ଜଙ୍ଗଲରୁ ମହିଳାଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ବଣାଇଁଗଡ଼: ଟିକାୟତପାଲି ଥାନା ଅନ୍ତର୍ଗତ ପିଠାଚୋର ଜଙ୍ଗଲସ୍ଥିତ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ଶବକୁ ଉଦ୍ଧାର କରାଯାଇଛି। ପୁଲିସ ଶବ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଚଳାଇଥିବାବେଳେ ପାରିପାର୍ଶ୍ୱିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଖବର ନେବାରୁ ଜଣାଯାଏ ଦେବଗଡ଼ ଜିଲ୍ଲାର ବାରକୋଟ ଥାନା ଅନ୍ତର୍ଗତ କାଦୋଡିହି ଗ୍ରାମର ଜନୈକ ମହିଳା କିସନ ମୁଣ୍ଡା (୬୦) ଗତ କିଛି ଦିନ ତଳେ ଟିକାୟତପାଲି ସାପ୍ତାହିକ ବଜାରକୁ ଆସିଥିଲେ। ତେବେ ସେଠାରୁ ସେ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳେ ପିଠାଚୋରା ଜଙ୍ଗଲକୁ କିଛି ଲୋକ ଯାଇଥିବାବେଳେ ଜଣେ ମହିଳାଙ୍କ ଶବ ଝୁଲୁଥିବା ଦେଖି ପୁଲିସକୁ ଜଣାଇଥିଲେ। ମୃତ ମହିଳାଙ୍କ ପରିବାର ଲୋକେ ଆଜି ପହଞ୍ଚିବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରି ସେମାନଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଘଟଣାସ୍ଥଳର ଅବସ୍ଥାକୁ ଅନୁଧ୍ୟାନ କରି ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପରିବାର ଲୋକେ ପୁଲିସରେ ଫେରାଦ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର