ଗଣତନ୍ତ୍ର ପ୍ରସଙ୍ଗ ଉପରେ ଆଲୋଚନା ବେଳେ ଅନେକ ସମୟରେ ବିଶ୍ୱର ଅନ୍ୟତମ ମହାନ୍ ରାଷ୍ଟ୍ରନୀତିଜ୍ଞ, ପୂର୍ବତନ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଓ୍ଵିନ୍ଷ୍ଟନ୍ ଚର୍ଚ୍ଚିଲଙ୍କ ଏକ ମନ୍ତବ୍ୟ ଉଦ୍ଧାର କରାଯାଇଥାଏ। ଚର୍ଚ୍ଚିଲ କହିଥିଲେ, ‘‘ଗଣତନ୍ତ୍ର କଦାପି ଏକ ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ, ସର୍ବୋତ୍ତମ ଶାସନ ବ୍ୟବସ୍ଥା ନୁହେଁ। ଅନେକଙ୍କ ବିଚାରରେ ଏହା ଏକ ଖରାପ ଶାସନ ବ୍ୟବସ୍ଥା। ତେବେ ଅନ୍ୟ ପକ୍ଷରେ ଅନ୍ୟ ଯେତେ ପ୍ରକାର ଶାସନ ବ୍ୟବସ୍ଥାର ପରୀକ୍ଷା ନିରୀକ୍ଷା ହୋଇଛି, ସେ ଗୁଡ଼ିକ ଗଣତନ୍ତ୍ର ଠାରୁ ମଧ୍ୟ ଆହୁରି ଖରାପ।’’ ଗତ ଶତାବ୍ଦୀର ମଧ୍ୟଭାଗରେ ଚର୍ଚ୍ଚିଲ ଦେଇଥିବା ଏହି ମତ ଉପରେ ଆଜି ଏକବିଂଶ ଶତାବ୍ଦୀରେ ମଧ୍ୟ ସହମତି ରହିଛି। ବର୍ତ୍ତମାନ ସମୟରେ ଅନେକ ତ୍ରୁଟି ଓ ଖୁଣ ସତ୍ତ୍ୱେ ସବୁ ଶାସନ ବ୍ୟବସ୍ଥା ମଧ୍ୟରେ ଗଣତନ୍ତ୍ର ଶ୍ରେଷ୍ଠ। ବ୍ୟକ୍ତି ସ୍ୱାଧୀନତା ଓ ମୁକ୍ତ ବିଚାରର ମନ୍ତ୍ର ଜପୁଥିବା ଗଣତନ୍ତ୍ର ପାଇଁ ଏବେ ବି ଅନେକ ପ୍ରାଣବଳି ଦେବାକୁ ବି ପ୍ରସ୍ତୁତ।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ଶାସନ ବ୍ୟବସ୍ଥା ଭାବେ ଗଣତନ୍ତ୍ରର ଶ୍ରେଷ୍ଠତା ଆକଳନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ନିର୍ଣ୍ଣାୟକ ମାପକାଠି ହେଲା ଏହାର ନିର୍ବାଚନ ପଦ୍ଧତି। ଯେଉଁ ଗଣତନ୍ତ୍ରରେ ନିର୍ବାଚନ ପ୍ରକ୍ରିୟା ଯେତେ ସ୍ୱଚ୍ଛ, ଯେତେ ଅଧିକ ଅବାଧ ଓ ନିରପେକ୍ଷ, ସେହି ଗଣତନ୍ତ୍ର ସେତିକି ସ୍ୱଚ୍ଛ, ପବିତ୍ର ଓ ସର୍ବୋପରି ସେତେ ଅଧିକ ପ୍ରତିନିଧିମୂଳକ ବୋଲି ବିଚାର କରାଯାଏ। ଏହା ଗଣତନ୍ତ୍ରର ଚରିତ୍ରରେ ଅନ୍ତର୍ଭୁକ୍ତୀକରଣକୁ ନିଶ୍ଚିତ କରିଥାଏ। ତେବେ ଦୁର୍ଭାଗ୍ୟଜନକ ବିଡ଼ମ୍ବନାର ବିଷୟ ହେଲା, ଯେଉଁ ନିର୍ବାଚନ ବ୍ୟବସ୍ଥାର ସୁଦ୍ଧତା ଓ ସ୍ୱଚ୍ଛତା ଉପରେ ଗଣତନ୍ତ୍ରର ଶ୍ରେଷ୍ଠତା ତଥା ପବିତ୍ରତା ନିର୍ଭରଶୀଳ, ସେହି ନିର୍ବାଚନ ବ୍ୟବସ୍ଥା ଆଜି ଅନେକାଂଶରେ କଳୁଷିତ। ଫଳତଃ ଯଦି ଆଜି ବିଶ୍ୱର ଅନେକ ରାଷ୍ଟ୍ରରେ ଗଣତନ୍ତ୍ର ଅବକ୍ଷୟମୁଖୀ, ବିପଥଗାମୀ ହୋଇ ବିପର୍ଯ୍ୟୟ ଆଡ଼କୁ ମୁହାଁଇଛି, ତେବେ ତା’ର ମୁଖ୍ୟ କାରଣ ହେଲା ଭଷ୍ଟ୍ରାଚାର ଆକ୍ରାନ୍ତ ଅବାଧ ଓ ମୁକ୍ତ ଚରିତ୍ର ରହିତ ନିର୍ବାଚନ। ଅନେକ ସ୍ଥାନରେ ନିର୍ବାଚନ ପ୍ରକ୍ରିୟା ଓ ମତଦାତାଙ୍କୁ ପ୍ରଭାବିତ କରିବା ଲାଗି ଅସାଧୁ ଉପାୟର ପ୍ରୟୋଗ ଗଣତନ୍ତ୍ର ପାଇଁ ଅଭିଶାପ ପାଲଟିଛି। ମତଦାତାଙ୍କୁ ପ୍ରଭାବିତ କରିବା ଲାଗି ଅସାଧୁ ଉପାୟ ଆଉ କେବଳ ଅର୍ଥ, ଅନ୍ୟ ପ୍ରଲୋଭନ ଓ ବଳ ପ୍ରୟୋଗରେ ସୀମିତ ରହିନାହିଁ। ଉନ୍ନତ ବୈଷୟିକ-କାରିଗରି ଜ୍ଞାନ କୌଶଳର ବିକାଶ ସହ ମତଦାତାଙ୍କୁ ପ୍ରଭାବିତ କରିବା ଲାଗି ନୂଆ ନୂଆ ଖଳ ଉପାୟର ଉଦ୍ଭାବନ କରାଯାଉଛି, ଯାହା ନିର୍ବାଚନ ବ୍ୟବସ୍ଥାର ଅବମୂଲ୍ୟାୟନ ଏବଂ ଗଣତନ୍ତ୍ରର ଅବକ୍ଷୟ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରି ଚାଲିଛି।
ଏହି କ୍ରମରେ ‘ହାଇଟେକ୍ ଅସାଧୁ ଉପାୟ’ର ସଦ୍ୟତମ ଉଦ୍ଭାବନ ସାମନାକୁ ଆସିଛି; ଯାହା ହେଲା ସମଗ୍ର ବିଶ୍ୱ, ବିଶେଷକରି ପାଶ୍ଚାତ୍ୟ ଗଣତନ୍ତ୍ରରେ କମ୍ପନ ସୃଷ୍ଟି କରିଥିବା ‘କ୍ୟାମ୍ବ୍ରିଜ୍ ଆନାଲିଟିକା’ କେଳେଙ୍କାରୀ। ‘ଫେସ୍ବୁକ୍’ ଏବଂ ଅନ୍ୟ ସୋସିଆଲ ମିଡିଆ ମଞ୍ଚରୁ ମତଦାତାଙ୍କ ବ୍ୟକ୍ତିଗତ ତଥ୍ୟ ଓ ସୂଚନା ହାସଲ କରି ବ୍ରିଟେନ୍ର ଏହି ଘରୋଇ ବ୍ୟବସାୟିକ ସୂଚନା-ପ୍ରଯୁକ୍ତି ସଂସ୍ଥା ଆମେରିକାର ୨୦୧୬ ରାଷ୍ଟ୍ରପତି ନିର୍ବାଚନ, ବ୍ରେକ୍ସିଟ୍ ଗଣଭୋଟ ସମେତ ବିଶ୍ୱର ବିଭିନ୍ନ ଦେଶରେ ୨୦୦ରୁ ଅଧିକ ନିର୍ବାଚନରେ ଭୋଟରଙ୍କୁ ସଫଳତାର ସହ ‘ନିଜ କ୍ଲାଏଣ୍ଟ’ ସପକ୍ଷରେ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି। ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ଦାବି ଅନୁଯାୟୀ, ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚିତ ହେବା ଏବଂ ବ୍ରିଟେନ୍ରେ ମତଦାତା ମାନେ ‘ବ୍ରେକ୍ସିଟ୍’ରେ ୟୁରୋପୀୟ ସଂଘରୁ ଓହରି ଯିବା ଲାଗି ‘ଲିଭ୍’ ସପକ୍ଷରେ ମତ ଦେବା ପଛରେ ସଂସ୍ଥାର ନିର୍ଣ୍ଣାୟକ ଭୂମିକା ରହିଛି। ଭାରତୀୟ ନିର୍ବାଚନରେ ମଧ୍ୟ ଏହି ସଂସ୍ଥାର କେତେକ ଶାଖା ବିଭିନ୍ନ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରିଥିବା ତଥ୍ୟ ପ୍ରକାଶ ପାଇଛି। ଏହାକୁ କେନ୍ଦ୍ର କରି ପ୍ରମୁଖ ଦଳଙ୍କ ମଧ୍ୟରେ ଅଭିଯୋଗ-ପ୍ରତିଅଭିଯୋଗର ଧାରା ଆରମ୍ଭ ହୋଇଛି। ପରସ୍ପର କାଦୁଅ ଫିଙ୍ଗା ମଧ୍ୟରେ ଅସଲ ପ୍ରସଙ୍ଗ ଆଢୁଆଳରେ ରହିଯାଉଛି। ଏଠି ଅସଲ ପ୍ରସଙ୍ଗ ହେଲା- ଗଣତନ୍ତ୍ର ପ୍ରତି ଏ ନୂତନତମ ଖଳ କୌଶଳର ବିପଦ କେତେ ଏବଂ ଏହାର ମୁକାବିଲା କିପରି ହେବ?
ନିର୍ବାଚନର ପ୍ରଚାର ପାଇଁ କୌଣସି ବ୍ୟବସାୟିକ, ପେସାଦାର ସଂସ୍ଥାକୁ ନିୟୋଜିତ କରାଯିବା ଆଦୌ ଆପତ୍ତିଜନକ ନୁହେଁ। ବିଭିନ୍ନ ପ୍ରତିଦ୍ୱନ୍ଦ୍ୱୀ ଦଳ ଏବଂ ପ୍ରାର୍ଥୀ ପ୍ରଚାର କାର୍ଯ୍ୟ ପରିଚାଳନା ସକାଶେ ପେସାଦାର ସଂସ୍ଥାଙ୍କୁ ନିୟୋଜିତ କରିବା ଏକ ସ୍ୱାଭାବିକ ଧାରା। କିନ୍ତୁ ଯାହା ବିବାଦୀୟ ଓ ଆପତ୍ତିଜନକ, ତାହା ହେଲା ‘କ୍ୟାମ୍ବ୍ରିଜ୍ ଆନାଲିଟିକା’ ପ୍ରୟୋଗ କରିଥିବା ଉପାୟ। ବ୍ରିଟେନ୍ର ଚ୍ୟାନେଲ-୪ ନ୍ୟୁଜ୍ ଦ୍ୱାରା ପ୍ରସାରିତ ଏକ ବୃତ୍ତଚିତ୍ର ଅନୁଯାୟୀ ‘କ୍ୟାମ୍ବ୍ରିଜ୍ ଆନାଲିଟିକା’ ଭୋଟରମାନଙ୍କ ଅଜାଣତରେ ସେମାନଙ୍କ ସମ୍ପର୍କିତ ସମସ୍ତ ପ୍ରକାର ତଥ୍ୟ ଓ ସୂଚନା ହାସଲ କରି ସେମାନଙ୍କ ମନସ୍ତତ୍ତ୍ୱକୁ ପ୍ରଭାବିତ କରିବା ଲାଗି ଯୋଜନାବଦ୍ଧ ଭାବେ ସଂଗଠିତ ପ୍ରୟାସ କରିଥିଲା। ଅର୍ଥାତ୍ ବୈଷୟିକ-ଜ୍ଞାନ କୌଶଳ ଦ୍ୱାରା ଏହି ସଂସ୍ଥା କେବଳ ଭୋଟରମାନଙ୍କ ମତକୁ ନୁହେଁ, ଏକ ନିର୍ଦ୍ଦିଷ୍ଟ ଦଳ ବା ପ୍ରାର୍ଥୀଙ୍କ ସପକ୍ଷରେ ସେମାନଙ୍କ ଚିନ୍ତା ଓ ଚେତନାକୁ ମଧ୍ୟ ଭେଜାଲ କରିବାର ଅପଚେଷ୍ଟା କରିଛି। ‘କ୍ୟାମ୍ବ୍ରିଜ୍ ଆନାଲିଟିକା’ ପକ୍ଷରୁ ନିଜର ‘କ୍ଲାଏଣ୍ଟ’ଙ୍କୁ ନିର୍ବାଚନରେ ସଫଳ କରାଇବା ଲାଗି ପ୍ରୟୋଗ କରାଯାଇଥିବା କୌଶଳ କେତେ ଅସାଧୁ ଏବଂ ବିପଜ୍ଜନକ, ତାର ଅସ୍ୱସ୍ତିକର ସୂଚନା ମିଳେ ସଂସ୍ଥାର ଦୁଇଜଣ ବରିଷ୍ଠ କାର୍ଯ୍ୟନିର୍ବାହୀ ଚ୍ୟାନେଲ-୪ ସାମ୍ବାଦିକଙ୍କ ସହ ସାକ୍ଷାତକାର ବେଳେ ହୋଇଥିବା ବୟାନରୁ। ଶ୍ରୀଲଙ୍କାର ଗୋଟିଏ ରାଜନୈତିକ ଦଳର ପ୍ରତିନିଧି ଭାବେ ଛଦ୍ମ ରୂପରେ ଥିବା ସାମ୍ବାଦିକଙ୍କୁ ‘କ୍ୟାମ୍ବ୍ରିଜ୍ ଆନାଲିଟିକା’ର ଜଣେ ଅଧିକାରୀ କହିଥିଲେ, ‘‘ନିର୍ବାଚନ ତଥ୍ୟ କିମ୍ବା ସତ୍ୟ ଉପରେ ଲଢ଼ାଯାଏ ନାହିଁ, ଆବେଗ ଓ ଭାବନାକୁ ନେଇ ନିର୍ବାଚନ ଲଢ଼ାଯାଏ।’ ଏହାର ଅର୍ଥ ସଂସ୍ଥା ପ୍ରୟୋଗ କରୁଥିବା କୌଶଳର ଲକ୍ଷ୍ୟ ହେଲା, ବିଚାର-ବୁଦ୍ଧି ଅନୁଯାୟୀ ମତଦାନ ପାଇଁ ଭୋଟରକୁ ପ୍ରବର୍ତ୍ତାଇବା ପରିବର୍ତ୍ତେ, ମତଦାତାର ଆବେଗ ସହ ଖେଳି ନିଜ ପକ୍ଷକୁ ଢଳାଇବା।’’ ଏହା ନିଶ୍ଚିତ ଭାବେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ଅନ୍ୟ ଜଣେ କାର୍ଯ୍ୟନିର୍ବାହୀଙ୍କ ମନ୍ତବ୍ୟ ଥିଲା, ‘‘ଗୋଟିଏ ବିଷୟ ପ୍ରତି ମତଦାତାଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ଲାଗି ତାହା ସତ୍ୟ ହେବା ଜରୁରି ନୁହେଁ।’’
‘କ୍ୟାମ୍ବ୍ରିଜ୍ ଆନାଲିଟିକା’ର ଏହି ଉକ୍ତିରେ ନାଜି ଏକଛତ୍ରବାଦୀ ହିଟଲରଙ୍କ ପ୍ରଚାର ବିଭାଗ ମୁଖ୍ୟ ଯୋଶେଫ ଗୋବଲ୍ସଙ୍କ ମିଥ୍ୟାକୁ ସତ୍ୟ ପ୍ରମାଣିତ କରିବାର ତତ୍ତ୍ୱ ପ୍ରତିଫଳିତ ହୋଇଛି। ନାଜି ପ୍ରଚାରକ ଗୋବଲ୍ସଙ୍କ ତତ୍ତ୍ୱ ଥିଲା ବାରମ୍ବାର ଗୋଟିଏ ମିଥ୍ୟାକୁ ଦୋହରାଇ ଚାଲିଲେ, ତାହା ସତ୍ୟ ପ୍ରତୀୟମାନ ହୁଏ। ଏଥିରୁ ସ୍ପଷ୍ଟ ଯେ ନାଜିବାଦକୁ କବର ଦେଇଥିବା ପାଶ୍ଚାତ୍ୟ ଗଣତନ୍ତ୍ର ଏବେ ଭୋଟ ଜିଣିବା ଲାଗି ନାଜି କୌଶଳକୁ ଆୟୁଧ ଭାବେ ପୁନଃ ଆବିଷ୍କାର କରିଛି। ସତ୍ୟ କିମ୍ବା ତଥ୍ୟ ଉପରେ ନୁହେଁ, ବରଂ, ଅସତ୍ୟ, ଆବେଗ ଉପରେ ଏକ କୃତ୍ରିମ ପରିବେଶ ତିଆରି କରି ଯେନତେନ ପ୍ରକାରେଣ ନିର୍ବାଚନ ଜିଣି କ୍ଷମତା ହାସଲ ଲାଗି ପ୍ରୟାସ କରାଯାଉଛି। ଏଥିରେ ପାର୍ଶ୍ୱ-ଖଳନାୟକ ଭାବେ ସହାୟତା କରୁଛି ଯୋଗାଯୋଗ କ୍ଷେତ୍ରକୁ ସଂପ୍ରସାରିତ କରି ବ୍ୟକ୍ତିର ଭାବ ପ୍ରକାଶ ଓ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ନୂଆ ଦିଗନ୍ତ ସୃଷ୍ଟି କରିଥିବା ସୋସିଆଲ ମିଡିଆ। ସୋସିଆଲ ମିଡିଆର ମୌଳିକ ଉଦ୍ଦେଶ୍ୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ଓ ଏହାର ଅନ୍ତର୍ଭୁକ୍ତୀକରଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା। ଅଥଚ ଗଣତନ୍ତ୍ରକୁ ଦୁର୍ବଳ କରି ଏହାକୁ ଅନ୍ତଃସାରଶୂନ୍ୟ-ଫମ୍ପା କରିବା ଲାଗି ସୋସିଆଲ ମିଡିଆର ଅପବ୍ୟବହାର ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ଏହାର ପ୍ରତିରୋଧ ହେବା ଏକାନ୍ତ ଆବଶ୍ୟକ।
ନିର୍ବାଚନ ବ୍ୟବସ୍ଥାକୁ ଆକ୍ରାନ୍ତ କରିଥିବା ଅନେକ ଅସାଧୁ କାରବାରର ମୁକାବିଲାରେ ତଥାପି ସଫଳତା ମିଳି ନଥିବା ବେଳେ ‘କ୍ୟାମ୍ପ୍ରିଜ୍ ଆନାଲିଟିକା’ ଉଦ୍ଭାବନ କରିଥିବା ନୂତନତମ ଅସାଧୁ ଉପାୟ ବିଶ୍ୱର ଗଣତନ୍ତ୍ର ପାଇଁ ନିଶ୍ଚୟ ଆଉ ଏକ ନୂଆ ଆହ୍ଵାନ। ତେବେ ଭାରତ ଭଳି ବିକାଶନ୍ମୁଖୀ, ଅପେକ୍ଷାକୃତ ଅନୁନ୍ନତ ରାଷ୍ଟ୍ରର ଗଣତନ୍ତ୍ର ପ୍ରତି ଏହା ଯେତେ ବଡ଼ ଏକ ବିପଦ ନୁହେଁ, ବୈଷୟିକ ଜ୍ଞାନ କୌଶଳ କ୍ଷେତ୍ରରେ ବିକାଶର ଶୀର୍ଷରେ ପହଞ୍ଚିଥିବା ଏବଂ ଅନ୍ୟମାନଙ୍କ ଠାରୁ ନିଜକୁ ଅଧିକ ଉନ୍ନତ ଓ ସଚେତନ ବୋଲି ଗର୍ବ ଅନୁଭବ କରୁଥିବା ସମୃଦ୍ଧ ପାଶ୍ଚାତ୍ୟ ଗଣତନ୍ତ୍ରଗୁଡ଼ିକ ପାଇଁ ତା ଠାରୁ ବଡ଼ ଏକ ବିପଦ। ଏବେ ଅପେକ୍ଷା, ନିର୍ବାଚନ ପ୍ରକ୍ରିୟାକୁ କଳୁଷିତ କରୁଥିବା ପୁରୁଣା ଅସାଧୁ କାରବାରରୁ ତ୍ରାହି ପାଇବାର ବାଟ ତଥାପି ତଲାସୁଥିବା ବିଶ୍ୱର ଗଣତାନ୍ତ୍ରିକ ଶକ୍ତିମାନେ ଏ ନୂଆ ବିପଦର କିଭଳି ମୁକାବିଲା କରି ଶାସନ ବ୍ୟବସ୍ଥାର ଶୁୁଦ୍ଧତା ଓ ସ୍ୱଚ୍ଛତା ରକ୍ଷା କରିପାରିବେ?