ଏବେ ପ୍ରାୟଶ୍ଚିତ-ଉପବାସର ବେଳ

ଡିସେମ୍ବର, ୨୦୧୨ର ଏକ ଶୀତ ରାତିରେ ରାଜଧାନୀ ନୂଆଦିଲ୍ଲୀରେ ଘଟିଥିବା ଅତ୍ୟନ୍ତ ଲୋମହର୍ଷଣକାରୀ, ନରକୀୟ ନିର୍ଭୟା ଗଣଦୁଷ୍କର୍ମ ମାମଲା ଦେଶବାସୀଙ୍କ ସାମୂହିକ ବିବେକକୁ ଦୋହଲାଇ ଦେଇଥିଲା। ଏ ପୈଶାଚିକ କାଣ୍ଡ ନେଇ ସାମୂହିକ ଉଦ୍‌ବେଗ ଓ ଜନ ଆକ୍ରୋଶ ଆନ୍ଦୋଳନର ରୂପ ନେଇଥିଲା। ଜନ ଆକ୍ରୋଶ ଏତେ ତୀବ୍ର ଥିଲା ଯେ, ଆନ୍ଦୋଳନର ନିଆଁ ସାରା ଦେଶକୁ ବ୍ୟାପି ଯାଇଥିଲା। ନିର୍ଭୟା ଘଟଣାର ପାଞ୍ଚବର୍ଷ ଚାରିମାସ ପରେ ସଂପ୍ରତି ଦେଶରେ ପୁଣି ସେମିତି ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଜମ୍ମୁ ଓ କଶ୍ମୀରର କଠୁଆ ଏବଂ ଉତ୍ତର ପ୍ରଦେଶର ଉନ୍ନାଓରେ ଘଟିଥିବା ଦୁଇଟି ଅତ୍ୟନ୍ତ ଅମାନବୀୟ ଗଣଦୁଷ୍କର୍ମ ଘଟଣା ଦେଶବାସୀଙ୍କୁ ମର୍ମାହତ କରିଛି। ସାରା ଦେଶରେ ଅଶାନ୍ତି, ଉତ୍ତେଜନା ଓ ଅସ୍ଥିରତାର ପରିବେଶ ସୃଷ୍ଟି ହୋଇଛି। ନିର୍ଭୟା ଘଟଣା ଅପେକ୍ଷା କଠୁଆ ଓ ଉନ୍ନାଓର ବର୍ବରୋଚିତ କାଣ୍ଡ ଅଧିକ ବିବ୍ରତ ଓ ବିଚଳିତ କରୁଛି। କାରଣ ଏହି ଦୁଇ ଘଟଣା କେବଳ ଆମର ଆଇନ ଓ ନ୍ୟାୟ ବ୍ୟବସ୍ଥା ପ୍ରତି ଆହ୍ଵାନ ନୁହେଁ, ଗଣତନ୍ତ୍ରର ମୂଳପିଣ୍ଡ ଆଇନର ଶାସନ ବଜାୟ ରଖିବାରେ ରାଷ୍ଟ୍ରର ସାମର୍ଥ୍ୟ ଏବଂ ଦୁର୍ବଳ ଓ ସଂଖ୍ୟାଲଘୁ ବର୍ଗଙ୍କ ସୁରକ୍ଷା ନେଇ ରାଷ୍ଟ୍ରର କର୍ତ୍ତବ୍ୟ ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ରାଷ୍ଟ୍ରର ସାମର୍ଥ୍ୟ ଓ କର୍ତ୍ତବ୍ୟ ଉପରେ ପ୍ରଶ୍ନ ଚିହ୍ନ ଏଥିପାଇଁ ଲାଗିଛି ଯେ, ଗୋଟିଏ ଘଟଣାରେ ରାଷ୍ଟ୍ରର କ୍ଷମତା ସହ ଯୋଡ଼ି ହୋଇଥିବା ଜଣେ ବିଧାୟକ ଅଭିଯୁକ୍ତ, ଅନ୍ୟ ଘଟଣାରେ ରାଷ୍ଟ୍ର କ୍ଷମତାର ପ୍ରତ୍ୟକ୍ଷ ପ୍ରତିନିଧି ମନ୍ତ୍ରୀମାନେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ଲାଗି ଆଗେଇ ଆସିଛନ୍ତି। କଶ୍ମୀର ଘଟଣାରେ ଦୁଷ୍କର୍ମ ପରେ ନିର୍ମମ ହତ୍ୟାର ଶିକାର ହୋଇଥିବା ପୀଡ଼ିତା ନାବାଳିକା ସଂଖ୍ୟାଲଘୁ ସଂପ୍ରଦାୟର ହୋଇଥିବା ବେଳେ ଉନ୍ନାଓ ଘଟଣାରେ ଗଣ ଦୁଷ୍କର୍ମ ପୀଡ଼ିତା ଜଣେ ଦଳିତ ନାବାଳିକା ।

ଗୋଟିଏ ସଭ୍ୟ ସମାଜରେ ନାଗରିକମାନେ ନିଜର ଧନ ଜୀବନ ଓ ଅଧିକାରର ସୁରକ୍ଷା ଲାଗି ନିଜର ବ୍ୟକ୍ତିଗତ ଶକ୍ତି ପ୍ରୟୋଗର ସ୍ୱାଧୀନତା ରାଷ୍ଟ୍ର ହାତରେ ସମର୍ପଣ କରନ୍ତି। ଏହାର ପ୍ରତିଦାନରେ ନାଗରିକ ଆଶା କରେ ଯେ, ତା’ର ଧନ-ଜୀବନ ଓ ଅଧିକାରର ସୁରକ୍ଷା ଦାୟିତ୍ୱ ରାଷ୍ଟ୍ରର। ଆବଶ୍ୟକ ପଡ଼ିଲେ ରାଷ୍ଟ୍ର ଶକ୍ତି ପ୍ରୟୋଗ କରି ନାଗରିକଙ୍କ ଧନ ଜୀବନ ଓ ଅଧିକାରର ସୁରକ୍ଷା କରିବ। କିନ୍ତୁ ଯେତେବେଳେ ରାଷ୍ଟ୍ର ନାଗରିକଙ୍କଠାରୁ ପାଇଥିବା ଶକ୍ତି ଉପରେ ନିଜର ଏକଚାଟିଆର ଅପପ୍ରୟୋଗ କରି ନାଗରିକଙ୍କ ଅଧିକାର ହନନକାରୀକୁ ସୁରକ୍ଷା ଦିଏ ଓ ଅନ୍ୟପକ୍ଷରେ ଓଲଟା ଅଧିକାର ବିପନ୍ନ ହୋଇଥିବା ପୀଡ଼ିତଙ୍କ ବିରୋଧରେ ଶକ୍ତି ପ୍ରୟୋଗ କରେ, ସେତେବେଳେ ରାଷ୍ଟ୍ର ଓ ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠେ, ଯାହା ଜନଆକ୍ରୋଶ ଓ ଆନ୍ଦୋଳନକୁ ଆମନ୍ତ୍ରଣ କରେ। ବିଜେପି ସରକାରରେ ଥିବା ୟୁପିର ଉନ୍ନାଓ ସରକାରରେ ବିଜେପି ଭାଗୁଆଳି ଥିବା ଜାମ୍ମୁ ଓ କଶ୍ମୀର କଠୁଆ ଘଟଣାରେ ଠିକ୍‌ ଏହାହିଁ ଘଟିଛି। ପୀଡ଼ିତାଙ୍କ ପଛରେ ଠିଆ ହେବା ପରିବର୍ତ୍ତେ ଶାସନ ବ୍ୟବସ୍ଥା ଅଭିଯୁକ୍ତଙ୍କୁ ସମର୍ଥନ କରୁଛି। ନିର୍ଭୟା ଘଟଣା ପରେ କିଭଳି ଏମିତି ନରକୀୟ କାଣ୍ଡର ପୁନରାବୃତ୍ତିକୁ ରୋକାଯାଇ ପାରିବ, ପୀଡ଼ିତାଙ୍କୁ ନ୍ୟାୟ ମିଳିବ ଓ ଦୋଷୀକୁ କଠୋର ଦଣ୍ଡ ମିଳିବ, ସେଥିପାଇଁ ଆଇନ କଡ଼ା ହେଲା। ତଥାପି କାହିଁକି ନିର୍ଭୟା ଭଳି ବର୍ବରକାଣ୍ଡର ପୁନରାବୃତ୍ତି ଘଟୁଛି, ପୀଡ଼ିତାଙ୍କୁ ନ୍ୟାୟ ମିଳୁନାହିଁ, ଦୋଷୀ ଖସି ଯାଉଛନ୍ତି, ତା’ର ଦୁର୍ଭାଗ୍ୟଜନକ ଉଦାହରଣ ଉନ୍ନାଓ ଓ କଠୁଆ ପ୍ରକରଣ।

ଉନ୍ନାଓ ମାମଲାରେ ଦଳିତ ନାବାଳିକା ଜଣେ ଶାସକ ଦଳ ବିଧାୟକଙ୍କ ବିରୋଧରେ ଗଣଦୁଷ୍କର୍ମର ଅଭିଯୋଗ ଆଣିଲେ। ପୁଲିସ୍‌ ଅଭିଯୋଗ ଗ୍ରହଣ କଲେ ନାହିଁ କି ମାମଲା ରୁଜୁ ହେଲା ନାହିଁ। ଅନ୍ୟପକ୍ଷରେ, ମାମଲା ପ୍ରତ୍ୟାହାର ପାଇଁ ପୀଡ଼ିତାଙ୍କ ପରିବାର ଉପରେ ଚାପ ପକାଗଲା। ପୁଲିସ୍‌ ପ୍ରଶାସନକୁ ହାତବାରିସୀ କରିବା ସତ୍ତ୍ୱେ ଯେତେବେଳେ ପୀଡ଼ିତାଙ୍କ ପରିବାର ମାମଲା ପ୍ରତ୍ୟାହାର ପାଇଁ ରାଜି ହେଲେ ନାହିଁ, ପୀଡ଼ିତାଙ୍କ ପରିବାର ଉପରେ ବିଧାୟକଙ୍କ ସମର୍ଥକମାନେ ଆକ୍ରମଣ କଲେ। ଆକ୍ରମଣରେ ପୀଡ଼ିତାଙ୍କ ପିତା ଆହତ ହେଲେ। ଉଭୟ ପକ୍ଷରୁ ପରସ୍ପର ବିରୋଧରେ ଏତଲା ହେଲା। ପୀଡ଼ିତା ପିତାଙ୍କ ଅଭିଯୋଗ ଉପରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ କଲା ନାହିଁ। ଅଥଚ ପ୍ରତିପକ୍ଷ ବିଧାୟକ ଗୋଷ୍ଠୀଙ୍କ ଏତଲା ଉପରେ ପୀଡ଼ିତାଙ୍କ ପିତାଙ୍କୁ ଗିରଫ କରି ହାଜତରେ ରଖାଗଲା। ରାଷ୍ଟ୍ର କ୍ଷମତାର ଅପବ୍ୟବହାରର ଦୁଃଖଦ କାହାଣୀ ଏତିକିରେ ସରିନାହିଁ। ପୂର୍ବରୁ ଆକ୍ରମଣରେ ଆହତ ପୀଡ଼ିତାଙ୍କ ପିତା ପୁଣି ପୁଲିସ୍‌ ନିର୍ଯାତନାର ଶିକାର ହେଲେ। ଶେଷରେ ହାଜତରେ ହିଁ ସେ ଆଖି ବୁଜିଲେ। ଏହା କ’ଣ ଆଇନର ଶାସନ? ଦଳିତଙ୍କ ସୁରକ୍ଷା ଓ ସାମାଜିକ ଦୁର୍ବଳ ବର୍ଗଙ୍କ ପ୍ରତି ସାମାଜିକ ନ୍ୟାୟ କ’ଣ ଏମିତି? ଏହି ସମୁଦାୟ ଘଟଣାକ୍ରମ କେବଳ ଗଣଦୁଷ୍କର୍ମ ପୀଡ଼ିତା ଦଳିତ ନାବାଳିକା ଓ ତାଙ୍କ ପରିବାର ପ୍ରତି ଉପହାସ ନୁହେଁ, ଆଇନ, ନ୍ୟାୟବ୍ୟବସ୍ଥା ଓ ସର୍ବୋପରି ଆଇନର ଶାସନ ପ୍ରତି ମଧ୍ୟ ବିଦ୍ରୂପ।

ଯୋଗୀ ଆଦିତ୍ୟନାଥଙ୍କ ସରକାର ଯେ ରାଷ୍ଟ୍ରର କର୍ତ୍ତବ୍ୟ ପାଳନରେ ଚରମ ଭାବେ ବଫଳ ହୋଇଛନ୍ତି, ଏଥିରେ ସନ୍ଦେହ ନାହିଁ। ‘ଆଇନର ଶାସନ’ର ପରିଭାଷା ହେଲା, ତା’ ବାଟରେ ଆଇନକୁ ଯିବାକୁ ଦିଅ। ଉନ୍ନାଓ ଘଟଣାରେ ଆଇନକୁ ତା’ ବାଟରେ ଯିବାକୁ ଦିଆଯାଇ ନାହିଁ। ଏଥିରେ ରାଷ୍ଟ୍ର ଓ ବ୍ୟବସ୍ଥା ତଥା ଆଇନର ଶାସନ ଉପରେ ସାଧାରଣ ନାଗରିକ, ବିଶେଷକରି ଦୁର୍ବଳ ବର୍ଗଙ୍କ ଆସ୍ଥା ଓ ବିଶ୍ୱାସ ରହିବ କେମିତି? ପୂର୍ବରୁ ଦଙ୍ଗା ମାମଲାର ଅଭିଯୁକ୍ତଙ୍କ ବିରୋଧରେ ମାମଲା ପ୍ରତ୍ୟାହାର, ୧,୩୫୦ ସନ୍ଦିଗ୍ଧ ପୁଲିସ୍‌ ଏନ୍‌କାଉଣ୍ଟର ଓ ଆଉ ଜଣେ ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ପ୍ରତ୍ୟାହାର ଯୋଜନାର ପୃଷ୍ଠଭୂମିରେ ଉନ୍ନାଓ ଘଟଣାରେ ଯୋଗୀ ଆଦିତ୍ୟ ନାଥ ସରକାରଙ୍କ ଭୂମିକାକୁ ସ୍ୱତଃ କାଠଗଡ଼ାରେ ଠିଆ କରୁଛି। ଜନ ଆକ୍ରୋଶର ତାତିରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି। ମାନ୍ୟବର ଆହ୍ଲାବାଦ ହାଇକୋର୍ଟ ତଦନ୍ତ ନିଜ ତତ୍ତ୍ୱାବଧାନକୁ ନେଉଛନ୍ତି। ଏହା ସତ୍ତ୍ୱେ ଦୁଇ ମାସର ଘଟଣା କ୍ରମ ରାଷ୍ଟ୍ର ଓ ଆଇନର ଶାସନ ପ୍ରତି ଆସ୍ଥା ଓ ବିଶ୍ୱାସରେ ଯେଉଁ ନିଅଣ୍ଟିଆ ଭାବ ସୃଷ୍ଟି କରିଛି ତା’ର ଭରଣା ସହଜ ନୁହେଁ।

କଶ୍ମୀର କଠୁଆଠାରେ ଯାଯାବର ମୁସଲିମ ଗୁଜ୍ଜର ସଂପ୍ରଦାୟର ଆଠବର୍ଷର ଜଣେ ନାବାଳିକା ପ୍ରତି ଗଣଦୁଷ୍କର୍ମ ଯେତିକି ଜଘନ୍ୟ ଓ ଅମାନବୀୟ, ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ଲାଗି ଧର୍ମକ୍‌ ଢାଲ କରାଯିବା ତା’ଠାରୁ ଶତ ଗୁଣ ଅଧିକ ଜଘନ୍ୟ। କୌଣସି ଧର୍ମରେ ଏ ପ୍ରକାର ଅଧର୍ମ, ପାପ ଲାଗି ଅନୁମୋଦନ ନାହିଁ। ଯେଉଁମାନେ ଗୋଟିଏ ଉପାସନା ପୀଠର ପବିତ୍ର ପରିସରରେ ଆଠବର୍ଷର ନିଷ୍ପାପ ନାବାଳିକାକୁ ପ୍ରଥମେ ତୁହାକୁ କୁହା ଦିନ ଦିନ ଧରି ଦୁଷ୍କର୍ମ ପରେ ନିର୍ମମ ହତ୍ୟା କଲେ ସେମାନେ ଏବେ ଘଟଣାକୁ ସାଂପ୍ରଦାୟିକ ରୂପ ଦେଇ ଖସିଯିବାର ଚକ୍ରାନ୍ତ ଚଳାଇଛନ୍ତି। ଆହୁରି ଦୁର୍ଭାଗ୍ୟର କଥା, ଏହି ଚକ୍ରାନ୍ତରେ ସରକାରରେ ଭାଗୁଆଳି ଦଳ ସାମିଲ। ଆଇନକୁ ତା’ ବାଟରେ ଯିବାକୁ ନ ଦେଇ ଆଇନ ବ୍ୟବସ୍ଥା ବାହାଲ ଦାୟିତ୍ୱରେ ଥିବା ବିଜେପି-ପିଡ଼ିପି ସରକାରର ଉପ ମୁଖ୍ୟମନ୍ତ୍ରୀ ଓ ଦୁଇଜଣ ମନ୍ତ୍ରୀ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ଲାଗି ଆଇନର ବାଟ ଓଗାଳିଛନ୍ତି। ମନ୍ତ୍ରୀମାନେ ଖୋଲାଖୋଲି ନିଜ ସରକାରଙ୍କ କ୍ରାଇମ୍‌ବ୍ରାଞ୍ଚ୍‌ ପୁଲିସ୍‌ର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅଶାନ୍ତି, ଉତ୍ତେଜନା ଓ ଅସ୍ଥିରତା ସୃଷ୍ଟି ସହ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ମୂଳାଧାର ଆଇନର ଶାସନର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିବା ଏହି ଦୁଇଟି ଘଟଣା ପୃଥକ୍‌ ପୃଥକ୍‌ ସ୍ଥାନରେ, ଅଲଗା ଅଲଗା ରାଜ୍ୟରେ ଘଟିଛି। କିନ୍ତୁ ଉଭୟ ଘଟଣାରେ ଗୋଟିଏ ସାମଞ୍ଜସ୍ୟ ହେଲା କେନ୍ଦ୍ରର କ୍ଷମତାସୀନ ବିଜେପି ଉଭୟ ରାଜ୍ୟରେ ଶାସନରେ ଅଛି ଓ ଯେଉଁଠି ସରକାର ଆଇନ ବ୍ୟବସ୍ଥାକୁ କ୍ଳୀବ କି ଆଇନ ଉଲ୍ଲଂଘନକାରୀଙ୍କ ପକ୍ଷରେ ଅଛନ୍ତି।

ଏ ପରିପ୍ରେକ୍ଷୀରେ ବର୍ତ୍ତମାନ ବିଜେପିର ସର୍ବମୟ କର୍ତ୍ତା ତଥା ଦେଶର ସର୍ବୋଚ୍ଚ ଶାସନ କର୍ତ୍ତା ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଉନ୍ନାଓ ଏବଂ କଠୁଆ ଘଟଣାରେ ନିଜର ଶାସକୀୟ ଓ ନୈତିକ ଦାୟିତ୍ୱ ଏଡ଼ାଇ ପାରିବେ ନାହିଁ। ଉନ୍ନାଓ ଘଟଣାର ଖଳନାୟକ ୟୁପି ସରକାରର ମୁଖ୍ୟ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କ ମନୋନୀତ, ଜମ୍ମୁ ଓ କଶ୍ମୀର ଉପମୁଖ୍ୟ ମନ୍ତ୍ରୀ ମଧ୍ୟ ମୋଦୀଙ୍କ ପସନ୍ଦ। ଜାତି, ଧର୍ମ ଆଦି ସଂକୀର୍ଣ୍ଣ ବିଚାରର ଊର୍ଦ୍ଧ୍ୱରେ ଆଇନର ଶାସନ, ଏ କଥା ନେତା ଭାବେ ପ୍ରଧାନମନ୍ତ୍ରୀ ବୋଧହୁଏ ନିଜ ଦଳୀୟ ସହଯୋଗୀଙ୍କୁ ବୁଝାଇ ପାରି ନାହାନ୍ତି। ଜାତି ଓ ଧର୍ମ ବିଚାରରେ ଆଇନର ଶାସନ ଖାଲି ଗଣତନ୍ତ୍ର ପାଇଁ ବିପଦ ନୁହେଁ, ଦେଶର ଏକତା, ସଂହତି ପ୍ରତି ମଧ୍ୟ ବିପଦ। ମୋଦୀଙ୍କ ନିରବତା ତାଙ୍କୁ ଦାୟିତ୍ୱମୁକ୍ତ କରିପାରିବ ନାହିଁ। ଯେଉଁ ଅଚ୍ଛେଦିନର ଆଶା ଦେଖାଇ କେବଳ କେନ୍ଦ୍ରରେ ନୁହେଁ, ରାଜ୍ୟଗୁଡ଼ିକରେ ମଧ୍ୟ ବିଜେପି ଶାସନକୁ ଆସିଥିଲା, କଠୁଆ ଓ ଉନ୍ନାଓ ଘଟଣା କ’ଣ ସେ ଆଶା ପୂରଣ କରୁଛି? ‘ବେଟୀ ବଚାଓ, ବେଟୀ ପଢ଼ାଓ’ ସ୍ଲୋଗାନ୍‌ର ଏହା କ’ଣ ଅସଲ ସ୍ୱରୂପ? ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ଏ ସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ। ଆଉ ପ୍ରତିବାଦ ପାଇଁ ଉପବାସ ନୁହେଁ, ଏବେ ପ୍ରାୟଶ୍ଚିତ ପାଇଁ ଉପବାସର ସମୟ ଆସିଯାଇଛି।

ସମ୍ବନ୍ଧିତ ଖବର