ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ, ୨ ଯୁବକଙ୍କ ମୃତ୍ୟୁ, ୬ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଧବାର ବଜ୍ରପାତ ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥି ସହିତ ୪ ଗାଈ ଓ ବଳଦ ଏବଂ ୩ ଛେଳିର ମଧ୍ୟ ମୃତ୍ୟୁ ଘଟିଛି। ଆହତମାନଙ୍କୁ ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଲହୁଣିପଡ଼ା ଥାନା ଅନ୍ତର୍ଗତ ଲୁଥୁର୍ବା ଗ୍ରାମର ଅନାମ କିସାନ (୧୮) ବ୍ରାହ୍ମଣୀ ନଦୀରୁ ଗାଧୋଇ ଘରକୁ ଫେରୁଥିବା ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେହିପରି ବଣାଇଁ ବ୍ଲକ ଅନ୍ତର୍ଗତ ଶିହିଡିଆ ଗ୍ରାମରେ ବଜ୍ରପାତ ଘଟି ଜଣେ ଗୁରୁତର ଓ ୫ ଜଣ ଆହତ ହୋଇ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗ୍ରାମର ଗଣତସାହି ପଡ଼ିଆରେ ଗାଈଗୋରୁ ଓ ଛେଳି ଚରୁଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ କେଶବ କୁଅଁର (୪୦) ଗୁରୁତର ହୋଇଥିବା ବେଳେ କମଳା କୁଅଁର, ପୂର୍ଣ୍ଣ କୁଅଁର, ପ୍ରଫୁଲ କୁଅଁର, ଦିବାକର କୁଅଁର ଓ ରିତେଶ ଭୋଇ ଆହତ ହୋଇଥିଲେ। ଏଥିସହ ବଜ୍ରପାତରେ ୪ ଗାଈ ଓ ବଳଦ ଏବଂ ୩ ଛେଳିଙ୍କ ମୃତ୍ୟୁ ଘଟିଛି।

ନୂଆଗାଁ ବ୍ଲକ୍‌ ହାତୀବାରି ଥାନା ଅନ୍ତର୍ଗତ ଅଙ୍କୁରପାଲୀ ଗ୍ରାମପଞ୍ଚାୟତର ବରେଇଗଡ଼ା ନିକଟରେ ଆଜି ଅପରାହ୍‌ଣରେ ବଜ୍ରପାତରେ ଚଇତୁ ଗେଡ଼ (୩୦)ଙ୍କ ମୃତ୍ୟୁ ଘଟିଛି। ମୃତ ଚଇତୁଙ୍କ ଘର ରେଙ୍ଗାଲବେଡ଼ା ଗ୍ରାମରେ। କାଗଜପତ୍ର ଜେରକ୍ସ କରି ବରେଇଗଡ଼ାରୁ ସେ ଘରକୁ ଫେରୁଥିବା ବେଳେ ବଜ୍ରପାତ ହେବାରୁ ସାଇକଲ୍ରୁ ଖସି ପଡ଼ି ସେ ମୃତ୍ୟୁବରଣ କରିଥିଲେ।

ସମ୍ବନ୍ଧିତ ଖବର