ବଳ କଷାକଷି!

0 131

ଗଲା ଶୁକ୍ରବାର ଦିନ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲାର ବିଚାର ଚାଲିଥିବା ବେଳେ ସରକାର ଏବଂ ନ୍ୟାୟପାଳିକା ଭିତରେ ଏକ ବାକ୍‌ ଯୁଦ୍ଧର ସ୍ଥିତି ଉପୁଜିଲା। ମଦନ ବି ଲକୁର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ସୁପ୍ରିମ କୋଟ୍‌ର୍ର ଦୁଇ ଜଣିଆ ଖଣ୍ଡପୀଠ ଯେତେବେଳେ ସରକାରଙ୍କ ଉପରେ ଦୋଷାରୋପ କଲେ ଯେ ଉଚ୍ଚ ଅଦାଲତମାନଙ୍କରେ ଅସଂଖ୍ୟ ବିଚାରପତି ପଦ ଖାଲି ପଡ଼ିଥିବା ବେଳେ ସେଗୁଡ଼ିକର ପୂରଣ ଦିଗରେ ସରକାର ଚେଷ୍ଟା ନ କରି ‘କଲେଜିଅମ’ର ସୁପାରିସକୁ ଚାପି ଦେଉଛନ୍ତି, ସେତିକି ବେଳେ ଆଟର୍ନି ଜେନେରାଲ କେ ବେଣୁଗୋପାଳ କହିଲେ ଯେ ଯଦି ଏମିତି କଥା, ତେବେ ଏତେ ବିଚାରପତି ପଦ ଖାଲି ପଡ଼ିଥିବା ବେଳେ ‘କଲେଜିଅମ’ କାହିଁକି ଦୁଇ ତିନିଟି ନାମ ସୁପାରିସ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଯେଉଁ ମାମଲାର ଶୁଣାଣି ବେଳେ ଏହା ଘଟିଲା, ସେ ମାମଲାଟି ଥିଲା ମଣିପୁରର ଏବଂ ମଣିପୁରର ଉଚ୍ଚ ଅଦାଲତରେ ମାତ୍ର ଦୁଇ ଜଣ ବିଚାରପତି ଥିବାରୁ ଆବେଦନକାରୀ ତାଙ୍କ ମାମଲାକୁ ଆସାମ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଉ ବୋଲି ପ୍ରାର୍ଥନା କରିଥିଲେ।

ତେବେ, ସେ ଯାହା ହେଉ, ଏ ସଂଦର୍ଭରେ ମଞ୍ଜି କଥାଟି ହେଉଛି, ଦେଶର ଅଦାଲତଗୁଡ଼ିକରେ ଅସଂଖ୍ୟ ବିଚାରପତି ପଦ ଖାଲି ପଡ଼ିଛି, ବିଚାର ପାଇଁ ଅପେକ୍ଷା କରିଥିବା ମାମଲାଗୁଡ଼ିକର ହିମାଳୟଟିଏ ସୃଷ୍ଟି ହେଲାଣି, ନ୍ୟାୟ ପାଇବାରେ ବିଳମ୍ବ ହେତୁ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି, ଅଦାଲତକୁ ଗଲେ ନ୍ୟାୟ ମିଳିବ ବୋଲି ଭରସା ଥିଲେ ବି କେବେ ମିଳିବ ତା’ ଉପରେ ଭରସା ନ ଥିବାରୁ ନ୍ୟାୟ ପ୍ରଦାନର ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କର ଆସ୍ଥା ତୁଟୁଛି, ଅଥଚ ପଦ ପୂରଣ କରିବାର ପ୍ରକରଣ, ସରକାର ଏବଂ ନ୍ୟାୟପାଳିକା ଭିତରେ ଅହମିକାର ସଂଘାତ ହେତୁ ଦେଶର ଗଣତନ୍ତ୍ରର ଗୋଟିଏ ପାଖ ପକ୍ଷାଘାତରେ ଆକ୍ରାନ୍ତ ହେବାକୁ ବସିଲାଣି।

ସମ୍ବିଧାନ ପ୍ରଣୀତ ହେବା ଦିନ ଠାରୁ ଏ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗ ନେଇ ଶୀର୍ଷ ସ୍ତରରେ ମତାନୈକ୍ୟ ଦେଖା ଦେଇ ଆସିଛି। ପ୍ରଥମେ ବ୍ୟବସ୍ଥା ଥିଲା ଯେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ପରାମର୍ଶରେ ରାଷ୍ଟ୍ରପତି ବିଚାରପତିମାନଙ୍କୁ ନିଯୁକ୍ତ କରିବେ। କିନ୍ତୁ ରାଷ୍ଟ୍ରପତିଙ୍କ ରାଜନୈତିକ ସଂପୃକ୍ତି ହେତୁ ତଥା ପ୍ରଧାନ ବିଚାରପତିଙ୍କ ଏକଚାଟିଆ ପରାମର୍ଶ ଉପରେ ସନ୍ଦେହ ପ୍ରକଟ କରାଯିବାରୁ ୧୯୮୨ରେ ସର୍ବୋଚ୍ଚ ଅଦାଲତ ସ୍ଥିର କଲେ ଯେ ଦୁଇ ବରିଷ୍ଠତମ ବିଚାରପତିଙ୍କୁ ପରାମର୍ଶ କରି ମୁଖ୍ୟ ବିଚାରପତି ଭାବୀ ବିଚାରପତିମାନଙ୍କ ନାମ ସୁପାରିସ କରିବେ। ତା’ ପରେ ଏଗାର ବର୍ଷ ବାଦ ୧୯୯୩ରେ ପୁଣି ସ୍ଥିର କରାଗଲା ଯେ ଦୁଇ ଜଣ ନୁହେଁ, ଚାରିଜଣ ବରିଷ୍ଠ ବିଚାରପତିଙ୍କ ପରାମର୍ଶରେ ନାମ ସୁପାରିସ କରାଯିବ। ତାହା ହିଁ ହେଲା ଏବଂ ମୁଖ୍ୟ ବିଚାରପତିଙ୍କୁ ମିଶାଇ ଏହି ପାଞ୍ଚ ଜଣିଆ ଦଳକୁ ‘କଲେଜିଅମ’ କୁହାଗଲା; ସେଇ ବ୍ୟବସ୍ଥା ଏ ଯାବତ୍‌ ପ୍ରଚଳିତ ଅଛି। ଯଦିଓ ଏବର ଏନ୍‌ଡିଏ ସରକାର ବିଚାରପତି ଚୟନକୁ ଏନ୍‌ଜେଏସି ନାମକ ଏକ କମିସନ ଜରିଆରେ କରାଯିବ ବୋଲି ସ୍ଥିର କରିଥିଲେ, ସର୍ବୋଚ୍ଚ ଅଦାଲତ ତାକୁ ସଂପୂର୍ଣ୍ଣ ଭାବେ ଖାରଜ କରିଦେଇଥିଲେ।

ବିଚାରପତି ନିଯୁକ୍ତି ପ୍ରକ୍ରିୟାର ବିବର୍ତ୍ତନରୁ ଗୋଟିଏ କଥା ସ୍ପଷ୍ଟ ଯେ ଯୋଗ୍ୟତମ ବ୍ୟକ୍ତିଙ୍କୁ ବିଚାରପତି କରିବା ଲାଗି ଉଦ୍ୟମ ଚାଲିଛିି। କିନ୍ତୁ ପ୍ରଚ୍ଛଦପଟରେ ଚାଲିଛି ସରକାର ଏବଂ ନ୍ୟାୟପାଳିକାଙ୍କ ଭିତରେ ବଳ କଷାକଷି। ନିକଟରେ ସୁପ୍ରିମ କୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଲାଗି ‘କଲେଜିଅମ’ ଦ୍ୱାରା ମନୋନୀତ ପ୍ରାର୍ଥୀ କେ ଯୋଶେଫଙ୍କ ଫାଇଲକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପ୍ରାୟ ତିନି ମାସ ଧରି ଚାପି ରଖିବା ପରେ ଆପତ୍ତି ଉଠାଇ ପୁନର୍ବିଚାର ଲାଗି ତାକୁ ପୁଣି ସର୍ବୋଚ୍ଚ ଅଦାଲତଙ୍କ ପାଖକୁ ଫେରାଇ ଦେଲା। ଏଥି ଲାଗି ସରକାର କାରଣ ଦେଖାଇଲେ ଯେ ବରିଷ୍ଠତର ବିଚାରପତିମାନଙ୍କୁ ଅତିକ୍ରମ କରାଇ ନ୍ୟାୟମୂର୍ତ୍ତି ଯୋଶେଫଙ୍କୁ ଅଣାଯାଇଛି। କିନ୍ତୁ ଅନେକ ନଜିର ଅଛି ଯେତେବେଳେ ବିଚାରପତି ନିଯୁକ୍ତିରେ ଯୋଗ୍ୟତା ବନାମ ବରିଷ୍ଠତାରେ ଯୋଗ୍ୟମାନେ ବରିଷ୍ଠଙ୍କୁ ଅତିିକ୍ରମ କରିଛନ୍ତି। ତେବେ ଯୋଶେଫଙ୍କ ନିଯୁକ୍ତି ଉପରେ ସରକାରଙ୍କ ଆପତ୍ତି ଉଠିଲା କାହିଁକି? ଅନୁମାନ କରାଯାଏ, ୨୦୧୬ରେ ଉତ୍ତରାଖଣ୍ଡରେ ଗାଦିନସୀନ କଂଗ୍ରେସ ସରକାରକୁ ଅନ୍ୟାୟୋଚିତ ଭାବେ ବରଖାସ୍ତ କରାଯିବା ବିରୁଦ୍ଧରେ ଯୋଶେଫଙ୍କ ରାୟ ଥିଲା କେନ୍ଦ୍ରର ଏନ୍‌ଡିଏ ସରକାର ଲାଗି ଏକ ବଡ଼ ଝଟକା। ସୁତରାଂ, ବିଚାରପତି ନିଯୁକ୍ତିରେ ସରକାରଙ୍କ ଏ ଆପତ୍ତି(ହସ୍ତକ୍ଷେପ)ରୁ ପ୍ରତିଶୋଧ ପରାୟଣତାର ଆଭାସ ମିଳୁନାହିଁ କି?

ଏଣେ ବସ୍ତୁ ସ୍ଥିତି ଯାହା, ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ବିଚାରପତିମାନଙ୍କ ନିଯୁକ୍ତିକୁ ଖୁବ୍‌ ତ୍ୱରାନ୍ଵିତ କରିବା। ଆମ ଦେଶର କେବଳ ଉଚ୍ଚ ଅଦାଲତଗୁଡ଼ିକରେ ଏବେ ପ୍ରାୟ ୩୭ ପ୍ରତିଶତ ବିଚାରପତିଙ୍କ ପଦ ଖାଲି ପଡ଼ିଛି ଓ ୪.୨ ନିୟୁତ ମାମଲା ବିଚାର ଲାଗି ଅପେକ୍ଷା କରି ପଡ଼ି ରହିଛି। ଏଣୁ ପ୍ରଶ୍ନ ଉଠୁଛି, ଆମ ଗଣତନ୍ତ୍ରର ଦୁଇ ପ୍ରମୁଖ ସ୍ତମ୍ଭ ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ଏ ଉଦ୍‌ବେଗଜନକ ସ୍ଥିତିକୁ ନଜରଅନ୍ଦାଜ କରି ପରସ୍ପର ଭିତରେ ନିଷ୍ଫଳ ବଳ କଷାକଷିରେ ନିମଗ୍ନ ରହିପାରିବେ କି? ଦ୍ରୁତ ଗତିରେ ବଢ଼ି ଚାଲିଥିବା ମାମଲାର ଚାପରେ ନ୍ୟାୟ ବ୍ୟବସ୍ଥା ଧସିଯିବ ନାହିଁ ତ? ବିଚାର ଲାଗି ଅପେକ୍ଷା କରିଥିବା ବନ୍ଦୀମାନଙ୍କ ସଂଖ୍ୟାର ଚାପରେ ଆମ ଜେଲ ବ୍ୟବସ୍ଥା ଅଚଳ ହୋଇଯିବ ନାହିଁ ତ? ଜମିବାଡ଼ି ମାମଲାରେ ନିଶାପକୁ ଅପେକ୍ଷା କରି ରହିଥିବା ଅଗଣିତ ଲୋକେ କ’ଣ ଜୀବଦ୍ଦଶାରେ ନ୍ୟାୟ ପାଇପାରିବେ ନାହିଁ?

ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ଦୁଇ ଧାଡ଼ିର କାହାଣୀଟିଏ। ଯେତେବେଳେ ରାଜା ମୁଲ୍ଲାଙ୍କୁ ବିଚାରପତି ଭାବେ ନିଯୁକ୍ତ କଲେ ମୁଲ୍ଲା ମନା କଲେ। ରାଜା ଚକିତ ହୋଇ କାରଣ କ’ଣ ବୋଲି ଜାଣିବାକୁ ଚାହିଁବାରୁ ମୁଲ୍ଲା କହିଲେ- ମହାରାଜ, ଆପଣ ଯଦି ମୋତେ ବାଛିବେ, ତେବେ ସମସ୍ୟା ହେଲା ଦରକାର ପଡ଼ିଲେ ମୁଁ ଆପଣଙ୍କ ବିଚାର ଠିକଣା ଭାବେ କରିପାରିବି ତ? ଏହି ଛୋଟ ସୁଫି କାହାଣୀରେ ଯେଉଁ କଥାଟିକୁ ଇଙ୍ଗିତ ମାଧ୍ୟମରେ କୁହାଯାଇଛି ତାହା ହେଲା ବିଚାରକ ଶାସକର ବଶମ୍ବଦ ହେଲେ ଚଳିବ ନାହିଁ। ଆଜି ଭାରତର ଅଦାଲତରେ ଯେତେ ସଂଖ୍ୟକ ମାମଲା ରହିଛି ସେଥିରୁ ଅଧିକାଂଶ ମାମଲାରେ ସରକାର ହେଉଛନ୍ତି ପକ୍ଷଭୁକ୍ତ। ତା’ ଛଡ଼ା ଅଦାଲତ ଜରିଆରେ ସରକାର କିଛି ନୀତି ପ୍ରବର୍ତ୍ତନ କରିବାକୁ ଚାହୁଁଥିବାରୁ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ କରାୟତ୍ତ କରିବା ଲାଗି ଉଦ୍ୟମ ହେଉଛି। ନିକଟରେ ଘଟିଯାଇଥିବା ବିଭିନ୍ନ ଘଟଣାକ୍ରମରୁ ଯଦିଓ ଧାରଣା ହେଉଛି ଯେ ଏହି ଏନ୍‌ଡିଏ ସରକାର ଅମଳରେ ନ୍ୟାୟପାଳିକାର କାର୍ଯ୍ୟରେ ସରକାରୀ ହସ୍ତକ୍ଷେପ ଅଧିକ ହେଉଛି। ବାସ୍ତବତା ହେଲା, ପୂର୍ବର ଉପା ସରକାର ଅମଳରେ ମଧ୍ୟ ଏଭଳି ଚାଲିଥିଲା। ସମ୍ବିଧାନ ପ୍ରଣୟନ ହେବା ଦିନ ଠାରୁ ବିଚାରପତି ନିଯୁକ୍ତିକୁ ନେଇ ଚାରି ଚାରି ଥର ନିୟମରେ ଅଦଳବଦଳ କରାଯାଇଥିବା ସତ୍ତ୍ୱେ ଅଡୁଆ ତୁଟୁ ନାହିଁ। କିନ୍ତୁ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ସାଧାରଣ ନାଗରିକ ଏବଂ ଭାରତୀୟ ଗଣତନ୍ତ୍ର। ପିଲା ଦିନର ଗପରେ ପଢିଥିଲେ ଯେ ଚଷମା ପିନ୍ଧିବା ଲାଗି ନାକର ଗୁରୁତ୍ୱ ଅଧିକ ନା କାନର; ଏହି କନ୍ଦଳ ହେତୁ ଆଖି ବିଚରା ଚଷମା ପାଇପାରିଲା ନାହିଁ। ତେଣୁ ଏଭଳି ପରିସ୍ଥିତି ନ ହେଉ। ନାଗରିକ, ରାଷ୍ଟ୍ର ଓ ଗଣତନ୍ତ୍ରର ମଙ୍ଗଳ ଲାଗି ଯେଉଁ ବିଚାରଶୀଳତା ଦରକାର ତାହା ଉଭୟ ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ପ୍ରଦର୍ଶନ କରନ୍ତୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.