ସରଗରମ ଧରିଲାଣି ସୋନପୁର ରାଜନୀତି : ବିଜେପି ,କଂଗ୍ରେସରେ ଏକାଧିକ ଆଶାୟୀ

ସୋନପୁର, (ରତନ ପଟ୍ଟନାୟକ): ଗତ ଦୁଇ ଦଶନ୍ଧି ଧରି ସୋନପୁର ଜିଲ୍ଲା ରାଜନୀତି ବିଜେଡି କବ୍‌ଜାରେ ରହିଛି। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା। ବିଧାନସଭା ପୁନଃ ନିର୍ଦ୍ଧାରଣ ପରେ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଏହି ଆସନରୁ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ବିଜେଡିର ନିରଞ୍ଜନ ପୂଜାରୀ ବିଜୟ ଲାଭ କରି ବାଚସ୍ପତି ଏବଂ ଅନେକ ଗୁରୁତ୍ବପୁର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ବରେ ରହିଛନ୍ତି। ଗତ ଦୁଇଟି ନିର୍ବାଚନରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ବିଜୟ ଭୋଟ ବ୍ୟବଧାନ ବଢ଼ିବାରେ ଲାଗିଛି।

ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ୧୩ ଟି ଆସନରୁ ୧୦ଟି ଆସନରେ ଜିଣି ଜିଲ୍ଲା ପରିଷଦ ଗଠନ କରିଥିବାରୁ ପ୍ରାକ୍ ନିର୍ବାଚନ ରାଜନୀତି ଏଥର ସରଗରମ ରହିଛି। ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ସମୟରେ ଜିଲ୍ଲାରେ ରାସ୍ତାଘାଟ ଉନ୍ନତି, ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ବାସ୍ଥ୍ୟରେ ବିକାଶ ହୋଇଥିବା କଥା ବିଜେଡି କହୁଥିବାବେଳେ ଜିଲ୍ଲାରେ ଅନେକ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସରି ନାହିଁ, ଯାହାକି ବିଜେଡି ପାଇଁ ଅଡୁଆ ସୃଷ୍ଟି କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପୋଷଣ କରିଛନ୍ତି। ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ଜିଲ୍ଲାରେ ବିକାଶ ନାମରେ ଦୁର୍ନୀତି ବଢ଼ି ଚାଲିଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ସହିତ ବିଜେପି ଏବଂ କଂଗ୍ରେସର ଲଢ଼େଇ ହେବ ତାହା ସ୍ପଷ୍ଟ ଜଣା ପଡୁଛି।

ସୋନପୁର ପୌର ପରିଷଦ, ତରଭା ବିଜ୍ଞାପିତ ଅଞ୍ଚଳ, ସୋନପୁର ବ୍ଲକ, ଡୁଙ୍ଗୁରିପାଲି ବ୍ଲକ, ତରଭା ବ୍ଲକ ଓ ବିନିକା ବ୍ଲକର ଯୁଲୁଣ୍ଡା, କୁଇବାହାଲ ଓ ମହଦା ପଞ୍ଚାୟତକୁ ନେଇ ଗଠିତ ସୋନପୁର ନିର୍ବାଚନମଣ୍ଡଳୀ। ଏଠାରୁ ବିଜେଡିର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଟିକେଟ ପାଇବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଅନ୍ୟ କେହି ଆଶାୟୀ ଏଯାଏ ସମ୍ମୁଖକୁ ଆସି ନାହାନ୍ତି।

କଂଗ୍ରେସରୁ ଜିଲ୍ଲା ସଭାପତି ଶଙ୍କର ଦାଶ, ପିସିସି ସଭ୍ୟ ସର୍ବେଶ୍ବର ପୁରୋହିତ, ଯୁବ ନେତା ଚନ୍ଦ୍ରମଣି ତ୍ରିପାଠୀ, ବରିଷ୍ଠ ନେତା ଚିତ୍ତରଞ୍ଜନ ମିଶ୍ର, ସୁଧୀର ପଣ୍ଡା, ରବୀନ୍ଦ୍ର ହୋତା, ନରଦେବ ଭୋଇ, ଗୌରୀଶଙ୍କର ମହାପାତ୍ର ପ୍ରମୁଖ ଆଶାୟୀ ଅଛନ୍ତି। ସେହିପରି ବିଜେପିରୁ ପ୍ରମୋଦ ମହାପାତ୍ର, ଅଶୋକ ପୂଜାରୀ, ବଳଦେବ ବେଦବାକ, ଶରତ ଶତପଥୀ, ପୂର୍ବ ବିଧାୟକ ଅଚ୍ୟୁତ ବିଶ୍ବାଳ, ବିମଳଚନ୍ଦ୍ର ମିଶ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, ଶିବରାମ ମିଶ୍ର ପ୍ରମୁଖଙ୍କ ନାମ ଆଶାୟୀ ତାଲିକାରେ ଯୋଡ଼ି ହୋଇଛି। ବିରୋଧୀ କଂଗ୍ରେସ ଓ ବିଜେପିରେ ଆଶାୟୀ ସଂଖ୍ୟା ଅଧିକ ଥିବାରୁ ଟିକେଟ ନପାଇଲେ ନେତାମାନେ ଦଳ ବିରୋଧୀ କାର୍ଯ୍ୟ କରି ଭୋଟ ବିଭାଜନ କରିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

(ସୋନପୁର) ୨୦୧୪ ନିର୍ବାଚନ ଫଳାଫଳ

ବିଜେଡି        ନିରଞ୍ଜନ ପୂଜାରୀ     ୯୩,୫୩୪
ବିଜେପି        ପ୍ରମୋଦ ମହାପାତ୍ର    ୪୨,୦୪୯
କଂଗ୍ରେସ       ସର୍ବେଶ୍ବର ପୁରୋହିତ  ୩୫,୭୯୫
ବିଏସ୍‌ପି        ବିମଳା ନାଏକ         ୨,୪୦୮
ଆମ ଓଡ଼ିଶା    ଅମରେଶ୍ବର ମିଶ୍ର      ୧,୬୮୮

ସମ୍ବନ୍ଧିତ ଖବର