ଜଣା ଅଜଣା

ସମୟ କିପରି ପରିଚିତକୁ ଅପରିଚିତରେ ପରିଣତ କରିଥାଏ, ଯେଉଁମାନେ ବିଶ୍ୱବିଶ୍ରୁତ ଅତ୍ୟନ୍ତ ଲୋକପ୍ରିୟ କାହାଣୀ ‘ରିପ୍‌ ଭାନ୍‌ ଓ୍ଵିଙ୍କ୍‌ଲ’ କେବେ ହେଲେ ପଢ଼ିଥିବେ, ସେମାନଙ୍କୁ ବେଶ୍‌ ଭଲ ରୂପେ ଜଣାଥିବ। ଆମେରିକୀୟ ଲେଖକ ଓ୍ଵାସିଙ୍ଗ୍‌ଟନ୍‌ ଆର୍‌ଭିଙ୍ଗ୍‌ଙ୍କ ଦ୍ୱାରା ରଚିତ ୧୮୧୯ ସାଲରେ ପ୍ରକାଶିତ ଏହି ଲୋକକଥାରେ ପରିଣତ ହୋଇଥିବା କାଳ୍ପନିକ କାହାଣୀର ମୁଖ୍ୟ ଚରିତ୍ର ହେଲେ- ରିପ୍‌ ଭାନ୍‌ ଓ୍ଵିଙ୍କ୍‌ଲ। କାହାଣୀଟିରେ ରିପ୍‌ ଭାନ୍‌ ଓ୍ଵିଙ୍କ୍‌ଲ ହେଉଛନ୍ତି ନ୍ୟୁୟର୍କ ରାଜ୍ୟର କ୍ୟାଟ୍‌ସ୍କିଲ୍‌ ପାହାଡ଼ ତଳେ ଏକ ସୁନ୍ଦର ଗଛଲତା ଘେରା ଗ୍ରାମର ଜଣେ ହସଖୁସିଆ ଅଧିବାସୀ। ସାଙ୍ଗସାଥୀଙ୍କ ସହିତ ଗାଁର ପାନଶାଳାରେ ସମୟ କାଟିବା, ଛୋଟପିଲାଙ୍କୁ ଗପ କହି ଖୁସି କରିବା ଓ ଏକୁଟିଆ ବଣଜଙ୍ଗଲରେ ବୁଲିବା ଥିଲା ତାଙ୍କର ଦୈନନ୍ଦିନ ଅଭ୍ୟାସ। ଗାଁରେ ସେ ଥିଲେ ସମସ୍ତଙ୍କର ପ୍ରିୟ।

ଦିନେ ଭାନ୍‌ ଓ୍ଵିଙ୍କ୍‌ଲ ପତ୍ନୀଙ୍କର ଗାଳିଗୁଲଜରୁ ଖସିଯିବା ପାଇଁ ନିଜ କୁକୁରକୁ ସାଙ୍ଗରେ ଧରି ବଣପାହାଡ଼ ଭିତରକୁ ବୁଲାବୁଲି କରିବାକୁ ଚାଲିଗଲେ। ଜଙ୍ଗଲ ଭିତରେ ହଠାତ୍‌ କେହିଜଣେ ତାଙ୍କର ନାମ ଧରି ଡାକିବା ତାଙ୍କର କାନରେ ପଡ଼ିଲା। ସେ ଦେଖିଲେ ଜଣେ ଅଜଣା ଲୋକ ଏକ ମଦଭର୍ତ୍ତି ପିମ୍ପା ଧରି ପାହାଡ଼ ଚଢ଼ିବାକୁ ଚେଷ୍ଟା କରୁଛି ଓ ସେଥିପାଇଁ ତାଙ୍କର ସାହାଯ୍ୟ ମାଗୁଛି। ଭାନ୍‌ ଓ୍ଵିଙ୍କ୍‌ଲ ତାକୁ ସାହାଯ୍ୟ କରି ତା’ସହିତ ଯାଇ ପାହାଡ଼ରେ ଥିବା ଏକ ଖୋଲ ପାଖରେ ପହଞ୍ଚିଲେ। ସେଠାରେ ସେ ଦେଖିଲେ କେତେଜଣ ଦାଢ଼ିଆ ଲୋକ ଚୁପ୍‌ଚାପ୍‌ ବସି ‘ନାଇନ୍‌ ପିନ୍‌ସ’ ନାମକ ଖେଳରେ ମାତିଛନ୍ତି ଏବଂ ମଦ୍ୟପାନ କରୁଛନ୍ତି। ରିପ୍‌ ଭାନ୍‌ ଓ୍ଵିଙ୍କ୍‌ଲ ମଧ୍ୟ ଚୁପ୍‌ଚାପ୍‌ ବସି ସେମାନଙ୍କ ସହିତ ମଦ୍ୟପାନ କରିବାକୁ ଲାଗିଲେ ଓ କିଛି ସମୟ ପରେ ମଦ ନିଶାରେ ନିଦରେ ଶୋଇ ପଡ଼ିଲେ।

ଭାନ୍‌ ଓ୍ଵିଙ୍କ୍‌ଲଙ୍କର ଯେତେବେଳେ ନିଦ ଭାଙ୍ଗିଲା ସେ ଦେଖିଲେ ବହୁତ କିଛି ବଦଳି ଯାଇଛି। ତାଙ୍କର କୁକୁର ‘ଉଲ୍‌ଫ’ର ଦେଖାଦର୍ଶନ ନାହିଁ; ତାଙ୍କର ବନ୍ଧୁକରେ କଳଙ୍କି ଲାଗି ଯାଇଛି, ତାଙ୍କର ଦାଢ଼ି ବଢ଼ି ପ୍ରାୟ ଏକ ଫୁଟ ଲମ୍ବା ହୋଇ ଯାଇଛି। ସେ ପାହାଡ଼ରୁ ଓହ୍ଲାଇ ଯେତେବେଳେ ନିଜ ଗ୍ରାମ ଭିତରକୁ ଆସିଲେ ସେଠାରେ ସେ କାହାରିକୁ ଚିହ୍ନି ପାରିଲେ ନାହିଁ କିମ୍ବା ତାଙ୍କୁ ମଧ୍ୟ କେହି ଚିହ୍ନିପାରିଲେ ନାହିଁ। ଏହାର କାରଣ, ସେ ପାହାଡ଼ ଖୋଲରେ ରିପ୍‌ ଭାନ୍‌ ଓ୍ଵିଙ୍କ୍‌ଲ ଯେତେବେଳେ ଗଭୀର ନିଦରେ ଅଚେତ ଥିଲେ, ସେତେବେଳେ ସମୟ ସ୍ଥିର ହୋଇ ରହି ନଥିଲା- ଦୀର୍ଘ ୨୦ ବର୍ଷ ଅତିବାହିତ ହୋଇଯାଇଥିଲା। କାଳ ସ୍ରୋତ ପ୍ରଭାବରେ ସବୁ ଜଣା ହୋଇ ଯାଇଥିଲେ ଅଜଣା, କାରଣ ସମସ୍ତଙ୍କ ଚେହେରାରେ ପରିବର୍ତ୍ତନ ଘଟିଥିଲା।

୧୯୬୦ ଦଶକର ଶେଷ ଭାଗରେ କଲିକତାସ୍ଥିତ ରବୀନ୍ଦ୍ର ସଦନ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ସେଥିରେ ମୁମ୍ବାଇ ଚଳଚ୍ଚିତ୍ର ଜଗତ୍‌ର କେତେକ ସୁନ୍ଦରୀ ତାରକା ଯୋଗ ଦେଇଥିଲେ। ସ୍ୱାଭାବିକ ଭାବରେ ସେଠାରେ ଏଣୁ ଦର୍ଶକମାନଙ୍କର ପ୍ରବଳ ଭିଡ଼ ଜମିଥିଲା। ଏହି ରାତ୍ରିକାଳୀନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍‌ ବିଜୁଳି କଟିଯାଇ ପ୍ରେକ୍ଷାଳୟଟି କିଛି କ୍ଷଣ ପାଇଁ ଅନ୍ଧାରରେ ବୁଡ଼ି ଯାଇଥିଲା। ଅନ୍ଧାରର ସୁଯୋଗ ନେଇ କେତେକ ଉଚ୍ଛଙ୍ଖଳ ଦର୍ଶକ ଉପରୋକ୍ତ ତାରକାମାନଙ୍କ ସହିତ ଏପରି ଅସଦାଚରଣ ଆରମ୍ଭ କରିଦେଲେ ଯେ କେତେକଙ୍କର ଶାଢ଼ି ବ୍ଲାଉଜ୍‌ ମଧ୍ୟ ଚିରି ଯାଇଥିଲା। ପରେ ଏକ ତଦନ୍ତ କମିସନ ସାକ୍ଷ୍ୟ ଗ୍ରହଣ କରିବା ସମୟରେ ସେ ସମୟରେ ଉପସ୍ଥିତ ଥିବା ଜଣେ ଦର୍ଶକଙ୍କୁ ଡକାଇ ଯେତେବେଳେ ଜଣେ ନିର୍ଦ୍ଦିଷ୍ଟ ତାରକାଙ୍କୁ ଚିହ୍ନଟ କରିବାକୁ କହିଥିଲେ, ସେ ସମୟରେ ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ସେହି ଦର୍ଶକଙ୍କର ଉତ୍ତର ଏଠାରେ ପ୍ରଣିଧାନଯୋଗ୍ୟ। ଦର୍ଶକ ଜଣକ ନିରୀହ ଭାବରେ କହିଥିଲେ ରୁପେଲି ପର୍ଦ୍ଦାରେ ବାହାରୁଥିବା ସମସ୍ତ ଚିତ୍ରତାରକା ତାଙ୍କୁ ପରୀ ଭଳି ସମାନ ଭାବରେ ସୁନ୍ଦର ଦିଶନ୍ତି; ତେଣୁ ସେ ନିର୍ଦ୍ଦିଷ୍ଟ ଭାବରେ ସେଦିନ ସେଠାରେ ଉପସ୍ଥିତ ଥିବା କୌଣସି ଚିତ୍ରତାରକାଙ୍କୁ ଚିହ୍ନଟ କରିବାକୁ ଅସମର୍ଥ।

ଠିକ ୨୦ ବର୍ଷ ତଳେ ୧୯୯୮ ସାଲରେ ସଲମାନ୍‌ ଖାନ୍‌ ଓ ତାଙ୍କର ସାଥୀ ଚିତ୍ରତାରକାମାନେ ରାଜସ୍ଥାନର ଯୋଧପୁର ଅଞ୍ଚଳରେ ମୃଗୟା ମଉଜ କରିଥିଲେ। ମୃଗୟାସ୍ଥଳୀ ଥିଲା କଙ୍କଣି ଗ୍ରାମ ପାର୍ଶ୍ୱବର୍ତ୍ତୀ ଜଙ୍ଗଲ। କଙ୍କଣି ଗ୍ରାମବାସୀ ପୁନମ୍‌ ଚାନ୍ଦ ବିଷ୍ଣୋଇ ହେଉଛନ୍ତି ସେଇ କୃଷ୍ଣସାର ଶିକାରର ଏକମାତ୍ର ଚାକ୍ଷୁସ ସାକ୍ଷୀ। ପୁନମ୍‌ ଚାନ୍ଦ ସେଦିନ ରାତିରେ ମଟରସାଇକେଲ୍‌ ଆଲୁଅରେ ଅଭିଯୁକ୍ତମାନଙ୍କୁ ଦେଖିଥିଲେ ଓ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ। ଏଥର ଅଦାଲତରେ ଶୁଣାଣି ସମୟରେ ଅଭିଯୁକ୍ତମାନଙ୍କର ଓକିଲ ହଠାତ୍‌ ଦିନେ ଅନ୍ୟତମ ଦୁଇ ଅଭିଯୁକ୍ତ ତାରକା ସୋନାଲୀ ବେନ୍ଦ୍ରେ ଓ ତବୁଙ୍କୁ ଇଜଲାସରେ ଛିଡ଼ା କରାଇ ଦେଇଥିଲେ, ଠିକ ଯେମିତି ଫିଲ୍ମ ମାନଙ୍କରେ ହୋଇଥାଏ। ତା’ପରେ ସେ ପୁନମ୍‌ ଚାନ୍ଦ୍‌ଙ୍କୁ କହିଥିଲେ ଏମାନେ କିଏ ଚିହ୍ନଟ କରିବା ପାଇଁ। ପୁନମ୍‌ ଚାନ୍ଦ୍‌ ଅବଶ୍ୟ ସେମାନଙ୍କୁ ଚିହ୍ନି ପାରି ନଥିଲେ। ଏଣୁ ବିଚାରପତି ଏମାନଙ୍କୁ ଓ ଏମାନଙ୍କର ଅନ୍ୟ ଦୁଇ ସାଥୀ ଅଭିଯୁକ୍ତ- ନୀଲମ୍‌ ଓ ସୈଫ୍‌ ଅଲ୍ଲୀ ଖାନ୍‌-ଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଦେଇଥିଲେ। ସୂଚାଇବା ଅନାବଶ୍ୟକ, ଏଠାରେ ପୁନମ୍‌ ଚାନ୍ଦ୍‌ ବିଷ୍ଣୋଇଙ୍କ ଅବସ୍ଥା ହେଉଛି ଉଭୟ ରିପ୍‌ ଭାନ୍‌ ଓ୍ଵିଙ୍କ୍‌ଲ ଓ କଲିକତାର ସେ ଦର୍ଶକଙ୍କ ମିଶ୍ରିତ ଅବସ୍ଥା ଭଳି। ଭାରତୀୟ ନ୍ୟାୟ ବ୍ୟବସ୍ଥା ପାଇଁ ଏହା ଘୋର ଲଜ୍ଜାର ବିଷୟ ଯେ ଦୀର୍ଘ ୨୦ ବର୍ଷ ଧରି ମାମଲାଟି ପଡ଼ିରହିଛି ଓ ୨୦ ବର୍ଷ ପରେ ଜଣେ ସାକ୍ଷୀଙ୍କର ଅତିମାନବୀୟ ଚିହ୍ନଟ ଶକ୍ତି ପରୀକ୍ଷା କରାଯାଉଛି। ଏହା ଜଣାଶୁଣା ଯେ ଏଠାରେ ଏହି ଭଳି ସୁବିଧା ଉପଭୋଗ କରିବା ପାଇଁ ପ୍ରଭାବଶାଳୀ ଅଭିଯୁକ୍ତମାନେ ଜାଣିଶୁଣି ମାମଲାକୁ ଗଡ଼ାଇ ଚାଲିବା ପାଇଁ ସକଳ ଚେଷ୍ଟା କରିଥାନ୍ତି।

ମୁଖ୍ୟ ଅପରାଧୀ ସଲମାନ୍‌ ଖାନ୍‌ଙ୍କର ଅବଶ୍ୟ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ଅଖଣ୍ଡ ବିଶ୍ୱାସ ଥିବ। ସେ ଓ ତାଙ୍କର ଓକିଲମାନେ ବୋଧହୁଏ ନିଶ୍ଚିତ ଥିବେ ଯେ ଟ୍ରାଏଲ୍‌ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଲମାନ୍‌ ଅପିଲ୍‌ରେ ଯାଇ ହାଇକୋର୍ଟରେ ନିର୍ଦୋଷ ସାବ୍ୟସ୍ତ ହେବା ଅବଧାରିତ। କାରଣ, ଏଥି ପୂର୍ବରୁ ମାତାଲ୍‌ ଅବସ୍ଥାରେ ଗାଡ଼ି ଚଢ଼ାଇ ନରହତ୍ୟା କରିଥିବା ଅଭିଯୋଗରେ ଟ୍ରାଏଲ୍‌ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ସଲମାନ୍‌ଙ୍କୁ ବମ୍ବେ ହାଇକୋର୍ଟ ଓ ଆଉ ଏକ ହରିଣ ହତ୍ୟା ମାମଲାରେ ଟ୍ରାଏଲ୍‌ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ସେଇ ସଲମାନ୍‌ଙ୍କୁ ରାଜସ୍ଥାନ ହାଇକୋର୍ଟ ନିର୍ଦୋଷ ଘୋଷଣା କରି ସାରିଛନ୍ତି। ତେଣୁ ବର୍ତ୍ତମାନ ମଧ୍ୟ ସେଇ ଧାରା ବଜାୟ ରହିବ ବୋଲି ସେମାନେ ବିଶ୍ୱାସ କରିବା ସ୍ୱାଭାବିକ। ଏହା ସାଧାରଣ ନାଗରିକର ବୁଝିବା ଶକ୍ତି ବାହାରେ ଯେ ଜଣେ ଅଭିଯୁକ୍ତ କ୍ଷେତ୍ରରେ ହିଁ ବାରମ୍ବାର ଏଭଳି କିପରି ଘଟୁଛି? ତା ପାଇଁ ଆଉ ଯାହା ମଧ୍ୟ ଅଜଣା, ତାହା ହେଲଦୁଇଟି ରାଜ୍ୟ- ମହାରାଷ୍ଟ୍ର ଓ ରାଜସ୍ଥାନ- ସରକାର ଉପରୋକ୍ତ ହାଇକୋର୍ଟ ରାୟ ମାନ ବିରୁଦ୍ଧରେ ସୁପ୍ରିମ୍‌ କୋର୍ଟରେ ଅପିଲ କରିଥିଲେ ହେଁ, ସୁପ୍ରିମ୍‌ କୋର୍ଟ ତାହାକୁ କାହିଁକି ପକାଇ ରଖିଛନ୍ତି?

ସମ୍ବନ୍ଧିତ ଖବର