ଉଜ୍ଜ୍ୱଳ ଦୀପକ

0 96

ଭାରତର ସର୍ବୋଚ୍ଚ ନ୍ୟାୟପାଳିକାର ସର୍ବୋଚ୍ଚ ବିଚାରପତିଙ୍କୁ ବହିଷ୍କାର କରାଯିବା ଷଡ଼୍‍ଯନ୍ତ୍ରରେ ମଙ୍ଗଳବାର ଦିନ ଯବନିକା ପଡ଼ି ସାରା ଦେଶବାସୀଙ୍କୁ ଆଶ୍ୱସ୍ତ କରିଛି। ଏହି ଷଡ଼୍‍ଯନ୍ତ୍ର ନାଟକ ଶେଷରେ ନାଟକର ଚରିତ୍ରମାନଙ୍କ ମଧ୍ୟରୁ ଜଣେ ନିଃସନ୍ଦେହରେ ନାୟକ ଏବଂ ଆଉ ଜଣେ ନିଃସନ୍ଦେହରେ ଖଳନାୟକ ରୂପେ ଆବିର୍ଭୂତ ହୋଇଛନ୍ତି। ନାୟକ ରୂପେ ଯିଏ ପ୍ରଶଂସାର ଅଧିକାରୀ ହୋଇଛନ୍ତି, ସେ ହେଲେ ମୁଖ୍ୟ ବିଚାରପତି ଦୀପକ ମିଶ୍ର, ଆଉ ଖଳନାୟକ ରୂପେ ଯିଏ ବର୍ତ୍ତମାନ କୁଖ୍ୟାତି ଅର୍ଜନ କରିଛନ୍ତି ସେ ହେଲେ କଂଗ୍ରେସ ନେତା ଓ ଓକିଲ କପିଲ ଶିବଲ।
ଏହି ନାଟକର ଶେଷ ଦୃଶ୍ୟ ଅଭିନୀତ ହୋଇଥିଲା ମଙ୍ଗଳବାର ଦିନ ସୁପ୍ରିମ୍‌ କୋର୍ଟରେ ଏକ ପାଞ୍ଚଜଣିଆ ବେଞ୍ଚ୍‌ ସମ୍ମୁଖରେ ୪୫ ମିନିଟ୍‌ ଧରି ଅନୁଷ୍ଠିତ ଏକ ଶୁଣାଣି ଆକାରରେ। କପିଲ ଶିବଲ ଓ ତାଙ୍କର ଦୁଇ ଆବେଦନକାରୀ ମହକିଲ କଂଗ୍ରେସର ଦୁଇ ସାଂସଦ ପ୍ରତାପ ସିଂହ ବାଜ୍‌ଓ୍ଵା ଓ ଆମି ହର୍ଷଦିୟା ଉପରୋକ୍ତ ପାଞ୍ଚଜଣିଆ ବେଞ୍ଚ୍‌ରେ ଉପବିଷ୍ଟ ସଦସ୍ୟମାନଙ୍କୁ ନେଇ ଯେ ସନ୍ତୁଷ୍ଟ ନଥିଲେ ତାହା ଶିବଲଙ୍କ ଯୁକ୍ତିରୁ ସ୍ପଷ୍ଟ ହୋଇଥିଲା। ନଚେତ୍‌ ସେ ମାନ୍ୟବର ବିଚାରପତିମାନଙ୍କ ସମ୍ମୁଖରେ ମାମଲା ସମ୍ପର୍କିତ ଯୁକ୍ତି ଉପସ୍ଥାପିତ ନକରି, ସେ ବେଞ୍ଚ୍‌ର ଗଠନ ପ୍ରଣାଳୀ ସମ୍ବନ୍ଧରେ ନିଜର ସମସ୍ତ ଯୁକ୍ତି କାହିଁକି କେନ୍ଦ୍ରୀଭୂତ କରିଥାନ୍ତେ? ସତେ ଯେମିତି ଓକିଲଙ୍କ ପସନ୍ଦ ଅନୁସାରେ ବେଞ୍ଚ୍‌ ଗଠିତ ହୁଅନ୍ତା, ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ନୁହେଁ। ଶିବଲଙ୍କ ଆବେଦନର ସାରବତ୍ତା ଉପରେ ଦୃଷ୍ଟି ନିକ୍ଷେପ କରିବା ପୂର୍ବରୁ ଏହି ବେଞ୍ଚ୍‌ ଗଠନର ଯୌକ୍ତିକତା ପରୀକ୍ଷା କରି ଦେଖିବା ସମୀଚୀନ ହେବ। ଆବେଦନର ବିଷୟବସ୍ତୁ ହେଉଛି ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବହିଷ୍କାର ସମ୍ପର୍କିତ। ତେଣୁ ମୁଖ୍ୟ ବିଚାରପତି ନିଜେ ଏହି ବେଞ୍ଚ୍‌ର ଜଣେ ସଦସ୍ୟ ହୋଇପାରନ୍ତେ ନାହିଁ। ଯେହେତୁ ପ୍ରସଙ୍ଗଟି ଏଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହା ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମର୍ଯ୍ୟାଦା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଲଗାଇଛି, ତାହାର ବିଚାର ଏକ ପାଞ୍ଚଜଣିଆ ବେଞ୍ଚ୍‌ ଦ୍ୱାରା କରାଯିବା ଯୁକ୍ତିଯୁକ୍ତ ଏବଂ ସେଇଭଳି ଏହି ପାଞ୍ଚଜଣିଆ ବେଞ୍ଚ୍‌ରେ ମଧ୍ୟ କୋର୍ଟର ପାଞ୍ଚଜଣ ବରିଷ୍ଠତମ ବିଚାରପତି ଉପବେଶନ କରିବା ଅନୁରୂପ ଭାବେ ଯୁକ୍ତିଯୁକ୍ତ। କିନ୍ତୁ ଦୀପକ ମିଶ୍ରଙ୍କ ଭଳି ତାଙ୍କ ପଛକୁ ଥିବା ଚାରିଜଣ ବରିଷ୍ଠତମ ବିଚାରପତି ମଧ୍ୟ ଏଥିପାଇଁ ମୂଳରୁ ଅନୁପଯୁକ୍ତ। କାରଣ, ଏହି ଚାରିଜଣ ହିଁ- ମାନ୍ୟବର ବିଚାରପତିବୃନ୍ଦ ଚେଲମେଶ୍ୱର, ଗୋଗୋଇ, ଲୋକୁର୍‌ ଏବଂ କୁରିଆନ୍‌- ଜାନୁଆରିରେ ଏକ ଖୋଲା ସାମ୍ବାଦିକ ସମ୍ମିଳନୀରେ ଅଭୂତପୂର୍ବ ଭାବରେ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଗତ କରିଥିଲେ, ଯାହାକୁ ଆଧାର କରି କପିଲ ଶିବଲଙ୍କ ପକ୍ଷ ଦୀପକ ମିଶ୍ରଙ୍କୁ ବହିଷ୍କାର କରାଯିବା ପାଇଁ ରାଜ୍ୟସଭାରେ ପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟସଭା ଚେଆର୍‌ମ୍ୟାନ୍‌ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଏହି ପ୍ରସ୍ତାବକୁ ଆଲୋଚନା ପାଇଁ ଗ୍ରହଣ ନକରିବାରୁ, ତାଙ୍କ ନିଷ୍ପତ୍ତି ବିରୋଧରେ ଶିବଲ ଓ ତାଙ୍କ ମହକିଲମାନେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ। ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ଉପରୋକ୍ତ ଚାରିଜଣ ବିଦ୍ରୋହୀ ବିଚାରପତି ଏହି ମାମଲାରେ ମୂଳରୁ ପକ୍ଷଭୁକ୍ତ ହୋଇ ସାରିଛନ୍ତି। ତେଣୁ ସେମାନେ ଉପରୋକ୍ତ ବେଞ୍ଚ୍‌ର ସଦସ୍ୟ ହୋଇପାରନ୍ତେ ନାହିଁ, ବରଂ ସେମାନେ ଯଦି ପ୍ରକୃତରେ ଏତେ ନ୍ୟାୟବନ୍ତ, ତେବେ ମୂଳରୁ ଏଥିରୁ ସେମାନଙ୍କୁ ଅବ୍ୟାହତି ଦିଆଯାଉ ବୋଲି ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିବା କଥା। ଏହି ପୃଷ୍ଠଭୂମିରେ ‘ମାଷ୍ଟର୍‌ ଅଫ୍‌ ରୋଷ୍ଟର୍‌’ ବା ‘ମାମଲା ଆବଣ୍ଟନର ମାଲିକ’ ଭାବରେ ମୁଖ୍ୟ ବିଚାରପତି ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଆଦୌ ମନମୁଖୀ ନୁହେଁ ଏବଂ ସମ୍ପୂର୍ଣ୍ଣ ରୂପେ ଯଥାର୍ଥ। ମୁଖ୍ୟ ବିଚାରପତି ଚାହିଁଥିଲେ ଯେ କୌଣସି ପାଞ୍ଚଜଣ ବିଚାରପତିଙ୍କୁ ପସନ୍ଦ କରି ବେଞ୍ଚ୍‌ରେ ବସାଇ ଦେଇ ପାରନ୍ତେ, କିନ୍ତୁ ଦୀପକ ମିଶ୍ର ତାହା ନକରି ପରବର୍ତ୍ତୀ ପାଞ୍ଚଜଣ ବରିଷ୍ଠତମ ବିଚାରପତି, ୬ ରୁ ୧୦ ନମ୍ବର ପର୍ଯ୍ୟନ୍ତ ସ୍ଥାନରେ ଥିବା ବିଚାରପତିବୃନ୍ଦ ଏ କେ ସିକ୍ରି, ଏସ୍‌ ଏ ବୋବ୍‌ଦେ, ଏନ୍‌ ଭି ରମନ୍ନା, ଅରୁଣ ମିଶ୍ର ଏବଂ ଏ କେ ଗୋଏଲ୍‌ଙ୍କୁ ନେଇ ଉପରୋକ୍ତ ବେଞ୍ଚ୍‌ ଗଠନ କରିଛନ୍ତି। ଏହି ବେଞ୍ଚ୍‌ର ଗଠନ ହେଉଛି ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କର ସମ୍ପୂର୍ଣ୍ଣ ନିରପେକ୍ଷତାର ପ୍ରମାଣ। ଏକ ଉଜ୍ଜ୍ୱଳ ଦୀପକ ଭଳି ସେ ଏହା ଦ୍ୱାରା କଂଗ୍ରେସ, କପିଲ ଶିବଲ ଓ ବିଦ୍ରୋହୀ ବିଚାରପତିମାନେ ମିଶି ସର୍ବୋଚ୍ଚ ନ୍ୟାୟପାଳିକା ଭଳି ଆଇନର ଶାସନ କ୍ଷେତ୍ରରେ ଦେଶର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ସମ୍ବନ୍ଧରେ ସୃଷ୍ଟି କରିବାକୁ ଉଦ୍ୟମ କରିଥିବା ବିପଜ୍ଜନକ ଅବିଶ୍ୱାସର ଅନ୍ଧାରକୁ ଦୂର କରି ଦେଇଛନ୍ତି।

ଏଥର ଶିବଲ ଓ ତାଙ୍କର କଂଗ୍ରେସୀ ମହକିଲମାନେ ଆଗତ କରିଥିବା ଆବେଦନ ଉପରେ ଦୃଷ୍ଟିନିକ୍ଷେପ କରାଯାଉ। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏହି ମାମଲାଟି ଯେ ସମ୍ପୂର୍ଣ୍ଣ ଅନ୍ତଃସାରଶୂନ୍ୟ, ତାହା ଜାଣିବା ପାଇଁ ଆଇନରେ କୌଣସି ବିଶେଷ ଜ୍ଞାନର ଆବଶ୍ୟକତା ନାହିଁ। କାରଣ ଏହା ମୂଳରୁ ଜଳ ଜଳ ହୋଇ ଦେଖାଯାଇଥାଏ ଯେ ମୁଖ୍ୟ ବିଚାରପତିଙ୍କ ବହିଷ୍କାର ପ୍ରସ୍ତାବ କଂଗ୍ରେସ ଓ ତାର ସାଥୀ ଦଳମାନଙ୍କର ଆବଶ୍ୟକ ସଂଖ୍ୟକ ସାଂସଦ ନଥିବାରୁ ସଂସଦରେ କେବେ ହେଲେ ପାରିତ ହୁଅନ୍ତା ନାହିଁ। ଏବେ ଜଣାଶୁଣା ଯେ କେତେକ ନିର୍ଦ୍ଦିଷ୍ଟ ବିଚାରାଧୀନ ମାମଲା ଗଡ଼ାଇବା ପାଇଁ ମୁଖ୍ୟ ବିଚାରପତିଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବା ପାଇଁ ଏ ବହିଷ୍କାର ପ୍ରସ୍ତାବ ଆଗତ କରାଯାଇଥିଲା। ସେ ମାମଲା ଗୁଡ଼ିକର ସମ୍ଭାବ୍ୟ ରାଜନୈତିକ ପ୍ରଭାବ ପ୍ରତି ଭୟ ହେଉଛି ଏହାର କାରଣ। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଚେଆର୍‌ମ୍ୟାନ୍‌ ଭେଙ୍କିଆ ନାଇଡ଼ୁ କିନ୍ତୁ ମୂଳରୁ ବହିଷ୍କାର ପ୍ରସ୍ତାବଟିକୁ ଆଲୋଚନା ପାଇଁ ଗ୍ରହଣ ନକରି ପ୍ରତ୍ୟାଖ୍ୟାନ କରିଦେଇ କପିଲ ଆଦିଙ୍କର ଏହି ଯୋଜନା ଭଣ୍ଡୁର କରିଦେବାରୁ ଭେଙ୍କିଆଙ୍କ ନିଷ୍ପତ୍ତି ବିରୋଧରେ ଶିବଲଙ୍କ ମହକିଲ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।

ଏଠାରେ ଉଲ୍ଲେଖ ପ୍ରୟୋଜନ ଯେ ଭେଙ୍କିଆ ନାଇଡ଼ୁ ନିଜର ନିଷ୍ପତ୍ତି ନେବାରେ ସ୍ୱାଗତଯୋଗ୍ୟ ତତ୍ପରତା ଦେଖାଇଥିଲେ ହେଁ, ଏହା ଆଦୌ ଏକ ତରବରିଆ ନିଷ୍ପତ୍ତି ନଥିଲା ଏବଂ ସୁଚିନ୍ତିତ ମଧ୍ୟ ଥିଲା। ବିଚାରପତିଙ୍କ ବହିଷ୍କାର ପାଇଁ ଉଦ୍ଦିଷ୍ଟ ‘ଜଜେସ୍‌ ଇନ୍‌କ୍ୱାରି ଆକ୍ଟ, ୧୯୬୮’ ଅନୁସାରେ ଆବଶ୍ୟକ ସଂଖ୍ୟକ ଦସ୍ତଖତ ସମ୍ବଳିତ ବହିଷ୍କାର ପ୍ରସ୍ତାବକୁ ଆଲୋଚନା ପାଇଁ ଗ୍ରହଣ କରିବା କିମ୍ବା ନକରିବାର ସମ୍ପୂର୍ଣ୍ଣ ଅଧିକାର ହେଉଛି ରାଜ୍ୟସଭା ଚେଆର୍‌ମ୍ୟାନ୍‌ଙ୍କର କିମ୍ବା ଲୋକସଭା ବାଚସ୍ପତିଙ୍କର। ଚେଆର୍‌ମ୍ୟାନ୍‌ ଏ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଯଦି ଆବଶ୍ୟକ କରନ୍ତି ବିଭିନ୍ନ ନଥିପତ୍ର ଅନୁଶୀଳନ କରିପାରନ୍ତି କିମ୍ବା ଅନ୍ୟ କାହାର ପରାମର୍ଶ ନେଇ ପାରନ୍ତି। ଯଦି ତାଙ୍କର ଅଭିଯୋଗର ସାରବତ୍ତା ସମ୍ବନ୍ଧରେ ହୃଦ୍‌ବୋଧ ହୁଏ, ସେ ଏକ ତିନିଜଣିଆ ଅନୁସନ୍ଧାନ କମିଟି ଗଠନ କରିପାରନ୍ତି। ଯଦି ଅଭିଯୋଗ ତାଙ୍କୁ ଭିତ୍ତିହୀନ ମନେହୁଏ ସେ ଏହାକୁ ମୂଳରୁ ଅଗ୍ରାହ୍ୟ କରି ଦେଇ ପାରନ୍ତି ଓ ଏଥିପାଇଁ କାରଣ ଦେଖାଇବାକୁ ସେ ବାଧ୍ୟ ନୁହନ୍ତି (ଯଦିବା ଭେଙ୍କିଆ ନାଇଡ଼ୁ ଦଶ ପୃଷ୍ଠା ସମ୍ବଳିତ କାରଣମାନ ମଧ୍ୟ ଦର୍ଶାଇଛନ୍ତି)। ଚେଆର୍‌ମ୍ୟାନ୍‌ଙ୍କ ଏହି ନିଷ୍ପତ୍ତିରେ ଦଖଲ ଦେବା ସଂସଦୀୟ କାର୍ଯ୍ୟରେ ସୁପ୍ରିମ୍‌ କୋର୍ଟଙ୍କ ଅନୁପ୍ରବେଶ ଭଳି ହୁଅନ୍ତା। ଏହି ଅନ୍ତିମ ପରିଣତି ହୃଦୟଙ୍ଗମ କରି ଶିବଲ ଏକ ଆଳ ବାହାର କରି ଆବେଦନ ପ୍ରତ୍ୟାହାର କରି ପଳାୟନ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.