ବିପଦ ଘଣ୍ଟି

ସୁପ୍ରିମ୍‌ କୋର୍ଟ କଲେଜିୟମ୍‌ଙ୍କ ସୁପାରିସକୁ ଗ୍ରହଣ କରି ବରିଷ୍ଠ ମହିଳା ଓକିଲ ଇନ୍ଦୁ ମାଲହୋତ୍ରାଙ୍କୁ ଉଚ୍ଚତମ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଭାବେ ନିଯୁକ୍ତି ଦେଇ ସରକାର ନିଶ୍ଚୟ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଓକିଲାତିରୁ ସିଧାସଳଖ ସର୍ବୋଚ୍ଚ ଅଦାଲତର ବିଚାରପତି ଭାବେ ଅବସ୍ଥାପିତ ହେବାରେ ମାଲହୋତ୍ରା ହେଉଛନ୍ତି ପ୍ରଥମ ମହିଳା। ଗୋଟିଏ ପକ୍ଷରେ ମାଲହୋତ୍ରାଙ୍କୁ ନିଯୁକ୍ତି ଦେଇ ଏକ ନୂଆ ସୁସ୍ଥ ଧାରାର ସୂତ୍ରପାତ କରିଛନ୍ତି ଅଥଚ ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି କେ.ଏମ୍‌. ଜୋଶେଫଙ୍କ ସୁପ୍ରିମ୍‌ କୋର୍ଟ ବିଚାରପତି ପଦକୁ ପଦୋନ୍ନତି ପାଇଁ କଲେଜିୟମ୍‌ଙ୍କ ସୁପାରିସକୁ ପୁନର୍ବିଚାର ଲାଗି ଫେରାଇ ଦେଇ ସରକାର ଅଯଥା ଏକ ଅସ୍ୱସ୍ତିକର ବିବାଦ ସୃଷ୍ଟି କରିଛନ୍ତି। ଏହି ବିବାଦ ସହ ନ୍ୟାୟପାଳିକାର ସ୍ୱାଧୀନତା ଓ ନିରପେକ୍ଷତା ପ୍ରସଙ୍ଗ ଅତି ଘନିଷ୍ଠ ଭାବେ ଯୋଡ଼ି ହୋଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାଇଁ ବିରୋଧୀ ପକ୍ଷଙ୍କ ନୋଟିସକୁ ଅବାନ୍ତର କହି ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଏହା ଆକ୍ରମଣ ବୋଲି ଅଙ୍ଗୁଳି ଦେଖାଉଥିବା ସରକାର ଖୋଦ ନିଜେ ଏବେ ନ୍ୟାୟମୂର୍ତ୍ତି ଯୋଶେଫଙ୍କ ନିଯୁକ୍ତି ପ୍ରସଙ୍ଗରେ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ପ୍ରହାର କରିଛନ୍ତି। ଯଦି ବିରୋଧୀ ପକ୍ଷଙ୍କ ମହାଭିଯୋଗ ନୋଟିସ ନ୍ୟାୟପାଳିକାର ଚାପ ପକାଇବା ଲାଗି ବ୍ୟବସ୍ଥାପକ ସଭାରେ ଉଦ୍ୟମ ଥିଲା, ତେବେ କଲେଜିୟମ୍‌ ସୁପାରିସ ନାକଚ କରିବା ନ୍ୟାୟପାଳିକାକୁ ବୋଲ ମନାଇବା ଲାଗି କାର୍ଯ୍ୟନିର୍ବାହୀର ଏକ ମସୁଧା।

ଉଚ୍ଚ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କଲେଜିୟମ୍‌ଙ୍କ ସୁପାରିସ ଗ୍ରହଣ କରିବା କିମ୍ବା ନ କରିବା ସଂପୂର୍ଣ୍ଣ ଭାବେ ସରକାରଙ୍କ କ୍ଷମତା ପରିସରଭୁକ୍ତ। ଅବଶ୍ୟ, ସାଧାରଣତଃ, କଲେଜିୟମ୍‌ଙ୍କ ସୁପାରିସକୁ ସରକାର ଗ୍ରହଣ କରିନେବା ଏକ ଧାରା। ତଥାପି ଏଥିରେ ଏକାଧିକ ଥର ବ୍ୟତିକ୍ରମ ଘଟିଛି। ନ୍ୟାୟମୂର୍ତ୍ତି ଯୋଶେଫଙ୍କ ପଦୋନ୍ନତି ସୁପାରିସର ପୁନର୍ବିଚାର ଲାଗି ସରକାର ଫେରାଇଥିବା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏକାଧିକଥର ସୁପ୍ରିମ୍‌ କୋର୍ଟ କଲେଜିୟମ୍‌ଙ୍କ ସୁପାରିସକୁ ଗ୍ରହଣ ନକରି ପୁନର୍ବିଚାର ଲାଗି ସରକାର ଫେରାଇଛନ୍ତି। ତେବେ ଯେଉଁ ସବୁ କାରଣ ଦର୍ଶାଇ ସରକାର ନ୍ୟାୟମୂର୍ତ୍ତି ଯୋଶେଫଙ୍କ ପଦୋନ୍ନତି ଉପରେ ଆପତ୍ତି ଉଠାଇଛନ୍ତି, ତାହା ଆଦୌ ବିବାଦରୁ ଊର୍ଦ୍ଧ୍ୱରେ ନୁହେଁ। ସରକାରଙ୍କ ଆପତ୍ତି ଦୁଇଟି କାରଣ ଉପରେ ଠିଆ ହୋଇଛି। ପ୍ରଥମ, ନ୍ୟାୟମୂର୍ତ୍ତି ଯୋଶେଫଙ୍କ ବରିଷ୍ଠତା ନାହିଁ। ବରିଷ୍ଠତା ତାଲିକାରେ ନ୍ୟାୟମୂର୍ତ୍ତି ଯୋଶେଫଙ୍କ ଉପରେ ଆହୁରି ୪୧ଜଣ ହାଇକୋର୍ଟ ବିଚାରପତି ଅଛନ୍ତି। ସରକାରଙ୍କ ଯୁକ୍ତି ଯେ, ବରିଷ୍ଠତାରେ ୪୨ ନମ୍ବର ନ୍ୟାୟମୂର୍ତ୍ତି ଯୋଶେଫଙ୍କୁ ପଦୋନ୍ନତି ଦିଆଗଲେ ଅନ୍ୟମାନଙ୍କ ପ୍ରତି ଅନ୍ୟାୟ ହେବ। ଦ୍ୱିତୀୟ କାରଣ, ଆଞ୍ଚଳିକ ପ୍ରତିନିଧିତ୍ୱ ଦୃଷ୍ଟିରୁ ନ୍ୟାୟମୂର୍ତ୍ତି ଯୋଶେଫଙ୍କ ନିଯୁକ୍ତି ଭାରସାମ୍ୟ ପ୍ରଭାବିତ କରିବ। ନ୍ୟାୟମୂର୍ତ୍ତି ଯୋଶେଫ ମୂଳତଃ ବିଚାରପତି ଭାବେ ନିଯୁକ୍ତି ପାଇଥିବା କେରଳ ହାଇକୋର୍ଟର ବର୍ତ୍ତମାନ ସୁପ୍ରିମ୍‌ କୋର୍ଟ ବିଚାରପତି ମଣ୍ଡଳୀର ପ୍ରତିନିଧିତ୍ୱ ରହିଛି। ନ୍ୟାୟମୂର୍ତ୍ତି ଯୋଶେଫ ସୁପ୍ରିମ୍‌ କୋର୍ଟକୁ ଆସିଲେ କେରଳର ପ୍ରତିନିିଧିତ୍ୱ ଅନୁପାତଠାରୁ ଅଧିକ ହେବ, ଯାହାଦ୍ୱାରା ଆଞ୍ଚଳିକ ଭାରସାମ୍ୟ ପ୍ରଭାବିତ ହୋଇପାରେ।

ତେବେ ସରକାର ଯେଉଁ ଦୁଇଟି ମାପକାଠିରେ ନ୍ୟାୟମୂର୍ତ୍ତି ଯୋଶେଫଙ୍କ ପଦୋନ୍ନତିର ବାଟ ଓଗାଳିିଛନ୍ତି, ତାହା ଅତ୍ୟନ୍ତ ଦୁର୍ବଳ, ଅଯୌକ୍ତିକ। ଏହା ସ୍ୱତଃ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଉଛି। ବିଚାରପତି ନିଯୁକ୍ତିରେ ବରିଷ୍ଠତାକୁ ଏକମାତ୍ର ମାପକାଠି ଭାବେ ଗ୍ରହଣ କରାଯାଇନାହିଁ। ପୂର୍ବରୁ ଅନେକ ଥର ବରିଷ୍ଠତାକୁ ଅଣଦେଖା କରି ‘ଯୋଗ୍ୟତା’କୁ ପ୍ରାଧାନ୍ୟ ଦିଆଯାଇଛି। ସୁପ୍ରିମ୍‌ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଥିବା ନ୍ୟାୟମୂର୍ତ୍ତି ରଞ୍ଜନ ଗଗୋଇ ବରିଷ୍ଠତା ତାଲିକାରେ ତାଙ୍କ ଠାରୁ ଉପରେ ଥିବା ଅନେକ ବରିଷ୍ଠଙ୍କୁ ଟପି ଉଚ୍ଚତମ ନ୍ୟାୟାଳୟର ବିଚାରପତି ହୋଇଥିଲେ। ନ୍ୟାୟମୂର୍ତ୍ତି ମୋହନ ଏମ୍‌. ସନ୍ଥନାଗୈଦାର ଓ ନ୍ୟାୟମୂର୍ତ୍ତି ଅବଦୁଲ ନଦିର ସେମାନଙ୍କ ଠାରୁ ୨୦ ଜଣ ବରିଷ୍ଠ ବିଚାରପତିଙ୍କୁ ‘ସୁପରସିଡ୍‌’ କରି ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଅନେକ ନିଯୁକ୍ତି ଓ ପଦୋନ୍ନତିରେ ବରିଷ୍ଠତା ପରିବର୍ତ୍ତେ ଯୋଗ୍ୟତାକୁ ମାପକାଠି କରାଯାଇଥିବା ବେଳେ ନ୍ୟାୟମୂର୍ତ୍ତି ଯୋଶେଫଙ୍କ ବେଳକୁ ସେଥିରେ ବ୍ୟତିକ୍ରମ କାହିଁକି? ପୁଣି ସୁପ୍ରିମ୍‌ କୋର୍ଟ କଲେଜିୟମ୍‌ ତାଙ୍କ ସୁପାରିସରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ ନ୍ୟାୟମୂର୍ତ୍ତି ଯୋଶେଫ ସୁପ୍ରିମ୍‌ କୋର୍ଟ ବିଚାରପତି ହେବା ଲାଗି ସବୁ ଦୃଷ୍ଟିରୁ ଅଧିକ ଯୋଗ୍ୟ। ଅର୍ଥାତ୍‌ କଲେଜିୟମ୍‌ ବରିଷ୍ଠତାକୁ ନୁହେଁ, ବରଂ ଯୋଗ୍ୟତାକୁ ପ୍ରାଧାନ୍ୟ ଦେଇଥିଲେ। ପୁଣି ଆଞ୍ଚଳିକ ପ୍ରତିନିଧିତ୍ୱରେ ସନ୍ତୁଳନ ବିଷୟ ଯାହା ଉଠାଯାଇଛି ତାହା ଏକ ଆଳ ମାତ୍ର। କେରଳରୁ ବର୍ତ୍ତମାନ ଏକମାତ୍ର ସୁପ୍ରିମ୍‌ କୋର୍ଟ ବିଚାରପତି ହେଲେ ନ୍ୟାୟମୂର୍ତ୍ତି କୁରିଏନ୍‌ ଯୋଶେଫ। ନ୍ୟାୟମୂର୍ତ୍ତି କେ.ଏମ୍‌ ଯୋଶେଫ ନିଯୁକ୍ତି ପାଇଥିଲେ ସୁପ୍ରିମ୍‌ କୋର୍ଟର କେରଳର ପ୍ରତିନିଧିତ୍ୱ ଦୁଇକୁ ବୃଦ୍ଧି ପାଇଥାନ୍ତା। ଏହା ଆଦୌ ସନ୍ତୁଳନକୁ ପ୍ରଭାବିତ କରିନଥାନ୍ତା, ଏଥିପାଇଁ ଯେ, ବର୍ତ୍ତମାନ ଛଅଟି ହାଇକୋର୍ଟର ଦୁଇଜଣ ଲେଖା ବିଚାରପତି ସୁପ୍ରିମ୍‌କୋର୍ଟରେ ନ୍ୟାୟମୂର୍ତ୍ତି ଅଛନ୍ତି। ବମ୍ବେ ହାଇକୋର୍ଟର ତ ତିନିଜଣ ପୂର୍ବତନ ବିଚାରପତି ଏବେ ସୁପ୍ରିମ୍‌କୋର୍ଟରେ କାର୍ଯ୍ୟରତ। ଏଥିରେ ଯଦି ସନ୍ତୁଳନ ପ୍ରଭାବିତ ହେଉନାହିଁ, ତେବେ କେରଳରୁ ଦୁଇଜଣ ବିଚାରପତି ହୋଇଥିଲେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଭାରସାମ୍ୟ କେମିତି ପ୍ରଭାବିତ ହୋଇଥାନ୍ତା?

ସରକାର ଯେଉଁ ଦୁଇଟି ଯୁକ୍ତି ଦର୍ଶାଇ ନ୍ୟାୟମୂର୍ତ୍ତି ଯୋଶେଫଙ୍କ ପଦୋନ୍ନତିକୁ ରୋକିଛନ୍ତି ତାହା ଅବାନ୍ତର ଓ ମନଗଢ଼ା ତେବେ ବରିଷ୍ଠତା ଓ ଆଞ୍ଚଳିକ ପ୍ରତିନିଧିତ୍ୱର ଆଢ଼ୁଆଳରେ ନ୍ୟାୟମୂର୍ତ୍ତି ଯୋଶେଫଙ୍କ ପଦୋନ୍ନତିକୁ ରୋକିବା ପଛର ଯେଉଁ ପ୍ରକୃତ କାରଣଟିକୁ ସରକାର ଯେତେ ଲୁଚାଇଲେ ସୁଦ୍ଧା ଲୁଚି ପାରୁନାହିଁ, ତା’ ହେଲା ନ୍ୟାୟମୂର୍ତ୍ତି ଯୋଶେଫଙ୍କ କେତେକ ନିଷ୍ପତ୍ତି ବର୍ତ୍ତମାନର ସରକାରଙ୍କୁ ଅକଳିଆରେ ପକାଇବା ସହ କ୍ଷମତାସୀନ ଦଳର ସ୍ୱାର୍ଥ ବିରୋଧରେ ଯାଇଛି। ଉତ୍ତରାଖଣ୍ଡରେ ସଂଖ୍ୟା ଗରିଷ୍ଠ କଂଗ୍ରେସ ସରକାରଙ୍କୁ ବରଖାସ୍ତ ଏବଂ ରାଷ୍ଟ୍ରପତି ଶାସନ ଜାରି ନିଷ୍ପତ୍ତିକୁ ହାଇକୋର୍ଟ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଯୋଶେଫ ଖାରଜ କରି ଦେଇଥିଲେ। ଏହି ରାୟ ବଳରେ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ଵତଙ୍କ କଂଗ୍ରେସ ସରକାର ପୁନଃଅବସ୍ଥାପିତ କରାଇଥିଲା। ଏ ପୃଷ୍ଠଭୂମିରେ ନ୍ୟାୟମୂର୍ତ୍ତି ଯୋଶେଫଙ୍କ ପଦୋନ୍ନତି ନେଇ କଲେଜିୟମଙ୍କ ସୁପାରିସ ଉପରେ ସରକାରଙ୍କ ବିରୋଧାତ୍ମକ ମତରେ ଆକ୍ରୋଶର ଗନ୍ଧ ବାହାରୁଛି। ଔଷଧ ବିକଳରେ ଏହା ତାଟିଆ କାମୁଡ଼ା। ଏ ଅସହିଷ୍ଣୁତା ନ୍ୟାୟପାଳିକାର ସ୍ୱାଧୀନତା ଓ ନିରପେକ୍ଷତା ପ୍ରତି ବିପଦ।

ସରକାରଙ୍କ ନିଷ୍ପତ୍ତି ସହ କେବଳ ଜଣେ ବିଚାରପତିଙ୍କ ନିଯୁକ୍ତି କିମ୍ବା ପଦୋନ୍ନତି ଯୋଡ଼ି ହୋଇ ନାହିଁ। ଏହା ସହିତ ଯୋଡ଼ି ହୋଇଛି ନ୍ୟାୟପାଳିକାର ସ୍ୱାଧୀନତା ଓ ନିରପେକ୍ଷତା, ଅନୁଷ୍ଠାନର ମର୍ଯ୍ୟାଦା। ପ୍ରଶ୍ନ ଉଠୁଛି ଉଚ୍ଚ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କାହାର ନିଷ୍ପତ୍ତି ଚୂଡ଼ାନ୍ତ? ସୁପ୍ରିମ୍‌କୋର୍ଟ କଲେଜିୟମ୍‌ଙ୍କ ନା ସରକାରଙ୍କ? ଏଥିରେ କୌଣସି ସନ୍ଦେହ ନାହିଁ ଯେ, ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କଲେଜିୟମ୍‌ର କାର୍ଯ୍ୟଧାରାରେ ଅଧିକ ସ୍ୱଚ୍ଛତା ଓ ସଂସ୍କାରର ଆବଶ୍ୟକତା ରହିଛି। କିନ୍ତୁ ଯଦି ଏହାକୁ ଆଳ କରି ସରକାର ସମ୍ପୂର୍ଣ୍ଣ ଭାବେ ବିଚାରପତି ନିଯୁକ୍ତି କ୍ଷମତାକୁ ଅପହରଣ କରି ନିଅନ୍ତି, ତେବେ ନ୍ୟାୟପାଳିକାର ସ୍ୱାଧୀନତା ଓ ନିରପେକ୍ଷତା ଅକ୍ଷୁଣ୍ଣ ରହିବ କେମିତି? ସଂଖ୍ୟାଗରିଷ୍ଠ ମାମଲାରେ ସରକାର ନିଜେ ବାଦୀ କିମ୍ବା ପ୍ରତିବାଦୀ ଭାବେ ପକ୍ଷଭୁକ୍ତ। ତେଣୁ ବିଚାରପତି ନିଯୁକ୍ତିରେ ସରକାରଙ୍କ ନିରଙ୍କୁଶତାକୁ ବରଦାସ୍ତ କରାଯାଇ ନପାରେ। କେବଳ ଗଣତନ୍ତ୍ର ପାଇଁ ନୁହେଁ, ଗୋଟିଏ ରାଷ୍ଟ୍ର ତଥା ଶାସନ ବ୍ୟବସ୍ଥାର ସଫଳତା ପାଇଁ ନ୍ୟାୟପାଳିକାର ସ୍ୱାଧୀନତା ଏକାନ୍ତ ଅନିବାର୍ଯ୍ୟ। କିନ୍ତୁ ଆମ ଭାରତର ସଂସଦୀୟ ଗଣତରନ୍ତ୍ରିକ ବ୍ୟବସ୍ଥାର ବିଡ଼ମ୍ବନା ହେଲା ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଆକ୍ରମଣର ବାରମ୍ବାର ଉଦ୍ୟମ ହେଉଛି। ସଂପ୍ରତି ନ୍ୟାପାଳିକାର ସ୍ୱାଧୀନତା ବହୁମାତ୍ରାରେ ଚାପଗ୍ରସ୍ତ। ଅନେକ ପ୍ରସଙ୍ଗରେ ନ୍ୟାୟପାଳିକା ଓ କାର୍ଯ୍ୟନିର୍ବାହୀ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଏତିକି ବେଳେ ଗତ କିଛି ଦିନର ଘଟଣାକ୍ରମ ନ୍ୟାୟପାଳିକାକୁ ଏତେ ଦୁର୍ବଳ କରିଦେଇଛି ଯେ ସେଥିରେ କାର୍ଯ୍ୟନିର୍ବାହୀ ପ୍ରାଧାନ୍ୟ ସାବ୍ୟସ୍ତ ଲାଗି ସୁଯୋଗ ପାଇଛି। ନ୍ୟାୟମୂର୍ତ୍ତି ଯୋଶେଫଙ୍କ ପଦୋନ୍ନତି ସୁପାରିସକୁ ଫେରାଇବା ତା’ର ସଦ୍ୟତମ ପରିଣାମ। ବିଚାରପତି ନିଯୁକ୍ତି ସଂକ୍ରାନ୍ତ ପଦ୍ଧତି (ଏମ୍‌ଓପି)ରେ ସଂଶୋଧନ ଲାଗି କଲେଜିୟମ୍‌ଙ୍କ ସୁପାରିସ ଉପରେ କେନ୍ଦ୍ର ସରକାର ବସି ରହିଛନ୍ତି। ନ୍ୟାୟପାଳିକା ଓ କାର୍ଯ୍ୟନିର୍ବାହୀ ମଧ୍ୟରେ ମୁକାବିଲା ମୂଳକ ପରିସ୍ଥିତି ଯଦି ଜାରି ରହେ କିମ୍ବା ନ୍ୟାୟପାଳିକା ଚାପରେ ରହନ୍ତି, ତେବେ ନ୍ୟାୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ଓ ଶାସନ ବ୍ୟବସ୍ଥାରେ ଭାରସାମ୍ୟ ବିଗିଡ଼ିଯିବ। ଏ ପରିପ୍ରେକ୍ଷୀରେ ମହାଭିଯୋଗ ନୋଟିସ ଏବଂ ନ୍ୟାୟମୂର୍ତ୍ତି ଯୋଶେଫଙ୍କ ପଦୋନ୍ନତି ପ୍ରସଙ୍ଗରେ ସରକାରଙ୍କ ନକରାତ୍ମକ ଆଭିମୁଖ୍ୟ ନ୍ୟାୟପାଳିକାର ସ୍ୱାଧୀନତା ପ୍ରତି ବିପଦର ବାଦଲ ଅଧିକ ଘନୀଭୂତ ହେଉଥିବାର ସତର୍କ ଘଣ୍ଟି ସଦୃଶ।

ସମ୍ବନ୍ଧିତ ଖବର