ଉଜ୍ଜ୍ୱଳା!

0 210

ଗତ ବର୍ଷ ଇଣ୍ଟର୍‌ ପାର୍ଲାମେଣ୍ଟାରି ୟୁନିଅନ୍‌ (ଆପିୟୁ) ଏବଂ ‘ୟୁଏନ୍‌ ଓ୍ଵିମେନ୍‌’ ନାମକ ଦୁଇ ସଂସ୍ଥା ସଂପୃକ୍ତ ଦେଶମାନଙ୍କର ଆଇନ ପ୍ରଣୟନକାରୀ ଅନୁଷ୍ଠାନ ଅର୍ଥାତ୍‌ ସଂସଦମାନଙ୍କରେ ମହିଳାମାନଙ୍କର ପ୍ରତିନିଧିତ୍ୱକୁ ଭିତ୍ତିକରି ଜାତିସଂଘର ସମସ୍ତ ୧୯୩ଟି ସଦସ୍ୟ ଦେଶମାନଙ୍କର ଏକ ମାନ୍ୟତା ତାଲିକା ପ୍ରସ୍ତୁତ କରି ପ୍ରକାଶ କରିଥିଲେ। ଏହି ତାଲିକାରେ ଭାରତକୁ ପ୍ରଦାନ କରାଯାଇଥିଲା ଏକ ଅତ୍ୟନ୍ତ ତଳିଆ ୧୪୮ତମ ସ୍ଥାନ। ଭାରତର ସଂସଦର ଉଭୟ ଗୃହରେ ମହିଳା ସାଂସଦମାନଙ୍କର ନଗଣ୍ୟ ଉପସ୍ଥିତି ଯୋଗୁଁ ଭାରତକୁ ଏପରି ଅମର୍ଯ୍ୟାଦା ପ୍ରଦାନ କରାଯାଇଛି। ଲୋକସଭାରେ ମୋଟ ୫୪୨ ଜଣ ସାଂସଦଙ୍କ ମଧ୍ୟରୁ ମହିଳା ସାଂସଦଙ୍କ ସଂଖ୍ୟା ହେଉଛି ମାତ୍ର ୬୪, ଯାହା ହେଉଛି ଏକ ନଗଣ୍ୟ ୧୧.୮% ଅନୁପାତ। ରାଜ୍ୟସଭାରେ ଅବସ୍ଥା ଏହା ଠାରୁ ମଧ୍ୟ ଆଉ ଟିକିଏ ଖରାପ। ଏହି ଉପର ଗୃହର ମୋଟ ୨୪୫ ଜଣ ସାଂସଦମାନଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ହେଉଛି ୨୭, ଯାହା ଆନୁପାତିକ ଭାବରେ ହେଉଛି ୧୧%।

ଲୋକସଭାର ସାଂସଦମାନେ ସିଧାସଳଖ ଭାବରେ ନିର୍ବାଚନ ରଣକ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଜନମତ ଲାଭ କରି ନିର୍ବାଚିତ ହୋଇଥାନ୍ତି। ଯେଉଁ ପ୍ରାର୍ଥୀମାନେ ଏ ଲଢ଼େଇରେ ବିଜୟ ଲାଭ କରିପାରିବେ ବୋଲି ରାଜନୈତିକ ଦଳମାନେ ବିଶ୍ୱାସ କରନ୍ତି, ସେଇମାନଙ୍କୁ ହିଁ ଏଥିପାଇଁ ଚୟନ କରିଥାନ୍ତି। ଅନ୍ତତଃ ଏହାକୁ କାରଣ ରୂପେ ଦର୍ଶାଇ ରାଜନୈତିକ ଦଳମାନେ ଯୁକ୍ତି କରି ପାରନ୍ତି ସେମାନେ କାହିଁକି ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ ରୂପେ ଚୟନ କରିପାରନ୍ତି ନାହିଁ, ଯଦିବା ଏହା ସର୍ବଦା ଯଥାର୍ଥ ନୁହେଁ। କିନ୍ତୁ ରାଜ୍ୟସଭା କ୍ଷେତ୍ରରେ ଦଳମାନଙ୍କର ତ ସେପରି ବାଧ୍ୟବାଧକତା ନଥାଏ! ତେବେ ସେଠାରେ କାହିଁକି ମହିଳା ସାଂସଦମାନଙ୍କର ଉପସ୍ଥିତି ଏପରି ଦୁର୍ବଳ? ଏହାର ଅସୁଖକର ଉତ୍ତର ହେଉଛି ପୁରୁଷମାନେ ପାରମ୍ପରିକ ଭାବରେ କ୍ଷମତା ଦଖଲ କରି ରହିଛନ୍ତି ଓ ସେମାନେ ତାହା ହାତଛଡ଼ା କରିବାକୁ ଚାହାଁନ୍ତି ନାହିଁ।

ମହିଳାମାନଙ୍କୁ ସଂସଦରେ ଅଧିକ ପ୍ରତିନିଧିତ୍ୱ ଦେବା ପାଇଁ ଏକ ନିଶ୍ଚିତ ଉପାୟ ହେଉଛି ସେଠାରେ ସେମାନଙ୍କ ପାଇଁ ସ୍ଥାନ ଆରକ୍ଷଣ କରିବା। ସିଧାସଳଖ ଦେଖିଲେ ଯେହେତୁ କୌଣସି ଦେଶର ଲୋକ ସଂଖ୍ୟାରେ ମହିଳାଙ୍କ ଅଂଶ ହେଉଛି ଅଧା ଅର୍ଥାତ୍‌ ୫୦%, ଦେଶର ଆଇନପ୍ରଣୟନକାରୀ ଅନୁଷ୍ଠାନରେ ସେମାନେ ମଧ୍ୟ ୫୦% ସ୍ଥାନ ପାଇବା ଉଚିତ। ନଚେତ୍‌ ମୁଖ୍ୟତଃ ପୁରୁଷମାନେ ହିଁ ଆଇନ ପ୍ରଣୟନ କରି ଚାଲିବେ ଯାହା ଉଭୟ ପୁରୁଷ ଓ ମହିଳାମାନଙ୍କୁ ନିୟନ୍ତ୍ରଣ କରିବ। ଏହା ପ୍ରାକୃତିକ ନ୍ୟାୟର ପରିପନ୍ଥୀ। ପୁରୁଷମାନଙ୍କର ଦୃଷ୍ଟିଭଙ୍ଗୀ ଅନେକ ପ୍ରସଙ୍ଗରେ ମହିଳାମାନଙ୍କ ଦୃଷ୍ଟିଭଙ୍ଗୀଠାରୁ ଭିନ୍ନ ହୋଇପାରେ; ଏଣୁ ଲିଙ୍ଗଗତ ସାମ୍ୟ ବା ନ୍ୟାୟ ନିଶ୍ଚିତ କରିବା ପାଇଁ ମହିଳାମାନଙ୍କୁ ସେମାନଙ୍କ ଅନୁପାତ ଅନୁସାରେ ପ୍ରତିନିଧିତ୍ୱ ଉପଲବ୍‌ଧ ହେବା ଉଚିତ। ଆମ ଦେଶରେ ସମସ୍ତ ରାଜନୈତିକ ଦଳ ଓ ନେତାମାନେ ନାରୀ ସୁରକ୍ଷା, ଅଧିକାର ଓ ସଶକ୍ତୀକରଣ ସପକ୍ଷରେ ସେମାନଙ୍କର ରାଜନୀତି ଉତ୍ସର୍ଗୀକୃତ ବୋଲି ଉଚ୍ଚ କଣ୍ଠରେ ଘୋଷଣା କରୁଥିଲେ ହେଁ ସଂସଦ ବା ବିଧାନସଭାମାନଙ୍କରେ ୫୦% କ’ଣ ଏକ-ତୃତୀୟାଂଶ ମଧ୍ୟ ସ୍ଥାନ ସେମାନେ ମହିଳାମାନଙ୍କ ପାଇଁ ଆରକ୍ଷିତ କରିବାକୁ ପ୍ରସ୍ତୁତ ନାହାନ୍ତି। ଅନ୍ୟ ସମୟରେ ନିଜକୁ ଉଦାରପନ୍ଥୀ ରୂପେ ଦାବି କରୁଥିବା ଦଳମାନେ ମଧ୍ୟ କୌଣସି ନା କୌଣସି ବାହାନା ଦେଖାଇ ଏ ଦିଗରେ ସମସ୍ତ ଉଦ୍ୟମକୁ ଭଣ୍ଡୁର କରି ଚାଲିଛନ୍ତି।

Panda Mobile only

ଏହି ମହିଳା ବିରୋଧୀ ରାଜନେତାମାନେ ଯଦି ଅନ୍ତସ୍କରଣରେ ଲିଙ୍ଗଗତ ନ୍ୟାୟ ଭଳି ଏକ ଅପାର୍ଥିବ ନିୟମରେ ବିଶ୍ୱାସ କରୁ ନଥାନ୍ତି, ତେବେ ମହିଳାମାନଙ୍କୁ ଅଧିକ ପ୍ରତିନିଧିତ୍ୱ ପ୍ରଦାନ କରାଯିବା କାହିଁକି ଉଚିତ, ନିମ୍ନରେ ପ୍ରଦତ୍ତ କେତେକ ସଂପୂର୍ଣ୍ଣ ବସ୍ତୁନିଷ୍ଠ କାରଣ ଉପରେ ଦୃଷ୍ଟିନିକ୍ଷେପ କଲେ, ସେମାନଙ୍କର ସେ ସମ୍ବନ୍ଧରେ ଥିବା ସମସ୍ତ ସନ୍ଦେହ ଓ କୁଣ୍ଠା ବୋଧହୁଏ ଦୂର ହୋଇଯିବ। ଚଳିତ ମାସରେ ୟୁନାଇଟେଡ୍‌ ନେସନ୍‌ସ ୟୁନିଭର୍ସିଟି ଓ୍ଵାର୍ଲଡ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଡେଭେଲପ୍‌ମେଣ୍ଟ ଇକନୋମିକ୍‌ସ ରିସର୍ଚ୍ଚ (ୟୁଏନ୍‌ୟୁ-ଓ୍ଵାଇଡର୍‌) ଦ୍ୱାରା ପ୍ରକାଶିତ ଏକ ସର୍ବେକ୍ଷଣ ରିପୋର୍ଟରେ ଭାରତରେ ରାଜ୍ୟ ବିଧାନସଭାମାନଙ୍କରେ ଥିବା ମହିଳା ବିଧାୟିକା ମାନଙ୍କର ଅର୍ଥନୈତିକ କ୍ଷେତ୍ରରେ ଉପଲବ୍‌ଧି ଓ ପ୍ରଭାବ ଉପରେ ଆଲୋକପାତ କରାଯାଇଛି। ଗବେଷକମାନେ ୧୯୯୨-୨୦୧୨ ସମୟକାଳ ମଧ୍ୟରେ ୪,୨୬୫ଟି ବିଧାନସଭା କ୍ଷେତ୍ରର ଚିତ୍ର ଅନୁଶୀଳନ କରିଛନ୍ତି। ଏହି ସମୟକାଳ ମଧ୍ୟରେ ଅଧିକାଂଶ ରାଜ୍ୟରେ ପ୍ରାୟ ଚାରିଟି ନିର୍ବାଚନ ଅନୁଷ୍ଠିତ ହୋଇଯାଇଥିଲା। ସେମାନେ ମଧ୍ୟ ଅର୍ଥନୈତିକ ପ୍ରଗତିର ଏକ ସୂଚକ ସ୍ୱରୂପ ବିଭିନ୍ନ ଅଞ୍ଚଳର ରାତ୍ରିକାଳୀନ ଆଲୋକିତ ଅବସ୍ଥାକୁ ବିଚାରକୁ ନେଇଥିଲେ, ଯେଉଁଥିପାଇଁ ସେମାନେ ସାଟେଲାଇଟ୍‌ ଦ୍ୱାରା ଉତ୍ତୋଳିତ ରାତ୍ରିକାଳୀନ ଚିତ୍ର ବ୍ୟବହାର କରିଥିଲେ।

ଦେଖାଯାଇଛି ଯେ ମହିଳା ପ୍ରତିନିଧିତ୍ୱ କରୁଥିବା ବିଧାନସଭା କ୍ଷେତ୍ରରେ ପ୍ରଗତିର ପ୍ରତୀକ ରୂପେ ପରିଗଣିତ ରାତ୍ରିକାଳୀନ ଉଜ୍ଜ୍ୱଳତା ପୁରୁଷ ପ୍ରତିନିଧିତ୍ୱ କରୁଥିବା କ୍ଷେତ୍ରର ଉଜ୍ଜ୍ୱଳତା ଠାରୁ ବାର୍ଷିକ ୧୫% ଅଧିକ ହାରରେ ବୃଦ୍ଧି ପାଇଥାଏ। ଏହାକୁ ବାର୍ଷିକ ଜିଡିପି (ମୋଟ ଜାତୀୟ ଉତ୍ପାଦ)ରେ ବୃଦ୍ଧି ଆକାରରେ ଦେଖିଲେ ମହିଳା କ୍ଷେତ୍ରର ବୃଦ୍ଧି ହାର ପୁରୁଷ କ୍ଷେତ୍ରର ବୃଦ୍ଧି ହାର ଠାରୁ ୧.୮% ଅଧିକ ହୋଇଥିବା ଜଣାପଡ଼େ। ଏହି ସମୟକାଳ ଭାରତୀୟ ଅର୍ଥନୀତିର ହାରହାରି ଅଭିବୃଦ୍ଧି ହାର ପ୍ରାୟ ୭% ହୋଇଥିବାରୁ ହିସାବରୁ ଜଣାପଡ଼େ ଯେ ଏହି ସମୟରେ ମହିଳା ବିଧାୟକ ଥିବା କ୍ଷେତ୍ରମାନଙ୍କରେ ଅଭିବୃଦ୍ଧି ୨୫% ଅଧିକ ହୋଇଛି। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ରାସ୍ତା ନିର୍ମାଣ କ୍ଷେତ୍ରରେ ପ୍ରକଳ୍ପ ମାନ ସଂପୂର୍ଣ୍ଣ କରିବାରେ ମହିଳା ବିଧାୟିକାମାନେ ସେମାନଙ୍କର ପୁରୁଷ ସହକର୍ମୀମାନଙ୍କ ତୁଳନାରେ ଅଧିକ ଫଳପ୍ରଦ ହୋଇଛନ୍ତି। ରାସ୍ତା ହେଉଛି ଅଭିବୃଦ୍ଧି ହାସଲ ନିମିତ୍ତ ଏକ ମୌଳିକ ଭିତ୍ତିଭୂମି। ମହିଳାମାନଙ୍କର ଅଧିକ ଆନ୍ତରିକତା, ପ୍ରତିବଦ୍ଧତା ଓ ଦୁର୍ନୀତିହୀନତା ଏହାର କାରଣ ବୋଲି ଅନୁମାନ କରାଯାଉଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ରାସ୍ତା ନିର୍ମାଣ ହେଉଛି ଏପରି ଏକ ପ୍ରକଳ୍ପ ଯାହା ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କ ପାଇଁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ। ତେଣୁ ମହିଳାମାନେ ଯେ କେବଳ ମହିଳାକୈନ୍ଦ୍ରିକ ପ୍ରକଳ୍ପ ପାଇଁ ଉପଯୁକ୍ତ, ଦୀର୍ଘକାଳ ଧରି ରହି ଆସିଥିବା ଏଭଳି ବଦ୍ଧମୂଳ ଧାରଣାକୁ ଏହି ରିପୋର୍ଟ ଭୁଲ ସାବ୍ୟସ୍ତ କରିଥାଏ।

ରିପୋର୍ଟର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ହେଉଛି ଆନୁପାତିକ ଭାବରେ ଆପରାଧିକ ପୃଷ୍ଠଭୂମି ଥିବା ମହିଳା ବିଧାୟିକାଙ୍କ ସଂଖ୍ୟା ପୁରୁଷ ବିଧାୟକମାନଙ୍କ ତୁଳନାରେ ବହୁତ କମ୍‌। ରାଜନୀତିରେ ଅପରାଧର ପ୍ରବେଶ ଏକ ମୁଖ୍ୟ ସମସ୍ୟା ରୂପେ ମୁଣ୍ଡ ଟେକିଥିବା ବେଳେ ଅଧିକ ମହିଳାମାନଙ୍କର ବିଧାନସଭା ଓ ସଂସଦରେ ପ୍ରବେଶ ଏ ସମସ୍ୟାକୁ ଲାଘବ କରିବାରେ ଏକ ନିଶ୍ଚିତ ଉପାୟ ଭଳି ମନେ ହେଉଛି। ଏହି ରିପୋର୍ଟ ଅନୁସାରେ ମହିଳାମାନେ କମ୍‌ ପଦପଦବିର ଦୁରୁପଯୋଗ କରି ବ୍ୟକ୍ତିଗତ ଦୁର୍ନୀତି କରିଥାନ୍ତି। ଯେହେତୁ ଦୁର୍ନୀତିକୁ ପ୍ରଗତିର ପ୍ରତିବନ୍ଧ ରୂପେ ବିଚାର କରାଯାଏ, ମହିଳା କ୍ଷେତ୍ର ଅଧିକ ପ୍ରଗତି ହାସଲ କରି ଅଧିକ ଉଜ୍ଜ୍ୱଳ ହେବାର ଏହା ମଧ୍ୟ ଅନ୍ୟତମ କାରଣ। ଏ ରିପୋର୍ଟ ପୁରୁଷ ରାଜନେତାମାନଙ୍କର ଚେତନାକୁ ଏଥର ଉଜ୍ଜ୍ୱଳ କରିବ ବୋଲି ଆଶା: ନାରୀ ଉଜ୍ଜ୍ୱଳତାର ବାହକ- ଉଜ୍ଜ୍ୱଳା!

ସମ୍ବନ୍ଧିତ ଖବର

Leave A Reply

Your email address will not be published.