ସୁଜିତ ହତ୍ୟା ମାମଲା: ୪ର୍ଥ ଅଭିଯୁକ୍ତ ଗିରଫ

ମନମୁଣ୍ଡା: ବହୁଚର୍ଚ୍ଚିତ ସୁଜିତ ହତ୍ୟାକାଣ୍ଡର ୧୧ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ପୂର୍ବରୁ ୩ ଜଣଙ୍କୁ ଧରିଥିବା ବେଳେ ଗତରାତିରେ ଚତୁର୍ଥ ଅଭିଯୁକ୍ତ ଭାବେ ପ୍ରଣୟ ପ୍ରଧାନ ଓରଫ ଜୁନାକୁ ପୁଲିସ ଧରିବାରେ ସକ୍ଷମ ହୋଇଛି। ୨୦୧୭ ଡିସେମ୍ବର ୪ ତାରିଖରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ପରାଜିତ ଗୋଷ୍ଠୀର ସୁବ୍ରତ କର୍ମୀ ଓ ତାଙ୍କ ୭ ଜଣ ସହଯୋଗୀ ସହିତ ମୃତ ସୁଜିତଙ୍କ ବଡ଼ଭାଇ କୁରୁପତି ଓ ତାଙ୍କ ୨ ଜଣ ସହଯୋଗୀ ମୋଟ ୧୧ ଜଣ ଯୋଜନାବଦ୍ଧ ଭାବରେ ସୁଜିତ ପ୍ରଧାନ ଓ ତାଙ୍କ ୨ ଜଣ ସହଯୋଗୀ ଟୁନା ଓ ଶ୍ରଦ୍ଧାକରଙ୍କୁ ଅତର୍କିକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୁଜିତ ଘଟଣାସ୍ଥଳରେ ଟଳି ପଡ଼ିଥିବା ବେଳେ ଟୁନା ଓ ଶ୍ରଦ୍ଧାକରଙ୍କ ମୁଣ୍ଡ, ଗୋଡ଼ରେ ଆଘାତ ଲାଗିଥିଲେ ମଧ୍ୟ ଜୀବନ ବିକଳରେ ଦୌଡ଼ି ଜୀବନ ବଞ୍ଚାଇଥିଲେ। ପରେ ପୁଲିସ ତଦନ୍ତ ପରେ ପର୍ଯ୍ୟାୟ କ୍ରମେ ଡିସେମ୍ବର ୯ ତାରିଖରେ ମୁଖ୍ୟ ଅଭିଯୁକ୍ତ ସୁବ୍ରତ କର୍ମୀଙ୍କ କାକା ଶଣ୍ଢେଶ୍ୱର କର୍ମୀ (୫୦), ଡିସେମ୍ବର ୨୫ ତାରିଖରେ ସୁବାସ କର୍ମୀ (୨୫), ଜାନୁଆରି ୬ ତାରିଖରେ ଅବିନାଶ ସାହୁକୁ ପୁଲିସ ଗିରଫ କରି ହାତବାନ୍ଧି ବସିଥିଲା।

ଇତିମଧ୍ୟରେ ସରକାରୀ ନିୟମ ଅନୁସାରେ ୧୨୦ ଦିନ ଭିତରେ ପୁଲିସ ଚାର୍ଜସିଟ ଦାଖଲ କରିବାକୁ ବାଧ୍ୟ ହୋଇଥିବା ବେଳେ ‘ସମ୍ବାଦ’ରେ ଏ ସଂକ୍ରାନ୍ତରେ ଏକ ଖବର ପ୍ରସାରିତ ହେବା ପରେ ମନମୁଣ୍ଡା ପୁଲିସ ତତ୍ପର ହୋଇ ଉଠି ଗତକାଲି ବିଳମ୍ବିତ ରାତିରେ ଶରଧାପାଲି ଗ୍ରାମର ଶିକ୍ଷକ ପ୍ରମୋଦ ପ୍ରଧାନଙ୍କ ଘରେ ଚଢ଼ଉ କରି ତାଙ୍କ ପୁଅ ପ୍ରଣୟକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ମନମୁଣ୍ଡା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତକୁ ଧରାଯାଇ ନଥିବାରୁ ଚାର୍ଜସିଟ ଦେବାରେ କ’ଣ ଅସୁବିଧା ହେବ କି ବୋଲି ବୌଦ୍ଧ ଏସ୍‌ପି ସୁଧାଂଶୁଶେଖର ମିଶ୍ରଙ୍କୁ ପଚାରିବାରୁ ଚାର୍ଜସିଟ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ। ଆଜି ପର୍ଯ୍ୟନ୍ତ ଯାହା ତଦନ୍ତ ହୋଇଛି ଏବଂ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରି ଚାର୍ଜସିଟ ପ୍ରଦାନ କରାଯିବ। ପରେ ଅନ୍ୟ ଅଭିଯୁକ୍ତ ଧରାପଡ଼ିଲେ ପର୍ଯ୍ୟାୟ କ୍ରମେ ରିପୋର୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତେବେ ଯେହେତୁ ମୁଖ୍ୟ ଅଭିଯୁକ୍ତ ଏ ଯାଏ ଧରାପଡିନାହିଁ ତେଣୁ ମାମଲାଟି ଦୁର୍ବଳ ହୋଇଯିବ ବୋଲି ଆଇନ ବିଶାରଦମାନେ ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧିତ ଖବର