ଅଧ୍ୟାପକଙ୍କ ସହ ଧାରଣାରେ ବସିଲେ ଛାତ୍ରଛାତ୍ରୀ
କାମ ଦେଉନି ସରକାରଙ୍କ ବିକଳ୍ପ ବ୍ୟବସ୍ଥା
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ୬ ଦିନ ବିତିଲାଣି। ତଥାପି ଶିକ୍ଷକ ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଶେଷ ହେଉନି। ବ୍ଲକଗ୍ରାଣ୍ଟ ଅଧ୍ୟାପକ ଯୁକ୍ତ ଦୁଇ ଖାତାଦେଖାକୁ ବର୍ଜନ କରିଥିବା ବେଳେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି କହି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚୁପ୍ ବସିପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜୋର ଜବରଦସ୍ତ ଖାତା ମୂଲ୍ୟାୟନ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ବି ଫଳପ୍ରଦ ହୋଇନି। ମୂଲ୍ୟାୟନ ପ୍ରକ୍ରିୟାରେ ଅନୁପସ୍ଥିତ ରହୁଥିବା ଅଧ୍ୟାପକଙ୍କୁ ଧମକ, ଚେତାବନୀ, କାର୍ଯ୍ୟାନୁଷ୍ଠାନ, ଥାନାରେ ମାମଲା ଭୟ ଦିଆଯାଇଥିଲେ ବି ଆଜି ଯାଏ ସ୍ୱାଭାବିକ୍ ହୋଇପାରିନି ଖାତାଦେଖା। ୬ ଦିନରେ ଯେତିକି ଖାତା ଦେଖା ହେବା କଥା ତାହାର ୪୫ ପ୍ରତିଶତ ବି ଏପର୍ଯ୍ୟନ୍ତ ସରିନି। ଯେଉଁଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖାତା ମୂଲ୍ୟାୟନ ଓ ପରୀକ୍ଷା ଫଳ ପ୍ରକାଶକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି।
ମୂଲ୍ୟାୟନ ଠିକ୍ ଭାବେ ହେଉଛି କି ନାହିଁ ? କେବେ ଖାତା ଦେଖା ସରିବ? ନିର୍ଧାରିତ ସମୟରେ ଫଳ ପ୍ରକାଶ ପାଇବ କି ନାହିଁ? ଏମିତି ଅନେକ ପ୍ରଶ୍ନରେ ଛନ୍ଦି ହେଉଥିବା ଛାତ୍ରଛାତ୍ରୀମାନେ ଆଜି ଆନ୍ଦୋଳନରତ ଅଧ୍ୟାପକଙ୍କ ସହ ସାମିଲ୍ ହୋଇଛନ୍ତି। ବିଭିନ୍ନ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଧାରଣାରେ ବସି ନ୍ୟାୟ ମାଗିଛନ୍ତି। ସେମାନେ କହିଛନ୍ତି ଯେ ଅଧ୍ୟାପକଙ୍କ ସହ ରାଜ୍ୟ ସରକାର ଖେଳୁଛନ୍ତି। ଆଗରୁ ପାଠପଢ଼ା ବ୍ୟାହତ ହୋଇଥିଲା। ପୂର୍ବ ଆନ୍ଦୋଳନ ବେଳେ ଅଧ୍ୟାପକଙ୍କୁ ଯେଉଁ ପ୍ରତିଶ୍ରୁତି ମିଳିଥିଲା, ତାହା ଏପର୍ଯ୍ୟନ୍ତ ପୂରଣ କରାଗଲା ନାହିଁ। ଯେଉଁ ଶିକ୍ଷକ ଆମକୁ ପଢ଼ାଇଥିଲେ, ସେମାନେ ଖାତା ଦେଖୁନାହାନ୍ତି। ଯେଉଁମାନେ ଦିନେ ବି ଆମ କ୍ଲାସ ନେଇ ନାହାନ୍ତି, ସେମାନେ ଆମ ଉତ୍ତର ଖାତାର ମୂଲ୍ୟାୟନ କରୁଛନ୍ତି। ପରୀକ୍ଷା ଫଳରେ ସ୍ୱଚ୍ଛତା ନେଇ ଆଶଙ୍କା ରହିଛି। ଅଧ୍ୟାପକଙ୍କୁ ପ୍ରତିଶ୍ରୁତି ମିଳିଥିଲା ଯେ ଗୋଟିଏ ମାତ୍ର ବିଜ୍ଞପ୍ତିରେ ସେମାନଙ୍କ ଦାବି ପୂରଣ ହେବ। ଏ ଦିଗରେ ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ କହିିଛନ୍ତି। ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ନ୍ୟାୟ ମାଗିଛନ୍ତି। ଆସନ୍ତାକାଲିଠାରୁ ଅଭିଭାବକମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି।
ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ପବିତ୍ର ମହାଲା, ଗୋଲକ ନାୟକ କହିଛନ୍ତି ଯେ ଆନ୍ଦୋଳନ ଜାରି ରହିବ। କୌଣସି ବି ପରିସ୍ଥିତିରେ ଆମେ ପଛଘୁଞ୍ଚା ଦେବୁନୁ। ରାଜ୍ୟ ସରକାର ଯେତେ ବାହାସ୍ଫୋଟ ମାରିଲେ ମଧ୍ୟ ଏବେ ସୁଦ୍ଧା ମୂଲ୍ୟାୟନକାରୀଙ୍କ ସଂଖ୍ୟା ୩୫ ପ୍ରତିଶତ ଟପିନି। ଧମକକୁ ବି ମିଳିତ ମଞ୍ଚ ଖାତିର କରୁନି। ଯେଉଁ କାର୍ଯ୍ୟାନୁଷ୍ଠାନ ନେବା କଥା ନିଅନ୍ତୁ। ମାଡ଼ ମାରିଥିଲେ। ଏବେ ଧମକ ଦେଇଛନ୍ତି। ସମସ୍ତ ବର୍ଗର ଅଧ୍ୟାପକ ଏକାଠି ରହିଛନ୍ତି। ସରକାରଙ୍କ ଯେକୌଣସି କାର୍ଯ୍ୟାନୁଷ୍ଠାନର ଦୃଢ଼ ଜବାବ ଦିଆଯିବ। ଦରକାର ପଡ଼ିଲେ ଚରମ ପଦକ୍ଷେପ ଗ୍ରହଣ କରିବୁ। ପରୀକ୍ଷାର୍ଥୀଙ୍କ ପ୍ରତି ସରକାରଙ୍କର ଟିକିଏ ବି ହେଲେ ଦରଦ ନାହିଁ। ନ ହେଲେ ୬ ଦିନ ହେଲା ଖାତାଦେଖା ପ୍ରଭାବିତ ହୋଇଥିଲେ ମଧ୍ୟ ଆଲୋଚନା ଲାଗି ଥରୁଟିଏ ବି ଡାକି ନାହାନ୍ତି।
ଅନ୍ୟ ପକ୍ଷରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଅଧ୍ୟାପକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛି। ଶିକ୍ଷକଙ୍କ ଦାବି ପୂରଣ କରାଯାଇ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ୍ କରାଯାଉ। ନ ହେଲେ ଆଗାମୀ ଦିନରେ ଏବିଭିପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଏହାର ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକ ଚେତାବନୀ ଦେଇଛନ୍ତି। ଖାତା ମୂଲ୍ୟାୟନ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀଙ୍କ ଗୋଟିଏ ଉତ୍ତର, ସବୁ ଠିକ୍ ଚାଲିଛି। ନିର୍ଧାରିତ ସମୟରେ ଖାତା ଦେଖା ସରିବ। ପରୀକ୍ଷା ଫଳ ମଧ୍ୟ ପ୍ରକାଶ କରାଯିବ।