ବିବାହର ୧୦ ଘଣ୍ଟା ପରେ ଆତ୍ମହତ୍ୟା ମମଲା: ଆତ୍ମହତ୍ୟା ଲିପି ଜବତ: ବିବାହ ଚାହୁନଥିଲେ ଯୁବକ

ବୀରମିତ୍ରପୁର: ବିବାହର ୧୦ ଘଣ୍ଟା ପରେ ବେକରେ ପିନ୍ଧା ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ବୀରମିତ୍ରପୁର ରେଲେଓ୍ଵ କଲୋନୀ ନିବାସୀ ଡି.ଏନ୍‌.ମହାତୋଙ୍କ ପୁଅ ମୃତ୍ୟୁଞ୍ଜୟଙ୍କ ଆତ୍ମହତ୍ୟା ଲିପି ପୁଲିସ ଜବତ କରିଛି। ସେ ବିବାହ କରିବାକୁ ଚାହୁଁନଥିଲେ, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି। ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ସେ ସମ୍ପର୍କରେ କିଛି ଲେଖିନାହାନ୍ତି। ବୀରମିତ୍ରପୁର ପୁଲିସ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ମୃତ୍ୟୁଞ୍ଜୟଙ୍କ ଅନ୍ତିମ ସତ୍କାର କରାଯାଇଛି।
ଶବ ବ୍ୟବଚ୍ଛେଦ ପୂର୍ବରୁ ମୃତ୍ୟୁଞ୍ଜୟଙ୍କ ପ୍ୟାଣ୍ଟ ପକେଟ୍‌ ଯାଞ୍ଚ ବେଳେ ଆତ୍ମହତ୍ୟା ଲିପି ଉଦ୍ଧାର ହୋଇଥିଲା। ଏହାକୁ ସେ ନିଜ ହାତରେ ଲେଖିଥିଲେ। ମୃତ୍ୟୁଞ୍ଜୟ ବିବାହ କରିବାକୁ ଚାହୁଁନଥିଲେ। ଗତକାଲି ବରଯାତ୍ରୀ ନୂଆଗାଁ ସୋରଡ଼ା ନିକଟବର୍ତ୍ତି ଅଜୟକେଲାରେ ପହଞ୍ଚି ‘ପ୍ରସେସନ’ ବାହାର କରିବା ପୂର୍ବରୁ ମୃତ୍ୟୁଞ୍ଜୟ ବିବାହ ନ କରିବା ପାଇଁ ଜିଦ୍‌ ଧରିଥିଲା। ତେଣୁ ବରଯାତ୍ରୀ ଘରକୁ ଫେରି ଆସିବାକୁ ବାହାରିଥିଲେ। କେତେକ ଲୋକ ମୃତ୍ୟୁଞ୍ଜୟକୁ ବିବାହ ପାଇଁ ରାଜି କରାଇବା ପରେ ସେ ବାହା ବେଦୀରେ ବସିଥିଲା। ବିବାହ ପାଇଁ ପ୍ରସ୍ତାବ ବେଳେ ମଧ୍ୟ ମୃତ୍ୟୁଞ୍ଜୟ ବାହା ହେବାକୁ ରାଜି ହୋଇନଥିଲା। କିନ୍ତୁ ପରିବାର ଲୋକଙ୍କ ଚାପରେ ସେ କୁଆଡ଼େ ବାହା ହେବା ପାଇଁ ରାଜି ହୋଇଥିଲା। ଆତ୍ମହତ୍ୟା ଲିପିରେ ମୃତ୍ୟୁଞ୍ଜୟ ମୃତ୍ୟୁର କାରଣ ଉଲ୍ଲେଖ କରି ନଥିଲେ ବି ନଂପୁସକତା ପାଇଁ ସେ କୁଆଡେ ବିବାହ ପାଇଁ ରାଜି ହେଉନଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ତେବେ ତାଙ୍କର ଏଭଳି ନିଷ୍ପତ୍ତି ବୀରମିତ୍ରପୁରରେ ଶୋକର ଛାୟା ଖେଳାଇ ଦେଇଛି।
ସ୍ୱାମୀର ଆତ୍ମହତ୍ୟା ପରେ ନବ ବିବାହିତା ଦେବକୀ ଆଜି ଘରକୁ ଫେରି ଯାଇଛନ୍ତି। ବିବାହ ବେଳେ ସ୍ୱାମୀ ମୁହଁ ଦେଖିନଥିଲା। କୋକେଇରେ ଥିବା ବେଳେ ସେ ସ୍ୱାମୀକୁ ଦେଖି ଭୋ.. ଭୋ… ହୋଇ କାନ୍ଦି ପକାଇଥିଲା। ତାର ମୁଣ୍ଡରୁ ସିନ୍ଦୁର ଓ ହାତରୁ ଶଙ୍ଖା ଖୋଲି ଦିଆଯାଇଥିଲା। ଘରୁ ଆଣିଥିବା ଯୌତୁକ ସାମଗ୍ରୀ ଧରି ସେ ଘରକୁ ଫେରି ଯାଇଥିଲା।

ସମ୍ବନ୍ଧିତ ଖବର