କର୍ଣ୍ଣାଟକ କମେଡି

0 239

ଚତୁର୍ଦ୍ଦଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ମଧ୍ୟରେ ରଚିତ ଇଟାଲୀର ମହାନ୍‌ କବି ଦାନ୍ତେ ଆଲିଘିଏରିଙ୍କର ମହାକାବ୍ୟ ‘ଡିଭାଇନ୍‌ କମେଡି’କୁ ବିଶ୍ୱ ସାହିତ୍ୟର ସର୍ବକାଳୀନ ସର୍ବଶ୍ରେଷ୍ଠ କୃତିମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ। କଳ୍ପନାରେ କବି ଦାନ୍ତେଙ୍କର ସ୍ୱର୍ଗଯାତ୍ରାର ବର୍ଣ୍ଣନା ହେଉଛି ଏହି ମହାକାବ୍ୟର ବିଷୟବସ୍ତୁ। ଦାନ୍ତେଙ୍କର ଏହି ଯାତ୍ରା ତିନିଟି ସ୍ତର ବା ଭାଗରେ ବିଭକ୍ତ: ପ୍ରାରମ୍ଭିକ ସ୍ତର ‘ଇନ୍‌ଫର୍ନୋ’ (ନର୍କ), ମାଧ୍ୟମିକ ସ୍ତର ‘ପର୍ଗେଟରି’ (ପାପ ମୋଚନ) ଓ ଅନ୍ତିମ ସ୍ତର ବା ଲକ୍ଷ୍ୟସ୍ଥଳ ‘ପାରାଡିଜୋ’ (ସ୍ୱର୍ଗ)। ଏହି ଯାତ୍ରାରେ ଦାନ୍ତେଙ୍କର ସହଯାତ୍ରୀ ତଥା ମାର୍ଗଦର୍ଶକ ସାଜିଛନ୍ତି ରୋମ୍‌ର ମହାକବି ଭର୍ଜିଲ୍‌ଙ୍କର ଆତ୍ମା।

ସେମାନେ ପ୍ରଥମେ ନର୍କରେ ପ୍ରବେଶ କରି ଯାତ୍ରା କରିବା ଅବସରରେ ବିଭିନ୍ନ କିସମର ପାପ କରିଥିବା ପାପୀମାନଙ୍କର ବିଭିନ୍ନ ପ୍ରକାରର ଦଣ୍ଡ ଭୋଗ କରିବା ଦୃଶ୍ୟ ଦେଖି ଦେଖି ଚାଲିଛନ୍ତି। ନିର୍ଦ୍ଦିଷ୍ଟ କିସମର ପାପୀମାନେ ଏକ ନିର୍ଦ୍ଦିଷ୍ଟ ମଣ୍ଡଳରେ ଦଣ୍ଡ ଭୋଗ କରିଥାନ୍ତି। ପେଟୁମାନେ ଦଣ୍ଡ ଭୋଗ କରୁଥିବା ତୃତୀୟ ମଣ୍ଡଳରେ ଦାନ୍ତେ ଘୁଷୁରି ‘ଚାକ୍କୋ’ର କାୟାହୀନ ଛାୟାକୁ ଭେଟିଛନ୍ତି। ରାଜନୈତିକ ଅସ୍ଥିରତା ଜର୍ଜରିତ ଫ୍ଲୋରେନ୍‌ସ ନଗରୀରୁ ଆସିଥିବା ‘ଚାକ୍କୋ’କୁ ଦାନ୍ତେ ଫ୍ଲୋରେନ୍‌ସର ଭବିଷ୍ୟତ ସମ୍ବନ୍ଧରେ ଭବିଷ୍ୟବାଣୀ କରିବାକୁ ଅନୁରୋଧ କରିବାରୁ ‘ଚାକ୍କୋ’ ସେଠାରେ ଭବିଷ୍ୟତରେ ଆହୁରି ଲଢ଼େଇ ହେବ ଏବଂ ଗୋଟିଏ ରାଜନୈତିକ ଦଳ ପରାସ୍ତ ହୋଇ ବହିଷ୍କୃତ ହେବ ବୋଲି ଭବିଷ୍ୟବାଣୀ କରିଛି। ତା’ପରେ ଦାନ୍ତେ ଯେତେବେଳେ ‘ଚାକ୍କୋ’କୁ ପଚାରିଛନ୍ତି ଯେ ଫ୍ଲୋରେନ୍‌ସର ଉତ୍ତମ ନାଗରିକମାନେ କେଉଁଠି ଅଛନ୍ତି, ‘ଚାକ୍କୋ’ ସୂଚନା ଦେଇଛି ଯେ ସେମାନେ ନର୍କର ଆହୁରି ଗଭୀରତର ଇଲାକାରେ ଦଣ୍ଡ ଭୋଗ କରୁଛନ୍ତି, କାରଣ ସେମାନଙ୍କର ପାପ ହେଉଛି ‘ଚାକ୍କୋ’ କରିଥିବା ପାପଠାରୁ ଅଧିକ ଗୁରୁତର।

ଦାନ୍ତେ ଓ ଭର୍ଜିଲ୍‌ ନର୍କର ଅଭ୍ୟନ୍ତରକୁ ଅବତରଣ ଜାରି ରଖି ଯେତେବେଳେ ନର୍କର ନବମ ମଣ୍ଡଳର ପ୍ରଥମ ଖୁଆଡ଼ରେ ପ୍ରବେଶ କଲେ ସେଠାରେ ଦେଖିଲେ ପାପୀମାନେ ସମସ୍ତେ ବରଫ ପରି ଜମାଟ ବାନ୍ଧିବା ଅବସ୍ଥାରେ ରହିଛନ୍ତି। ଏମାନେ ସମସ୍ତେ ଥିଲେ ବିଶ୍ୱାସଘାତକ ଦେଶଦ୍ରୋହୀମାନେ। ଏମାନେ ନିଜ ଗୋଷ୍ଠୀ ପ୍ରତି ବିଶ୍ୱାସଘାତକତା କରିଥିଲେ, ନିଜର ଜନ୍ମଭୂମି ପ୍ରତି ଦ୍ରୋହ କରିଥିଲେ। ଏମାନଙ୍କ ମଧ୍ୟରୁ ଦୁଇଜଣ ପାପୀ ଏକାଠି ଜମାଟ ବାନ୍ଧି ରହିଥିବା ଦାନ୍ତେ ଦେଖିଥିଲେ- ସତେ ଯେମିତି ଯାଆଁଳା। ଆଉ ସେଇ ଜମାଟ ବାନ୍ଧି ଏକାଠି ପଡ଼ିରହିବା ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣକର ମୁଣ୍ଡ ଚୋବାଇ ଖାଇ ଯାଉଥିବା ଦେଖି ଦାନ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଦାନ୍ତେଙ୍କର ମହାକାବ୍ୟର ନାମକରଣରେ ଏକ ସମ୍ପୂର୍ଣ୍ଣ ଭିନ୍ନ କାରଣରୁ ‘କମେଡି’ ଶବ୍ଦ ବ୍ୟବହୃତ ହୋଇଥିଲେ ହେଁ, ଏବେ କର୍ଣ୍ଣାଟକରେ ସାରା ଦେଶବାସୀଙ୍କ ମନୋରଞ୍ଜନ ପାଇଁ ଯେଉଁ ରାଜନୈତିକ ନାଟକ ଅଭିନୀତ ହୋଇଯାଇଛି ତାହା ଯେ ଆମେ ସାଧାରଣତଃ ବୁଝୁଥିବା କମେଡି ଶ୍ରେଣୀର, ଏଥିରେ କୌଣସି ଦର୍ଶକ ନିଶ୍ଚିତ ରୂପେ ଦ୍ୱିମତ ହେବେ ନାହିଁ। ଏକ ସମ୍ବାଦପତ୍ରରେ ତ ଏହି କାରଣରୁ ଏକ ଶିରୋନାମା ଛାପା ହେବା ଦେଖାଯାଇଥିଲା: ‘କର୍‌- ନାଟକ’ (‘କର୍ଣ୍ଣାଟକ’ ନାମର ସନ୍ଧିିବିଚ୍ଛେଦ କରାଯିବା ଭଳି)। ଆଉ ଏ କମେଡିର ସଦ୍ୟତମ ଦୃଶ୍ୟ ସ୍ୱରୂପ କର୍ଣ୍ଣାଟକର ଭାବୀ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏକ ଜାତୀୟ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ଘୋଷଣା କରିଛନ୍ତି ଯେ ସେ ଜଣେ ସୁବିଧାବାଦୀ ରାଜନେତା ନୁହନ୍ତି!

କର୍ଣ୍ଣାଟକ କମେଡି ଦେଖି ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ପୁନଃ ପ୍ରସାରିତ ହେଉଥିବା ୧୯୯୬ରେ ତତ୍‌କାଳୀନ ଭାରତୀୟ ଜନତା ପାର୍ଟି ନେତା ପ୍ରମୋଦ ମହାଜନ ଲୋକସଭାରେ ଭାରତରେ ଗଣତନ୍ତ୍ରର ସ୍ୱରୂପ ସମ୍ବନ୍ଧରେ ପ୍ରଦାନ କରିଥିବା ଭାଷଣ ଅନେକଙ୍କର ମନେ ପଡ଼ୁଥିବ। ସେତେବେଳେ ଲୋକସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାଜପାର ୧୬୧ ସଦସ୍ୟ ଓ ଜନତା ଦଳର ୭୯ ଜଣ ସଦସ୍ୟ ଥିଲେ ହେଁ କଂଗ୍ରେସଠାରୁ ବାହ୍ୟ ସମର୍ଥନ ଲାଭ କରି କୁମାରସ୍ୱାମୀଙ୍କର ପିତା ଜନତା ଦଳର ଦେବେଗୌଡ଼ା ପ୍ରଧାନମନ୍ତ୍ରୀ ରୂପେ ସରକାର ଗଠନ କରିଥିଲେ। ଏହି ସରକାରରେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମ୍‌ଜିପି)ର ଏକମାତ୍ର ସଦସ୍ୟ ରମାକାନ୍ତ ଖଲପ୍‌ ଥିଲେ ଆଇନ ମନ୍ତ୍ରୀ। ତାଙ୍କ ନେତୃତ୍ୱରେ ଏକ ସଂସଦୀୟ ଦଳ ଚୀନ୍‌ ଗସ୍ତରେ ଯାଇଥିଲେ। ପ୍ରମୋଦ ମହାଜନ ସେ ଦଳରେ ଜଣେ ସଦସ୍ୟ ଥିଲେ। ମହାଜନ ସେଦିନ ଲୋକସଭାରେ ତାଙ୍କ ଭାଷଣରେ କହିଥିଲେ, ତାଙ୍କୁ ଯେତେବେଳେ ଭାରତରେ ଗଣତନ୍ତ୍ରର ସ୍ୱରୂପ ସମ୍ବନ୍ଧରେ ଚୀନ୍‌ରେ କେହି ଜଣେ ପ୍ରଶ୍ନ କଲେ ତାଙ୍କର ଉତ୍ତର ଏଇ ଭଳି ଥିଲା: ଲୋକସଭାରେ ତାଙ୍କ ଦଳ ଭାଜପା ହେଉଛି ସର୍ବବୃହତ୍‌ ଦଳ ଓ ସେ ଦଳ ହେଉଛି ବିରୋଧୀ ଦଳ; କଂଗ୍ରେସ ହେଉଛି ଦ୍ୱିତୀୟ ବୃହତ୍ତମ ଦଳ କିନ୍ତୁ ସେ ଦଳ ସରକାର ବାହାରେ ରହି ସରକାରକୁ ସମର୍ଥନ ଦେଉଛି, … ରମାକାନ୍ତ ଖଲପ ହେଉଛନ୍ତି ତାଙ୍କ ଦଳର ଏକମାତ୍ର ସଦସ୍ୟ ଓ ସେ ହିଁ ହେଉଛନ୍ତି ସରକାର! ଲୋକସଭା ସେଦିନ ହାସ୍ୟ ରୋଳରେ ଫାଟି ପଡ଼ିଥିଲା। ଦେବେଗୌଡ଼ାଙ୍କ ସୁପୁତ୍ର ବର୍ତ୍ତମାନ କର୍ଣ୍ଣାଟକରେ ସେଇ ମହାଜନ ମୁହୂର୍ତ୍ତର ପୁନରାବୃତ୍ତି କରିଛନ୍ତି ଦେଖି ପ୍ରମୋଦ ମହାଜନଙ୍କ ଆତ୍ମା ସ୍ୱର୍ଗରେ ଥାଇ ଆମୋଦିତ ହେଉଥିବ।

ଏହାକୁ ଗଣତନ୍ତ୍ରର ଶୀର୍ଷାସନ କୁହାଯାଇପାରେ। ସ୍ୱାଭାବିକ ଗଣତନ୍ତ୍ର ହେଉଛି ଏକ ଓଲଟ ପିରାମିଡ୍‌ ସଦୃଶ; ଏଥିରେ ସର୍ବାଧିକ ସଂଖ୍ୟା ଥିବା ଦଳ ସର୍ବୋଚ୍ଚ ସ୍ଥାନରେ ଥାଇ କ୍ଷମତା ଲାଭ କରିଥାଏ, ସଂଖ୍ୟାନ୍ୟୂନ ଦଳ ସର୍ବନିମ୍ନ ସ୍ଥାନରେ ଥାଏ। ଏବେ କର୍ଣ୍ଣାଟକରେ କୁମାରସ୍ୱାମୀଙ୍କ ଦଳର ୩୭ଟି ମାତ୍ର ସଦସ୍ୟ ଥାଇ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ, ୭୮ଟି ସଦସ୍ୟ ଥାଇ ଦ୍ୱିତୀୟ ବୃହତ୍ତମ ଦଳ କଂଗ୍ରେସ ପାଇବ ଉପ-ମୁଖ୍ୟମନ୍ତ୍ରୀ ପଦ ଏବଂ ୧୦୪ଟି ସଦସ୍ୟ ଥିବା ବୃହତ୍ତମ ଦଳ ଭାଜପା ବସିବ ବିରୋଧୀ ଦଳ ଆସନରେ!

ଏବେ ପୂର୍ବ ବର୍ଣ୍ଣିତ ନର୍କର ତୃତୀୟ ମଣ୍ଡଳ ଓ ନବମ ମଣ୍ଡଳର ଦୃଶ୍ୟ ଦୁଇଟିକୁ ମିଶାଇ ଦେଇ ଦେଖିଲେ କର୍ଣ୍ଣାଟକରେ ଦେଖାଦେଇଥିବା ଏହି ସୁବିଧାବାଦୀ ଯୋଡ଼ି ଓ ତତ୍‌କାଳୀନ ଫ୍ଲୋରେନ୍‌ସ ଭଳି ବର୍ତ୍ତମାନ କର୍ଣ୍ଣାଟକର ଅସ୍ଥିର ରାଜନୀତି ସମ୍ବନ୍ଧରେ ଏକ ଅନ୍ତର୍ଦୃଷ୍ଟିର ଆବିର୍ଭାବ ଘଟିଥାଏ। ଏହା ଜଣାଶୁଣା ଯେ ନିର୍ବାଚନ ପୂର୍ବରୁ କୁମାରସ୍ୱାମୀଙ୍କ ଜେଡିଏସ୍‌ ଓ ରାହୁଲ ଗାନ୍ଧୀଙ୍କ କଂଗ୍ରେସ ମଧ୍ୟରେ ଥିଲା ସାପ ଓ ନେଉଳର ସମ୍ପର୍କ। ନର୍କର ନବମ ମଣ୍ଡଳରେ ଦେଖାଯାଇଥିବା ଭଳି ବର୍ତ୍ତମାନ ଯୋଡ଼ି ହୋଇଥିବା ସାପ ଓ ନେଉଳ କିଏ କାହାର ମୁଣ୍ଡ ପ୍ରଥମେ ଖାଇବ ଦେଖାଯାଉ। ଆଉ ଯେଉଁ କାରଣରୁ ଏମାନେ ଯୋଡ଼ି ହୋଇଛନ୍ତି, ତାହାର ସ୍ୱରୂପ କ’ଣ? ନିର୍ବାଚନ ପ୍ରଚାର ସମୟରେ ଏ କାରଣ ସ୍ପଷ୍ଟ ହୋଇ ଦେଖାଯାଇଥିଲା: ଲିଙ୍ଗାୟତମାନଙ୍କୁ ଅସ୍ତ୍ର କରି ହିନ୍ଦୁମାନଙ୍କୁ ବିଭାଜିତ କରିବା, ରାଜ୍ୟ ପାଇଁ ସ୍ୱତନ୍ତ୍ର ପତାକା ସୃଷ୍ଟି କରି ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବା, ଉତ୍ତର ଭାରତ ଓ ଦକ୍ଷିଣ ଭାରତ ମଧ୍ୟରେ କୃତ୍ରିମ ବିଭାଜନ ସୃଷ୍ଟି କରିବା ଇତ୍ୟାଦି। ‘ଚାକ୍କୋ’ର ଭବିଷ୍ୟବାଣୀ ଅନୁସାରେ ଦୁଷ୍ଟବୁଦ୍ଧି ସମ୍ପନ୍ନ ଦଳର ଅପସାରଣ ପରେ ଫ୍ଲୋରେନ୍‌ସରେ ସ୍ଥିରତା ଆସିବ। କର୍ଣ୍ଣାଟକର ଉତ୍ତମ ନାଗରିକମାନେ ଯଦି ତାହା ନକରନ୍ତି ତେବେ ସେମାନଙ୍କର ଓ ସେ ରାଜ୍ୟର ଅବସ୍ଥା ଯେ ପୂର୍ବରୁ ବର୍ଣ୍ଣନା କରାଯାଇଥିବା ଭଳି ଇନ୍‌ଫର୍ନୋରେ ଉତ୍ତମ ନାଗରିକମାନଙ୍କର ଅବସ୍ଥା ଭଳି ନହେବ, କିଏ କହିବ?

ସମ୍ବନ୍ଧିତ ଖବର

Leave A Reply

Your email address will not be published.