ଭାରତରେ ମହିଳା ଉଦ୍ୟୋଗୀ ଦୁର୍ବଳ ଚିତ୍ର

ଆମ ଦେଶର ସମୁଦାୟ ଜନସଂଖ୍ୟାର ଅର୍ଧେକ ମହିଳା ହୋଇଥିବା ବେଳେ ରୋଜଗାର କ୍ଷେତ୍ରରେ ମହିଳାଙ୍କ ଅଂଶୀଦାରି ନିରୁତ୍ସାହଜନକ। କେବଳ ସେତିକି ନୁହେଁ ‘ବେନ୍ ଆଣ୍ଡ କମ୍ପାନି’ ଓ ‘ଗୁଗୁଲ୍’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ- ‘ଓ୍ୱିମନ୍ ଏଣ୍ଟ୍ରପ୍ରେନରସିପ୍ ଇନ୍ ଇଣ୍ଡିଆ’(ଭାରତରେ ମହିଳାଙ୍କ ଉଦ୍ୟୋଗ) କହିଛି ଯେ ଆମ ଦେଶରେ ମହିଳାଙ୍କ ମାଲିକାନାରେ ଥିବା ଉଦ୍ୟୋଗର ସଂଖ୍ୟା ହେଉଛି ୧.୩୫-୧.୫୭ କୋଟି, ଯାହା ଦେଶର ସମୁଦାୟ ଉଦ୍ୟୋଗର ମାତ୍ର ୨୦%। ଏହି ଉଦ୍ୟୋଗମାନଙ୍କରେ ୨.୭ କୋଟି ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇଛନ୍ତି। ତହିଁରେ ଏଭଳି ଏକ ଆଶା ପ୍ରକଟ କରାଯାଇଛି ଯେ ଦେଶର ସବୁ ରାଜ୍ୟ ଯଦି ମହିଳା ଉଦ୍ୟୋଗୀଙ୍କୁ ବ୍ୟବସାୟ ବଢ଼ାଇବାରେ ସହାୟତା କରନ୍ତି ତେବେ ୨୦୩୦ ସୁଦ୍ଧା ୧୫-୧୭ କୋଟି ନୂଆ ନିଯୁକ୍ତି ସୃଷ୍ଟି ହୋଇପାରନ୍ତା। ଏହି ଲକ୍ଷ୍ୟ ହାସଲ ହୋଇପାରିଲେ ଭାରତ ଏଭଳି ଏକ ଅର୍ଥନୀତିରେ ପରିଣତ ହୁଅନ୍ତା, ଯେଉଁଥିରେ ୪୦%ରୁ ଅଧିକ ବ୍ୟବସାୟର ମାଲିକ ହୁଅନ୍ତେ ମହିଳା।

ଦେଖାଯାଇଥାଏ ଯେ ଅଧିକାଂଶ ମହିଳାଙ୍କ ବ୍ୟବସାୟ ଘରୁ ପରିଚାଳିତ ହୋଇଥାଏ। ସେହିପରି ଗ୍ରାମାଞ୍ଚଳରେ ଅନେକ ମହିଳା କୃଷି ଉଦ୍ୟୋଗର ମାଲିକାଣୀ। ଏଥିରୁ ସ୍ପଷ୍ଟ ଯେ ଏବେ ମଧ୍ୟ ଦେଶର ମହିଳାଙ୍କୁ ଏକ ପ୍ରଶସ୍ତ କର୍ମ କ୍ଷେତ୍ରରେ ପ୍ରବେଶ କରିବାର ସୁଯୋଗ ଦେବାକୁ ସମାଜ କୁଣ୍ଠିତ। ଏହି ରିପୋର୍ଟରେ ରହିଥିବା ଏକ ସର୍ବେକ୍ଷଣ କହିଛି ଯେ ଅଧିକାଂଶ ମହିଳା ଉଦ୍ୟୋଗୀ ନିଜ ବ୍ୟବସାୟ ସଂପ୍ରସାରିତ କରିବାକୁ ଚାହୁଥିବା ବେଳେ ସାମାଜିକ ବ୍ୟବସ୍ଥା ତାଙ୍କ ପଥ ଅବରୋଧ କରୁଛି।

ପ୍ରାୟତଃ ଦେଖାଯାଇଛି ଯେ ମହିଳାଙ୍କ ଦ୍ବାରା ପରିଚାଳିତ କ୍ଷୁଦ୍ର ଉଦ୍ୟୋଗରେ କର୍ମଚାରୀ ଭାବେ ଅଧିକ ସଂଖ୍ୟକ ମହିଳାମାନେ ହିଁ ନିଯୁକ୍ତି ପାଇଥାଆନ୍ତି। ତେଣୁ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ଏବଂ ତାଙ୍କର କାରବାରର ପରିସର ବୃଦ୍ଧି ପାଇଲେ ତାହା ଅଧିକ ମହିଳାଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରିବ।

ସମ୍ବନ୍ଧିତ ଖବର