Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ମାଛ ତେଲ

0 388

ଭାରତୀୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କୁ ବୁଡ଼ି ମରିବାରୁ ଉଦ୍ଧାର କରିବା ପାଇଁ ଅକ୍‌ଟୋବର ୨୪ ତାରିଖରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଶେଷରେ ସେମାନଙ୍କ ନିକଟକୁ ଏକ ୧.୩୫ ଲକ୍ଷ ଟଙ୍କିଆ ଜୀବନ ରଜ୍ଜୁ ଫିଙ୍ଗିଛନ୍ତି। ଏହାପରେ ଭବିଷ୍ୟତରେ ଏଭଳି ସଂକଟ ଯେପରି ଆଉ ଦେଖା ନ ଦିଏ, ସେଥିପାଇଁ ସରକାର ବ୍ୟାଙ୍କ୍‌ମାନଙ୍କର କାର୍ଯ୍ୟବିଧିରେ କେତେକ ସଂସ୍କାର ଆଣିବାକୁ ଯୋଜନା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ଅତୀତରେ ଏହି ବ୍ୟାଙ୍କ୍‌ମାନେ ପ୍ରଦାନ କରିଥିବା କେତେକ ବଡ଼ ବଡ଼ ଋଣ ପରିଶୋଧ ହୋଇ ନ ପାରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସ୍ୱାଭାବିକ ଭାବରେ ସମାଲୋଚନା ହେଉଛି ଯେ ବ୍ୟାଙ୍କ୍‌ମାନେ ଏ ସମସ୍ତ ଋଣ ମଞ୍ଜୁର କଲାବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରି ନାହାନ୍ତି। ଏହା ସେମାନଙ୍କର ଦକ୍ଷତା ଉପରେ ଗୁରୁତର ପ୍ରଶ୍ନବାଚୀ ଲଗାଇଛି।

ଏଥିରେ ଅବଶ୍ୟ ଦ୍ୱିମତ ହେବା ଅବକାଶ ନାହିଁ। କିନ୍ତୁ ସେମାନଙ୍କର ଚରମ ନିନ୍ଦୁକମାନେ ମଧ୍ୟ ସେମାନଙ୍କର ଏହି ବିଫଳତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କଲାବେଳେ, ନିକଟ ଅତୀତରେ ସେମାନେ ହାସଲ କରିଥିବା ଏକ ବିରଳ ସଫଳତା ପ୍ରତି ମଧ୍ୟ ଆଖିବୁଜି ଦେଇ ପାରିବେ ନାହିଁ। ୨୦୦୭-୦୮ରେ ଯେତେବେଳେ ଆମେରିକାରୁ ଆରମ୍ଭ ହୋଇ ଏକ ବିତ୍ତୀୟ ସଂକଟ ପୃଥିବୀର ଅଧିକାଂଶ ଦେଶର ଏବଂ ବିଶେଷ କରି ସମସ୍ତ ପାଶ୍ଚାତ୍ୟ ଦେଶମାନଙ୍କର ବ୍ୟାଙ୍କ୍‌ମାନଙ୍କୁ ଧରାଶାୟୀ କରି ଦେଇଥିଲା, ଭାରତୀୟ ବ୍ୟାଙ୍କ୍‌ମାନେ ଯେପରି ତାହାର ସଫଳ ମୁକାବିଲା କରି ନିଜକୁ ଅକ୍ଷତ ରଖିପାରିଥିଲେ, ତାହା ସମସ୍ତଙ୍କୁ ଚମତ୍କତ କରିଥିଲା। କିନ୍ତୁ ତା’ପରେ ପରେ ଅର୍ଥନୀତିକୁ ଉଦ୍ଦୀପନା ଯୋଗାଇବା ପାଇଁ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପମାନଙ୍କୁ ସେମାନେ ଏପରି ହାତ ଖୋଲା ଋଣ ଯୋଗାଇ ଚାଲିଲେ ଯାହା ଏବେ ପରିଶୋଧ ନ ହୋଇ ପାରି ସେମାନଙ୍କ ପାଇଁ ଖରାପ ଋଣର ପାହାଡ଼ ସୃଷ୍ଟି କରିବାରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଛି। ଏଥି ମଧ୍ୟରୁ ଅଧିକାଂଶ ପ୍ରକଳ୍ପ ଅମଲାତାନ୍ତ୍ରିକ ଜାଲରେ ଛନ୍ଦି ହୋଇ ଯୋଜନା ମୁତାବକ ଠିକ୍‌ ସମୟରେ ଏବଂ ଆଶା କରାଯାଉଥିବା ଢଙ୍ଗରେ ସମ୍ପୂର୍ଣ୍ଣ ହୋଇ ନପାରିବା ସେମାନଙ୍କର ଋଣ ପରିଶୋଧ ଅକ୍ଷମତାର ଏକ ମୁଖ୍ୟ କାରଣ। ସେହିପରି ବିଜୟ ମାଲ୍ୟାଙ୍କ ପରି ବଡ଼ ବଡ଼ ଋଣ ଖିଲାପକାରୀମାନେ ସହଜରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କଠାରୁ ବିଶାଳ ପରିମାଣର ଋଣ ପାଇବାରେ ସଫଳ ହେବା ପଛରେ ଥିବା ମୁଖ୍ୟ କାରଣ ଯେ ସେମାନେ ଉପଭୋଗ କରୁଥିବା ରାଜନୈତିକ ପୃଷ୍ଠପୋଷକତା, ଏହା କାହାକୁ ଅଛପା ନୁହେଁ। ପୁଣି କୋଇଲା କିମ୍ବା ସ୍ପେକ୍‌ଟ୍ରମ୍‌ କେଳେଙ୍କାରୀ ଆବିଷ୍କୃତ ହେବା ପରେ ଲାଇସେନ୍‌ସ ରଦ୍ଦ ହେବାରୁ ଏ କ୍ଷେତ୍ରରେ ସକ୍ରିୟ ନିବେଶକମାନଙ୍କୁ ବ୍ୟାଙ୍କ୍‌ମାନେ ଦେଇଥିବା ଋଣ ଖିଲାପ ହେବା ବ୍ୟାଙ୍କ୍‌ମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା। ଏଣୁ ବୃହତ୍ତର ଅର୍ଥନୀତିରେ ଦେଖା ଦେଇଥିବା ବିଭିନ୍ନ କିସମର ସମସ୍ୟାମାନ ଯେ ଅନେକାଂଶରେ ବ୍ୟାଙ୍କ୍‌ମାନେ ବର୍ତ୍ତମାନ ସମ୍ମୁଖୀନ ହୋଇଥିବା ଦେବାଳିଆ ଅବସ୍ଥା ପାଇଁ ଦାୟୀ, ତାହା କେହି ଅସ୍ୱୀକାର କରିପାରିବେ ନାହିଁ।

କାରଣ ଯାହା ହୋଇଥାଉନା କାହିଁକି, ଦେଶର ବ୍ୟାଙ୍କ୍‌ ବ୍ୟବସାୟର ପ୍ରାୟ ୭୦ ଶତାଂଶ ନିୟନ୍ତ୍ରଣ କରୁଥିବା ୨୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ବର୍ତ୍ତମାନ ପ୍ରାୟ ୧୦.୫ ଲକ୍ଷ କୋଟି ଟଙ୍କାର ପରିଶୋଧ ହୋଇପାରୁ ନଥିବା ତଥାକଥିତ ‘ଚାପଗ୍ରସ୍ତ ଋଣ’ର ପାହାଡ଼ ତଳେ ଚାପି ହୋଇ ରହିଛନ୍ତି। ଏହା ସେମାନେ ଦେଇଥିବା ମୋଟ ଋଣ ରାଶିର ପ୍ରାୟ ଏକ ପଞ୍ଚମାଂଶ ହେବ। ଏହି ବ୍ୟାଙ୍କ୍‌ମାନେ କିନ୍ତୁ ଏକଥା ସ୍ୱୀକାର କରିବାକୁ କୁଣ୍ଠିତ ଯେ ଏ ଋଣ ସବୁ ପରିଶୋଧ ହୋଇ ପାରିବ ନାହିଁ। ଏହାର ଅନ୍ୟତମ କାରଣ ହେଲା ଏଭଳି ବିଧିବଦ୍ଧ ସ୍ୱୀକୃତି ଏହି ରାଶିକୁ ହିସାବ ଖାତାରେ ବ୍ୟାଙ୍କ୍‌ର କ୍ଷତି ରୂପେ ପ୍ରଦର୍ଶିତ କରିବ ଯାହା ଅଂଶୀଦାରମାନେ ବ୍ୟାଙ୍କ୍‌ରେ ଖଟାଇଥିବା ପୁଞ୍ଜିରେ ହ୍ରାସ ଘଟାଇବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୁସ୍ଥ ବ୍ୟାଙ୍କ୍‌ ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା ନିୟମ ଅନୁଯାୟୀ ବ୍ୟାଙ୍କ୍‌ରେ ଯେଉଁ ସର୍ବନିମ୍ନ ଅନୁପାତରେ ଏହି ଅଂଶଧନ ରହିବା ଆବଶ୍ୟକ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କରେ ଥିବା ଅଂଶଧନ ହ୍ରାସ ପାଇ ପାଇ ତା’ର ପାଖାପାଖି ହେଲାଣି। ତେଣୁ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ସେମାନେ ଏସବୁ ଋଣ ଫେରସ୍ତ ହେବ ବୋଲି ଛଳନା କରି ଆସୁଛନ୍ତି। କିନ୍ତୁ ଏହାର ପରିଣାମ ସ୍ୱରୂପ ସେମାନଙ୍କ ଋଣ ପ୍ରଦାନ ସ୍ରୋତ ଏପରି ଶିଥିଳ ହୋଇ ପଡ଼ିଛି ଯାହାକୁ ବର୍ଷକ ତଳେ ମୋଟ ଜାତୀୟ ଉତ୍ପାଦ (ଜିଡିପି)ରେ ଘଟିଥିବା ୭% ଅଭିବୃଦ୍ଧିକୁ ଏ ବର୍ଷର ଦ୍ୱିତୀୟ ଚଉଠରେ ୫.୭%କୁ ଖସାଇ ଆଣିବାରେ ଅନ୍ୟତମ ମୁଖ୍ୟ କାରଣ ରୂପେ ବିବେଚନା କରାଯାଉଛି।

ତେଣୁ ବ୍ୟାଙ୍କ୍‌ମାନଙ୍କର ସ୍ୱାସ୍ଥ୍ୟ ଫେରାଇ ଆଣିବାକୁ ହେଲେ ହେଲେ ସେମାନଙ୍କ ନିକଟରେ ଥିବା ଅଂଶଧନ ପୁଞ୍ଜିରେ ବୃଦ୍ଧି ଘଟାଇବା ଛଡ଼ା ଅନ୍ୟ ଉପାୟ ନାହିଁ। ଅଂଶଧନରେ ବୃଦ୍ଧି ଘଟିବା ପରେ ତାହା ଏକ ନିରାପଦ ସ୍ତରକୁ ଯିବା ପରେ ବ୍ୟାଙ୍କ୍‌ମାନେ ପୁଣି ନିବେଶ ପାଇଁ ଋଣ ଦାନରେ ବୃଦ୍ଧି ଘଟାଇବା ପାଇଁ ସକ୍ଷମ ହେବେ, ଯାହା ଅର୍ଥନୀତିର ଅଭିବୃଦ୍ଧି ଘଟାଇବାରେ ସହାୟକ ହେବ। ସରକାର ଯେହେତୁ ହେଉଛନ୍ତି ଏହି ବ୍ୟାଙ୍କ୍‌ମାନଙ୍କର ପ୍ରମୁଖ ଅଂଶୀଦାର, ତେଣୁ ପରିସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ହିଁ ଏହି ବ୍ୟାଙ୍କ୍‌ମାନଙ୍କରେ ଅଧିକ ଅଂଶଧନ ଖଟାଇବା ଆବଶ୍ୟକ। କିନ୍ତୁ ସରକାର ଯଦି ଏତେ ବିପୁଳ ରାଶି ଖର୍ଚ୍ଚ କରି ବ୍ୟାଙ୍କ୍‌ମାନଙ୍କର ପୁଞ୍ଜି ଭରଣା କରନ୍ତି ତାହା ରାଜକୋଷୀୟ ନିଅଣ୍ଟରେ ଅହେତୁକ ବୃଦ୍ଧି ଘଟାଇ ଏଥିପାଇଁ ଧାର୍ଯ୍ୟ କରାଯାଇଥିବା ସୀମା ଉଲ୍ଲଂଘନ କରିପାରେ ଏବଂ ସେଥିଯୋଗୁଁ ମୁଦ୍ରାସ୍ଫୀତି ସୃଷ୍ଟି ହୋଇପାରେ।

ଏ ସମସ୍ୟା ଏଡ଼ାଇ ଲକ୍ଷ୍ୟ ସାଧନ ପାଇଁ ଅର୍ଥମନ୍ତ୍ରୀ ଯେଉଁ କୌଶଳ ଅବଲମ୍ବନ କରିଛନ୍ତି ତାହାକୁ କୁହାଯାଇପାରେ ମାଛ ତେଲରେ ମାଛ ଭଜା। ଘୋଷିତ ଯୋଜନା ଅନୁସାରେ ଉପରୋକ୍ତ ରୁଗ୍‌ଣ ବ୍ୟାଙ୍କ୍‌ମାନେ ସରକାରଙ୍କୁ ମୋଟ ୧.୩୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିବେ (ସରକାର ଏ ଉଦ୍ଦେଶ୍ୟରେ ଜାରି କରିବାକୁ ଯାଉଥିବା ବଣ୍ଡ୍‌ କ୍ରୟ କରି)। ଏହା ସେମାନଙ୍କର ମିଳିତ ବଜାର ମୂଲ୍ୟର ପ୍ରାୟ ଏକତୃତୀୟାଂଶ ସରିକି। ସରକାର ସେଇ ଅର୍ଥକୁ ପୁଣି ବ୍ୟାଙ୍କ୍‌ମାନଙ୍କର ଅଂଶପତ୍ର କ୍ରୟ କରିବାରେ ବିନିଯୋଗ କରିବେ। ବିମୁଦ୍ରୀକରଣ ପରେ ବ୍ୟାଙ୍କ୍‌ମାନଙ୍କ ପାଖରେ ଠୁଳ ହୋଇ ସେମାନଙ୍କ ପାଇଁ ସୁଧ ବୋଝ ସୃଷ୍ଟି କରୁଥିବା ନଗଦ ଜମା ଏହାଦ୍ୱାରା ସରକାରୀ ଅର୍ଥ ସୃଷ୍ଟିକାରୀ ବଣ୍ଡ୍‌ରେ ବିନିଯୁକ୍ତ ହୋଇଯିବ ଏବଂ ସେମାନଙ୍କ ପଇସାକୁ ହିଁ ସେମାନଙ୍କ ଅଂଶଧନ ବୃଦ୍ଧି କରିବା କାର୍ଯ୍ୟରେ ନିୟୋଜିତ କରି ସରକାର ବଜେଟ୍‌ ଉପରେ ନୂତନ ଆର୍ଥିକ ବୋଝ ସୃଷ୍ଟି କରିବେ ନାହିଁ। ଏହାହିଁ ମାଛ ତେଲରେ ମାଛ ଭଜା ବାହାର ତେଲ ଦରକାର ନାହିଁ। ଏହାବାଦ୍‌ ଅବଶ୍ୟ ସରକାର ପୂର୍ବ ପ୍ରତିଶ୍ରୁତି ପୂରଣ ପାଇଁ ଆଉ ୧୮,୦୦୦ କୋଟି ଟଙ୍କାର ବ୍ୟାଙ୍କ୍‌ ଅଂଶଧନ କ୍ରୟ କରିବେ ଏବଂ ବ୍ୟାଙ୍କ୍‌ମାନେ ବଜାରରୁ ମୋଟ ୫୮,୦୦୦ କୋଟି ଟଙ୍କା ଉଠାଇବେ।

ଆଶା କରାଯାଉଛି ଏ ସମସ୍ତ ପଦକ୍ଷେପ ସମ୍ପୂର୍ଣ୍ଣ ହେବା ପରେ ବ୍ୟାଙ୍କ୍‌ମାନଙ୍କର ଋଣ ଦାନରେ ବହୁ ଅପେକ୍ଷିତ ବୃଦ୍ଧି ଦେଖା ଦେବାକୁ ଆରମ୍ଭ କରିବ ଯାହା ଅର୍ଥନୀତିର ଅଭିବୃଦ୍ଧିରେ ପ୍ରତିଫଳିତ ହେବ। ଘୋଡ଼ାକୁ ଟାଣି ଟାଣି ଏଥର ପାଣି ପାଖକୁ ନିଆଯାଇ ପାରିବ। କିନ୍ତୁ ଘୋଡ଼ାର ଶୋଷ ନଥିଲେ ସେ ପାଣି ପିଇବ ତ? ବିମୁଦ୍ରୀକରଣ ଓ ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି ପ୍ରପୀଡ଼ିତ ବ୍ୟବସାୟ ବାଣିଜ୍ୟର ଘୋଡ଼ାମାନଙ୍କର ଋଣ କରିବା ପାଇଁ ଶୋଷ ଅଛି ତ?

ସମ୍ବନ୍ଧିତ ଖବର

Leave A Reply

Your email address will not be published.

three + 16 =