ସୁନ୍ଦରଗଡ଼ : ବାଇକ୍‌କୁ ଧକ୍କା ଦେଇ ୫ମିଟର ଘୋଷାଡି ନେଲା ଯାତ୍ରୀବାହୀ ବସ୍‌, ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଜଗତପୁର ଗ୍ରାମ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବସ୍‌ ଓ ବାଇକ୍‌ ମଧ୍ୟରେ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନଥିଲା।

ସୂଚନାଯୋଗ୍ୟ, ବୁଧବାର ସକାଳେ ରାଉରକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଯାତ୍ରୀବାହୀ ବସ୍‌ ନିହାଲ୍‌ (ବସ୍‌ ନମ୍ବର-ଓଆର୍‌ ୧୬ଡି ୪୨୦୯) ଯାଉଥିଲା। ଏହି ସମୟରେ ଏକ ବାଇକ୍‌ ଜଗତପୁର ଗ୍ରାମ ନିକଟ ଦେଇ ଯାଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା ନିହାଲ ବସ୍‌ଟି ଉକ୍ତ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ଟି ବସ୍‌ ସାମ୍ନାରେ ପଶି ଯାଇ  ୫ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଅାରୋହୀ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୁନ୍ଦରଗଡ଼ ସଦର ପୁଲିସ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରିବା ସହିତ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟଣାଇବା ପରେ ବସ୍‌ ଚାଳକ ଫେରାର ହୋଇଯାଇଛି। ଖୁବ୍‌ ଶୀଘ୍ର ବସ୍‌ ଚାଳକକୁ ଧରି ନେବ ବୋଲି ପୁଲିସ ସୂଚନା ଦେଇଛି। ମୃତ ଦୁଇଜଣ ଜଗତପୁର ଗ୍ରାମକୁ ତାଙ୍କର ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର