‘ଓଡ଼ିଶା ଫୋକସ’ ଲାଇନଚ୍ୟୁତ

ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସମୟରେ ରେଳବାଇ ଭିତ୍ତିଭୂମିର ବିକାଶ ଓ ସଂପ୍ରସାରଣ ଦୃଷ୍ଟିରୁ ଓଡ଼ିଶା ‘ଫୋକସ ରାଜ୍ୟ’ର ଗୁରୁତ୍ୱ ପାଇଥିଲା। ‘ଫୋକସ’ କେବଳ କଥାରେ ସୀମିତ ନଥିଲା, ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ବ୍ୟୟବରାଦ ପରିମାଣରେ କ୍ରମାଗତ ବୃଦ୍ଧିରେ ଏହା ପ୍ରତିଫଳିତ ହୋଇଥିଲା। ୨୦୧୪-୧୫ ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ମଞ୍ଜୁର ଅର୍ଥର ପରିମାଣ ଥିଲା ୧୪୬୫ କୋଟି ଟଙ୍କା। ପରବର୍ତ୍ତୀ ବର୍ଷ ବଜେଟ୍‌ରେ ବ୍ୟୟବରାଦ ପରିମାଣ ୧୫୩ ପ୍ରତିଶତ ବୃଦ୍ଧି ପାଇ ୩୭୧୨ କୋଟି ଟଙ୍କାରେ ଧାର୍ଯ୍ୟ ହୋଇଥିଲା। ଗୋଟିଏ ବର୍ଷରେ ବ୍ୟୟ ଅଟକଳ ୨୨୪୭ କୋଟି ଟଙ୍କା ବୃଦ୍ଧି ‘ଫୋକସ ଷ୍ଟେଟ୍‌’ ପଛରେ ଆନ୍ତରିକତା ତଥା ଦୃଢ଼ ଇଚ୍ଛାଶକ୍ତିର ସଂକେତ ଥିଲା। ୨୦୦୯-୧୦ରୁ ୨୦୧୪-୧୫ ମଧ୍ୟରେ କୌଣସି ବର୍ଷ ଓଡ଼ିଶା ପାଇଁ ମଞ୍ଜୁର ଅର୍ଥର ପରିମାଣ ୧୫୦୦ କୋଟି ଡେଇଁ ନଥିଲା। ଛଅ ବର୍ଷରେ କେବଳ ଦୁଇଟି ବର୍ଷକୁ ଛାଡ଼ିଦେଲେ ଅନ୍ୟ ଚାରିବର୍ଷ ବ୍ୟୟ ପରିମାଣ ହଜାରେ କୋଟି ନଛୁଇଁ ତିନି ଅଙ୍କରେ ସୀମିତ ରହିଥିଲା। ଏହି ଧାରାରେ ବ୍ୟତିକ୍ରମ ଘଟି ୨୦୧୫-୧୬ରେ ବ୍ୟୟବରାଦ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବା ସହ ପରବର୍ତ୍ତୀ ବଜେଟ୍‌ ଗୁଡ଼ିକରେ ମଧ୍ୟ ‘ଫୋକସ ଷ୍ଟେଟ୍‌’ ଓଡ଼ିଶା ପାଇଁ ବ୍ୟୟବରାଦରେ ବୃଦ୍ଧିର ଧାରା ଜାରି ରହିଥିଲା।

୨୦୧୬-୧୭ରେ ପୂର୍ବ ବର୍ଷ ଅପେକ୍ଷା ୨୩ ପ୍ରତିଶତ ଏବଂ ୨୦୧୭-୧୮ରେ ୯ ପ୍ରତିଶତ ବଢ଼ି ଯଥାକ୍ରମେ ୪୬୮୨ ଓ ୫୧୦୨ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା। ଅବଶ୍ୟ, ‘ଫୋକସ ଷ୍ଟେଟ୍‌’ର ମାନ୍ୟତା ଦେଇ ଲଗାତାର ବ୍ୟୟବରାଦ ବୃଦ୍ଧି ଓଡ଼ିଶା ପ୍ରତି କୌଣସି ଅନୁଗ୍ରହ କିଂବା ଅନୁକମ୍ପା ନଥିଲା। ଓଡ଼ିଶାର ଏହା ଥିଲା ନ୍ୟାୟୋଚିତ ହକ୍‌, ଯେଉଁ ହକ୍‌ରୁ ଓଡ଼ିଶାକୁ ଦଶନ୍ଧି ଦଶନ୍ଧି ଧରି ବଞ୍ଚିତ କରାଯାଇ ଆସୁଥିଲା। ରାଜ୍ୟର ରେଳ ବିକାଶ ପ୍ରତି ଦୀର୍ଘ ଅବହେଳା ଓ ଉପେକ୍ଷାର ବିଳମ୍ବିତ ପ୍ରାୟଶ୍ଚିତ୍ତ ସ୍ୱରୂପ ପ୍ରଭୁଙ୍କ ବଜେଟ୍‌ରେ ଓଡ଼ିଶା ପାଇଁ ବ୍ୟୟବରାଦ ବୃଦ୍ଧିର ଧାରା ଓଡ଼ିଶାର ଅର୍ଥନୈତିକ-ସାମାଜିକ ବିକାଶ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା, ଖୋଦ୍‌ ରେଳବାଇର ବ୍ୟବସାୟିକ ସ୍ୱାର୍ଥ ଦୃଷ୍ଟିରୁ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ରେଳବାଇ କ୍ଷେତ୍ରରେ ପଛୁଆ ଓଡ଼ିଶାର ଖଣି-ଖାଦାନ ଓ ଶିଳ୍ପାୟନରେ ପ୍ରଭୁ ରେଳବାଇର ବିପୁଳ ବ୍ୟବସାୟିକ ଅଭିବୃଦ୍ଧିର ସମ୍ଭାବନା ଦେଖି ପାରିଥିଲେ। ଏବେ ବି ରେଳବାଇର ମୋଟ ଆୟରେ ପୂର୍ବତଟ ଜୋନ୍‌ର ଅବଦାନ ୧୦ ପ୍ରତିଶତ ଏବଂ ଏହି ଜୋନ୍‌ର ପରିଚାଳନା ଖର୍ଚ୍ଚ ସବୁଠାରୁ କମ୍‌, ଯାହା ଭାରତୀୟ ରେଳବାଇକୁ ଲାଭ ଦେଉଛି।

ଏହି ପୃଷ୍ଠଭୂମିରେ ସୁରେଶ ପ୍ରଭୁଙ୍କ ଉତ୍ତରାଧିକାରୀ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ପ୍ରଥମ ରେଳ ବଜେଟ୍‌ ବା ନୂଆ ବ୍ୟବସ୍ଥାରେ ‘ପିଙ୍କ୍‌ବୁକ୍‌’ ବିଶେଷ ଉତ୍ସାହ ସୃଷ୍ଟି କରୁନାହିଁ। ବରଂ ଆଶଙ୍କା ସୃଷ୍ଟି କରୁଛି ଯେ, ଓଡ଼ିଶା ଭାରତୀୟ ରେଳବାଇର ‘ଫୋକସ’ର ବାହାରକୁ ଚାଲି ଯାଇଛି। ଅନ୍ୟଥା ଓଡ଼ିଶା ପାଇଁ ଏଥର ବ୍ୟୟବରାଦରେ ଏମିତି ନାମମାତ୍ର ଅଭିବୃଦ୍ଧି ହୋଇନଥାନ୍ତା। ଗତ ବର୍ଷର ୫୧୦୨ କୋଟି ଟଙ୍କା ତୁଳନାରେ ୨୦୧୮-୧୯ରେ ଓଡ଼ିଶା ପାଇଁ ୧୫୦ କୋଟି ଟଙ୍କା ବୃଦ୍ଧି କରାଯାଇ ୫୨୫୨ କୋଟି ଟଙ୍କା ବ୍ୟୟବରାଦ ଧାର୍ଯ୍ୟ କରାଯାଇଛି। ବିଗତ ତିନିବର୍ଷର ‘ବୃଦ୍ଧି ଧାରା’ ଓ ବିକାଶର ଆବଶ୍ୟକତା ପରିପ୍ରେକ୍ଷୀରେ ଏଥର ବ୍ୟୟବରାଦରେ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ଆଶା କରାଯାଉଥିଲା। ଅଥଚ ବ୍ୟୟ ଅଟକଳରେ ୨.୯ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ମୁଦ୍ରାସ୍ଫୀତି ହାର ବୃଦ୍ଧିକୁ ଭରଣା ଲାଗି ବି ଯଥେଷ୍ଟ ନୁହେଁ। ଆଶା ଠାରୁ ଏ କମ୍‌ ପାଣ୍ଠି ନିଶ୍ଚିତ ଭାବେ ରାଜ୍ୟର ରେଳବାଇ ବିକାଶର ବେଗକୁ ପୁଣି ଧିମା କରିଦେଇ ପାରେ।

ରାଜ୍ୟରେ ଯେତେ ସବୁ ନିର୍ମାଣାଧୀନ ରେଳ ପ୍ରକଳ୍ପ ରହିଛି, ସେ ଭିତରୁ ସବୁଠାରୁ ଅଧିକ ବିଳମ୍ବିତ ପ୍ରକଳ୍ପ ହେଉଛି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ। ଅଥଚ ଏହି ପ୍ରକଳ୍ପ ବାବଦ ବ୍ୟୟବରାଦ ଗତ ବର୍ଷର ୭୦୦ କୋଟିରୁ ୬୨୫ କୋଟିକୁ କମାଇ ଦିଆଯାଇଛି। ୨୮୯ କିମି ଏହି ରେଳପଥର ଦୁଇ ଦଶକରେ ସଂପୂର୍ଣ୍ଣ ହୋଇଛି ମାତ୍ର ୬୬ କିମି।  ଅବଶିଷ୍ଟ ୨୨୩ କିମି ଧାର୍ଯ୍ୟ ଲକ୍ଷ୍ୟ ୨୦୨୧ ଜୁନ୍‌ ସୁଦ୍ଧା ସଂପୂର୍ଣ୍ଣ କରିବା ଲାଗି ଏ ବ୍ୟୟବରାଦ ଆଦୌ ପର୍ଯ୍ୟାପ୍ତ ନୁହେଁ। ଏହି ରେଳପଥ କେବଳ ଅର୍ଥନୈତିକ-ସାମାଜିକ ବିକାଶ ପାଇଁ ନୁହେଁ, ଓଡ଼ିଶାର ଭାବଗତ ସଂହତି ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଳଚେର ବିମଳାଗଡ଼ ପ୍ରକଳ୍ପ ପାଇଁ ପୂର୍ବାପେକ୍ଷା ଅଧିକ ବ୍ୟୟବରାଦ କରାଯାଇଥିବା ବେଳେ ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀପ ପାଇଁ ବ୍ୟୟବରାଦ ଅପରିବର୍ତ୍ତିତ ରହିଛି। ଏଥିରୁ ନିର୍ମାଣାଧୀନ ପ୍ରକଳ୍ପ ଗୁଡ଼ିକ ସଂପୂର୍ଣ୍ଣ କରିବା ଉପରେ ପ୍ରାଥମିକତା ଦିଆଯିବ ବୋଲି ଯାହା କୁହାଯାଉଛି, ତା’ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ମାଲକାନଗିରି-ଜୟପୁର ଓ ନବରଙ୍ଗପୁର-ଜୟପୁର ରେଳପଥ ପାଇଁ ବ୍ୟୟବରାଦ ବୃଦ୍ଧି କରାଯାଇଛି। କିନ୍ତୁ ଏହା ବିଶେଷ ଆଶା ସୃଷ୍ଟି କରିପାରୁ ନାହିଁ ଏଥିପାଇଁ ଯେ ଗତ ବର୍ଷ ଏହି ଦୁଇଟି ପ୍ରକଳ୍ପ ବାବଦ ମଞ୍ଜୁର ଅର୍ଥର ଏକ ବୃହତ୍‌ ଭାଗ ଖର୍ଚ୍ଚ ହୋଇପାରି ନାହିଁ। ଓଡ଼ିଶାରେ ରେଳ ପ୍ରକଳ୍ପ କାର୍ଯ୍ୟକାରିତାରେ ଏହା ଗୋଟିଏ ବଡ଼ ସମସ୍ୟା।

ବାସ୍ତବରେ ଓଡ଼ିଶାର ରେଳବାଇ ବିକାଶ ପ୍ରସଙ୍ଗରେ ବଜେଟ୍‌ରେ ବ୍ୟୟ ଅଟକଳର ପରିମାଣ ଆଶାଜନକ ଭାବେ ବୃଦ୍ଧି ନପାଇବା ଯେତେ ଚିନ୍ତାର ବିଷୟ, ମଞ୍ଜୁର ଅର୍ଥ ଖର୍ଚ୍ଚ ହୋଇ ନପାରିବା ତା’ଠାରୁ ଅଧିକ ଚିନ୍ତାଜନକ। କୌଣସି ବର୍ଷ ମଞ୍ଜୁର ଅର୍ଥର ୭୦ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇ ପାରୁ ନାହିଁ। ୧୭-୧୮ରେ ମଧ୍ୟ ସମାନ ଅବସ୍ଥା। ଫଳରେ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସନ୍ତୋଷଜନକ ହୋଇପାରୁ ନାହିଁ। ବିଳମ୍ବ ଫଳରେ ବ୍ୟୟ ଅଟକଳ ବଢ଼ି ବଢ଼ି ଚାଲିଛି। ବିଗତ ପନ୍ଦରରୁ ବାଇଶ ବର୍ଷ ଧରି ନିର୍ମାଣାଧୀନ ଚାରିଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଲା ଖୋର୍ଦ୍ଧା-ବଲାଙ୍ଗୀର, ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀପ ଓ ତାଳଚେର-ବିମଳାଗଡ଼। ଏହି ଚାରିଟି ପ୍ରକଳ୍ପରେ ମୋଟ ୬୨୩ କିମି ରେଳପଥ ନିର୍ମାଣ ପାଇଁ ମୂଳ ବ୍ୟୟ ଅଟକଳ ଥିଲା ୧୯୭୪ କୋଟି ଟଙ୍କା। ଏହା ଏବେ ୭୯୮୦ କୋଟିରେ ପହଞ୍ଚିଲାଣି। ଅଥଚ, ୨୦୧୭ ମାର୍ଚ୍ଚ ସୁଦ୍ଧା ଖର୍ଚ୍ଚ ହୋଇଛି ୨୬୮୩ କୋଟି ଟଙ୍କା। ଏଥିପାଇଁ ଉଭୟ କମ୍‌ ବ୍ୟୟବରାଦ ଏବଂ ମଞ୍ଜୁର ଅର୍ଥ ପୂରା ମାତ୍ରାରେ ଖର୍ଚ୍ଚ ହୋଇ ନପାରିବା ଦାୟୀ।

ଏହା ସ୍ୱାଭାବିକ ଭାବେ ପ୍ରକଳ୍ପର ଅଗ୍ରଗତିକୁ ପ୍ରଭାବିତ କରୁଛି। ଏହା ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ରେଳବାଇର ଅଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଦୀର୍ଘ ବର୍ଷର କଚ୍ଛପ ଗତି ପରେ ତିନିବର୍ଷ ହେଲା କାର୍ଯ୍ୟକାରିତା ସାମାନ୍ୟ ତ୍ୱରାନ୍ଵିତ ହେବା ସତ୍ତ୍ୱେ ବାର୍ଷିକ ହାରାହାରି ୪୧ କିମି ନୂଆ ରେଳପଥ ବିଛା ଯାଇଛି। ଏହି ହାରରେ ପ୍ରକଳ୍ପ ଆଗେଇଲେ ଏହି ୬୨୩ କିମି ସଂପୂର୍ଣ୍ଣ ହେବାକୁ ୨୦୩୦ ଏବଂ ଅନ୍ୟ ପ୍ରକଳ୍ପ ଗୁଡ଼ିକ ୨୦୫୦ ପାର ହୋଇଯିବ। ତେଣୁ ପ୍ରକଳ୍ପ ଗୁଡ଼ିକର ତ୍ୱରାନ୍ଵିତ କାର୍ଯ୍ୟକାରିତା ପାଇଁ ବଜେଟ୍‌ ଆକାର ବୃଦ୍ଧି ଯେତିକି ଆବଶ୍ୟକ, ତା’ଠାରୁ ଅଧିକ ଆବଶ୍ୟକ ପ୍ରକଳ୍ପ କାର୍ଯ୍ୟକାରିତାରେ ଦକ୍ଷତା ବୃଦ୍ଧି।  ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ନିଶ୍ଚିତ ଭାବେ ଏ କ୍ଷେତ୍ରରେ ଏକ ସମସ୍ୟା। କିନ୍ତୁ ଅନେକ ସମୟରେ ଅଦକ୍ଷତାକୁ ଘୋଡ଼ାଇବା ପାଇଁ ଏହାକୁ ବାହାନା କରାଯାଉଛି। ବଲାଙ୍ଗୀର-ଖୋର୍ଦ୍ଧା ୧୦୯ କିଲୋମିଟର ପାଇଁ ଜମି ଅଧିଗ୍ରହଣ ସରିଛି। ଅଥଚ, ୬୬ କିମି କାମ ସଂପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୪୩ କିମି ନିର୍ମାଣ ହୋଇନାହିଁ କାହିଁକି?  ଅନ୍ୟ ପ୍ରକଳ୍ପଗୁଡ଼ିକ କ୍ଷେତ୍ରରେ ମଧ୍ୟ ଅବସ୍ଥା କିଛି ଭିନ୍ନ ନୁହେଁ।

ଓଡ଼ିଶା ଯେ ‘ଆଉ ଫୋକସ’ ରାଜ୍ୟ ନୁହେଁ, ତା’ର ଆଉ ଏକ ପ୍ରମାଣ ହେଲା ରାଜ୍ୟ ପାଇଁ କୌଣସି ନୂଆ ପ୍ରକଳ୍ପ ମଞ୍ଜୁର ହୋଇନାହିଁ। ଏପରିକି ଘୋଷଣା କରାଯାଇଥିବା କିଛି ପୁରୁଣା ପ୍ରକଳ୍ପ ସଂପର୍କରେ ମଧ୍ୟ ବଜେଟ୍‌ରେ କୌଣସି ସ୍ୱରଶବ୍ଦ ନାହିଁ। ୨୦୧୧-୧୨ରେ ଶୀତଳାପଲ୍ଲୀ ଠାରେ ଓ୍ଵାଗନ କାରଖାନା ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରାଯାଇଥିଲା। ଶହେ ଏକର ଜମି ମଧ୍ୟ ଅଧିଗ୍ରହଣ ସରିଛି। ଅଥଚ, ଏହି ପ୍ରକଳ୍ପ ଏବେ ଶୀତଳ ଭଣ୍ଡାରରେ। ସଫେଇ ଦିଆଯାଉଛି ଓ୍ଵାଗନର ଆବଶ୍ୟକତା ନଥିବାରୁ ଶୀତଳାପଲ୍ଲୀ ଓ୍ଵାଗନ କାରଖାନା କରାଯାଉ ନାହିଁ। ଅନ୍ୟପଟେ କିନ୍ତୁ ମହାରାଷ୍ଟ୍ରରେ ଏକ ଓ୍ଵାଗନ କାରଖାନା ପ୍ରକଳ୍ପ କିଛି ମାସ ତଳେ ହାତକୁ ନିଆଯାଇଛି। କଳାହାଣ୍ଡି ଓ୍ଵାଗନ କାରଖାନା ସମ୍ପର୍କରେ ମଧ୍ୟ ବଜେଟ୍‌ ନିରବ। କେବଳ ‘ଫୋକସ’ର ଆଢୁଆଳକୁ ଯିବା ନୁହେଁ, ଓଡ଼ିଶା ପ୍ରତି ପୁଣି ଅବହେଳା-ଉପେକ୍ଷାର ଧାରା ଲେଉଟୁ ଥିବାର ଏହା ଅଶୁଭ ସଂକେତ ନୁହେଁ ତ? ଗତ ତିନିଟି ବଜେଟ୍‌ରେ ଓଡ଼ିଶା ଉପରେ ‘ଫୋକସ’ ପାଇଁ ପ୍ରଭୁ ରାଜ୍ୟବାସୀଙ୍କ ଧନ୍ୟବାଦର ପାତ୍ର ହୋଇଥିଲେ। କିନ୍ତୁ ଏଥର ବଜେଟ୍‌ରେ ‘ଓଡ଼ିଶା ଫୋକସ’ ହଜି ଯାଇଥିବାରୁ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଧନ୍ୟବାଦ ଦେବାକୁ ରାଜ୍ୟବାସୀ କୁଣ୍ଠାବୋଧ କରିବେ। ଅବଶ୍ୟ, ଓଡ଼ିଶାବାସୀ ଉଦାରମନା। ତଥାପି ଗୋଏଲଙ୍କୁ ଧନ୍ୟବାଦ ଦେବାରେ ରାଜ୍ୟବାସୀ କାର୍ପଣ୍ୟ କରିବେ ନାହିଁ, ଯଦି ରେଳମନ୍ତ୍ରୀ ମହୋଦୟ ମଞ୍ଜୁରି ଅର୍ଥର ଶତପ୍ରତିଶତ ବିନିଯୋଗ ଓ ପ୍ରକଳ୍ପ କାର୍ଯ୍ୟକାରିତାରେ ଅଧିକ ଦକ୍ଷତା ନିଶ୍ଚିତ କରି ପାରିବେ।

ସମ୍ବନ୍ଧିତ ଖବର