ମଞ୍ଚରେ ‘ଠିଆପାଲା’

‘ପଞ୍ଚମ ବେଦ’ର ଷୋଡ଼ଶ ବାର୍ଷିକୋତ୍ସବ ଓ ସଂସ୍କୃତି ମିତ୍ର ସମ୍ମାନ ଉତ୍ସବ

ଭୁବନେଶ୍ୱର: କୁହାଯାଏ, ମାନବ ସେବା ହିଁ ମାଧବ ସେବା। କିନ୍ତୁ ଏବେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବ୍ୟବସାୟୀକରଣ ହୋଇଯାଇଛି। କିଛି ବ୍ୟବସାୟୀ ଚିକିତ୍ସା ନାଁରେ ରୋଗୀଙ୍କ ଶୋଷଣ କରି ଚାଲିଛନ୍ତି। ଏହାର ବେଶି ଶିକାର ହେଉଛନ୍ତି ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ। ଆମେ ମଧ୍ୟ ଏସବୁ ଭିତରେ ପ୍ରତିବାଦ ବି ଭୁଲିଗଲୁଣି। ମାତ୍ର ଆଉ କେତେ ଦିନ? ସମୟ ଆସିଛି ଏହାର ପ୍ରତିବାଦ କରିବାର। ସେମିତି ଏକ ପ୍ରତିବାଦର ସ୍ୱରକୁ ନେଇ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଛି ନାଟକ ‘ଠିଆପାଲା’। ଯେଉଁଥିରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ରକୁ ବିଦ୍ରୁପ କରାଯାଇଛି ହାସ୍ୟରସ ମାଧ୍ୟମରେ। ନାଟକର ରଚନା ଶଙ୍କର ତ୍ରିପାଠୀ କରିଥିବା ବେଳେ ହରେନ୍‌ ସାହୁ ନିର୍ଦ୍ଦେଶନା ଦେଇଥିଲେ। ଅବସର ଥିଲା, ‘ପଞ୍ଚମ ବେଦ’ର ଷୋଡ଼ଶ ବାର୍ଷିକୋତ୍ସବ ଓ ‘ସଂସ୍କୃତି ମିତ୍ର-୨୦୧୭’ ସମ୍ମାନ ଉତ୍ସବର।

ଏହି ଅବସରରେ ଇତି ସାମନ୍ତ, ଉପେନ୍ଦ୍ର ପ୍ରସାଦ ନାୟକ, ସୌରେନ୍ଦ୍ର କୁମାର ମହାପାତ୍ର, ରାଜୀବ ପାଣି, ବିଜୟ ନାୟକ, ପ୍ରଦ୍ୟୁମ୍ନ ଶତପଥୀ, ସୁବୋଧ ପଟ୍ଟନାୟକ, ବିନୟ ଭୂଷଣ ପଟ୍ଟନାୟକ ଓ ମମତା ବିଶ୍ୱାଳଙ୍କୁ ଚଳିତ ବର୍ଷର ସଂସ୍କୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ବିଧାୟକ ବିଜୟ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ଅମିୟ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର