ନ୍ୟାୟିକ ବିଶୃଙ୍ଖଳା

0 123

ଗୋଟିଏ ଅନୁଷ୍ଠାନ ତଥା ବ୍ୟବସ୍ଥାର ସୁପରିଚାଳନା ପାଇଁ ଶୃଙ୍ଖଳା, ନୀତି-ନିୟମର ଅନୁପାଳନ ଓ ପରମ୍ପରା ପ୍ରତି ସମ୍ମାନ ଏକାନ୍ତ ଅପରିହାର୍ଯ୍ୟ। ଅନ୍ୟଥା ଅନୁଷ୍ଠାନ ଅରାଜକତା ମଧ୍ୟକୁ ଠେଲି ହୋଇଯାଇ ବ୍ୟବସ୍ଥାରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ଥାଏ। ଦୁର୍ଭାଗ୍ୟର ବିଷୟ ହେଲା, ଭାରତୀୟ ଶାସନ ବ୍ୟବସ୍ଥାର ଅନ୍ୟତମ ସ୍ତମ୍ଭ ନ୍ୟାୟପାଳିକାର ସର୍ବୋଚ୍ଚ ଅନୁଷ୍ଠାନ ଓ ନ୍ୟାୟ ବ୍ୟବସ୍ଥାରେ ଠିକ୍‌ ଏହି ଭଳି ଏକ ଦୁଃଖଦ ସ୍ଥିତି ସୃଷ୍ଟି ହୋଇଛି। ଗତ ଜାନୁଆରି ୧୨ ତାରିଖ ଦିନ ଭାରତୀୟ ନ୍ୟାୟପାଳିକାର ଇତିହାସରେ ଏକ ଅଦ୍ଭୁତପୂର୍ବ ଘଟଣାରେ ସୁପ୍ରିମ୍‌ କୋର୍ଟର ଚାରିଜଣ ବରିଷ୍ଠତମ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଶୈଳୀ ବିରୋଧରେ ସ୍ୱର ଉଠାଇଥିଲେ। ଚାରିଜଣ ନ୍ୟାୟମୂର୍ତ୍ତିଙ୍କ ଏ ବିଦ୍ରୋହରେ ଉଚ୍ଚ ନ୍ୟାୟପାଳିକାକୁ ଭିତରେ ଭିତରେ କୋରି ଖାଇଯାଉଥିବା ସଂକଟର ଅସ୍ୱସ୍ତିକର ରୂପ ସାମନାକୁ ଆସିଥିଲା। ଇତିମଧ୍ୟରେ ମାସେରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଅବସ୍ଥାରେ ବିଶେଷ କୌଣସି ପରିବର୍ତ୍ତନ ଆସିନାହିଁ। ବରଂ ସଂକଟ ଘନୀଭୂତ ହୋଇ ଅଧିକ ଉଗ୍ର ରୂପ ନେଇଛି, ଯାହା ସର୍ବୋଚ୍ଚ ଅଦାଲତ ଓ ସାମଗ୍ରିକ ଭାବେ ନ୍ୟାୟପାଳିକାର ଗରିମା, ବିଶ୍ୱସନୀୟତା ପ୍ରତି ସନ୍ଦେହର ବାଦଲକୁ ମଧ୍ୟ ଅଧିକ ଘନୀଭୂତ କରିଛି। ସଂକଟର ବିଷାକ୍ତ ଚେର ବହୁ ତଳକୁ ଲମ୍ବି ନ୍ୟାୟପାଳିକା ଓ ନ୍ୟାୟ ବ୍ୟବସ୍ଥାକୁ ଅସ୍ଥିରତା ଓ ଅରାଜକତାର ଅନ୍ଧାର ଆଡ଼କୁ ଠେଲି ଚାଲିଛି। ଉଚ୍ଚତମ ନ୍ୟାୟାଳୟର ଦୁଇଟି ପୃଥକ୍‌ ପୃଥକ୍‌ ତିନିଜଣିଆ ଖଣ୍ଡପୀଠର ପରସ୍ପର ବିରୋଧୀ ରାୟ ଓ ପରବର୍ତ୍ତୀ ଘଟଣାକ୍ରମ ଏହାର ଅଶୁଭ ସଂକେତ।

ମାନ୍‌ଧାତିଆ ଜମି ଅଧିଗ୍ରହଣ ଆଇନ ୧୮୯୪ ସ୍ଥାନରେ ୨୦୧୩ରେ ପ୍ରଣୀତ ନୂଆ ଜମି ଅଧିଗ୍ରହଣ, କ୍ଷତିପୂରଣ ଓ ପୁନର୍ବାସ ଆଇନର ଧାରା ୨୪ର ତର୍ଜମା କରି ସୁପ୍ରିମ୍‌ କୋର୍ଟର ଏକ ତିନିଜଣିଆ ଖଣ୍ଡପୀଠ ୨୦୧୪ରେ ଯେଉଁ ରାୟ ଦେଇଥିଲେ, ଚାରିବର୍ଷ ପରେ ଗତ ଫେବ୍ରୁଆରି ୮ ତାରିଖ ଦିନ ଅନ୍ୟ ଏକ ତିନିଜଣିଆ ଖଣ୍ଡପୀଠ ଶୁଣାଇଥିବା ରାୟ, ତାର ଠିକ୍‌ ବିପରୀତ। ବିବାଦ ଓ ବିଭ୍ରାନ୍ତି ଏଇଠି ସରିନାହିଁ। ଗତ ଫେବ୍ରୁଆରି ୨୧ରେ ଆଉ ଏକ ତିନିଜଣିଆ ଖଣ୍ଡପୀଠ ବସ୍ତୁତଃ ଫେବ୍ରୁଆରି ୮ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି। ବିବାଦର ମୂଳରେ ରହିଛି ଜମି ଅଧିଗ୍ରହଣ ଆଇନର ୨୪ ଧାରାର ବ୍ୟବସ୍ଥା ଅନୁଯାୟୀ ‘କ୍ଷତିପୂରଣ ମିଳିନାହିଁ’ର ଅର୍ଥ କ’ଣ? ଓ ଅଧିଗ୍ରହଣ ପ୍ରକ୍ରିୟା ଉପରେ ଏହାର ପ୍ରଭାବ କ’ଣ? ୨୦୧୪ର ପୁନା ପୌର ନିଗମ ବନାମ ହରକଚାନ୍ଦ ମିଶ୍ରିମାଲ ସୋଲାଙ୍କି ମାମଲାରେ ତିନିଜଣିଆ ଖଣ୍ଡପୀଠର ରାୟ ଥିଲା ଜମି ଅଧିଗ୍ରହଣର ପାଞ୍ଚବର୍ଷ ମଧ୍ୟରେ ଯଦି ଜମି ହରାଉଥିବା ବ୍ୟକ୍ତିକୁ ସିଧାସଳଖ କ୍ଷତିପୂରଣ ପ୍ରଦାନ କରାଯାଇନାହିଁ କି କୋର୍ଟରେ କ୍ଷତିପୂରଣ ବାବଦ ଟଙ୍କା ଜମା କରାଯାଇ ନାହିଁ, ତେବେ ଜମି ଅଧିଗ୍ରହଣକୁ ବୈଧ ବିଚାର କରାଯିବ ନାହିଁ। କିନ୍ତୁ ଗତ ଫେବ୍ରୁଆରି ୮ରେ ଏକ ତିନିଜଣିଆ ଖଣ୍ଡପୀଠ ୨:୧ ସଂଖ୍ୟାଗରିଷ୍ଠତା ଆଧାରରେ ମତ ଦେଲେ ଯେ ଯଦି ପାଞ୍ଚବର୍ଷ ଭିତରେ ଜମି ହରା କ୍ଷତିପୂରଣ ଗ୍ରହଣ କରିନାହାନ୍ତି, କିନ୍ତୁ ସରକାରୀ ତହବିଲରେ କ୍ଷତିପୂରଣ ବାବଦ ଟଙ୍କା ଜମା କରାଯାଇଛି, ତେବେ ଅଧିଗ୍ରହଣକୁ ଅବୈଧ ଘୋଷଣା କରାଯାଇ ପାରିବ ନାହିଁ। ଖାଲି ସେତିକି ନୁହେଁ, ୨୦୧୪ ରାୟରେ ସଂପୃକ୍ତ ଖଣ୍ଡପୀଠ ଆଇନର ଠିକ୍‌ ତର୍ଜମା କରିବାରେ ସମର୍ଥ ହୋଇନାହାନ୍ତି ବୋଲି ୨୦୧୮ ଫେବ୍ରୁଆରି ୮ ରାୟରେ ଟିପ୍ପଣୀ ଦିଆଯାଇଛି। ତେବେ ଏହାର ବସ୍ତୁତଃ ‘ପାଲଟା ଜବାବ’ ରେ ଫେବ୍ରୁଆରି ୨୧ରେ ଜମି ଅଧିଗ୍ରହଣ ସଂକ୍ରାନ୍ତ ଆଉ ଏକ ବିବାଦ- ହରିଆଣା ସରକାର ବନାମ ଜି.ଡି. ଗୋଏଙ୍କା ଟୁରିଜିମ୍‌ କର୍ପୋରେସନ ମାମଲାରେ ଆଉ ଏକ ତିନିଜଣିଆ ଖଣ୍ଡପୀଠ ୨୦୧୪ ରାୟକୁ କାଏମ ରଖି ଫେବ୍ରୁଆରି ୮ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି।

ତିନିଟି ତିନିଜଣିଆ ଖଣ୍ଡପୀଠର ପରସ୍ପର ବିରୋଧାତ୍ମକ ରାୟକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଓ ବିଭ୍ରାନ୍ତିର ପୂର୍ଣ୍ଣାଙ୍ଗ ଚିତ୍ର ମିଳିବ ନାହିଁ, ଯଦି ଉକ୍ତ ତିନିଟି ଖଣ୍ଡପୀଠର ସଦସ୍ୟ ନ୍ୟାୟମୂର୍ତ୍ତିଙ୍କ ନାମ ଉଲ୍ଲେଖ କରା ନ ଯାଏ। ୨୦୧୪ ଖଣ୍ଡପୀଠର ସଦସ୍ୟ ଥିଲେ ତତ୍କାଳୀନ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଆର.ଏମ୍‌.ଲୋଧା ଏବଂ ବର୍ତ୍ତମାନ କାର୍ଯ୍ୟରତ ଦୁଇଜଣ ବରିଷ୍ଠ ବିଚାରପତି ନ୍ୟାୟମୂର୍ତ୍ତି ମଦନ ବି ଲୋକୁର, ନ୍ୟାୟମୂର୍ତ୍ତି କେ.ଜୋସେଫ। ଫେବ୍ରୁଆରି ୮ରେ ରାୟ ଦେଇଥିବା ତିନିଜଣିଆ ଖଣ୍ଡପୀଠର ଅଧ୍ୟକ୍ଷ ଥିଲେ ନ୍ୟାୟମୂର୍ତ୍ତି ଅରୁଣ ମିଶ୍ର। ଫେବ୍ରୁଆରି ୮ ରାୟ ଉପରେ ରହିତାଦେଶ ଜାରି କରିଥିବା ଖଣ୍ଡପୀଠର ଅଧ୍ୟକ୍ଷ ଥିଲେ ନ୍ୟାୟମୂର୍ତ୍ତି ମଦନ ବି ଲୋକୁର ଓ ଅନ୍ୟ ଦୁଇ ସଦସ୍ୟ ଥିଲେ ନ୍ୟାୟମୂର୍ତ୍ତି କେ. ଜୋସେଫ୍‌, ନ୍ୟାୟମୂର୍ତ୍ତି ଦୀପକ ଗୁପ୍ତା। ଏହା ଏକ ସଂଯୋଗ ନୁହେଁ ଯେ, ଗତ ଜାନୁଆରି ୧୨ ତାରିଖ ଦିନ ଯେଉଁ ଚାରିଜଣ ବରିଷ୍ଠତମ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଶୈଳୀର ଖୋଲା ଅସନ୍ତୋଷ ପ୍ରକାଶ କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ନ୍ୟାୟମୂର୍ତ୍ତି କୁରିଏନ୍‌ ଓ ନ୍ୟାୟମୂର୍ତ୍ତି ଲୋକୁର। ପୁଣି ଯେଉଁ ‘କନିଷ୍ଠ ବିଚାରପତି’ଙ୍କୁ ଅଯାଚିତ ଭାବେ ସମ୍ବେଦନଶୀଳ ମାମଲାଗୁଡ଼ିକର ବିଚାର ଦାୟିତ୍ୱ ଦିଆଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ ସେ ‘କନିଷ୍ଠ ବିଚାରପତି’ ହେଉଛନ୍ତି ନ୍ୟାୟମୂର୍ତ୍ତି ଅରୁଣ ମିଶ୍ର। ତେଣୁ ବିଭ୍ରାନ୍ତି ଓ ବିବାଦ ପଛରେ ଆଇନଗତ ମତଭେଦ ଅପେକ୍ଷା ମାନ୍ୟବର ନ୍ୟାୟମୂର୍ତ୍ତିମାନଙ୍କ ମଧ୍ୟରେ ପରସ୍ପର ବ୍ୟକ୍ତିଗତ ମନାନ୍ତର ଅଧିକ ଥିବା ମନେହେଉଛି।

ଉଦ୍‌ବେଗର ବିଷୟ ହେଲା ପରସ୍ପର ବିରୋଧୀ ରାୟ ଦେବା ବେଳେ ତିନିଟିଯାକ ଖଣ୍ଡପୀଠ ସର୍ବନିମ୍ନ ନ୍ୟାୟିକ ଶୃଙ୍ଖଳା ଓ ସମ୍ବିଧାନର ୧୪୧ ଧାରାରେ ସୁପ୍ରିମ୍‌ କୋର୍ଟ କାର୍ଯ୍ୟ ପରିଚାଳନା ସଂପର୍କିତ ବିଧି ବ୍ୟବସ୍ଥା ପ୍ରତି ମଧ୍ୟ ଦୃଷ୍ଟି ଦେଇ ନାହାନ୍ତି।

ନିୟମାନୁଯାୟୀ ଗୋଟିଏ ତିନିଜଣିଆ ଖଣ୍ଡପୀଠ ଯଦି ଆଉ ଏକ ସମାନ ସଦସ୍ୟ ସଂଖ୍ୟା ବିଶିଷ୍ଟ (ତିନିଜଣିଆ) ଖଣ୍ଡପୀଠ ସହ ରାଜି ନୁହନ୍ତି, ତେବେ ମାମଲାର ବିଚାର ପାଇଁ ଅଧିକ ସଦସ୍ୟ ସଂଖ୍ୟା ବିଶିଷ୍ଟ ବୃହତ୍‌ ଖଣ୍ଡପୀଠ ଗଠନ ଲାଗି ପ୍ରଧାନ ବିଚାରପତିଙ୍କୁ ସୁପାରିସ କରିବା ଉଚିତ। କିନ୍ତୁ ନା ନ୍ୟାୟମୂର୍ତ୍ତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଫେବ୍ରୁଆରି ୮ର ତିନିଜଣିଆ ଖଣ୍ଡପୀଠ ନା ଫେବ୍ରୁଆରି ୨୧ ତାରିଖର ନ୍ୟାୟମୂର୍ତ୍ତି ମଦନ ବି ଲୋକୁରଙ୍କ ଖଣ୍ଡପୀଠ ବଡ଼ ବେଞ୍ଚ ଗଠନ ପାଇଁ ସୁପାରିସ କଲେ। ୨୦୧୪ର ରାୟକୁ ବସ୍ତୁତଃ ନାକଚ କରି ନ୍ୟାୟମୂର୍ତ୍ତି ଅରୁଣ ମିଶ୍ରଙ୍କ ବେଞ୍ଚ ଫେବ୍ରୁଆରି ୮ରେ ନିୟମର ଅଣଦେଖା କଲେ, ଫେବ୍ରୁଆରି ୨୧ରେ ନ୍ୟାୟମୂର୍ତ୍ତି ଲୋକୁରଙ୍କ ଖଣ୍ଡପୀଠ ତା’ର ପୁନରାବୃତ୍ତି କଲେ। ଏହା କେବଳ ସର୍ବୋଚ୍ଚ ନ୍ୟାୟପାଳିକା ତଥା ନ୍ୟାୟ ବ୍ୟବସ୍ଥାରେ ଚରମ ବିଶୃଙ୍ଖଳା, ବିଭ୍ରାନ୍ତି ଓ ସର୍ବନିମ୍ନ ବୁଝାମଣା ତଥା ସମନ୍ଵୟର ଅଭାବ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ, ନ୍ୟାୟପାଳିକାର ସର୍ବୋଚ୍ଚ ଅନୁଷ୍ଠାନର ମର୍ଯ୍ୟାଦା, ଗରିମା ଓ ନ୍ୟାୟ ବ୍ୟବସ୍ଥାର ବିଶ୍ୱସନୀୟତା ଓ ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହା ନ୍ୟାୟପାଳିକାକୁ ଦୁର୍ବଳ କରି ଏହାର ସ୍ୱାଧୀନତାକୁ ମଧ୍ୟ ପ୍ରଭାବିତ କରିବା ଆଶଙ୍କାକୁ ଏଡ଼ାଯାଇ ନପାରେ।

ଫେବ୍ରୁଆରି ୨୧ ତାରିଖ ନ୍ୟାୟମୂର୍ତ୍ତି ମଦନ. ବି. ଲୋକୁରଙ୍କ ଖଣ୍ଡପୀଠଙ୍କ ରାୟ ପରିପ୍ରେକ୍ଷୀରେ ଜମି ଅଧିଗ୍ରହଣ ସମ୍ପର୍କିତ ମାମଲାର ଶୁଣାଣି କରୁଥିବା ଆଉ ଦୁଇଟି ଦୁଇଜଣିଆ ଖଣ୍ଡପୀଠ ଶୁଣାଣି ସ୍ଥଗିତ ରଖି ବୃହତ୍ତର ଖଣ୍ଡପୀଠ ଗଠନ ଲାଗି ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି। ଏହା ଉପରେ ପ୍ରଧାନ ବିଚାରପତି ନିଶ୍ଚୟ ଏକ ପାଞ୍ଚଜଣିଆ କିମ୍ବା ସାତଜଣିଆ ବିଚାରପତି ବିଶିଷ୍ଟ ବୃହତ୍‌ ଖଣ୍ଡପୀଠ ଗଠନ କରିବେ। ଏହା ଦ୍ୱାରା ହୁଏତ ଜମି ଅଧିଗ୍ରହଣ ଆଇନ ନେଇ ଥିବା ବିଭ୍ରାନ୍ତି ଦୂର ହୋଇପାରେ। କିନ୍ତୁ ସୁପ୍ରିମ୍‌ କୋର୍ଟ ଓ ନ୍ୟାୟପାଳିକାକୁ ଆକ୍ରାନ୍ତ କରିଥିବା ବିଶୃଙ୍ଖଳା, ଅବ୍ୟବସ୍ଥା ଦୂର ହୋଇପାରିବ କି? ଲେଡ଼ିଗୁଡ଼ କହୁଣିକୁ ବହିଯାଉଛି। ପରିସ୍ଥିତି ଅଧିକ ଗମ୍ଭୀର ହେବା ପୂର୍ବରୁ ନ୍ୟାୟପାଳିକା ଓ ସର୍ବୋଚ୍ଚ ଅଦାଲତର ବିଶ୍ୱସନୀୟତା, ସମ୍ମାନର ପୁନଃ ପ୍ରତିଷ୍ଠା ଦିଗରେ ଗଠନମୂଳକ ପ୍ରୟାସ ହେଉ। ଏହା ଉଚ୍ଚତମ ନ୍ୟାୟପାଳିକାର ବିଚାରପତି ମାନଙ୍କ ସାମୂହିକ ଦାୟିତ୍ୱ ହେଲେ ସୁଦ୍ଧା କଲେଜିୟମ୍‌ ଓ ପ୍ରଧାନ ବିଚାରପତିଙ୍କ ଦାୟିତ୍ୱ ଅଧିକ। ‘ଆଲୋ ସଖୀ ଆପଣା ମହତ ଆପେ ରଖି’ ନ୍ୟାୟରେ ନ୍ୟାୟମୂର୍ତ୍ତି ମାନେ ନିଜେ ନିଜ ଘର ସଜାଡ଼ି ଶୃଙ୍ଖଳା ଓ ବିଧି ବ୍ୟବସ୍ଥାର ବାହାଲ କରନ୍ତୁ। ଅନ୍ୟଥା ବାହ୍ୟ ହସ୍ତକ୍ଷେପ ଲାଗି ଅବକାଶ ସୃଷ୍ଟି ହେବ, ଯାହା ନ୍ୟାୟପାଳିକାର ଗରିମା, ନିରପେକ୍ଷତା ଓ ସର୍ବୋପରି ସ୍ୱାଧୀନତା ପ୍ରତି ଆଦୌ ଅନୁକୂଳ ନୁହେଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.