ଦୁର୍ନୀତି- ଯେଉଁଠିକି ସେଇଠି

0 193

ଏଗାର ହଜାର କୋଟି ଟଙ୍କାର ନିରବ ମୋଦୀ-ପିଏନ୍‌ବି ଠକେଇ ସମ୍ପର୍କରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଠକେଇ ପଛର ଆପରାଧିକ ଷଡ୍‌ଯନ୍ତ୍ରର ଚିତ୍ର ମଧ୍ୟ ଧୀରେ ଧୀରେ ସ୍ପଷ୍ଟ ହେଉଛି। ପିିଏନ୍‌ବି ଠକେଇର ପୂର୍ଣ୍ଣାଙ୍ଗ ଚିତ୍ର ତଥାପି ମିଳି ନଥିବା ବେଳେ ଆଉ କିଛି ବ୍ୟାଙ୍କ୍‌ ଲୁଟ୍‌ ଓ ସାଧାରଣ ଲୋକଙ୍କ ଜମା ଟଙ୍କାରେ ଧୋବଧାଉଳିଆଙ୍କ ମଉଜ ଉପରୁ ପରଦା ହଟୁଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ସମୂହ ଆଦାୟ କରିପାରୁ ନଥିବା ପାହାଡ଼ ତୁଲ୍ୟ ଅନାଦାୟ ବକେୟା ଋଣ ଯେ ବସ୍ତୁତଃ ‘ଧଳା ଡକାୟତି’ ତାହା ମଧ୍ୟ ଜଣାପଡ଼ିଲାଣି। ତଥାପି କିନ୍ତୁ ନିଜକୁ ଦେଶର ଚୌକିଦାର ଦାବି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୌନବ୍ରତ ଭାଙ୍ଗୁ ନାହିଁ। ରାଫେଲ୍‌ ଖର୍ଦ୍ଦିରେ ଅନିୟମିତତା ଓ ଭ୍ରଷ୍ଟାଚାର ନେଇ ବିରୋଧୀ ଅଭିଯୋଗ ଉଠାଇ ଚାଲିଥିଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ପାଟିରେ ତୁଣ୍ଡି ମାରି ବସିଛନ୍ତି। ସବୁ ବିଷୟରେ ସବୁବେଳେ ନିଜ ବକ୍ତବ୍ୟ ରଖିବାକୁ ବ୍ୟଗ୍ର,ଏପରିକି ପିଲାଙ୍କୁ ପରୀକ୍ଷା ନେଇ ପରାମର୍ଶ ଦେବାକୁ ତତ୍ପର ବାଗ୍ମୀ ପ୍ରଧାନମନ୍ତ୍ରୀଙ୍କ ନିରବତା କେବଳ ବିସ୍ମିତ କରୁନାହିଁ, ସନ୍ଦେହ ମଧ୍ୟ ସୃଷ୍ଟି କରୁଛି। ତେବେ ପ୍ରଧାନମନ୍ତ୍ରୀ ମହୋଦୟଙ୍କ ବିସ୍ମୟକର ନିରବତା, ଭ୍ରଷ୍ଟାଚାରର ଉତ୍କଟ ଗନ୍ଧ ବାହାରୁଥିବା ଉପରୋକ୍ତ ଦୁର୍ନୀତିପୂର୍ଣ୍ଣ ପ୍ରକରଣ ନେଇ ତାଙ୍କୁ ଓ ତାଙ୍କ ସରକାରକୁ ଉତ୍ତର-ଦାୟିତ୍ୱ ମୁକ୍ତ କରିପାରିବ ନାହିଁ। ମୋଦୀ ମହୋଦୟ ଚୁପ୍‌ ରହି ଏ ଅଭିଯୋଗକୁ ମଧ୍ୟ ଏଡ଼ାଇ ପାରିବେ ନାହିଁ ଯେ, ଭ୍ରଷ୍ଟାଚାର ବିରୋଧରେ ଯେଉଁ ବଡ଼ ବଡ଼ କଥା କହି ସେ ଚଉଦରେ ଶାସନ ଗାଦିକୁ ଆସିଥିଲେ, ତାହା କଥାରେ ରହିଯାଇଛି, କାମରେ ରୂପାନ୍ତରିତ ହୋଇ ନାହିଁ। ଦୁର୍ନୀତି ମୁକାବିଲାରେ ବିଫଳତାକୁ ଘଣ୍ଟ ଘୋଡ଼ାଇବା ଲାଗି ନିରବତା ଯଥେଷ୍ଟ ନୁହେଁ। ବରଂ ଏହା ସମସ୍ୟାର ମୁହାଁମୁହିଁ ମୁକାବିଲା ପରିବର୍ତ୍ତେ ପଳାୟନପନ୍ଥୀ ନୀତିର ପରିଚାୟକ।

ସମସ୍ୟା ପ୍ରତି ଆଖି ବୁଜି ଦେଲେ କିମ୍ବା ମୁହଁ ଫେରାଇ ନେଲେ ସମସ୍ୟା ଚାଲିଯାଏ ନାହିଁ। ଅନ୍ୟପକ୍ଷରେ ଏ ପ୍ରକାର ଆଭିମୁଖ୍ୟ ସମସ୍ୟାର ମୁକାବିଲା ଦିଗରେ ଆନ୍ତରିକତା ତଥା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପ୍ରତି ଇଙ୍ଗିତ କରେ। ଦୁର୍ନୀତି ପ୍ରସଙ୍ଗରେ ଭାରତର ଅବସ୍ଥା ଯେଉଁ ତିମିରେକୁ ସେହି ତିମିରେ। ଭ୍ରଷ୍ଟାଚାରର ସଂକ୍ରମଣ ଯେମିତି ଥିଲା, ସେମିତି ଅଛି। ଯଦି ୟୁପିଏ ଅମଳରେ ବିଜୟ ମାଲ୍ୟା ଉଭା ହୋଇଥିଲେ, ଏବେ ଏନ୍‌ଡିଏ ଅମଳରେ ନିରବ ମୋଦୀଙ୍କ ଅଶୁଭ ଆବିର୍ଭାବ ଘଟିଛି। ସେତେବେଳେ ଯଦି ଟୁ-ଜି ସ୍ପେକ୍‌ଟ୍ରମ୍‌ ଚର୍ଚ୍ଚାରେ ଥିଲା ଏବେ ରାଫେଲ୍‌, ପିଏନ୍‌ବି ଠକେଇ। ଦୁର୍ନୀତି ପ୍ରସଙ୍ଗରେ ଯେ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ, ତା’ର ପ୍ରମାଣ ହେଲା ଟ୍ରାନ୍‌ସପରେନ୍ସି ଇଣ୍ଟରନ୍ୟାସନାଲ୍‌ ପକ୍ଷରୁ ସଦ୍ୟ ପ୍ରକାଶିତ ଭ୍ରଷ୍ଟାଚାର ସୂଚକାଙ୍କ ଆଧାରିତ ୨୦୧୭ର ବିଶ୍ୱ ମାନ୍ୟତା ତାଲିକା। ଏହି ତାଲିକାରେ ଗତବର୍ଷ ତୁଳନାରେ ଭାରତ ଦୁଇ ପାଦ ତଳକୁ ଖସି ୮୧ତମ ସ୍ଥାନରେ ରହିଛି। ୨୦୧୬ର ତାଲିକାରେ ଭାରତର ସ୍ଥାନ ୧୭୬ ଦେଶ ଭିତରେ ୭୯ରେ ଥିଲା। ଦୁର୍ନୀତି ସୂଚକାଙ୍କ ଆଧାରିତ ତାଲିକାରେ ଭାରତର ସ୍ଥାନ ଖସିବା ଯେତିକି ଉଦ୍‌ବେଗଜନକ, ‘ସର୍ବାଧିକ ଦୁର୍ନୀତି ପ୍ରବଣ’ ଦେଶଙ୍କ ଅଲୋଡ଼ା କ୍ଲବ୍‌ରେ ଭାରତକୁ ସାମିଲ କରାଯିବା ତା’ଠାରୁ ଅଧିକ ଉଦ୍‌ବେଗଜନକ। ଏଥିରୁ ଏହା ପ୍ରମାଣିତ ଯେ, ୨୦୧୪ରେ ଦେଶବାସୀଙ୍କୁ ଦୁର୍ନୀତି ବିରୋଧରେ – ‘ଜିରୋ ଟଲରେନ୍ସ’ର ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ବସ୍ତୁତଃ, ପାଣିର ଗାର ଭାବେ ସାବ୍ୟସ୍ତ ହୋଇଛି।

ଅନ୍ୟପକ୍ଷରେ ଅନେକ ମାମଲାରେ ସରକାରଙ୍କ ‘ଭ୍ରଷ୍ଟାଚାର ସହଣୀ’ ଚରିତ୍ର ଧରା ପଡ଼ିଯାଇଛି। ଯେମିତି ପିଏନ୍‌ବି ଠକେଇ ନେଇ ୨୦୧୬ରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଅବଗତ ହୋଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନଥିଲା। ଏବେ ଚୋର ଖସିଗଲା ପରେ ହାଲ୍ଲା କଲେ ଲାଭ କ’ଣ? ନଅ ହଜାର କୋଟି ଟଙ୍କାର ଋଣ ପରିଶୋଧରେ ଖିଲାପ କରିବା ସତ୍ତ୍ୱେ ବିଜୟ ମାଲ୍ୟା ବିଦେଶକୁ ଫେରାର ହୋଇଗଲେ। ଏଥିରୁ କିନ୍ତୁ କେହି କିଛି ଶିକ୍ଷା ଲାଭ କଲେ ନାହିଁ। ଅନ୍ୟଥା ପିଏନ୍‌ବିକୁ ୧୧ ହଜାର କୋଟି ଟଙ୍କାର ଚୂନ ଲଗାଇ ନିରବ ମୋଦୀ ମାମଲା ରୁଜୁ ହେବା କିଛି ଦିନ ପୂର୍ବରୁ ଫେରାର୍‌ ହୋଇପାରିନଥାନ୍ତେ। ଏହା ସ୍ୱତଃ ଆତ୍ମଘୋଷିତ ଚୌକିଦାରଙ୍କ ଚୌକିଦାରୀ ଓ ଭ୍ରଷ୍ଟାଚାର ବିରୋଧରେ ‘ଜିରୋ ଟଲରେନ୍‌ସ’ର ବିଶ୍ୱସନୀୟତା ଉପରେ ପ୍ରଶ୍ନବବାଚୀ ସୃଷ୍ଟି କରୁଛି। ଟ୍ରାନ୍‌ସପରେନ୍ସି ରିପୋର୍ଟରେ ଉଲ୍ଲେଖ ଥିବା ଆଉ ଏକ ମନ୍ତବ୍ୟ ମଧ୍ୟ ଦୁର୍ନୀତି ପ୍ରସଙ୍ଗରେ ଚଳିତ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଉଛି। ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଭ୍ରଷ୍ଟାଚାର ବିରୋଧରେ ଉଠୁଥିବା ସ୍ୱରକୁ ଦଳି ଦିଆଯାଉଛି। ଏହା କେବଳ ଦୁର୍ନୀତି ମୁକାବିଲାର ପ୍ରତିକୂଳ ନୁହେଁ, ଗଣତନ୍ତ୍ର ପ୍ରତି ମଧ୍ୟ ବିପଦ।

ଦୁର୍ନୀତି ପ୍ରସଙ୍ଗରେ ଯେ ଚଳିତ ସରକାରଙ୍କ କଥା ଓ କାମରେ ବିରାଟ ବ୍ୟବଧାନ ରହିଛି, ତା’ର ଦୁଃଖଦ ବୟାନ କରୁଥିବା ଆଉ ଏକ ଘଟଣା ମଧ୍ୟ ଏଠାରେ ଉଲ୍ଲେଖର ଅପେକ୍ଷା ରଖୁଛି। ଭ୍ରଷ୍ଟାଚାର ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ତଦନ୍ତ ଲାଗି ଅନୁମତି ପ୍ରଦାନରେ ସରକାରଙ୍କ ଟାଳଟୁଳ ଦୁର୍ନୀତି ପ୍ରତି କଠୋର ନୁହେଁ ବରଂ କୋହଳ ନୀତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କେନ୍ଦ୍ରୀୟ ଭିଜିଲାନ୍ସ କମିସନର (ସିଭିସି) ବିଭିନ୍ନ ଭ୍ରଷ୍ଟାଚାର ମାମଲାରେ ଅଭିଯୁକ୍ତ ୩୦ ଜଣ ଆଏଏସ୍‌ର ସମେତ ଉଚ୍ଚ ପାହ୍ୟା ଅଧିକାରୀଙ୍କ ବିରୋଧରେ ଅଧିକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଲୋଡ଼ିଛନ୍ତି। କିନ୍ତୁ ଅନୁମତି ଦେବାରେ କାଳକ୍ଷେପଣ କରାଯାଉଛି। ନିୟମାନୁଯାୟୀ ସିଭିସିଙ୍କଠାରୁ ଅନୁରୋଧ ପତ୍ର ମିଳିବାର ଚାରିମାସ ମଧ୍ୟ୍ୟରେ ଅନୁମତି ଦିଆଯିବା କଥା। କିନ୍ତୁ ଅନେକ ମାମଲାରେ ୨୦୧୪ରୁ ସିଭିସି ପତ୍ର ଲେଖି ଥିଲେ ସୁଦ୍ଧା ଅନୁମତି ଦିଆଯାଇ ନାହିଁ। ଏ ନିଷ୍କ୍ରିୟତା ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଓ ପ୍ରୋତ୍ସାହନ ନୁହେଁ ତ ଆଉ କ’ଣ? ସ୍ୱତଃ ପ୍ରଶ୍ନ ଉଠୁଛି ଏହା ଭ୍ରଷ୍ଟାଚାର ବିରୋଧରେ ‘ଜିରୋ ଟଲରେନ୍ସ’ ନା ଶତପ୍ରତିଶତ ଟଲରେନ୍ସ? ଏ ପ୍ରକାର ଆଭିମୁଖ୍ୟ ଦ୍ୱାରା ଭ୍ରଷ୍ଟାଚାରର ପ୍ରଭାବଶାଳୀ ମୁକାବିଲା କଦାପି ସମ୍ଭବ ନୁହେଁ।

ମୋଦୀ ସରକାରଙ୍କ ଦୁର୍ନୀତି ପ୍ରସଙ୍ଗରେ କଥା ଓ କାମ ମଧ୍ୟରେ ଫରକରେ ପ୍ରତିଫଳିତ ଦୋମୁହାଁ ନୀତିର ସମ୍ଭବତଃ ଚରମ ପ୍ରମାଣ ଭାବେ- ଲୋକପାଳ ଓ ଲୋକାୟୁକ୍ତ ଆଇନକୁ ଲାଗୁ କରିବାରେ ଅହେତୁକ ବିଳମ୍ବକୁ ଦର୍ଶାଯାଇପାରେ। ୨୦୧୩ରେ ସଂସଦରେ ଗୃହୀତ ଲୋକପାଳ-ଲୋକାୟୁକ୍ତ ବିଲ୍‌ ୨୦୧୪, ଜାନୁଆରି ୧୬ରେ ଆଇନରେ ପରିଣତ ହେଲା। ଇତିମଧ୍ୟରେ ଚାରିବର୍ଷ ବିତି ଗଲାଣି। ଅଥଚ, ଏହି ଦୁର୍ନୀତି ବିରୋଧୀ ଆଇନ ଏବେ ବି ଶୀତଳ ଭଣ୍ଡାରରେ। ଲୋକପାଳ ଗଠନ ପ୍ରକ୍ରିୟା ଆରମ୍ଭ ସୁଦ୍ଧା ହୋଇ ପାରିନାହିଁ। ଅନ୍ୟ ପକ୍ଷରେ ଦୁର୍ଭାଗ୍ୟର ବିଷୟ ହେଲା ଆଇନକୁ ପାଣିଚିଆ କରିବା ଉଦ୍ଦେଶ୍ୟରେ ଏଥିରେ ସଂଶୋଧନର ବିଷୟ ବିଚାର କରାଯାଉଛି। ଗାନ୍ଧୀବାଦୀ -ସମାଜସେବୀ ଆନ୍ନା ହଜାରେଙ୍କ ନେତୃତ୍ୱରେ ଦେଶବ୍ୟାପୀ ଜନ ଆନ୍ଦୋଳନର ଫଳଶ୍ରୁତି ଥିଲା ଲୋକପାଳ ଲୋକାୟୁକ୍ତ ଆଇନ। ଶାସନରେ ଦୁର୍ନୀତି ଉପରେ ଅଙ୍କୁଶ ଲଗାଇ ସ୍ୱଚ୍ଛତା ଆଣିବା ଲାଗି ଆଇନରେ କ୍ଷମତାପ୍ରାପ୍ତ ସାମ୍ବିଧାନିକ ସଂସ୍ଥା ଗଠନର ବ୍ୟବସ୍ଥା ରହିଛି। ତେବେ ବିଡ଼ମ୍ବନା ହେଲା, ଦୁର୍ନୀତି ବିରୋଧରେ ଲଢ଼େଇର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାର ସେହି ଦୁର୍ନୀତି ବିରୋଧୀ ସାମ୍ବିଧାନିକ ସଂସ୍ଥା ଗଠନ ବିଷୟ ଚାରିବର୍ଷ ହେଲା ଝୁଲାଇ ରଖିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କର ସହଯୋଗୀମାନେ ମାନନ୍ତୁ କି ନ ମାନନ୍ତୁ, ଚଉଦ ଜନାଦେଶ ‘କଂଗ୍ରେସ ମୁକ୍ତ ଭାରତ’ ସପକ୍ଷରେ ନଥିଲା, ଥିଲା ‘ଭ୍ରଷ୍ଟାଚାର ମୁକ୍ତ’ ଭାରତ ସପକ୍ଷରେ। କିନ୍ତୁ ଦୁର୍ନୀତି ପ୍ରସଙ୍ଗରେ ମୋଦୀ ସରକାରଙ୍କ ଆଭିମୁଖ୍ୟ ଓ ଗତ ଚାରିବର୍ଷର ପ୍ରଦର୍ଶନ ସେଇ ଜନାଦେଶର ଅବମାନନା ଓ ଲୋକମତ ପ୍ରତି ଉପହାସ। ଏବେ ବି ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ପାଖରେ ସମୟ ଅଛି। ନିଜ ମାନସିକତାକୁ ବଦଳାଇ ଦୁର୍ନୀତି ବିରୋଧରେ କଥାକୁ କାମରେ ପରିଣତ କରିପାରିବେ। ଆତ୍ମଘୋଷିତ ଚୌକିଦାର ମଧ୍ୟ ଦକ୍ଷତାର ସହ ଚୌକିଦାରୀ କରିପାରିବେ। ଅବଶ୍ୟ ଏଥିପାଇଁ ଯଦି ଆବଶ୍ୟକୀୟ ଦୃଢ଼ ଇଚ୍ଛାଶକ୍ତି ଜୁଟାଇ ପାରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.