ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ଦୀପାବଳି ପାଇଁ ବାଣ ବିକ୍ରି ଉପରେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିଷେଧାଜ୍ଞା ଦିଲ୍ଲୀର ବାୟୁ ପ୍ରଦୂଷଣ ଉପରେ ବିଶେଷ କିଛି ପ୍ରଭାବ ପକାଇ ପାରିନାହିଁ। ଦୀପାବଳି ପରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଜାରି ରିପୋର୍ଟ ଅନୁଯାୟୀ ଗତ ବର୍ଷ ଅପେକ୍ଷା ଏ ବର୍ଷ ଦୀପାବଳିରେ ବାୟୁ ପ୍ରଦୂଷଣର ମାତ୍ରା ସାମାନ୍ୟ କମିଥିଲେ ସୁଦ୍ଧା ରାଜଧାନୀର ଅନେକ ସ୍ଥାନରେ ଜହର ବୋଳା ପବନ ଜନିତ ପ୍ରଦୂଷଣ ‘ଗୁରୁତର’ କିମ୍ବା ବିପଜ୍ଜନକ ସ୍ତରରେ ରହିଥିବା ଜଣାପଡ଼ିଛି। ମୁମ୍ବାଇ, ଚେନ୍ନାଇ ସମେତ ଦେଶର ଅନ୍ୟ ବହୁ ମହାନଗରୀ ଓ ସହରମାନଙ୍କରେ ମଧ୍ୟ ଦୀପାବଳିରେ ବାଣ ଫୁଟା ଯୋଗୁ ବାୟୁ ପ୍ରଦୂଷଣ ଅନୁମୋଦିତ ମାତ୍ରାଠାରୁ ବହୁ ଉପରେ ରହି ଏକପ୍ରକାର ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ତେବେ ଦୀପାବଳି ସମୟ ଏକ ବ୍ୟତିକ୍ରମ ନୁହେଁ, ବର୍ଷ ତମାମ କଳକାରଖାନା, ଗାଡ଼ି ମଟର ଏପରିକି ରୋଷେଇ ଘରୁ ନିର୍ଗତ ଧୂଆଁ, ପାଉଁଶ ଓ ଧୂଳି ଯୋଗୁ ଦେଶରେ ବାୟୁ ପ୍ରଦୂଷଣ ଏକ ଘାତକ ରୂପ ନେଇଛି। ଏହାର ପ୍ରମାଣ ହେଲା, କେବଳ ବାୟୂ ପ୍ରଦୂଷଣ ଯୋଗୁ ଦେଶରେ ବାର୍ଷିକ ୧୮ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ଦୀପାବଳି ଦିନ ହିଁ ପ୍ରକାଶିତ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ମେଡ଼ିକାଲ ପତ୍ରିକା ‘ଲାନ୍ସେଟ୍’ରେ ଭାରତରେ ବାୟୂ ପ୍ରଦୂଷଣର ଭୟାବହତା ବୟାନ କରୁଥିବା ଏ ତଥ୍ୟ ପ୍ରକାଶ ପାଇଛି। ଅବଶ୍ୟ, ଦେଶରେ ବାୟୁ ପ୍ରଦୂଷଣ ସବୁଠାରୁ ଅଧିକ ଘାତକ ହୋଇଥିଲେ ସୁଦ୍ଧା ଜଳ, ମୃତ୍ତିକା ଆଦି ଅନ୍ୟ ପ୍ରଦୂଷଣର ପ୍ରକୋପ କିଛି କମ୍ ନୁହେଁ। ‘ଲାନ୍ସେଟ୍’ ରିପୋର୍ଟ ଅନୁଯାୟୀ ସାରା ବିଶ୍ୱରେ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା ଯେତେ, ସେଥିରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ। ବିଶ୍ୱରେ ୨୦୧୫ରେ ନିରବ ଘାତକର ରୂପ ନେଇଥିବା ପ୍ରଦୂଷଣର ଶିକାର ହୋଇ ପ୍ରାୟ ୯୦ ଲକ୍ଷଙ୍କ ପ୍ରାଣହାନି ଘଟିଥିଲା। ସେଥିରେ ଭାରତୀୟଙ୍କ ଭାଗ ଥିଲା ୨୮ ପ୍ରତିଶତ ବା ପ୍ରାୟ ୨୫ ଲକ୍ଷ। ଅର୍ଥାତ୍ ଭାରତରେ ପ୍ରତି ଚାରି ଅକାଳ ମୃତ୍ୟୁରେ ଗୋଟିଏ ପ୍ରଦୂଷଣ ଜନିତ। ବାୟୁ ପ୍ରଦୂଷଣର ପ୍ରକୋପ କେବଳ ଭାରତରେ ସର୍ବାଧିକ ନୁହେଁ, ସାମଗ୍ରିକ ଭାବେ ସମଗ୍ର ବିଶ୍ୱରେ ଅନ୍ୟପ୍ରକାର ପ୍ରଦୂଷଣ ଅପେକ୍ଷା ପବନରେ ଜହର ସର୍ବାଧିକ ମାରାତ୍ମକ ଏବଂ ପ୍ରାଣନାଶକ। ବିଶ୍ୱରେ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା ୯୦ ଲକ୍ଷ ହୋଇଥିବା ବେଳେ କେବଳ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା ୬୫ ଲକ୍ଷରୁ ଅଧିକ। ବିଶ୍ୱରେ ହୃଦ୍ରୋଗ, ଯକୃତ କର୍କଟ, ଆଜ୍ମା ଆଦି ଅଣ-ସଂକ୍ରାମକ ରୋଗରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ବାୟୁ ପ୍ରଦୂଷଣ। ଏଠାରେ ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ବିଶ୍ୱରେ ପ୍ରଦୂଷଣ ଯେତିକି ଜୀବନ ନେଉଛି, ହିଂସା, ଯୁଦ୍ଧରେ ବି ସେତିକି ଜୀବନ ହାନି ଘଟୁନାହିଁ। ପ୍ରଦୂଷଣ ବିକାଶ ଓ ଶିଳ୍ପାୟନର ଏକ ପାର୍ଶ୍ୱ ପ୍ରତିକ୍ରିୟା। ସେଥିପାଇର୍ ସମୃଦ୍ଧ ଦେଶଗୁଡ଼ିକ ତୁଳନାରେ ବିକାଶଶୀଳ, ମଧ୍ୟମ ଓ ନିମ୍ନ ଆୟକାରୀ ଦେଶମାନେ ଏହାଦ୍ୱାରା ଅଧିକ ଆକ୍ରାନ୍ତ। ସାରା ବିଶ୍ୱରେ ପ୍ରଦୂଷଣ ଯୋଗୁ ଯେତିକି ମୃତ୍ୟୁ ହେଉଛି, ସେଥିରେ ବିକାଶଶୀଳ ଦେଶମାନଙ୍କ ଭାଗ ୯୨ ପ୍ରତିଶତ। ବାୟୁ, ଜଳ, ମୃତ୍ତିକା ସମେତ ସବୁ ପ୍ରକାର ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଓ ମୃତ୍ୟୁର ବିଶ୍ୱ ଅର୍ଥନୀତି ଉପରେ ବୋଝ ବି କିଛି କମ୍ ନୁହେଁ। ଏକ ଆକଳନ ଅନୁଯାୟୀ, ପ୍ରଦୂଷଣ କାରଣରୁ ବାର୍ଷିକ କ୍ଷତିର ପରିମାଣ ପ୍ରାୟ ୪.୬ ଲକ୍ଷ କୋଟି ଡଲାର, ଯାହା ବିଶ୍ୱ ଜିଡ଼ିପିର ୪.୨ ପ୍ରତିଶତ।
ତେବେ ବିଡ଼ମ୍ବନା ହେଲା, ପ୍ରଦୂଷଣର ପରିଣାମ ମାନବ ସମାଜର ସ୍ୱାସ୍ଥ୍ୟ ପ୍ରତି ଏତେ ଘାତକ ଓ ଅର୍ଥନୀତି ପାଇଁ ଏତେ କ୍ଷତିକାରକ ହୋଇଥିଲେ ସୁଦ୍ଧା, ଏହାର ନିୟନ୍ତ୍ରଣ ତଥା ମୁକାବିଲା ସକାଶେ ଯେତିକି ସଚେତନତା ଓ ତତ୍ପରତା ପ୍ରକାଶ ପାଇବା କଥା ତାହା ଦେଖାଯାଉ ନାହିଁ। ସାଂପ୍ରତିକ ସମୟରେ ମାନବ ସମାଜ ପାଇଁ ସବୁଠାରୁ ବଡ଼ ସମସ୍ୟା କୁହାଯାଉଥିବା ଜଳବାୟୁରେ ପରିବର୍ତ୍ତନର ମୁଖ୍ୟ କାରଣ ପରିବେଶରେ ପ୍ରଦୂଷଣ ଜନିତ ଅସନ୍ତୁଳନ। ଗୋଟିଏ ପକ୍ଷରେ ବିକାଶ ଓ ଶିଳ୍ପାୟନ ନାମରେ ଅବିଚାରିତ ପରିବେଶ ଧ୍ୱଂସ, ପ୍ରାକୃତିକ ସମ୍ପଦର ମାତ୍ରାତିରିକ୍ତ ଉପଯୋଗ। ଅନ୍ୟପକ୍ଷରେ ଶିଳ୍ପାୟନ ଓ ଅର୍ଥନୈତିକ ଅଭିବୃଦ୍ଧିର ସ୍ୱାଭାବିକ ପାର୍ଶ୍ୱ ପ୍ରତିକ୍ରିୟା ସ୍ୱରୂପ ପ୍ରଦୂଷଣ ପରିବେଶର ଭାରସାମ୍ୟକୁ ବିଗାଡ଼ି ପରିସ୍ଥିତିକୁ ଅଧିକ ସଂକଟ ମଧ୍ୟକୁ ଠେଲି ଦେଉଛି। ଅଥଚ, ପରିବେଶରେ ଭାରସାମ୍ୟ ରକ୍ଷା କରି ଜଳବାୟୁ ପରିବର୍ତ୍ତନର ମୁକାବିଲା ସକାଶେ ପଦକ୍ଷେପ ଉପରେ ସହମତି ହୋଇ ପାରୁନାହିଁ। ଏହି କାରଣରୁ ପ୍ୟାରିସ୍ ପରିବେଶ ରାଜିନାମାର ଭବିଷ୍ୟତ ନେଇ ଅନିଶ୍ଚିତତା ଲାଗି ରହିଛି। ଏହା ଅନସ୍ୱୀକାର୍ଯ୍ୟ ଯେ ପ୍ରଦୂଷଣ ଦ୍ୱାରା ସର୍ବାଧିକ ଆକ୍ରାନ୍ତ ବିକାଶଶୀଳ ଦେଶ ସମୂହ ଶିଳ୍ପାୟନ ଓ ଅନ୍ୟ ଅର୍ଥନୈତିକ ଓ ସାମାଜିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାକୁ ବାଧ୍ୟ। ଫଳରେ ପ୍ରାକୃତିକ ସମ୍ପଦ ତଥା ପରିବେଶ ଉପରେ ଚାପ ବୃଦ୍ଧି ପାଇବ। କିନ୍ତୁ ବିକାଶ ଓ ପରିବେଶ ମଧ୍ୟରେ ଭାରସାମ୍ୟ ରକ୍ଷା ଲାଗି ପ୍ରଦୂଷଣ ନିୟନ୍ତ୍ରଣ ଆବଶ୍ୟକ। ଏଥିପାଇଁ ପରିବେଶ ଅନୁକୂଳ ଉନ୍ନତ ସବୁଜ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଦରକାର। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା, ସମୃଦ୍ଧ, ଧନୀ ରାଷ୍ଟ୍ରମାନେ ଏ ପ୍ରକାର ଉନ୍ନତ ସବୁଜ ବୈଷୟିକ ଜ୍ଞାନ କୌଶଳ ତୃତୀୟ ବିଶ୍ୱର ଦେଶଙ୍କୁ ହସ୍ତାନ୍ତର ଲାଗି କୁଣ୍ଠିତ। ଅନ୍ୟପକ୍ଷରେ ପରିବେଶ ସୁରକ୍ଷା ନାମରେ ବିକାଶଶୀଳ ଦେଶ ଗୁଡ଼ିକ ଉପରେ ନିୟନ୍ତ୍ରଣ ଲଦି ଦେବାକୁ ବ୍ୟଗ୍ର। ଏମିତି ଏକପାଖିଆ, ପାତର ଅନ୍ତର ମୂଳକ ମନୋଭାବ ପ୍ରଦୂଷଣ ନିୟନ୍ତ୍ରଣ ତଥା ପରିବେଶର ଭାରସାମ୍ୟ ରକ୍ଷା ଲାଗି ଆଦୌ ଅନୁକୂଳ ନୁହେଁ। ଉନ୍ନତ ଓ ସମୃଦ୍ଧ ଦେଶମାନଙ୍କଠାରୁ ଏ ପ୍ରସଙ୍ଗରେ ଅଧିକ ଉଦାର ଓ କୋହଳ ଆଭିମୁଖ୍ୟ ଆଶା କରାଯାଏ।
ଆମ ଦେଶରେ ମଧ୍ୟ ପ୍ରଦୂଷଣର ଭୟାବହତା ନେଇ ସମସ୍ତେ ଅବଗତ, ଅଥଚ ଏହାର ମୁକାବିଲା ପାଇଁ ସହମତି ହୋଇ ପାରୁନାହିଁ। ଦିଲ୍ଲୀରେ ବାଣ ବିକ୍ରି ଉପରେ ସୁପ୍ରିମ୍ କୋର୍ଟ ନିଷେଧାଦେଶ ଜାରି କଲେ। ନିଃସନ୍ଦେହ, ସୂର୍ଯ୍ୟ ଭଳି ଏକ ସମସ୍ୟା ଆଗରେ ସୁପ୍ରିମ୍ କୋର୍ଟଙ୍କ ନିଷେଧାଦେଶ ଏକ ଖଦ୍ୟୋତ ସଦୃଶ ମାମୁଲି ପଦକ୍ଷେପ। ଏହାର ଯେ ବିଶେଷ କୌଣସି ପ୍ରଭାବ ପଡ଼ିବ ନାହିଁ, ତାହା ମଧ୍ୟ ଜଣାଥିଲା। ତଥାପି, ନିଶ୍ଚିତ ଭାବେ ଏହା ଠିକଣା ଦିଗରେ ଏକ ଠିକଣା ପଦକ୍ଷେପ ଥିଲା। କିନ୍ତୁ ବିଭିନ୍ନ ମହଲରୁ ଏହାର ବିରୋଧ ହେଲା, ଏପରିକି ପ୍ରତିବାଦ ସ୍ୱରୂପ ରାଜଧାନୀରେ ମାଗଣା ବାଣ ବିତରଣ କରାଗଲା। ଏହା ଏକ ଗୁରୁତର ସମସ୍ୟା ନେଇ ବେପରୁଆ ମନୋଭାବର ଦୁଃଖଦ ସୂଚକ। ମନେ ରଖିବାକୁ ହେବ ଯେ, କେବଳ ସରକାରୀ ସ୍ତରରେ ଆଇନ ଓ ନିୟମ ପ୍ରଣୟନ ଭଳି ପଦକ୍ଷେପ ଦ୍ୱାରା ପ୍ରଦୂଷଣର ପ୍ରଭାବଶାଳୀ ମୁକାବିଲା ହୋଇ ପାରିବ ନାହିଁ। ଏଥିପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ଓ ସହଯୋଗମୂଳକ ମନୋଭାବ ଏକାନ୍ତ ଆବଶ୍ୟକ। ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଅନୁଷ୍ଠାନର ଏ କ୍ଷେତ୍ରରେ ଅବଦାନ ରହିବା ଉଚିତ। ଆଇନ ଓ ନିୟମ ଯେତେ କଠୋର ହେଲେ ସୁଦ୍ଧା, ସାଧାରଣ ଜନତାଙ୍କ ସହଯୋଗ ବିନା ତା’ର ଅନୁପାଳନ ସମ୍ଭବ ନୁହେଁ। ପ୍ରଦୂଷଣ ନିୟନ୍ତ୍ରଣ ପ୍ରସଙ୍ଗରେ ସରକାରଙ୍କ ଦାୟିତ୍ୱ ଯେତିକି, ସାଧାରଣ ନାଗରିକଙ୍କ ଦାୟିତ୍ୱ ତା’ଠାରୁ ଅଧିକ।