ସୁନ୍ଦରଗଡ଼: ରାସ୍ତାରୁ ଟେକି ନେଇ ବିବାହିତାଙ୍କୁ ଗଣଦୁଷ୍କର୍ମ, ବେହୋସ ଅବସ୍ଥାରେ ମହିଳା ଉଦ୍ଧାର

ସୁନ୍ଦରଗଡ଼: ରାସ୍ତାରେ ଯାଉଥିବା ବେଳେ ଜଣେ ବିବାହିତା ମହିଳାଙ୍କୁ ଦୁଇଜଣ ଅଭିଯୁକ୍ତ ଟେକି ନେଇ ଗଣଦୁଷ୍କର୍ମ କରିଛନ୍ତି। ପ୍ରାୟ ଘଣ୍ଟାଏ ଧରି ଗଣଦୁଷ୍କର୍ମ କରିବା ପରେ ପୀଡ଼ିତା ଅଚେତ ହୋଇଯିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଟାଉନ ଥାନାରେ ଏ ନେଇ ମଙ୍ଗଳବାର ଏତଲା ହୋଇଛି।

ସ୍ଥାନୀୟ ଆରଆରଆଇଟି(ଆରଆରଆଇଟି) ଅଞ୍ଚଳର ପୀଡ଼ିତା(୨୨), ସ୍ୱାମୀ ଓ ୨ ବର୍ଷର ଝିଅ ସହ ରହନ୍ତି। ସ୍ୱାମୀ ଥାନା ପାଖ ଅଞ୍ଚଳରେ ଫଳ ଦୋକାନ କରିଥିବାରୁ ସେ ଅଧିକାଂଶ ସମୟ ବାହାରେ ରହନ୍ତି। ଗତ ରବିବାର ଦିନ ପ୍ରାୟ ୧୨ଟାରେ ପୀଡ଼ିତା ସ୍ଥାନୀୟ ଅଞ୍ଚଳର ଜଣେ ସଂପର୍କୀୟଙ୍କ ଘରୁ ମୋବାଇଲ ଚାର୍ଜ କରି ଫେରୁଥିଲେ। ଏତିକି ବେଳେ ସ୍ଥାନୀୟ ବାସିନ୍ଦା ବିବାହିତ ପର୍ଶୁ ମୁଣ୍ଡା(୪୦) ଓ ଲୋଲୋ(୧୯) ପୀଡ଼ିତାକୁ ଟେକି ନେଇ ସେଠାରେ ଥିବା ଏକ ପରିତ୍ୟକ୍ତ କୋଠରୀକୁ ନେଇଥିଲେ। ମହିଳା ଜଣକ କାକୁତି ମିନତି ହୋଇଥିଲେ ସୁଦ୍ଧା ଦୁଇ ଅଭିଯୁକ୍ତ କିଛି ନ ଶୁଣି ଜଣକ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ। ଫଳରେ ମହିଳା ବେହୋସ ହୋଇ ଯାଇଥିଲେ।

ଜଣେ ଅଭିଯୁକ୍ତ ଦୁଷ୍କର୍ମ କରୁଥିବାବେଳେ ଅନ୍ୟଜଣେ ବାହାରେ ଜଜି ରହୁଥିଲା। ଏଭଳି ଦୁଇ ଅଭିଯୁକ୍ତ ପ୍ରାୟ ଘଣ୍ଟାଏ ଧରି ଉକ୍ତ କୋଠରୀ ସମ୍ମୁଖରେ ପାଳି କରି ଛିଡ଼ା ହେଉଥିବା ଦେଖି କିଛି ସ୍ଥାନୀୟ ବାସିନ୍ଦା ସନ୍ଦେହ କରିଥିଲେ। ଧରାପଡ଼ିବା ଆଶଙ୍କା କରି ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଅଭିଯୁକ୍ତଙ୍କ ଗତିବିଧି ସନ୍ଦେହ ଜନକ ଥିବାରୁ ସ୍ଥାନୀୟ ଲୋକ ଉକ୍ତ କୋଠରୀକୁ ଯିବାରୁ ପୀଡ଼ିତା ବେହୋସ ଅବସ୍ଥାରେ ଉଲଗ୍ନ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ସ୍ଥାନୀୟ ଲୋକ ପୀଡ଼ିତାଙ୍କୁ ଉଦ୍ଧାର କରି ଘରକୁ ଆଣିବାର କିଛି ସମୟ ପରେ ତାଙ୍କ ଚେତା ଫେରିଥିଲା। ଏହା ପରେ ମହିଳା ପୂର୍ବରୁ ଘଟିଥିବା ସମସ୍ତ ଘଟଣା କହିଥିଲେ।

ସମ୍ବନ୍ଧିତ ଖବର