୫ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ପିତାମହଲ ଡ୍ୟାମ ଗଣଦୁଷ୍କର୍ମ ମାମଲା

ରାଉରକେଲା : ପିତାମହଲ ଡ୍ୟାମ୍‌ ନିକଟରେ ବର୍ଷେ ତଳେ ସଂଘଟିତ ଗଣଦୁଷ୍କର୍ମ ମାମଲାରେ ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶ୍ରୀନିବାସ ପତିହାରୀ ୫ ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହ ୨୦ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ୯ ଜଣ ସାକ୍ଷୀଙ୍କ ବୟାନ, ସାକ୍ଷ୍ୟ ପ୍ରମାଣ, ୩୦ଟି ଦସ୍ତାବିଜ, ପାରିପାର୍ଶ୍ୱିକ ସ୍ଥିତିକୁ ଆଧାର କରି ବିଚାରପତି ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତମାନଙ୍କୁ ୩୭୯ ଦଫାରେ ମଧ୍ୟ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ମିଳିଛି। ଦୋଷୀମାନେ ହେଲେ-ବିରଞ୍ଚି ମାଝି, ସନ୍ତୋଷ ସେଠ୍‌, ପ୍ରକାଶ ଲାକ୍ରା, ସୁରେଶ ଡୁଙ୍ଗଡୁଙ୍ଗ ଏବଂ କାଳିଆ ଓରାମ। ସମସ୍ତଙ୍କ ଘରନିକଟବର୍ତ୍ତୀ ବସ୍ତିରେ। ସରକାରୀ ଓକିଲ ଅଜୟ କୁମାର ପ୍ରଧାନ ମାମଲା ପରିଚାଳନା କରିଥିଲେ।

ସ୍ମରଣଯୋଗ୍ୟ, ପିତାମହଲ ଡ୍ୟାମରେ ଗତ ୨୦୧୬ ନଭେମ୍ବର ୧୬ରେ ଏହି ଚାଞ୍ଚଲ୍ୟକର ଅଘଟଣ ଘଟିଥିଲା। ବୀରମିତ୍ରପୁର ଥାନା ଅନ୍ତର୍ଗତ ଦାଙ୍ଗିରନଚା ଗ୍ରାମର ସ୍ୱାମୀ-ସ୍ତ୍ରୀ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ପିତାମହଲ ଡ୍ୟାମ ବୁଲିଯାଇଥିଲେ। ସେଠାରେ ବୁଲୁଥିବା ୫ ଅଭିଯୁକ୍ତଙ୍କୁ ସ୍ୱାମୀ-ସ୍ତ୍ରୀ ମାଛ କେଉଁଠି ମିଳେ ବୋଲି ପଚାରିଥିଲେ। ଅଭିଯୁକ୍ତମାନେ ଡ୍ୟାମ୍‌୍‌ ରାସ୍ତା ପରିବର୍ତ୍ତେ ନିକଟସ୍ଥ ଜଙ୍ଗଲ ଭିତରକୁ ଯାଇଥିବା ରାସ୍ତାକୁ ଦେଖାଇଥିଲେ। ଭୁଲ ରାସ୍ତାରେ ସ୍ୱାମୀ-ସ୍ତ୍ରୀ କିଛି ଦୂର ଯିବା ପରେ ବାଟ ନ ପାଇ ଅଟକି ଯାଇଥିଲେ। ସେମାନଙ୍କ ପିଛା କରୁଥିବା ୫ ଅଭିଯୁକ୍ତ ସେଠାରେ ପହଞ୍ଚିଥିଲେ। ୩ ଅଭିଯୁକ୍ତ ମହିଳାଙ୍କୁ ସ୍ୱାମୀଙ୍କ ନିକଟରୁ ଜୋରଜବରଦସ୍ତ ନିକଟସ୍ଥ ଜଙ୍ଗଲକୁ ଟେକି ନେଇଥିଲେ। ସେଠାରେ ଜଣଙ୍କ ପରେ ଜଣେ ତିନିଜଣ ମହିଳାଙ୍କୁ ଗଣଦୁଷ୍କକର୍ମ କରିଥିଲେ। ସ୍ୱାମୀ ପ୍ରତିବାଦ କରିବାରୁ ଅନ୍ୟ ଦୁଇ ଅଭିଯୁକ୍ତ ତାଙ୍କୁ ମାଡ ମାରି ଅଟକ ରଖିଥିଲେ। ଏହା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ସ୍ୱାମୀଙ୍କଠାରୁ ତିନିଟି ମୋବାଇଲ, ଦୁଇ ହଜାର ଟଙ୍କା ଛଡାଇ ନେଇଥିଲେ। ଘଟଣା ସମ୍ପର୍କରେ ମୁହଁ ନ ଖୋଲିବାକୁ ଧମକ ଦେଇ ସେମାନେ ସେଠାରୁ ବାଇକରେ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ଚାଲିଯିବା ପରେ ସ୍ୱାମୀ-ସ୍ତ୍ରୀ ଘରକୁ ଫେରିଥିଲେ। ତହିଁ ପରଦିନ ସେମାନେ ବ୍ରାହ୍ମଣୀତରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ୪ ଦିନ ପରେ ୫ ଅଭିଯୁକ୍ତଙ୍କୁ ଡ୍ୟାମ୍‌ ନିକଟସ୍ଥ ବସ୍ତିରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର