ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ୮୫ ହଜାର ଟଙ୍କା ଲୁଟ୍‌

ସୋନପୁର: ବୀରମହାରାଜପୁର ଥାନା ଅନ୍ତର୍ଗତ ନୂଆଁଗଡ ରାସ୍ତାରେ ଦୁର୍ବୃତ୍ତମାନେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କଠାରୁ ୮୪ ହଜାର ୫୫୦ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶଯେ ବୀରମହାରାଜପୁରଠାରେ ଏଲଏଣ୍ଡଟି ନାମକ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ରହିଛି । ଏହାର କ୍ଷେତ୍ର ଅଧିକାରୀ ପଙ୍କଜ କୁମ୍ଭାର ସହଯୋଗୀ ପ୍ରେମାନନନ୍ଦ ପାତ୍ରଙ୍କ ସହ ଋଣ ଟଙ୍କା ଅସୁଲ ପାଇଁ ଝାରମୁଣ୍ଡା, ନୁଆଁଗଡ, ଫୁଲଚରା ଆଦି ଗ୍ରାମକୁ ଯାଇଥିଲେ। ୫୬ ଜଣ ଋଣ ଗ୍ରହୀତାଙ୍କଠାରୁ ୮୪ ହଜାର ୫୫୦ ଟଙ୍କା ଆଦାୟ କରି ଫେରୁଥିବାବେଳେ ନୂଆଁଗଡ-ଫୁଲଚରା ରାସ୍ତାରେ ୬ ଜଣ ଅଜଣା ବ୍ୟକ୍ତି ସେମାନଙ୍କୁ ଅତର୍କିତ ଆକ୍ରମଣ କରି କ୍ଷେତ୍ର ଅଧିକାରୀ ଧରିଥିବା ଟଙ୍କା ଥଳି ଲୁଟିନେଇ ଚମ୍ପଟ ମାରିଥିଲେ। ୨୫ରୁ୩୦ ବର୍ଷ ବୟସ୍କ ଏହି ଯୁବକମାନେ ୩ଟି ବାଇକରେ ଆସିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ କ୍ଷେତ୍ର ଅଧିକାରୀ ପଙ୍କଜ ଏବଂ ପ୍ରେମାନନ୍ଦ ଆହତ ହୋଇଛନ୍ତି । ଏ ନେଇ ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର