ସ୍ୱାଗତଂ ମୋଦୀଜି, କିଛି ବିନମ୍ର ପ୍ରଶ୍ନ

0 387

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି। ଏନ୍‌ଡିଏ ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସଫଳତାର କାହାଣୀ ଶୁଣାଇବା ଲାଗି ଏ ମାଟିକୁ ବାଛି ଥିବାରୁ ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ଧନ୍ୟବାଦ ଓ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିକୁ ସାଦର ସ୍ୱାଗତ। ରାଜ୍ୟ ବିଜେପିର ସୂଚନା ଅନୁଯାୟୀ ମୋଦୀ ସରକାରଙ୍କ ଚାରିବର୍ଷରେ ୪୮ଟି ସଫଳତାର ଲମ୍ବା ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ କଟକ ସଭାରେ ଯେଉଁ ‘ରିପୋର୍ଟ କାର୍ଡ’ ରଖିବେ ନିଶ୍ଚୟ ସେଥିରେ ‘ବିଫଳତା’ର ଉଲ୍ଲେଖ ପାଇଁ ଘର ହିଁ ନଥିବ। ତେବେ, ସଫଳତାର କାହାଣୀ ବଖାଣିବା ଲାଗି ଏହା ଯେମିତି ଏକ ଅବସର, ବିଫଳତାର ତର୍ଜମା କରି ଆତ୍ମ-ସମୀକ୍ଷା ଲାଗି ମଧ୍ୟ ସେମିତି ଏକ ଅବକାଶ। ଆତ୍ମ ସମୀକ୍ଷା ପ୍ରତି ବୀତସ୍ପୃହତା, ନା ଶାସନରେ ସୁଧାର ଆଣିପାରିବ ନା ବିଫଳତାର ପୁନରାବୃତ୍ତିିକୁ ରୋକି ପାରିବ। ସୁତରାଂ, ଆତ୍ମସମୀକ୍ଷା ପାଇଁ ଆବଶ୍ୟକ କ୍ଷେତ୍ର ଓ ଅବକାଶ ସୃଷ୍ଟି ସକାଶେ ସକଳ ବିନମ୍ରତା ସହ ଆମେ ଏଠାରେ କିଛି ପ୍ରଶ୍ନ ଓ ପ୍ରସଙ୍ଗ ଉତ୍‌ଥାପନ କରୁଛୁ। ଅବଶ୍ୟ. ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦୀଜି ଅନ୍ୟକୁ ପ୍ରଶ୍ନ ପଚାରିବାରେ ଯେତିକି ଅଭ୍ୟସ୍ତ, ଅନ୍ୟପଟୁ ଆସୁଥିବା ପ୍ରଶ୍ନ ପ୍ରତି ତା’ଠାରୁ ଅଧିକ ବୀତସ୍ପୃହ। ଏ ବିଷୟରେ ଅନ୍ୟ କେହି ନୁହେଁ, ମୋଦୀଜିଙ୍କ ସହଯୋଗୀମାନେ ଦେଶବାସୀଙ୍କୁ ଅବଗତ କରାଇଛନ୍ତି। ତେବେ, ଉଚ୍ଚ ପଦଧାରୀ, କ୍ଷମତାଶାଳୀଙ୍କୁ ପ୍ରଶ୍ନ ପଚାରିବାର ଅଭ୍ୟାସ ଓ ସଂସ୍କୃତି ହିଁ ଗୋଟିଏ ଗଣତନ୍ତ୍ରର ଶକ୍ତି ଓ ଗରିମା। ଏ ପରିପ୍ରେକ୍ଷୀରେ ଗଣତନ୍ତ୍ରର ଏକ ସ୍ତମ୍ଭ ଭାବେ ଗଣମାଧ୍ୟମର କର୍ତ୍ତବ୍ୟ ସଂପାଦନ କରିବାକୁ ଯାଇ ଦେଶର ସର୍ବୋଚ୍ଚ ଶାସନ କର୍ତ୍ତାଙ୍କ ପାଇଁ କିଛି ପ୍ରଶ୍ନ ରଖିବାର ଆସ୍ପର୍ଦ୍ଧା କରୁଛୁ।

ଦେଶର ଏକ ନମ୍ବର ନେତାଙ୍କୁ ଏକ ନମ୍ବର ପ୍ରଶ୍ନ- ଦେଶବାସୀଙ୍କୁ ‘ଅଚ୍ଛେଦିନ୍‌’ର ସ୍ୱପ୍ନ ଦେଖାଇ ମୋଦୀ ସରକାର ଶାସନକୁ ଆସିଥିଲେ। ଚାରିବର୍ଷ ପରେ ସେ ଅଚ୍ଛେଦିନର ସ୍ୱପ୍ନ ବାସ୍ତବତାରେ ରୂପାୟିତ ହୋଇଛି କି? ଅଚ୍ଛେଦିନ୍‌ର ସ୍ୱପ୍ନ ସହ ଯୋଡ଼ି ହୋଇଥିଲା ଦରଦାମ ନିୟନ୍ତ୍ରଣ- ମହଙ୍ଗା ଯନ୍ତ୍ରଣାର ଉପଶମ, ଚାଷୀଙ୍କୁ ଉତ୍ପାଦନ ଖର୍ଚ୍ଚ ଉପରେ ୫୦ ପ୍ରତିଶତ ଅଧିକରେ ସର୍ବନିମ୍ନ ସହାୟକ ମୂଲ୍ୟ, ବର୍ଷକୁ କୋଟିଏ ବେକାରଙ୍କୁ ନିଯୁକ୍ତି, ବିଦେଶରେ ଗଚ୍ଛିତ କଳାଧନ ଫେରାଇ ଆଣି ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ୍‌ ଖାତାରେ ୧୫ ଲକ୍ଷ ଟଙ୍କା କରି ଜମା, ସବ୍‌କା ସାଥ୍‌- ସବ୍‌କା ବିକାଶ ଆଦି ଅନେକ ପ୍ରତିଶ୍ରୁତି। କିନ୍ତୁ ଏଥିରୁ ଗୋଟିଏ ବି ପ୍ରତିଶ୍ରୁତି ପୂରଣ ହୋଇଛି କି? ମୋଦୀ ମହାଶୟ ଯେତେବେଳେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଲେ ସେତେବେଳେ ଆନ୍ତର୍ଜାତିକ ବଜାରରେ ତେଲ ଦର ବ୍ୟାରେଲ୍‌ ପିଛା ଥିଲା ୧୧୩ ଡଲାର। ଏବେ ତାହା ବ୍ୟାରେଲ ପିଛା ୮୦ ଡଲାର। ଅଥଚ ପେଟ୍ରୋଲ ଓ ଡିଜେଳ ଦର ଲିଟର ପିଛା ୨୦୧୪ ମେ’ ତୁଳନାରେ ଖାଲି ଅଧିକ ନୁହେଁ, ରେକର୍ଡ ସ୍ତରରେ ପହଞ୍ଚିଯାଇଛି। ଏନ୍‌ଡିଏ ସରକାର ଆସିଲା ପରେ ଅଶୋଧିତ ତୈଳ ଦର ଲଗାତାର ହ୍ରାସ ପାଇ ବ୍ୟାରେଲ ପିଛା ୧୧୩ରୁ ୨୯ ଡଲାରକୁ ଖସି ଆସିଥିଲା। ଏହାର ଲାଭ କିନ୍ତୁ ସାଧାରଣ ଖାଉଟିଙ୍କୁ ନ ଦେଇ ସରକାର ନଅ ଥର ଶୁଳ୍‌କ ବଢ଼ାଇ ତହବିଲ ଭର୍ତ୍ତି କରି ଚାଲିଲେ। ଏବେ ମହଙ୍ଗା ମାଡ଼ରେ ଦେଶବାସୀ ହନ୍ତସନ୍ତ, ଅଥଚ ଶୁଳ୍‌କ କମାଇବାକୁ ସରକାର କୁନ୍ଥୁକୁନ୍ଥୁ। ଏହା କ’ଣ ‘ଅଚ୍ଛେଦିନ୍‌’ ପ୍ରତି ଅଙ୍ଗୀକାର? ଚାଷୀଙ୍କୁ ଉତ୍ପାଦନ ଖର୍ଚ୍ଚ ଉପରେ ୫୦ ପ୍ରତିଶତ ଅଧିକ ମୂଲ୍ୟ ଦେବା ପାଇଁ ପ୍ରତିଶ୍ରୁତିରୁ ପ୍ରଥମେ ଖାଉଟିଙ୍କ ସ୍ୱାର୍ଥ ରକ୍ଷା ଆଳରେ ଓହରିଗଲେ।

ଗତ ବଜେଟରେ ପ୍ରତିଶ୍ରୁତି ରକ୍ଷା କରାଯିବ ବୋଲି ଘୋଷଣା କରାଗଲା। କିନ୍ତୁ ବଜେଟରେ ଅସ୍ପଷ୍ଟ ଘୋଷଣା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ବିଭ୍ରାନ୍ତି ସୃଷ୍ଟି କରିଛି ସିନା ଚାଷୀଙ୍କୁ ବର୍ଦ୍ଧିତ ଦର ତଥାପି ମିଳି ନାହିଁ। ଏଥିରେ ଦେଶର ଜନସଂଖ୍ୟାର ୬୦ ପ୍ରତିଶତ ଅଚ୍ଛେଦିନର ଆଶା କରିବେ କେମିତି? ବର୍ଷକୁ କୋଟିଏ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ବାରମ୍ବାର ଘୋଷଣା କରାଯାଇଥିଲା। କାନକୁ ଭଲ ଶୁଣାଯାଉଥିବା ‘ମେକ୍‌-ଇନ୍‌-ଇଣ୍ଡିଆ’, ‘ଷ୍ଟାର୍ଟ ଅପ୍‌ ଇଣ୍ଡିଆ’ ଆଦି ଅନେକ ଯୋଜନାର ଆଡ଼ମ୍ବରପୂର୍ଣ୍ଣ ଶୁଭାରମ୍ଭ ହେଲା। କିନ୍ତୁ ନିଯୁକ୍ତି ସୁଯୋଗର ସଂପ୍ରସାରଣ ହେବ କ’ଣ, ସଂକୁଚିତ ହେଲା। ଆଜିର ସ୍ଥିତି କ’ଣ? ପନ୍ଦର ବର୍ଷ ପାଇଁ ବାର୍ଷିକ ୧.୬ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ଆବଶ୍ୟକ। କିନ୍ତୁ ଅତିବେଶୀରେ ବର୍ଷକୁ ୫ରୁ ୬ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେଉଛି। ସମସ୍ୟା ଏତେ ଉତ୍କଟ ଯେ ଷଷ୍ଠ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ଥିବା ଚାକିରି ପାଇଁ ହଜାର ହଜାର ବିଏ, ଏମ୍‌ଏ, ଇଞ୍ଜିନିୟର, ମ୍ୟାନେଜ୍‌ମେଣ୍ଟ ଏପରିକି ପିଏଚ୍‌ଡି ଡିଗ୍ରୀ ଧାରୀଙ୍କ ଲମ୍ବାଧାଡି। ନିଯୁକ୍ତି ମରୁଡ଼ି କ’ଣ ଅଚ୍ଛେଦିନ୍‌ର ଲକ୍ଷଣ? ବିଦେଶରୁ କଳାଟଙ୍କା ଆଣି ଗରିବ ଭାରତୀୟଙ୍କ ବ୍ୟାଙ୍କ ଖାତାରେ ଟଙ୍କାଟିଏ ବି ତ ଜମା ହେଲା ନାହିଁ। ବରଂ ଦେଶ ଭିତରେ କଳାଟଙ୍କା ବାହାର କରିବା ଲାଗି ବିମୁଦ୍ରାୟନ ହେଲା। ସେଥିରେ କଳା ଟଙ୍କା ଧଳା ହେଲା ସିନା, କେବଳ ଗରିବ, ନିମ୍ନମଧ୍ୟବିତ୍ତ ହଇରାଣ ହେବା ସାର ହେଲା। ବିମୁଦ୍ରାୟନର ମାଡ଼ରୁ ବେପାର, ବଣିଜ ସାମଗ୍ରିକ ଭାବେ ଅର୍ଥନୀତି ଦୁଇବର୍ଷ ପରେ ବି ପୂରା ସଳଖିି ପାରି ନାହିଁ। ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ର ପ୍ରତିଫଳନ ବିକାଶରେ ଦେଖିବାକୁ ମିଳୁ ନ ମିଳୁ ବିକାଶ ଯେ ‘ସବ୍‌କା ସାଥ୍‌’ ନୁହେଁ ତାହା ଲୁଚି ପାରୁନାହିଁ। କାହିଁକି ଦଳିତ, ସଂଖ୍ୟାଲଘୁ ବିକାଶ ପ୍ରକ୍ରିୟା, ସାମାଜିକ ମୁଖ୍ୟସ୍ରୋତରେ ନିଜକୁ ସାମିଲ କରି ପାରୁନାହାନ୍ତି? ଗାନ୍ଧୀଙ୍କ ରାଣ ଖାଉଛ, ଅଥଚ ସାଂପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି କାହିଁ? ଆମ୍ବେଦକରଙ୍କ କଥା କହୁଛ, ହେଲେ ସାମାଜିକ ନ୍ୟାୟରୁ ଦଳିତ ନିଷ୍ପେଷିତ ବଞ୍ଚିତ କାହିଁକି? ବିଦ୍ୱେଷ ଓ ଅସହିଷ୍ଣୁତା ପ୍ରସୂତ ହିଂସାକୁ ରାଷ୍ଟ୍ରବାଦ ନାମରେ କ’ଣ ଯଥାର୍ଥ ସାବ୍ୟସ୍ତ କରାଯାଇ ପାରିବ? ଏ ସବୁ ପ୍ରଶ୍ନ ଭିତରେ ‘ଅଚ୍ଛେଦିନ୍‌’ର ସ୍ୱପ୍ନ କ’ଣ ଫିକା ଦିଶୁ ନାହିଁ?

ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ‘ଅଚ୍ଛେଦିନ୍‌’ର ସ୍ୱପ୍ନ ଫିକା ପଡ଼ିବା କିମ୍ବା ସମ୍ପୂର୍ଣ୍ଣ ହଜିଯିବାର ଆଶଙ୍କା ଯେତେ ଉଦ୍‌ବେଗଜନକ ନୁହେଁ, ଶାସକଙ୍କ ଚରିତ୍ରରେ ନକାରାତ୍ମକ ପରିବର୍ତ୍ତନ ଓ ଶାସନ ତଥା ବ୍ୟବସ୍ଥା ଉପରେ ଏହାର ପ୍ରତିିକୂଳ ପ୍ରଭାବ ତା’ଠାରୁ ଅଧିକ ଚିନ୍ତାର ବିଷୟ। ଦୁର୍ନୀତି ବିରୋଧରେ ୨୦୧୪ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମହୋଦୟଙ୍କ ଦୃପ୍ତ ବକ୍ତବ୍ୟ ଥିଲା- ‘ନା ଖାଉଙ୍ଗା ନା ଖାନେଦୁଙ୍ଗା’। କିନ୍ତୁ ଅତି ନିକଟରେ କର୍ଣ୍ଣାଟକରେ କ’ଣ ଦେଖାଗଲା? ଯେଉଁ ୟେଦୁରପ୍ପା ‘ଖାଇବା’ ଅଭିଯୋଗରେ ଜେଲ୍‌ ଯାଇଥିଲେ, ଖଣିଲୁଟ୍‌ କରି ଯେଉଁ ରେଡ୍ଡୀ ଭ୍ରାତା ଦୋଷୀ ସାବ୍ୟସ୍ତ, ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଭୋଟ ମାଗିଲେ। ଏହା କ’ଣ ଭ୍ରଷ୍ଟାଚାର ବିରୋଧରେ ଧର୍ମଯୁଦ୍ଧ? ଏହା କ’ଣ ନା ଖାଉଙ୍ଗା, ନା ଖାନେ ଦୁଙ୍ଗା’ର ପ୍ରମାଣ? ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ଏ ଦୋ ମୁହାଁ ନୀତି ଯୋଗୁ ବିଜୟମାଲ୍ୟା ଓ ନିରବ ମୋଦୀ ମାନେ ହଜାର ହଜାର କୋଟି ଟଙ୍କା ହଡ଼ପ କରି ଦେଶ ଛାଡ଼ି ପଳାୟନ କରିବାରେ ସମର୍ଥ ହେଲେ ବୋଲି ଯଦି କୁହାଯାଏ, ତେବେ କ’ଣ ଭୁଲ ହେବ? ‘ଚାଣକ୍ୟ ନୀତି ନାମରେ ଯେ କୌଣସି ଉପାୟରେ କ୍ଷମତା ପାଇଁ ନୀତି, ନୈତିକତା ସହ ସାଲିସ ଖାଲି ଦୁର୍ନୀତିକୁ ପ୍ରୋତ୍ସାହନ ନୁହେଁ, ଗଣତନ୍ତ୍ର ପ୍ରତି ମଧ୍ୟ ବିପଦ। ‘କଂଗ୍ରେସ ମୁକ୍ତ’ ଭାରତର ଆହ୍ଵାନ ଦେଉଛ, ଅନ୍ୟପଟେ ଏକଦା କଂଗ୍ରେସର ଅନୀତିକୁ ଅନୁସରଣ କରୁଛ! ଏହା କ’ଣ ‘ପାର୍ଟି ଓ୍ଵିଥ୍‌ ଡିଫରେନ୍ସ’ର ନମୁନା?

ପ୍ରଧାନମନ୍ତ୍ରୀ ମହୋଦୟ ଓଡ଼ିଶା ଆସୁଥିବାରୁ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସହ ଯୋଡ଼ି ହୋଇଥିବା କିଛି ପ୍ରଶ୍ନ ଉଠାଇବା ଆଦୌ ଅପ୍ରାସଙ୍ଗିକ ହେବ ନାହିଁ। ଓଡ଼ିଶାରେ ମୋଦୀଜିଙ୍କ ଦଳ ‘୧୨୦ ପଦ୍ମ’ ଫୁଟାଇବାର ସ୍ୱପ୍ନ ଦେଖୁଛି। ମହାନଦୀର ଶୁଖିଲା ବାଲିରେ କ’ଣ ପଦ୍ମ ଫୁଟିବ? ଛତିଶଗଡ଼ ସହ ବିବାଦ ନେଇ ଦୀର୍ଘ ଟାଳଟୁଳ ପରେ ସୁପ୍ରିମ୍‌କୋର୍ଟଙ୍କ ଛାଟ ପାଇ ଟି୍ରବ୍ୟୁନାଲ ଗଠନ ହେଲା। ତଥାପି ଟାଳଟୁଳ ସରିନାହିଁ। ‘ଟର୍ମ ଅଫ୍‌ ରେଫରାନ୍‌ସ’ ଚୂଡ଼ାନ୍ତ କରାଯାଉନାହିଁ। ମହାନଦୀ ପ୍ରସଙ୍ଗରେ ଏ ଟାଳଟୁଳ ଓଡ଼ିଶାର ‘ଜୀବନରେଖା’, ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସହ କ’ଣ ଖେଳ ନୁହେଁ? ଭୁବନେଶ୍ୱର କାର୍ଯ୍ୟକାରିଣୀ ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କଲେ ଦାରିଦ୍ର୍ୟପ୍ରବଣ, ଅନଗ୍ରସର ଓଡ଼ିଶା ହେବ ବିକାଶ ଓ କଲ୍ୟାଣର ପ୍ରୟୋଗଶାଳା। ଓଡ଼ିଶା ପାଇଁ କୌଣସି ନିର୍ଦ୍ଦିଷ୍ଟ ଯୋଜନା ଘୋଷଣା ତ ହେଲା ନାହିଁ। ନା ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଦାବି ବିଚାର ହେଲା ନା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ବିଷୟ ଚିନ୍ତା କରାଗଲା। ଅନ୍ୟପକ୍ଷରେ ସବୁଠାରୁ ଅଧିକ ଦାରିଦ୍ର୍ୟ ପ୍ରବଣ, ଅନଗ୍ରସର କେବିକେ ପାଇଁ ଚାଲି ଆସିଥିବା କେନ୍ଦ୍ରୀୟ ଯୋଜନା ବନ୍ଦ କରି ଦିଆଗଲା। ଏହା କ’ଣ ଓଡ଼ିଶାକୁ ବିକାଶର ପ୍ରୟୋଗ ଶାଳା କରାଯିବା ଘୋଷଣାର ଅସଲ ସ୍ୱରୂପ?

ପ୍ରଧାନମନ୍ତ୍ରୀ ମହାଶୟ ଯେ ଉପରୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ ଏ ଆଶା ନାହିଁ। ତଥାପି ସରକାରଙ୍କ ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ ଆଳରେ ଓଡ଼ିଶା ମାଟିରୁ ଉଣେଇଶ ଲଢ଼େଇ ପାଇଁ ବିଗୁଲ ଫୁଙ୍କିବା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଆମେରିକାର ସ୍ୱର୍ଗତ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ଗୋଟିଏ ଉକ୍ତି ମନେ ପକାଇଦେବା ସମୀଚୀନ ହେବ- ‘‘ କିଛିଦିନ ପାଇଁ କିଛି ଲୋକଙ୍କୁ, କିମ୍ବା ସବୁଦିନ ପାଇଁ କିଛି ଲୋକଙ୍କୁ ବୋକା ବନାଇପାରେ। ସବୁଦିନ ପାଇଁ କିନ୍ତୁ ସବୁ ଲୋକଙ୍କୁ ବୋକା ବନାଇବା ସମ୍ଭବ ନୁହେଁ’’।

ସମ୍ବନ୍ଧିତ ଖବର

Leave A Reply

Your email address will not be published.