ଇଣ୍ଡିଆନ୍‌ ମୋଦୀ

0

ଓଡ଼ିଆରେ ଏକ ଢଗ ଅଛି: ‘‘ଯେ ଦେଶ ଯାଇ, ସେ ଫଳ ଖାଇ।’’ ଅର୍ଥାତ୍‌ ତୁମେ ଯେଉଁ ଦେଶକୁ ଯିବ, ସେଠାରେ ଥିବା ବେଳେ ସେ ଦେଶର ଲୋକମାନଙ୍କୁ ଅନୁକରଣ କରି ଆଚରଣ ପ୍ରଦର୍ଶନ କରିବ। ଏହି ମର୍ମରେ ଏ ଢଗର ଏକ ଇଂରେଜୀ ସଂସ୍କରଣ ହେଉଛି: ‘‘ହେ୍ଵନ୍‌ ଇନ୍‌ ରୋମ୍‌, ବି ଏ ରୋମାନ୍‌’’ (ରୋମ୍‌ରେ ଥିବା ବେଳେ ରୋମାନ୍‌ଙ୍କ ଭଳି ଆଚରଣ ପ୍ରଦର୍ଶନ କର)। ଚତୁର୍ଥ ଶତାବ୍ଦୀରେ ଇଟାଲୀର ମିଲାନ୍‌ର ବିଶପ୍‌ ଥିବା ଅରେଲିଅସ୍‌ ଆମ୍ବ୍ରୋସିଅସ୍‌ (ସେଣ୍ଟ ଆମ୍ବ୍ରୋସ୍‌)ଙ୍କର ଏହି ମୂଲ୍ୟବାନ ଉପଦେଶକୁ ବର୍ତ୍ତମାନ ସମୟରେ ପ୍ରୟୋଗ କରି କୁହାଯାଇପାରେ: ‘‘ହେ୍ଵନ୍‌ ଇନ୍‌ ଡାଭସ୍‌, ବି ଏ ଡାଭସ୍‌ ମ୍ୟାନ୍‌।’’ ଏଠାରେ ଉଲ୍ଲେଖ କରାଯାଇପାରେ ଗତ ମାସରେ ସ୍ୱିଜର୍‌ଲାଣ୍ଡ୍‌ର ଡାଭସ୍‌ଠାରେ ଅନୁଷ୍ଠିତ ‘ଓ୍ଵାର୍ଲଡ୍‌ ଇକନମିକ୍‌ ଫୋରମ୍‌’ର ବାର୍ଷିକ ସମ୍ମିଳନୀରେ ପୃଥିବୀର ଶିଳ୍ପବାଣିଜ୍ୟ, ଅର୍ଥନୀତି, ରାଜନୀତି ଆଦି କ୍ଷେତ୍ରର ଯେଉଁ ସବୁ ନେତୃସ୍ଥାନୀୟ ବ୍ୟକ୍ତିମାନେ ଯୋଗ ଦେଇଥାନ୍ତି, ସେମାନଙ୍କୁ ‘ଡାଭସ୍‌ ମ୍ୟାନ୍‌’ ଆଖ୍ୟା ଦିଆଯାଇଥାଏ। ଯଦିବା ୧୯୭୧ଠାରୁ ଏହି ଡାଭସ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଆସୁୁଛି, ଆମେରିକୀୟ ରାଜନୀତିବିଜ୍ଞାନୀ ସାମୁଏଲ୍‌ ପି.ହଣ୍ଟିଙ୍ଗ୍‌ଟନ୍‌ ୨୦୦୪ରେ ପ୍ରଥମେ ଏହି ‘ଡାଭସ୍‌ ମ୍ୟାନ୍‌’ ଆଖ୍ୟା ଉଦ୍ଭାବନ କରିଥିଲେ। ଡାଭସ୍‌ ସମ୍ମିଳନୀର ଲକ୍ଷ୍ୟ ହେଉଛି ଦେଶ ଦେଶ ମଧ୍ୟରେ ଥିବା ସମସ୍ତ କୃତ୍ରିମ ଅର୍ଥନୈତିକ ଓ ରାଜନୈତିକ ପ୍ରତିବନ୍ଧମାନ ଦୂର କରି ସାରା ବସୁଧାକୁ ଗୋଟିଏ କୁଟୁମ୍ବରେ ପରିଣତ କରିବା। ପ୍ରତ୍ୟେକ ଡାଭସ୍‌ ମ୍ୟାନ୍‌ ତେଣୁ ଏହି ଆଦର୍ଶରେ ବିଶ୍ୱାସ କରେ। ଡାଭସ୍‌ ମ୍ୟାନ୍‌/ ଡାଭସ୍‌ ଓମ୍ୟାନ୍‌ ଦେଶ ଦେଶ ମଧ୍ୟରେ ଥିବା ସୀମାକୁ ସମ୍ପୂର୍ଣ୍ଣ ଅନାବଶ୍ୟକ ପ୍ରତିବନ୍ଧ ରୂପେ ବିଚାର କରିଥାନ୍ତି। ଏଣୁ ସେମାନେ ସମସ୍ତ ପ୍ରକାର ବାଣିଜ୍ୟିକ ଓ ଅର୍ଥନୈତିକ ସଂରକ୍ଷଣ ଛତ୍ରଛାୟା ବ୍ୟବସ୍ଥାର ବିରୋଧୀ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ଡାଭସ୍‌ ସମ୍ମିଳନୀରେ ଜଣେ ଉଜ୍ଜ୍ୱଳ ତାରକା ରୂପେ ଉପସ୍ଥିତ ଥିଲେ। ଭାରତ ପାଇଁ ଏକ ବିରଳ ସମ୍ମାନ ସ୍ୱରୂପ ମୋଦୀ ଏଥରର ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ପୌରହିତ୍ୟ କରିଥିଲେ, ଯାହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ଥିଲା ପ୍ରଥମ। ଏହି ସମ୍ମାନର ପ୍ରତିଦାନ ସ୍ୱରୂପ ମୋଦୀ ସେଇ ଅବସରରେ ସେଣ୍ଟ୍‌ ଆମ୍ବ୍ରୋସ୍‌ଙ୍କର ଚିରନ୍ତନ ଉପଦେଶକୁ ଅକ୍ଷରେ ଅକ୍ଷରେ ଅନୁସରଣ କଲାଭଳି ନିଜକୁ ଜଣେ ସମ୍ପୂର୍ଣ୍ଣ ବା କମ୍ପ୍ଲିଟ୍‌ ଡାଭସ୍‌ ମ୍ୟାନ୍‌ରେ ପରିଣତ କରି ଦେଇଥିଲେ। ଜାନୁଆରି ୨୩ରେ ସେ ପ୍ରଦାନ କରିଥିବା ଉଦ୍‌ଘାଟନୀ ଅଭିଭାଷଣ ସମସ୍ତଙ୍କୁ ଚମତ୍କତ କରି ଦେଇଥିଲା ଯେତେବେଳେ ମୋଦୀ ବାଣିଜ୍ୟିକ/ଅର୍ଥନୈତିକ ପ୍ରତିବନ୍ଧ ସୃଷ୍ଟି (ପ୍ରୋଟେକ୍‌ସନିଜ୍‌ମ)କୁ ଆତଙ୍କବାଦ (ଟେରରିଜ୍‌ମ) ଓ ଜଳବାୟୁ ପରିବର୍ତ୍ତନ (କ୍ଲାଇମେଟ୍‌ ଚେଞ୍ଜ୍‌) ସହ ତୁଳନା କରି ସେମାନଙ୍କୁ ସମାନ ଭାବରେ ବିପଜ୍ଜନକ ବୋଲି ଘୋଷଣା କରିଥିଲେ। ମୋଦୀ ସେତିକିରେ ଅଟକି ନଥିଲେ। ସେ କହିଥିଲେ ପ୍ରତିବନ୍ଧ ସୃଷ୍ଟିକାରୀ ଶକ୍ତିମାନେ ଜଗତ୍‌କରଣ ବିରୁଦ୍ଧରେ ମୁଣ୍ଡ ଟେକିବାରେ ଲାଗିଛନ୍ତି। କେବଳ ନିଜକୁ ଜଗତ୍‌କରଣଠାରୁ ଦୂରେଇ ନେବା ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ନୁହେଁ, ଜଗତ୍‌କରଣର ସ୍ୱାଭାବିକ ସ୍ରୋତକୁ ଓଲଟମୁହାଁ କରିଦେବା ହେଉଛି ମଧ୍ୟ ସେମାନଙ୍କର ଉଦ୍ଦେଶ୍ୟ। ଏହାର ଫଳ ସ୍ୱରୂପ ଆମେ ଯାହା ଦେଖିବାକୁ ପାଉଛୁ, ତାହା ହେଲା ନୂଆ ନୂଆ ପ୍ରକାରର ଶୁଳ୍‌କ ଓ ଅଣ-ଶୁଳ୍‌କ ପ୍ରତିବନ୍ଧମାନ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆମେରିକା ଆମଦାନି କରୁଥିବା ସୌରବିଦ୍ୟୁତ୍‌ ଉତ୍ପାଦନକାରୀ ଯନ୍ତ୍ରାଂଶମାନ ଉପରେ ଅତିରିକ୍ତ ଶୁଳ୍‌କ ଲାଗୁ କରିବା ଘୋଷଣା କରିବା ପରେ ପରେ ମୋଦୀ ଅବାଧ ବାଣିଜ୍ୟ ସପକ୍ଷରେ ଏଭଳି ଆହ୍ଵାନ ଦେଇଥିଲେ। ସେଠାରେ ଉପସ୍ଥିତ ସମସ୍ତେ ମୋଦୀଙ୍କ ବକ୍ତବ୍ୟକୁ ଉଚ୍ଛ୍ୱସିତ ସ୍ୱାଗତ ଜଣାଇଥିଲେ ଏବଂ ପୂର୍ବ ବର୍ଷ ସମ୍ମିଳନୀରେ ଏଇଭଳି ଜଗତ୍‌କରଣ ସପକ୍ଷରେ ଭାଷଣ ଦେଇଥିବା ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ ମଧ୍ୟ ଭାରତର ଏଭଳି ଆଭିମୁଖ୍ୟର ଘୋର ପ୍ରଶଂସା କରିଥିଲେ। ସେଣ୍ଟ୍‌ ଆମ୍ବ୍ରୋସ୍‌ଙ୍କ ଉପଦେଶର ଉପାଦେୟତା ସେଠାରେ ଶକ୍ତିଶାଳୀ ଢଙ୍ଗରେ ପ୍ରମାଣିତ ହୋଇଥିଲା। କିନ୍ତୁ ସେଇ ଉପଦେଶ ଅନୁସାରେ ଜଣେ ଯଦି ରୋମ୍‌ରେ ଥିବା ବେଳେ ରୋମାନ୍‌ ହେବା ଉଚିତ, ଡାଭସ୍‌ରେ ଥିବା ବେଳେ ଡାଭସ୍‌ ମ୍ୟାନ୍‌ ହେବା ଉଚିତ, ସେଇଭଳି ଇଣ୍ଡିଆରେ ଥିବା ବେଳେ ଇଣ୍ଡିଆନ୍‌ ମଧ୍ୟ ହେବା ଉଚିତ। ତେଣୁ ତା ପର ସପ୍ତାହରେ ମୋଦୀଙ୍କ ଅର୍ଥମନ୍ତ୍ରୀ ଯେତେବେଳେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମୋଦୀ ସରକାରର ବଜେଟ୍‌ ଉପସ୍ଥାପନ କଲେ, ସେଥିରେ ଦେଖାଗଲା ସମ୍ପୂର୍ଣ୍ଣ ଇଣ୍ଡିଆନ୍‌ ଅବତାରରେ ନରେନ୍ଦ୍ର ମୋଦୀ ଜଗତ୍‌କରଣ ଓ ଅବାଧ ବାଣିଜ୍ୟର ବିପରୀତ ଦିଗରେ ଯାଇ ଗୁଡ଼ିରୁ ଆରମ୍ଭ କରି ଜୋତା, ମୋବାଇଲ୍‌ ଫୋନ୍‌, ମଟର ଗାଡ଼ି ପର୍ଯ୍ୟନ୍ତ ଏକ ଲମ୍ବା ତାଲିକାରେ ଥିବା ପଦାର୍ଥ ମାନଙ୍କ ଉପରେ ଆମଦାନୀ ଶୁଳ୍କରେ ବୃଦ୍ଧି ଘଟାଇ ଦେଇଛନ୍ତି।

ମୋଦୀଙ୍କର ଏହି ଅବତାର ପରିବର୍ତ୍ତନ ଜଗତ୍‌କରଣ ଓ ଅବାଧ ବାଣିଜ୍ୟ ସମର୍ଥନମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ସୃଷ୍ଟି କରିଛି। କିନ୍ତୁ ମୋଦୀଙ୍କର ଏହି ବହୁରୂପୀ ଅର୍ଥନୈତିକ ଚାଲ୍‌ ଯଦି କାହାକୁ ସବୁଠାରୁ ଅଧିକ ବିବ୍ରତ କରିଥିବା ଭଳି ମନେ ହେଉଛି, ସେ ହେଉଛନ୍ତି ନିକଟ ଅତୀତରେ ମୋଦୀଙ୍କର ଜଣେ ଅତି ବିଶ୍ୱସ୍ତ ଅର୍ଥନୈତିକ ପରାମର୍ଶଦାତା ରହିଥିବା ତଥା ମୋଦୀ- ମାନସ ସନ୍ତାନ ନୀତି ଆୟୋଗର ପୂର୍ବତନ ଭାଇସ୍‌-ଚେଆର୍‌ମ୍ୟାନ୍‌ ଅରବିନ୍ଦ ପନଗଡ଼ିଆ। ସୋମବାର ଦିନ ଏକ ଜାତୀୟ ସମ୍ବାଦପତ୍ରରେ ବର୍ତ୍ତମାନ ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟକୁ ଫେରି ଯାଇଥିବା ପଦ୍ମଭୂଷଣ ସମ୍ମାନରେ ଭୂଷିତ ପନଗଡ଼ିଆ ଏକ ଅଗ୍ରଲେଖ ମାଧ୍ୟମରେ ପ୍ରକାଶ କରିଥିବା ଏ ସମ୍ବନ୍ଧରେ ନିଜର ଆଶଙ୍କା ଓ ମର୍ମବେଦନା ସମସ୍ତ ଚିନ୍ତାଶୀଳ ଲୋକମାନଙ୍କ ମଧ୍ୟରେ ବ୍ୟାପକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମନେ ରଖିବା କଥା ପାନଗଡ଼ିଆ ପ୍ରାୟ ଅଢ଼େଇବର୍ଷ ଧରି ନୀତି ଆୟୋଗର ନେତୃତ୍ୱ ନେବା ସମୟରେ ମୋଦୀ ସରକାରର ଆଭ୍ୟନ୍ତରୀଣ କାର୍ଯ୍ୟଶୈଳୀ ସମ୍ବନ୍ଧରେ ଏକ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ। ସେଇ ଅନୁଭୂତିକୁ ଆଧାର କରି ମୋଦୀ ସରକାରର ବର୍ତ୍ତମାନର ଲେଉଟ ଗତି ପାଇଁ ସେ ସିଧାସଳଖ ଦାୟୀ କରିଛନ୍ତି ମୋଦୀଙ୍କର ବିଶ୍ୱସ୍ତ ଅମଲା ରାଜସ୍ୱ ସଚିବ ହସମୁଖ ଅଧିୟାଙ୍କ ଭଳି ଅମଲାମାନଙ୍କୁ। ସେ ଅଧିୟାଙ୍କ ଉକ୍ତିକୁ ଉଦ୍ଧାର କରି ସତର୍କ କରାଇ ଦେଇଛନ୍ତି ଯେ ଆଗକୁ ଆହୁରି ବହିଃଶୁଳ୍‌କ ବୃଦ୍ଧିମାନ ଘଟିବାକୁ ଯାଉଛି।

ପନଗଡ଼ିଆ ତାଙ୍କ ଆଲେଖ୍ୟରେ ମନେ ପକାଇ ଦେଇଛନ୍ତି ଯେ ଯେଉଁଭଳି ବାଣିଜ୍ୟ ସଂରକ୍ଷଣ ନୀତି ଯୋଗୁଁ ୧୯୫୦-୫୧ରୁ ୧୯୯୦-୯୧ ପର୍ଯ୍ୟନ୍ତ ଭାରତରେ ମୁଣ୍ଡ ପିଛା ବାର୍ଷିକ ଅଭିବୃଦ୍ଧି ହାର ୨%ରୁ ମଧ୍ୟ କମ୍‌ ରହି ଆସିଥିଲା, ବର୍ତ୍ତମାନ ଦେଶ ଭିତରେ ଅଦକ୍ଷ ଉତ୍ପାଦନକୁ ସୁରକ୍ଷା ଦେବା ଆଳରେ ପୁଣି ସେଇ ଭଳି ନୀତି ପ୍ରବର୍ତ୍ତନ ଦିଗରେ ସରକାର ମୁହାଁଇଛନ୍ତି। ୧୯୯୦-୯୧ରେ ସେ ଅବସ୍ଥାରେ ପରିବର୍ତ୍ତନ ଆଣି ଉଦାରୀକରଣ ମାଧ୍ୟମରେ ୮%ରୁ ଉର୍ଦ୍ଧ୍ୱ ହାରରେ ଅଭିବୃଦ୍ଧି ହାସଲ ପାଇଁ ସେ ଉଭୟ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଓ ଅଟଳ ବିହାରୀ ବାଜପେୟୀଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି। ଆଉ ସେ କ୍ଷୋଭ ପ୍ରକାଶ କରିଛନ୍ତି ଯେ ସେ ସମୟର ସୁଜ୍ଞାନୀ ଅମଲାଙ୍କ ସ୍ଥାନରେ ଏବେ ଅଛନ୍ତି ଅଜ୍ଞାନୀ ଅମଲାମାନେ। ବିପଦର କଥା ‘ଇଣ୍ଡିଆନ୍‌ ମୋଦୀ’ ସେଇମାନଙ୍କ ଉପଦେଶରେ ବନ୍ଧା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.