। ଅପରପକ୍ଷରେ ଡକାୟତମାନେ ଲୁଟି ନେଇଥିବା ସୁନା ଗହଣା ପାଖାପାଖି ୨ କୋଟି ହେବ ବୋଲି କୁହାଯାଉଥିବା ବେଳେ ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇ ନାହିଁ। ମୁଥୁଟ୍‌ ଫାଇନାନ୍‌ସର ଆଂଚଳିକ ପ୍ରବନ୍ଧକ କର୍ଣ୍ଣେଲ ରବୀନ୍ଦ୍ର ନାଥ ସେନାପତିଙ୍କ ତତ୍ତ୍ୱାବଧାନରେ ଭୁବନଶ୍ୱେରରୁ ଆସୁଥିବା ୨ଟି ଅଡିଟ୍‌ ଟିମ୍‌ ସହିତ ସମ୍ବଲପୁର ଶାଖାର କର୍ମଚାରୀମାନେ ଷ୍ଟ୍ରଂଗରୁମ, କାଉଣ୍ଟର ଓ ଲକରଗୁଡ଼ିକରେ ରହିଯାଇଥିବା ନଗଦ ଟଙ୍କା ଓ ସୁନା ଗହଣାର ପରିମାଣ ହିସାବ କରୁଛନ୍ତି। ଏଠାରେ ରହିଥିବା ନଗଦ ଟଙ୍କା ଓ ସୁନା ଗହଣାର ପରିମାଣ ଷ୍ଟକ୍‌ ଲିଷ୍ଟରୁ କାଟି ଦେଲେ ଡକାୟତମାନେ କେତେ ସଂପତ୍ତି ଲୁଟି ନେଇଛନ୍ତି, ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ଅପରପକ୍ଷରେ ପୁଲିସ୍‌ ଡକାୟତମାନଙ୍କୁ ଧରିବା ପାଇଁ ନିଜର ଦମ୍‌ ଲଗାଇ ଦେଇଥିବା କୁହାଯାଇଛି। ଡକାୟତମାନେ ବ୍ୟବହାର କରିଥିବା ଗାଡ଼ି ନମ୍ବରରୁ ଉକ୍ତ ଗାଡ଼ିଟି କଟକର ଜଣେ ବ୍ୟକ୍ତିର ହୋଇଥିବା ଜଣାପଡ଼ିଛି। ପଚରାଉଚୁରା ବେଳେ ସଂପୃକ୍ତ ବ୍ୟକ୍ତି ଜଣକ ତାଙ୍କ କାର୍‌ ଘରେ ରହିଥିବା ପୁଲିସ୍‌ କହିଥିଲେ। ଏଭଳି ସ୍ଥିତିରେ ଯାଂଚ ପାଇଁ ଏକ ଟିମ୍‌ କଟକ ଯାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର